Categories
ଆଜିର ଖବର ଜାତୀୟ ଖବର

ଭିଟାମାଟିକୁ ଫେରିବା ପାଇଁ ଚାଲିଛି ସଂଘର୍ଷ : ପଞ୍ଜିକରଣ ପାଇଁ ପଞ୍ଜିକରଣ ଅଫିସ୍‌ ସାମ୍ନାରେ ଅସମ୍ଭାଳ ଭିଡ

ତେଲେଙ୍ଗାନା : ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌ ଜାରି ରହିଥିବାବେଳେ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବାରେ ଉଭୟ କେନ୍ଦ୍ର ଓ ରାଜସରକାର ପ୍ରଯତ୍ନ କରୁଛନ୍ତି। ଦେଶର ବିଭିନ୍ନ ବଡ ବଡ ସହରରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ରାଜ୍ୟ ଫେରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ସେହିପରି ଓଡ଼ିଶା ସରକାର ମଧ୍ୟ ବାହାର ରାଜ୍ୟରେ ରହୁଥିବା ଓଡିଆ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିନିମେନ୍ତ ଓଡ଼ିଶା ଅନ୍‌ଲାଇନ୍‌ ପୋର୍ଟାଲ୍‌ରେ ପଞ୍ଜିକରଣ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଓଡ଼ିଶାକୁ ଫେରିବା ପାଇଁ ଓଡ଼ିଶା ବାହାରେ ଥିବା ଶ୍ରମିକମାନେ ଉଭୟ ଅନ୍‌ ଲାଇନ୍‌ ଓ ଅଫ୍‌ ଲାଇନ ଜରିଆରେ ପଞ୍ଜିକରଣ କରୁଛନ୍ତି।

ହାଇଦ୍ରାବାଦ ସିଟିରେ ହଜାର ହଜାର ପ୍ରବାସୀ ଓଡ଼ିଆ ଓଡ଼ିଶା ଫେରିବାକୁ ପଞ୍ଜିକରଣ କରିବା ପାଇଁ ସକାଳୁ ଧାଡିରେ ଛିଡା ହୋଇଛନ୍ତି। ତେବେ ଏହି ପଞ୍ଜିକରଣ ସମୟରେ ସାମାଜିକ ଦୂରତ୍ବ ତଥା କରୋନା ପାଇଁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍ସର ଉଲ୍ଳଂଘନ ହେଉଥିବାର ଦେଖାଯାଉଛି। ଓଡ଼ିଶା ଅନ୍‌ଲାଇନ ପୋର୍ଟାଲ୍‌ରେ ପଞ୍ଜିକରଣ କରିବା ପରେ ବି ଆଉ ଥରେ ପଞ୍ଜିକରଣ କରିବାକୁ ପଡୁଛି। ଏଥିପାଇଁ ତେଲେଙ୍ଗାନା ସରକାରଙ୍କ ପଞ୍ଜିକରଣ ଅଫିସ୍‌ ଆଗରେ ହଜାର ହଜାର ଲୋକଙ୍କ ଭିଡ ପରିଲକ୍ଷିତ ହେଉଛି। ଏହି ଭିଡ ନିୟନ୍ତ୍ରଣ କରିବା ତେଲେଙ୍ଗାନା ପୋଲିସ୍‌ ବିଭାଗ ପାଇଁ ମୁଣ୍ଡବ୍ୟାଥାର କାରଣ ପାଲଟିଛି।

ରେଜିଷ୍ଟ୍ରେସନ ବା ପଞ୍ଜିକରଣ କରିବା ପରେ ମୋବାଇଲକୁ ଏକ ରେଜିଷ୍ଟ୍ରେସନ ନମ୍ବର ଆସୁଛି। ଯାହା ମାଧ୍ୟମରେ ଫେରିବାର ଦିନ ଓ ସମୟ ସମ୍ପର୍କରେ ସୂଚନା ଦିଆଯାଉଛି।

ତେବେ ପଞ୍ଜିକରଣ ପାଇଁ ପଞ୍ଜିକରଣ ଅଫିସ୍‌ ଆଗରେ ଭିଡ ହେବା ଦ୍ବାରା ସାମାଜିକ ଦୂରତ୍ବ ଭଙ୍ଗ ହେଉଛି। ଏଥିପାଇଁ ପ୍ରତ୍ୟେକ ସରକାର ଦୃଷ୍ଟିଦେବା ଏକାନ୍ତ ଆବଶ୍ୟକ ହୋଇପଡିଛି(ଏଜେନ୍ସି)