Categories
ଆଜିର ଖବର ରାଜ୍ୟ ଖବର

ଭାମ୍ର୍ୟମାଣ ଚିକିତ୍ସା କେନ୍ଦ୍ର ଭ୍ୟାନ୍‌ର ଶୁଭାରମ୍ଭ କଲେ ଗଞ୍ଜାମ ଜିଲ୍ଲାପାଳ

ହେମାଙ୍ଗ ପ୍ରସାଦ ରାଉଳ

ଛତ୍ରପୁର : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି 5ଗୋଟି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଭ୍ୟାନ୍‌ର ଶୁଭାରମ୍ଭ କରିଛନ୍ତି । ଟାଟା ଷ୍ଟିଲ୍‌ ଏସ.ଇ.ଜେଡ୍‌ ଯୋଜନାରୁ ଏହି 5ଟି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଜିଲ୍‌ଲା ପ୍ରଶାସନ ଦ୍ବାରା ପରିଚାଳନା କରାଯିବ । ଏହି ଭ୍ରାମ୍ୟମାଣ ମୋବାଇଲ୍‌ ସେବାରେ ଡାକ୍ତର, ଫାର୍ମାସିଷ୍ଟ, ସ୍ବାସ୍ଥ୍ୟକର୍ମୀ ସେବା ଯୋଗାଇବେ । ଟାଟା ଦ୍ବାରା ପ୍ରଦତ୍ତ ଏହି 5 ଗୋଟି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଭ୍ୟାନ୍‌ଗୁଡିକରେ ଅକ୍ସିଜେନ୍‌ ସୁବିଧା ରହିଛି । ଏହା ମୋବାଇଲ୍‌ କ୍ଲିନିକ୍‌ ଭଳି କାର୍ଯ୍ୟ କରିବ । ସାଧାରଣ ଚିକିତ୍ସା ମଧ୍ୟ ଏହି ଭ୍ୟାନ୍‌ରୁ ମିଳିପାରିବ ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ । ଛତ୍ରପୁର, ଭଞ୍ଜନଗର ଓ ବ୍ରହ୍ମପୁର ଉପଖଣ୍ଡକୁ ଗୋଟିଏ ଲେଖାଏଁ ଭ୍ୟାନ୍‌ ଓ ବ୍ରହ୍ମପୁର ମହାନଗର ଅଞ୍ଚଳବାସୀଙ୍କ ନିମେନ୍ତ ଦୁଇଗୋଟି ଭ୍ୟାନ୍‌ ସେବା ଯୋଗାଇଦେବ ।

ପଞ୍ଚାୟତ ସ୍ତରରେ 89ଟି ଅକ୍ସିଜେନ୍‌ ସୁବିଧା ଥାଇ 33 ଗୋଟି ଭ୍ୟାନ୍‌ ସହ ଶବ ବୋହିନେବା ଦିଗରେ 11ଟି ସମୁଦାୟ 133 ଗୋଟି ଆମ୍ବୁଲାନ୍ସ ସେବା ଜିଲ୍ଲାରେ ପୂର୍ବରୁ ଯୋଗାଇ ଦିଆଯାଇଛି । ଗତ ଜୁଲାଇ 13 ତାରିଖଠାରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଆମ୍ବୁଲାନ୍ସ ପରିଚାଳନା କେନ୍ଦ୍ର ଖୋଲା ଯାଇ ସେବା ପ୍ରଦାନ କରାଯାଉଛି । ଏଯାବତ୍‌ 201 ଗୋଟି ସେବା ପ୍ରଦାନ କରାଯାଇଥିବା ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ କୁମାର ବିଶ୍‌ବାଳ ସୂଚନା ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍‌ର ବରିଷ୍ଠ ପରିଚାଳକ ସଂଜୀବ କୁମାର ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ କିଶୋର କୁମାର ପରିଡା, ମୁଖ୍ୟ ସ୍ବାସ୍ଥ୍ୟ ପରିଚାଳକ ନରସିଂହ ସାହୁ ଉପସ୍ଥିତ ଥିଲେ ।