Categories
ଆଜିର ଖବର

ଗୋଆ ବିଧାନସଭାର ଦୁଇ ଏମ୍‌ଜିପି ବିଧାୟକ ବିଜେପିରେ ସାମିଲ

ଗତ ବିଳମ୍ବିତ ରାତ୍ରୀରେ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟିର (ଏମ୍‌ଜିପି) ତିନି ଜଣ ବିଧାୟକଙ୍କ ମଧ୍ୟରୁ ଦୁଇଜଣ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ବାେଲି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ସୂଚନା ଦେଇଛନ୍ତି। ଫଳରେ ୩୬ ସଦସ୍ୟବିଶିଷ୍ଟ ଗୃହରେ ବିଜେପିର ବିଧାୟକଙ୍କ ସଂଖ୍ୟା ୧୨ ରୁ ୧୪ କୁ ବୃଦ୍ଧି ପାଇଛି। ଏବେ ବିଜେପିର ସଦସ୍ୟ ସଂଖ୍ୟା ଗୃହରେ ବିରୋଧୀ କଂଗ୍ରେସ ପାର୍ଟିର ସଦସ୍ୟଙ୍କ ସମକକ୍ଷ ହୋଇପାରିଛି। ଦସ୍ତଖତ ହୋଇଥିବା ଗୋଟିଏ ଚିଠିରେ ଦୁଇ ବିଧାୟକ ମନୋହର ଆଜ୍‌ଗାଓଁକର୍‌ ଏବଂ ଦୀପକ ପୌସ୍କର କହିଛନ୍ତି ଯେ ସେମାନେ ଏମ୍‌ଜିପିକୁ ବିଜେପି ସହ ସାମିଲ କରିଛନ୍ତି। କିନ୍ତୁ ଗୋଆରେ ବିଜେପି ନେତୃତ୍ୱାଧୀନ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ତୃତୀୟ ବିଧାୟକ ସୁଦିନ ଧାଓ୍ଵଲିକର ସେ ଚିଠିରେ ଦସ୍ତଖତ କରି ନାହାନ୍ତି। ରାତି ୧.୩୦ରେ ଗୋଆ ବିଧାନସଭାର ବାଚସ୍ପତି ମାଇକେଲ୍‌ ଲୋବୋଙ୍କ ନିକଟକୁ ଏହି ପତ୍ର ପଠାଯାଇଥିଲା।  ଦଳର ଦୁଇ ତୃତୀୟାଂଶ ସଦସ୍ୟ ବିଜେପି ସହିତ ଯେଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମିଶ୍ରଣ ଭାରତୀୟ ସମ୍ବିଧାନ ଅନୁଯାୟୀ ହେବ ବାେଲି ଲୋବୋ ପ୍ରକାଶ କରିଛନ୍ତି। ଉଭୟ ନେତା ଗୋଆ ରାଜ୍ୟପାଳଙ୍କ ଉପସ୍ଥିତିରେ ଆଜି ମଧ୍ୟାହ୍ନରେ ଶପଥ ଗ୍ରହଣ ଉତ୍ସବ ହେବ। ଗୋଆ ମୁଖ୍ୟମନ୍ତ୍ରୀ ଆମକୁ ଯେଉଁ ମନ୍ତ୍ରାଳୟ ଦେବେ ଆମେ ତାହା ଗ୍ରହଣ କରିବୁ ବୋଲି ଉଭୟ ପ୍ରକାଶ କରିଛନ୍ତି। ଏହି ମିଶ୍ରଣକୁ ଗୋଅ ପିସିସି  ମୁଖପାତ୍ର ସୁନୀଲ କଓ୍ବାଥଙ୍କର କହିଛନ୍ତି ଏହା ହିଁ ବିଜେପିର ଅସଲ ରୂପ। ନିଜର ଅଂଶୀଦାର ଦଳଙ୍କୁ ମଧ୍ୟ ଏହା ଛାଡୁନାହିଁ। ତେଣୁ ଏହା କେନ୍ଦ୍ରରେ ଏନ୍‌ଡିଏର ଅଂଶୀଦାର ଦଳ ମାନଙ୍କ ପାଇଁ ସତର୍କ ଘଣ୍ଟି। ଉଲ୍ଲେଖଯୋଗ୍ୟ ଯେ, ନିକଟରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପାଇଁ ବିଜେପିକୁ ୨୦ ସଦସ୍ୟଙ୍କ ସମର୍ଥନ ମିଳିଥିଲା। ବିଜେପିର ୧୧ ସଦସ୍ୟ, ଏମ୍‌ଜିପି ଏବଂ ଗୋଆ ଫରଓ୍ବାର୍ଡ ପାର୍ଟିର ତିନି ଜଣ ଲେଖାଏଁ ସଦସ୍ୟ ରହିଥିବା ବେଳେ ଅନ୍ୟ ଭୋଟ ସ୍ବାଧୀନ ସଦସ୍ୟଙ୍କ ରହିଥିଲା।