Categories
ଆଜିର ଖବର ରାଜ୍ୟ ଖବର

ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ଭୁବନେଶ୍ୱର: ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ସଭାପତି ଭାବେ ଯୋଗଦେଇ ଉଭୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଦେଶପ୍ରେମ ଓ ଅସୀମ ପରାକ୍ରମ ସଂପର୍କରେ ଆଲୋକପାତ କରିଥିଲେ ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଭୟ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଦେଶପ୍ରେମ, ଅସୀମ ପରାକ୍ରମ, ବୀରତ୍ୱ, ଦୃଢ଼ ଇଚ୍ଛାଶକ୍ତି ଓ ଉଚ୍ଚ ଆଦର୍ଶ ଅନନ୍ୟ ଓ ଅତୁଳନୀୟ ବୋଲି କହିଥିଲେ।

ସମ୍ମାନିତ ଅତିଥି ଭାବେ ବିଧାୟକ ଶ୍ରୀ ସୌଭିକ୍‌ ବିଶ୍ୱାଳ ଓ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦିକା କସ୍ତୁରୀ ମହାପାତ୍ର ଦୁଇ ବୀର ସଂଗ୍ରାମୀ ଦେଶର ସ୍ୱାଧୀନତା ପାଇଁ ଯେଉଁ ବଳିଷ୍ଠ ନେତୃତ୍ୱ ଓ ଉଚ୍ଚ ଆଦର୍ଶ, ସାଂଗଠନିକ କ୍ଷମତା ଓ ଅବଦମିତ ଦେଶପ୍ରେମ ଓ ତ୍ୟାଗ ଦେଇଯାଇଛନ୍ତି ତାହା ଚିରସ୍ମରଣୀୟ ହୋଇରହିବ ବୋଲି କହିଥିଲେ ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସାହିତି୍ୟକ ଏବଂ ଶିକ୍ଷାବିତ୍‌ ଡ. ନାରାୟଣ ପଣ୍ଡା ଦୁଇ ମହାପୁରୁଷଙ୍କ ଜୀବନାଦର୍ଶ ସଂପର୍କରେ ଆଲୋକପାତ କରିଥିବାବେଳେ ବୀର ସୁରେନ୍ଦ୍ର ସାଏଙ୍କର ବି୍ରଟିଶ ସାମ୍ରାଜ୍ୟବାଦ ବିରୁଦ୍ଧରେ ସଂଗ୍ରାମ ଓ ୩୭ ବର୍ଷ କାରାବରଣ ଏବଂ ସୁଭାଷଙ୍କ ନେତୃତ୍ୱରେ ‘ଆଜାଦ୍‌ ହିନ୍ଦ୍‌ ଫୌଜ’ ଓ ‘ଦିଲ୍ଲୀ ଚଲୋ’ ଆହ୍ୱାନ ବାସ୍ତବରେ ଅବିସ୍ମରଣୀୟ ବୋଲି କହିଥିଲେ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରି ଦୁଇ ମହାପୁରୁଷଙ୍କ କର୍ମମୟ ଜୀବନ ଚିରଦିନ ପାଇଁ ପ୍ରେରଣାଦାୟୀ ଓ ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ।

ପ୍ରାରମ୍ଭରେ ଅତିଥିମାନେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଅଂଶୁମାନ ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣକୁ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର-୨୦୨୩

ନୂଆଦିଲ୍ଲୀ: ୨୦୨୩ ବର୍ଷ ପାଇଁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (ଓସ୍‌ଡମା) ଏବଂ ମିଜୋରାମର ଲୁଙ୍ଗଲେଇ ଦମକଳ କେନ୍ଦ୍ର ଅନୁଷ୍ଠାନ ବର୍ଗରେ ସୁଭାଷ ଚନ୍ଦ୍ର ବୋଷ ଅପଦା ପ୍ରବନ୍ଧନ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ଦୁଇ ସଂସ୍ଥା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ପାଇବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ ଭାରତ ସରକାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ଏହି ସମ୍ମାନଜନକ ପୁରସ୍କାର ପ୍ରବର୍ତ୍ତନ କରିଛନ୍ତି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅମୂଲ୍ୟ ଓ ନିଃସ୍ୱାର୍ଥପର ସେବା ପ୍ରଦର୍ଶନ କରିଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନର କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ ସହିତ ସେମାନଙ୍କୁ ପୁରସ୍କୃତ କରିବାକୁ ଏହି ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର-୨୦୨୩ ଉଦ୍ଦିଷ୍ଟ।

ପ୍ରତିବର୍ଷ ନେତାଜୀ ଜୟନ୍ତୀ ଜାନୁୟାରୀ ୨୩ତାରିଖରେ ଏହି ପୁରସ୍କାର ଘୋଷଣା କରାଯାଇଥାଏ। ପୁରସ୍କାର ବାବଦରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ୫ଲକ୍ଷ ଟଙ୍କାର ନଗଦ ଅର୍ଥ ଓ ପ୍ରମାଣପତ୍ର ଦିଆଯାଏ। କୌଣସି ଅନୁଷ୍ଠାନ ଯଦି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୁଏ ତାହେଲେ ତାହାକୁ ନଗଦ ୫୧ଲକ୍ଷ ଟଙ୍କା ଓ ପ୍ରମାଣପତ୍ର ଦେବାର ବ୍ୟବସ୍ଥା ରହିଛି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଦିଗ୍‌ଦର୍ଶନରେ ଦେଶ ବିପର୍ଯ୍ୟୟ ପରିଚାଳନା ନୀତି, ପ୍ରସ୍ତୁତି, ବିପର୍ଯ୍ୟୟ ହ୍ରାସ ଓ ମୁକାବିଲା ବ୍ୟବସ୍ଥାରେ ଉଲ୍ଲେଖନୀୟ ପ୍ରଗତି କରିଛି। ଏହା ଫଳରେ ପ୍ରାକୃତିକ ବିପତ୍ତିଜନିତ ମୃତାହତଙ୍କ ସଂଖ୍ୟା ଏବଂ କ୍ଷୟକ୍ଷତିର ପରିମାଣ କମିଛି।

୨୦୨୩ ବର୍ଷର ପୁରସ୍କାର ପାଇଁ ୨୦୨୨ ଜୁଲାଇ ପହିଲାରୁ ମନୋନୟନପତ୍ର ଆହ୍ୱାନ କରାଯାଇଥିଲା। ଏଥିପାଇଁ ଛାପା, ଇଲେକ୍‌ଟ୍ରୋନିକ୍‌୍ ଓ ସାମାଜିକ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର ହୋଇଥିଲା। ଏହାପରେ ବିଭିନ୍ନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନଙ୍କ ପକ୍ଷରୁ ମୋଟ ୨୭୪ଟି ବୈଧ ମନୋନୟନ ସକରାରଙ୍କ ପାଖରେ ପହଞ୍ଚିଥିଲା।

ପୁରସ୍କୃତ ଦୁଇ ସଂସ୍ଥାଙ୍କ ସଫଳତା ନିମ୍ନରେ ପ୍ରଦାନ କରାଗଲା

୧) ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (ଓସଡମା) ୧୯୯୨ ମହାବାତ୍ୟା ପରେ ଗଠିତ ହୋଇଥିଲା। ଏହା ସେବେଠାରୁ ବିଭିନ୍ନ ଦାୟିତ୍ୱ ନିର୍ବାହ କରିଆସୁଛି। ଏହା ଏକ ବିପର୍ଯ୍ୟୟ ମୁକାବିଲା ବାହିନୀ ଓଡ୍ରାଫ ତିଆରି କରିଛି। ଏହା ମଧ୍ୟ ବିବିଧ ବିପଦର ଆଗୁଆ ସୂଚନା ସେବା ବ୍ୟବସ୍ଥା  ପ୍ରବର୍ତ୍ତନ କରି ବିପର୍ଯ୍ୟୟ ମୁକାବିଲାରେ ଅତ୍ୟାଧୁନିକ ଟେକ୍‌ନୋଲୋଜି ଉପଯୋଗ କରୁଛି। “ସତର୍କ” ବ୍ୟବସ୍ଥାରେ ଏହା ଲୋକଙ୍କୁ ଆଗୁଆ ପ୍ରାକୃତିକ ବିପଦର ସୂଚନା ଦେଉଛି। ବିଭିନ୍ନ ବାତ୍ୟା ଓ ବନ୍ୟା ସମୟରେ ଓସ୍‌ଡମା ସାହାଯ୍ୟ ଏବଂ ଉଦ୍ଧାର କାର୍ଯ୍ୟ କରି ପ୍ରଶଂସିତ ହୋଇଛି। ରାଜ୍ୟର ୩୮୧ ସୁନାମି ପ୍ରବଣ ଗାଁରେ ଏହା ଗୋଷ୍ଠୀ  ପ୍ରତିରୋଧ ବ୍ୟବସ୍ଥା ଗ୍ରହଣ କରିଥିବାବେଳେ ସମୁଦ୍ରକୂଳଠାରୁ ୧.୫% କି.ମି. ଦୂରରେ ୮୭୯ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ତିଆରି କରିଛି।

୨) ମିଜୋରାମର ଲୁଙ୍ଗଲେଇ ଦମକଳ କେନ୍ଦ୍ର ୨୦୨୬ ଏପ୍ରିଲ ୨୪ରେ ଲାଗିଥିବା ପ୍ରଚଣ୍ଡ ବନାଗ୍ନିକୁ ନିୟନ୍ତ୍ରଣ କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲା। ଏହି ଜଙ୍ଗଲଟି ଲୁଙ୍ଗଲେଇ ଟାଉନ ଓ ୧୦ଟି ଗ୍ରାମ ପରିଷଦ ଅଞ୍ଚଳକୁ ଘେରି ରହିଛି। ନିଆଁକୁ ଆୟତ୍ତତ କରିବା ଫଳରେ ଅନେକ ଧନଜୀବନ ରକ୍ଷା ହୋଇଥିଲା। ନିଆଁ ଲିଭାଇବାକୁ ଦମକଳ କର୍ମଚାରୀଙ୍କୁ ନିରନ୍ତର ୩୨ଘଣ୍ଟା କାମ କରିବାକୁ ପଡିଥିଲା। ଏଥିରେ କୌଣସି ଧନଜୀବନ ହାନି ଘଟି ନ ଥିଲା। ଏହି ଦମକଳ କେନ୍ଦ୍ର ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ବନାଗ୍ନିକୁ ଆୟତ୍ତ କରିବାକୁ ଆବଶ୍ୟକ ତାଲିମ ଓ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି।

Categories
ଆଞ୍ଚଳିକ

ନେତାଜୀ ଜୟନ୍ତୀ ଉପଲକ୍ଷେ ପିପ୍ପଳମାଧବରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପିପ୍ପଳମାଧବ ପଞ୍ଚାୟତ ଠାରେ ନେତାଜୀ ଜୟନ୍ତୀ ଉପଲକ୍ଷେ କ୍ଷେତ୍ରପାଳ କୃଷକ କ୍ଲବ ଓ ଆଦର୍ଶ ଜନସେବା ଟ୍ରଷ୍ଟ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜୁଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପ୍ରମୋଦ କିଶୋର ଜେନା, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷାଧିକାରୀ ପିତାମ୍ବର ରାଉତ ଓ ସମ୍ମାନିତ ଅତିଥିଭାବେ ତିର୍ତ୍ତୋଲ ବ୍ଲକ ଉପାଧ୍ୟକ୍ଷ ଆଶିଷ କୁମାର ସେଠୀ ଯୋଗଦେଇଥିବା ବେଳେ ବୋଧେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ, କ୍ଷେତ୍ରପାଳ କୃଷକ କ୍ଲବର ମୁଖ୍ୟ ପରାମର୍ଶଦାତା ଅକ୍ଷୟ କୁମାର ନାୟକ, ଆଦର୍ଶ ଜନସେବା ଟ୍ରଷ୍ଟ ଅଧ୍ୟକ୍ଷ ଅରବିନ୍ଦ ପାତ୍ର, ସେଣ୍ଟ୍ରାଲ୍ ରେଡକ୍ରସ ସେଣ୍ଟରର ଡଃ ଶ୍ରୀତାଂଶୁ ଶେଖର ଶତପଥି ପ୍ରମୂଖ ଯୋଗଦେଇ ମଞ୍ଚାସୀନ ଥିଲେ।

ଏହି ରକ୍ତଦାନ ଶିବିରରେ ୨୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ସମସ୍ତ ରକ୍ତଦାତା ମାନଙ୍କୁ ଅତିଥିମାନେ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ କ୍ଷେତ୍ରପାଳ କୃଷକ କ୍ଲବର ସମସ୍ତ ସଦସ୍ୟମାନେ ପରିଚାଳନା କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ

ରାଗିଲେ ଦିଦି: ଭାଷଣ ଦେବାକୁ ଯିବା ବେଳେ ହୋହାଲ୍ଲା ଶୁଣି ପଳେଇଲେ ମମତା, କଣ କହିଲେ ଜାଣିଛନ୍ତି ?

କୋଲକାତା, ଆଜି ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପ୍ରଧାନମନ୍ତ୍ରୀ ଉପସ୍ଥିତ ଥିବା ସଭାରେ ମମତା କହିବାକୁ ଯିବା ବେଳେ ଜୋରରେ ହୋହାଲ୍ଲା ହେଲା। ଜୟ ଶ୍ରୀରାମ କହି ଲୋକମାନେ ପାଟିକଲେ। ଏହାକୁ ଦେଖି ମମତା ରାଗିଗଲେ। ଆଉ କହିଲେ ଯେ ଏପରି ପରିସ୍ଥିତିରେ ମୁଁ କିଛି କହିବାକୁ ଚାହୁ ନାହିଁ। ଜୟ ହିନ୍ଦି, ଜୟ ବଙ୍ଗଳା କହି ସେ ପୋଡିୟମ ଛାଡି ଚାଲିଗଲେ।

ଘଟଣାଟି କୋଲକାତାର ଭିକ୍ଟୋରିଆ ମେମୋରିଆଲଠାରେ ଘଟିଛି । ନେତାଜୀଙ୍କ 125 ତମ ଜୟନ୍ତୀ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଥିଲେ। ବିଭିନ୍ନ ଅତିଥି କହିସାରିବେ ପରେ ମମତାଙ୍କୁ କିଛି କହିବା ପାଇଁ ନିମନ୍ତ୍ରିତ କରାଯାଇଥିଲା। ଏହି ସମୟରେ ସେଠାରେ ଥିବା ଲୋକମାନେ ଜୟ ଶ୍ରୀରାମ ସ୍ଲୋଗାନ ଦେଇ ହୋହାଲ୍ଲା କରିଥିଲେ।

ମମତା ମାଇକ ପାଖକୁ କହିବାକୁ ଆସିବା ବେଳେ ଏହି ହୋହାଲ୍ଲା ବହୁ ଜୋର ହେଲା। ମମତା ଏହାକୁ ଦେଖି କହିଲେ ଯେ, “ମୁଁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସଂସ୍କୃତି ବିଭାଗକୁ ଧନ୍ୟବାଦ ଦେବି। କାରଣ ସେମାନେ କୋଲକାତାରେ ଏହି କାର୍ଯ୍ୟକ୍ରମ କରିଛନ୍ତି। କିନ୍ତୁ ଏହା ହେଉଛି ଏକ ସରକାରୀ ସଭା। ସରକାରୀ ସଭାର ମର୍ଯ୍ୟଦା ରହିବା ଦରକାର। ଏହା କୌଣସି ରାଜନୈତିକ ସଭା ନୁହେଁ। ଜଣଙ୍କୁ ନିମନ୍ତ୍ରିତ କରି ଏପରି ବେଇଜ୍ଜିତ କରିବା ଠିକ୍ ନୁହେଁ।” ଏହାର ପ୍ରତିବାଦରେ ମୁଁ ଏହି ସଭାରେ କିଛି କହିବି ନାହିଁ ବୋଲି କହି ମମତା ପୋଡିୟମ ଛାଡି ଚାଲିଗଲେ। ପରେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ମମତାଙ୍କୁ ଭଉଣୀ ବୋଲି କହି ସମ୍ଭୋଧିତ କରିଥିଲେ।

ନେତାଜୀଙ୍କ ଜୟନ୍ତୀକୁ ନେଇ ବିଜେପି ଏବଂ ତ୍ରୁଣମୂଳ କଂଗ୍ରେସ ମଧ୍ୟରେ କିଛି ଦିନ ଧରି ରିତମତ ଏକ ପ୍ରତିଯୋଗୀତା ଚାଲିଛି। ଆଗକୁ ନିର୍ବାଚନ ଥିବାରୁ ଉଭୟ ଦଳ ମାଇଲେଜ ନେବା ପାଇଁ ନିଜନିଜ ସ୍ତରରେ ଚେଷ୍ଠା କରିବାରେ ଲାଗିଛନ୍ତି।

ଆଜି ସକାଳେ ମମତା ଆଠ କିଲୋମିଟର ଧରି ନେତାଜୀଙ୍କ ଜୟନ୍ତୀ ଉପଲକ୍ଷେ ପଦଯାତ୍ରା କରିଥିଲେ। ପରେ ଏକ ସଭାରେ ମମତା କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା ମଧ୍ୟ କରିଥିଲେ। ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନକୁ କେନ୍ଦ୍ର ଜାତୀୟ ଛୁଟିି ଦିନ ଭାବେ ଘୋଷଣା କରୁ ବୋଲି ଦାବୀ କରିଥିଲେ। ଏଥିସହିତ ସେ କହିଥିଲେ ଯେ, ନେତାଜୀ କିପରି କେଉଁ ପରିସ୍ଥିତିରେ ଅନ୍ତର୍ଦ୍ଧାନ ହେଲେ ତାହାର ମଧ୍ୟ ତଦନ୍ତ କରାଯାଉ।

ଏଥିସହିତ ମମତା କେନ୍ଦ୍ର ସରକାର ଘୋଷଣା କରିଥିବା ପରକ୍ରାମ ଦିବସକୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ପରାକ୍ରମ ଦିବସ କଣ ? ବିଶ୍ବକବି ରବିନ୍ଦ୍ରନାଥ ଠାକୁର ନେତାଜୀଙ୍କୁ କହିଥିଲେ ଦେଶନାୟକ। ତେଣୁ କେନ୍ଦ୍ର ସରକାର ପରାକ୍ରମ ଦିବସ ପରିବର୍ତ୍ତେ ଏହାକୁ ଦେଶନାୟକ ଦିବସ ଭାବେ ଘୋଷଣା କରନ୍ତୁ। ପରାକ୍ରମ ହେଉଛି ଏକ ଗୁଜରାଟୀ ଭାଷା। ଏହାକୁ କେନ୍ଦ୍ର ତୁରନ୍ତ ପ୍ରତ୍ୟାହାର କରୁ ବୋଲି କହିଥିଲେ। ନେତାଜୀଙ୍କ ଜୟନ୍ତୀକୁ ନେଇ ପଶ୍ଚିମ ବଂଗ ରାଜନୀତି ବେଶ୍ ସରଗରମ ହୋଇ ଉଠିଛି।

Categories
ଫଟୋ ଖବର

ନେତାଜୀଙ୍କ 125ତମ ଜୟନ୍ତୀରେ ତାଙ୍କ ଜନ୍ମସ୍ଥାନ କଟକରେ ଆୟୋଜିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ

ନେତାଜୀଙ୍କ 125ତମ ଜୟନ୍ତୀରେ ତାଙ୍କ ଜନ୍ମସ୍ଥାନ କଟକରେ ଆୟୋଜିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଜି ହେଉଛି ନେତାଜୀଙ୍କ 125 ତମ ଜୟନ୍ତୀ, ଜାଣନ୍ତୁ କେନ୍ଦ୍ର ସରକାର କିପରି ପାଳନ ପାଇଁ ନେଇଛନ୍ତି ନିଷ୍ପତି

ନୂଆଦିଲ୍ଲୀ, ଆଜି ହେଉଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜନ୍ମ ବାର୍ଷିକୀ। ସେଥିପାଇଁ କେନ୍ଦ୍ର ସରକାର ଏହି ଜନ୍ମ ଦିବସକୁ ପାଳନ କରିବା ପାଇଁ ଏକ ବଡ ଆୟୋଜନ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକାତାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ। ପୂର୍ବରୁ କେନ୍ଦ୍ର ସରକାର ନେତାଜୀଙ୍କ ଜନ୍ମ ଦିବସ ଜାନୁୟାରୀ 23 ତାରିଖକୁ ପ୍ରତିବର୍ଷ ପରାକ୍ରମ ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରିଛନ୍ତି। ଚଳିତ ବର୍ଷର ସ୍ମୃତି ଉଦ୍ଦେଶ୍ୟରେ ସଂସ୍କୃତି ମନ୍ତ୍ରଣାଳୟ ଅନେକ କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପ ହାତକୁ ନେଇଛି।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ଏହି ସ୍ମୃତିର ଉଦଘାଟନ କାର୍ଯ୍ୟ ଅନୁଷ୍ଠିତ ହେବ । ଏହି ଅବସରରେ ନେତାଜି ଉପରେ ଏକ ସ୍ଥାୟୀ ପ୍ରଦର୍ଶନୀ ଏବଂ ଏକ ପ୍ରୋଜେକ୍ଟ ମ୍ୟାପିଂ ସୋ ଉଦଘାଟିତ ହେବ । ନେତାଜୀଙ୍କ ଉପରେ ଆଧାର କରି ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିସହିତ ଏକ ସ୍ମରଣୀୟ ମୁଦ୍ରା ଏବଂ ଡାକ ଟିକେଟ ମଧ୍ୟ ପ୍ରକାଶ ପାଇବ। ସେହିପରି କୋଲକାତାର ନ୍ୟାସନାଲ ଲାଇବ୍ରେରୀରେ ଏକ ଆନ୍ତର୍ଜାତୀୟ ସମ୍ମିଳନୀ ‘ଏକବିଂଶ ଶତାବ୍ଦୀରେ ନେତାଜୀ” କରାଯିବ। ଏଥିରେ ସୁଭାଷଙ୍କ ଉତ୍ତରାଧିକାରୀ ଯୋଗଦେବେ। କୋଲକାତାରେ ଏକ କଳାକାର ଶିବିର ମଧ୍ୟ ଆୟୋଜନ କରାଯାଉଛି।

ସଂସ୍କୃତି ମନ୍ତ୍ରଣାଳୟ ମଧ୍ୟ ଓଡ଼ିଶାର କଟକ ସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଂଶଗ୍ରହଣ କରିବେ। ଅନ୍ୟ ଏକ କାର୍ଯ୍ୟକ୍ରମ ମଧ୍ୟ ଗୁଜୁରାଟରେ ହରିପୁରା କରାଯାଉଛି ଯାହା ନେତାଜୀ ସହିତ ସାଙ୍କେତିକ ସଙ୍ଗଠନ ଅଟେ। ସଂସ୍କୃତି ବିଭାଗ ସହିତ ଅନ୍ୟ ମନ୍ତ୍ରଣାଳୟ ମଧ୍ୟ ଏହି ଉତ୍ସବକୁ ସ୍ମରଣ କରିବା ପାଇଁ ଭାରତର ବହୁ ସଂଖ୍ୟାରେ କାର୍ଯ୍ୟକ୍ରମ ମଧ୍ୟ କରିବାକୁ ନିଷ୍ପତି କରିଛନ୍ତି। ସେଗୁଡିକ ହେଲା

1-ଚଳିତ ବର୍ଷ ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାର ନେତାଜୀଙ୍କ ଜନ୍ମ ବାର୍ଷିକୀରେ ଆୟୋଜିତ ହୋଇଥିବା କବାଡି ଟୁର୍ନାମେଣ୍ଟ ସମେତ ଜାତୀୟ ସ୍ତରୀୟ ସ୍ୱଦେଶୀ ଖେଳକୁ ପର୍ଯ୍ୟଟନ ମନ୍ତ୍ରଣାଳୟ ପ୍ରାୟୋଜିତ କରିବ।

2-ନେତାଜୀଙ୍କ ନାମରେ ଫୁଟବଲ୍ ଟୁର୍ନାମେଣ୍ଟ ଏବଂ ମାରାଥନ୍ ,ପଦଯାତ୍ରା ଏବଂ ସାଇକେଲ ଯାତ୍ରା କେନ୍ଦ୍ର ଯୁବ ଓ କ୍ରୀଡା ବିଭାଗ କରିବ।

3- ନେତାଜୀଙ୍କ ଜୀବନୀ ଏବଂ ମଣିପୁରରେ ଘଟିଥିବା ଘଟଣାଗୁଡ଼ିକୁ ନେଇ ଏକ ୱେବନାର “ଦେଖୋ ଆପ୍ନା ଦେଶ” ପର୍ଯ୍ୟଟନ ମନ୍ତ୍ରଣାଳୟ କରିବ।

4- ପ୍ରତିରକ୍ଷା ମନ୍ତ୍ରଣାଳୟ INA ଟ୍ୟୁନ୍ ‘କଦମ୍ କଦମ୍ ବାଢାଏ ଜା’ ବିଟିଂ ରିଟ୍ରେଟ୍ ସମାରୋହ 2021 ପ୍ରତିରକ୍ଷା ମନ୍ତ୍ରଣାଳୟ କରିବ।

5- ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏୟାର ଇଣ୍ଡିଆର କିଛି ବିମାନକୁ ନେତାଜୀଙ୍କ ପ୍ରତିଛବି ସହିତ ରଙ୍ଗ କରିବ। ବିଶେଷତଃ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜକୁ ଉଡ଼ୁଥିବା ବିମାନଗୁଡ଼ିକ ଏହିପରି କରିବ।

6-ରେଳ ମନ୍ତ୍ରଣାଳୟ ନେତାଜୀଙ୍କ ନାମରେ ଏକ ଏକ୍ସପ୍ରେସ ଟ୍ରେନର ନାମକରଣ କରିସାରିଛି।

7- ଶିକ୍ଷା ମନ୍ତ୍ରଣାଳୟ 5 ଟି ଭାରତୀୟ ବିଶ୍ୱବିଦ୍ୟାଳୟରେ ନେତାଜୀ ଉପରେ 5 ଟି ଚେୟାର ପ୍ରତିଷ୍ଠା ସହିତ ନେତାଜୀଙ୍କ ଶିକ୍ଷା ଉପରେ ଅନଲାଇନ୍ ବକ୍ତୃତା ଏବଂ ୱେବିନାର୍ ଆୟୋଜନ କରିବ।

8-ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ ‘ଭାରତ ପାଇଁ ନେତାଜୀଙ୍କ ସ୍ୱପ୍ନକୁ କିପରି ପୂରଣ କରିବ’ ଉପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ଆୟୋଜନ କରିବ।

9- ଦୂରଦର୍ଶନ ଏବଂ ଅଲ ଇଣ୍ଡିଆ ରେଡିଓ ପ୍ୟାନେଲ ଆଲୋଚନା ଆୟୋଜନ କରିବେ, ନେତାଜୀଙ୍କ ଜୀବନ ଏବଂ ସମୟ ଉପରେ ଡକ୍ୟୁମେଣ୍ଟାରୀ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି।

10-କେନ୍ଦ୍ର ସରକାର ପ୍ରତିବର୍ଷ ନେତାଜୀ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଛି।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜନ୍ମ ବାର୍ଷିକୀକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଉପଯୁକ୍ତ ଭାବରେ ପାଳନ କରିବାକୁ କେନ୍ଦ୍ର ଏହି ନିଷ୍ପତ୍ତି ନେଇଛି।