Categories
ଆଞ୍ଚଳିକ

ଚିଲିକା ଗସ୍ତରେ ସାଂସଦ ମାନସ ମଙ୍ଗରାଜ: ଏକାଧିକ ଉନ୍ନୟନ ପ୍ରକଳ୍ପର କଲେ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଚିଲିକା ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ଏକାଧିକ ଉନ୍ନୟନ ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବାଲୁଗାଁ ଏନଏସି ଅନ୍ତର୍ଗତ ଐତିହାସିକ ମାମୁଁ ଭଣଜା ପାହାଡ ନିକଟ ହିଲ ସାଇଡ ପାର୍କ, ସ୍ବଚ୍ଛ ଭାରତ ଯୋଜନା ଅନ୍ତର୍ଗତ ଚିଲିକା କୂଳ ନିକଟରେ ଶୌଚାଳୟ, ମୁକ୍ତା ଯୋଜନାରେ ଚିଲିକା କୂଳ ୱାକିଙ୍ଗ ଟ୍ରାକ, କୁଲାକୁଣ୍ଡେଇ ନୂଆଗାଁ ମିଶନ ଶକ୍ତି ଭବନ ଆଦିକୁ ଉଦଘାଟନ କରିଥିଲେ ସାଂସଦ।

ଏହି କାର୍ଯ୍ୟକ୍ରମରେ ବାଲୁଗାଁ ଏନଏସିର ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ଅଧ୍ୟକ୍ଷା ପ୍ରତିନିଧି ସନ୍ତୋଷ ପାଇକରାୟ ଆଦି ଯୋଗଦେଇଥିଲେ। ସୂଚନା ଥାଉକି ବାଲୁଗାଁ ଏନଏସି ଗଠନ ହେବା ଦିନଠାରୁ ଏଠାରେ ଆମୋଦପ୍ରମୋଦ ପାଇଁ ଏକ ପାର୍କ ନିର୍ମାଣ ହୋଇପାରୁନଥିଲା। ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ପ୍ରଚେଷ୍ଟାରେ ଏହା ସମ୍ଭବ ହୋଇପାରିଛି ବୋଲି ଜନସାଧାରଣ ଆଲୋଚନା କରୁଛନ୍ତି।

ବାଲୁଗାଁ ଏନଏସି କାର୍ଯ୍ୟକ୍ରମ ପରେ ସାଂସଦ ଶ୍ରୀ ମଙ୍ଗରାଜ ବାଣପୁର ଏନଏସି ଓ ବ୍ଲକ ଗସ୍ତକରି ଏକାଧିକ ପ୍ରକଳ୍ପ ଉଦଘାଟନ କରିଛନ୍ତି। ଏନଏସି ରେ ପଲଟନ ପଡିଆ ନିକଟସ୍ଥ ଭେଣ୍ଡିଙ୍ଗ ଜୋନ, ଇଦଗା ମୈଦାନ, ୱାର୍କିଙ୍ଗ ଟ୍ରାକ, ବଡ ହନ୍ତୁଆଡ଼ ଇଦ ପଡିଆ ଏବଂ ବ୍ଲକ ସ୍ଥିତ ମିଶନ ଶକ୍ତି ଗୃହକୁ ଉଦଘାଟନ କରିଥିବା ବେଳେ ସାଇ କମ୍ୟୁନିଟି ସେଣ୍ଟର, ଅତ୍ୟାଧୁନିକ ଶବ ଦାହ ଗୃହ ଏବଂ ସ୍ମାର୍ଟ ପାର୍କ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।