Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ

ରାଗିଲେ ଦିଦି: ଭାଷଣ ଦେବାକୁ ଯିବା ବେଳେ ହୋହାଲ୍ଲା ଶୁଣି ପଳେଇଲେ ମମତା, କଣ କହିଲେ ଜାଣିଛନ୍ତି ?

କୋଲକାତା, ଆଜି ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପ୍ରଧାନମନ୍ତ୍ରୀ ଉପସ୍ଥିତ ଥିବା ସଭାରେ ମମତା କହିବାକୁ ଯିବା ବେଳେ ଜୋରରେ ହୋହାଲ୍ଲା ହେଲା। ଜୟ ଶ୍ରୀରାମ କହି ଲୋକମାନେ ପାଟିକଲେ। ଏହାକୁ ଦେଖି ମମତା ରାଗିଗଲେ। ଆଉ କହିଲେ ଯେ ଏପରି ପରିସ୍ଥିତିରେ ମୁଁ କିଛି କହିବାକୁ ଚାହୁ ନାହିଁ। ଜୟ ହିନ୍ଦି, ଜୟ ବଙ୍ଗଳା କହି ସେ ପୋଡିୟମ ଛାଡି ଚାଲିଗଲେ।

ଘଟଣାଟି କୋଲକାତାର ଭିକ୍ଟୋରିଆ ମେମୋରିଆଲଠାରେ ଘଟିଛି । ନେତାଜୀଙ୍କ 125 ତମ ଜୟନ୍ତୀ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଥିଲେ। ବିଭିନ୍ନ ଅତିଥି କହିସାରିବେ ପରେ ମମତାଙ୍କୁ କିଛି କହିବା ପାଇଁ ନିମନ୍ତ୍ରିତ କରାଯାଇଥିଲା। ଏହି ସମୟରେ ସେଠାରେ ଥିବା ଲୋକମାନେ ଜୟ ଶ୍ରୀରାମ ସ୍ଲୋଗାନ ଦେଇ ହୋହାଲ୍ଲା କରିଥିଲେ।

ମମତା ମାଇକ ପାଖକୁ କହିବାକୁ ଆସିବା ବେଳେ ଏହି ହୋହାଲ୍ଲା ବହୁ ଜୋର ହେଲା। ମମତା ଏହାକୁ ଦେଖି କହିଲେ ଯେ, “ମୁଁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସଂସ୍କୃତି ବିଭାଗକୁ ଧନ୍ୟବାଦ ଦେବି। କାରଣ ସେମାନେ କୋଲକାତାରେ ଏହି କାର୍ଯ୍ୟକ୍ରମ କରିଛନ୍ତି। କିନ୍ତୁ ଏହା ହେଉଛି ଏକ ସରକାରୀ ସଭା। ସରକାରୀ ସଭାର ମର୍ଯ୍ୟଦା ରହିବା ଦରକାର। ଏହା କୌଣସି ରାଜନୈତିକ ସଭା ନୁହେଁ। ଜଣଙ୍କୁ ନିମନ୍ତ୍ରିତ କରି ଏପରି ବେଇଜ୍ଜିତ କରିବା ଠିକ୍ ନୁହେଁ।” ଏହାର ପ୍ରତିବାଦରେ ମୁଁ ଏହି ସଭାରେ କିଛି କହିବି ନାହିଁ ବୋଲି କହି ମମତା ପୋଡିୟମ ଛାଡି ଚାଲିଗଲେ। ପରେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ମମତାଙ୍କୁ ଭଉଣୀ ବୋଲି କହି ସମ୍ଭୋଧିତ କରିଥିଲେ।

ନେତାଜୀଙ୍କ ଜୟନ୍ତୀକୁ ନେଇ ବିଜେପି ଏବଂ ତ୍ରୁଣମୂଳ କଂଗ୍ରେସ ମଧ୍ୟରେ କିଛି ଦିନ ଧରି ରିତମତ ଏକ ପ୍ରତିଯୋଗୀତା ଚାଲିଛି। ଆଗକୁ ନିର୍ବାଚନ ଥିବାରୁ ଉଭୟ ଦଳ ମାଇଲେଜ ନେବା ପାଇଁ ନିଜନିଜ ସ୍ତରରେ ଚେଷ୍ଠା କରିବାରେ ଲାଗିଛନ୍ତି।

ଆଜି ସକାଳେ ମମତା ଆଠ କିଲୋମିଟର ଧରି ନେତାଜୀଙ୍କ ଜୟନ୍ତୀ ଉପଲକ୍ଷେ ପଦଯାତ୍ରା କରିଥିଲେ। ପରେ ଏକ ସଭାରେ ମମତା କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା ମଧ୍ୟ କରିଥିଲେ। ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନକୁ କେନ୍ଦ୍ର ଜାତୀୟ ଛୁଟିି ଦିନ ଭାବେ ଘୋଷଣା କରୁ ବୋଲି ଦାବୀ କରିଥିଲେ। ଏଥିସହିତ ସେ କହିଥିଲେ ଯେ, ନେତାଜୀ କିପରି କେଉଁ ପରିସ୍ଥିତିରେ ଅନ୍ତର୍ଦ୍ଧାନ ହେଲେ ତାହାର ମଧ୍ୟ ତଦନ୍ତ କରାଯାଉ।

ଏଥିସହିତ ମମତା କେନ୍ଦ୍ର ସରକାର ଘୋଷଣା କରିଥିବା ପରକ୍ରାମ ଦିବସକୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ପରାକ୍ରମ ଦିବସ କଣ ? ବିଶ୍ବକବି ରବିନ୍ଦ୍ରନାଥ ଠାକୁର ନେତାଜୀଙ୍କୁ କହିଥିଲେ ଦେଶନାୟକ। ତେଣୁ କେନ୍ଦ୍ର ସରକାର ପରାକ୍ରମ ଦିବସ ପରିବର୍ତ୍ତେ ଏହାକୁ ଦେଶନାୟକ ଦିବସ ଭାବେ ଘୋଷଣା କରନ୍ତୁ। ପରାକ୍ରମ ହେଉଛି ଏକ ଗୁଜରାଟୀ ଭାଷା। ଏହାକୁ କେନ୍ଦ୍ର ତୁରନ୍ତ ପ୍ରତ୍ୟାହାର କରୁ ବୋଲି କହିଥିଲେ। ନେତାଜୀଙ୍କ ଜୟନ୍ତୀକୁ ନେଇ ପଶ୍ଚିମ ବଂଗ ରାଜନୀତି ବେଶ୍ ସରଗରମ ହୋଇ ଉଠିଛି।