Categories
ବିଶେଷ ଖବର ରାଜ୍ୟ ଖବର

୫-ଟି ସଚିବଙ୍କ ନୂଆପଡ଼ା ଗସ୍ତ, ପାଞ୍ଚୋଟି ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କଳାହାଣ୍ଡି ଓ ନୂଆପଡାକୁ ତିନି ଦିନିଆ ଗସ୍ତରେ ଯାଇଥିବା ୫-ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ ଆଜି ତୃତୀୟ ଦିନରେ ନୂଆପଡ଼ା, ସିନାପାଲି, ଖରୀଆର, ବୋଡ଼େନ, କୋମନା ଆଦି ବ୍ଲକ ଅଞ୍ଚଳ ପରିଦର୍ଶନ କରି ବିକାଶ କାମର ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କ ସହିତ ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଛନ୍ତି।

ଶ୍ରୀ ପଣ୍ଡିଆନ ପ୍ରଥମେ ଗଡରମାଲ ଠାରେ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରି ସେଠାରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହି ପ୍ରକଳ୍ପରେ ୮୧୯ ହେକ୍ଟର ଜମି କୁ ପାଣି ଦିଆ ଯାଉଥିବା ବେଳେ ୧୬୩୦ ଚାଷୀ ପରିବାର ଏହାଦ୍ବାରା ଉପକୃତ ହେଉଛନ୍ତି। ପାରମ୍ପରିକ ଚାଷକୁ ଛାଡି ମକା, ବାଦାମ, କାଜୁ, ଓ ପନିପରିବା ଚାଷ ପାଇଁ ଚାଷୀଙ୍କୁ ଉତ୍ସାହିତ କରିବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ।

ଏହି ପ୍ରକଳ୍ପକୁ ଆହୁରି ସମ୍ପ୍ରସାରଣ କରାଯାଇ ଚାଷୀ ମାନଂକୁ କିପରି ଅଧିକ ଜଳ ସେଚନ ସୁବିଧା ଦିଆ ଯାଇ ପାରିବ, ଶ୍ରୀ ପାଣ୍ଡିଆନ ସେ ସଂପର୍କରେ ଜଳ ସେଚନ ବିଭାଗ ଯନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ। ଏ ସଂପର୍କରେ ଏକ ରିପୋର୍ଟ ପ୍ରସ୍ତୁତ କରି ତୁରନ୍ତ ପ୍ରଦାନ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି କୋନବିରା ରେ ଜଳ ସେଚନ ସମ୍ଭାବନାକୁ ଦୃଷ୍ଟିରେ ରଖି ସେ ସ୍ଥାନୀୟ ଲୋକ ଓ ଜଳ ସେଚନ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ସେଠାରେ ଏକ ମେଗା ଲିଫ୍ଟ ପ୍ରକଳ୍ପ ପାଇଁ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ନୂଆପଡ଼ାର କେତକ ଗୁରୁତ୍ୱପୂର୍ଣ୍ଣ ମନ୍ଦିର ର ବିକାଶ ପାଇଁ ମଧ୍ୟ ଶ୍ରୀ ପାଣ୍ଡିଆନ ନିଷ୍ପତ୍ତି ନେଇଛନ୍ତି। ପାଟୋରା ସ୍ଥିତ ଯୋଗେଶ୍ଵର ମହାଦେବ ମନ୍ଦିରର ରୂପାନ୍ତର ସଂପର୍କରେ ସେ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ମନ୍ଦିରର ରୁପାନ୍ତର ଓ ସୌନ୍ଦର୍ଯ୍ୟ କରଣ ସହିତ ସେଠାରେ ପର୍ଯ୍ୟଟନ ଓ ଜଳ କ୍ରୀଡା ସୁବିଧାର ବିକାଶ ନିମନ୍ତେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ପାତାଲଗଙ୍ଗା ଠାରେ ସେ ଜଗନ୍ନାଥ ମନ୍ଦିର ଓ ରାଧକୃଷ୍ଣ ମନ୍ଦିର ପରିଦର୍ଶନ କରି ସେଠାରେ ମନ୍ଦିର କମିଟି ସଦସ୍ୟ ମାନଙ୍କ ସହ ଆଲୋଚନା କରି ଏହାର ଉନ୍ନତି ସଂପର୍କରେ ସବିଶେଷ ତଥ୍ୟ ନେଇଥିଲେ। ଏହାର ରୁପାନ୍ତର ପାଇଁ ରିପୋର୍ଟ ପ୍ରଦାନ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ସୁନାବେଡ଼ା ର ସୁନଦେଇ ମନ୍ଦିର ପରିଦର୍ଶନ କରି ଏହାର ଉନ୍ନତି ଓ ସୌନ୍ଦର୍ଯ୍ୟ କରଣ ପାଇଁ ସେବାୟତ ଓ ସ୍ଥାନୀୟ ଲୋକ ମାନଙ୍କ ସହ ଆଲୋଚନା କରିଥିଲେ। ସେମାନେ ମନ୍ଦିର ସହିତ ସ୍ଥାନୀୟ ଅଞ୍ଚଳର ସାମଗ୍ରୀକ ବିକାଶ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ତେଣୁ ସୁନାବେଡ଼ା ପାର୍ବତ୍ୟଞ୍ଚଳର ସାମଗ୍ରୀକ ବିକାଶ ପାଇଁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇ ରିପୋର୍ଟ ପ୍ରଦାନ କରିବାକୁ କହିଥିଲେ।

ବୋଡ଼େନ ଠାରେ ମିଶନ ଶକ୍ତି କେଫ ପରିଦର୍ଶନ କରି ସେଠାରେ ମିଶନ ଶକ୍ତି ର ସଦସ୍ୟା ମାନଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରି ସେମାନଙ୍କୁ ଅଧିକ ସୁବିଧା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ଲିତିସର୍ଗୀ ଠାରେ ସେ ରୂପାନ୍ତରିତ ଗୋପୀନାଥ ହାଇ ସ୍କୁଲ୍ ପରିଦର୍ଶନ କରି ଛାତ୍ର, ଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ପୁରାତନ ଛାତ୍ର ମାନଙ୍କ ସହ ଆଲୋଚନା କରିଥିଲେ। ପିଲା ମାନଙ୍କ ପାଇଁ ଆଧୁନିକ ଶିକ୍ଷାର ସୁବିଧା ହୋଇ ଥିବାରୁ ସେମାନେ ଖୁସି ପ୍ରକାଶ କରିଥିଲେ। ପିଲା ମାନେ ଭଲ ପାଠ ପଢି ଓଡ଼ିଶାର ଉନ୍ନତି ପାଇଁ କାମ କରିବାକୁ ସେ ପରାମର୍ଶ ଦେଇଥିଲେ।

ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ ଆମ ହସ୍ପିଟାଲ୍ କାର୍ଯ୍ୟକ୍ରମର ସମୀକ୍ଷା କରି ବ୍ୟବସ୍ଥାର ବିଭିନ୍ନ ମାପଦଣ୍ଡ ସଂପର୍କରେ ଅନୁଧ୍ୟାନ କରିଥିଲେ। ରୋଗୀ ମାନଙ୍କ ସହ ଆଲୋଚନା କରି ସେମାନେ ଏହି ବ୍ୟବସ୍ଥା ଦ୍ବାରା କେତେ ସୁବିଧା ପାଉଛନ୍ତି, ସେମାନେ ଖୁସି ଅଛନ୍ତି ନା ନାହିଁ, ସେ ସଂପର୍କରେ ପଚାରି ବୁଝିଥିଲେ ଓ ସ୍ଵାସ୍ଥ୍ୟ ଅଧିକାରୀ ମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ

ଖଡିଆଳ ସବଡିଭିଜିନାଲ ହସ୍ପିଟାଲ ରେ ସେ ଆମ ହସ୍ପିଟାଲ୍ କାର୍ଯ୍ୟକ୍ରମ ସମୀକ୍ଷା କରି ରୋଗୀ ମାନଙ୍କୁ ସେମାନଙ୍କୁ ମିଳୁଥିବା ସୁବିଧା ସଂପର୍କରେ ପଚାରି ବୁଝି ଥିଲେ। ବ୍ୟବସ୍ଥାର ଉନ୍ନତି ପାଇଁ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ସିଲଦା ଠାରେ ସେ ମିଶନ ଶକ୍ତି ସଦସ୍ୟା, ଗ୍ରାମ ପଞ୍ଚାୟତ ଫେଡେରସନ, ବ୍ଲକ୍ ସ୍ତରୀୟ ଫେଡେରସନ ଓ ଜିଲ୍ଲା ସ୍ତରୀୟ ଫେଡେରସନ ର ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ସୁବିଧା ଅସୁବିଧା ବୁଝିବା ପରେ ମହିଳା ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ନୂଆପଡ଼ା ଠାରେ ନିର୍ମାଣାଧୀନ ମଡେଲ ବସ ଷ୍ଟାଣ୍ଡ ପରିଦର୍ଶନ କରି ଏହାକୁ ନିର୍ଦ୍ଧାରତ ସମୟ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରିଶେଷରେ ସେ ନୂଆପଡ଼ା ନ୍ୟାସନାଲ କଲେଜ ପ୍ରାଙ୍ଗଣରେ ସ୍ଥାନୀୟ ଲୋକ ମାନଙ୍କ ସୁବିଧା ଅସୁବିଧା ଓ ଅଭିଯୋଗ ଶୁଣିଥିଲେ। ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବା ସହିତ ଯେଉଁ ସବୁ କାର୍ଯ୍ୟ ପାଇଁ ସରକାରଂକ ଅନୁମତି ଆବଶ୍ୟକ ସେସବୁ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଏହି ଗସ୍ତ ସମୟରେ ସ୍ବାସ୍ଥ୍ୟ ବିଭାଗ ସଚିବ ଶ୍ରୀମତୀ ଶାଲୀନି ପଣ୍ତିତ, କ୍ରୀଡା ବିଭାଗ ସଚିବ ଶ୍ରୀ ଆର. ଭିନିଲ କ୍ରିଷ୍ଣା, ଜିଲ୍ଲାପାଳ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୋ ସରକାରରେ ସାମିଲ ହେଲା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଏଣିକି ତତ୍ପର ହେବ ବିଭାଗ

ଭୁବନେଶ୍ବର, ଆଜି ମୋ ସରକାର କାର୍ଯ୍ୟକ୍ରମରେ ସାମିଲ ହୋଇଛି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସଭା ଭବନରେ ଆୟୋଜିତ ଏକ ବୈଠକରେ ଏହି ନିଷ୍ପତି ନିଆଯାଇଛି। ଫଳରେ ଏଣିକି ଏହି ବିଭାଗ ତାହାର କାର୍ଯ୍ୟ ତ୍ବରାନିତ କରିବ ବୋଲି ଆଶା କରାଯାଉଛି।

ମୋ ସରକାର କାର୍ଯ୍ୟକ୍ରମରେ କୌଣସି ବିଭାଗ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନିଜେ ବିଭାଗର ହିତାଧିକାରୀଙ୍କୁ ଫୋନ କରି ସେମାନେ ସୁବିଧା ସୁଯୋଗ ହାସଲ କରୁଛନ୍ତି କି ନାହିଁ ପଚାରି ବୁଝିବେ। ଯଦି କୌଣସି ଅସୁବିଧା ରହିଛି ତେବେ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିପାରିବେ। ଫଳରେ ତୃଣମୂଳ ସ୍ତରରେ ଥିବା ଅଧିକାରୀମାନେ ଏହା ଦ୍ବାରା ସବୁ କାମକୁ ତ୍ବରାନିତ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି।

ପୂର୍ବରୁ ମୋ ସରକାରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଗୃହ ବିଭାଗ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ନଗର ଉନ୍ନୟନ ବିଭାଗ, ଏସସି ଏସଟି ବିଭାଗ ଏହି ମୋ ସରକାର କାର୍ଯ୍ୟକ୍ରମରେ ସାମିଲ ହୋଇସାରିଛି।

Categories
ବିଶେଷ ଖବର

ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ କୁ ନେଇ ବିରୋଧୀ ଦଳ ଏତେ ଆତଙ୍କିତ କାହିଁକି ?

କେଦାର ମିଶ୍ର

ଗତ ମାସେ ହେଲା ଆମର ଗଣମାଧ୍ୟମ ଓ ବିରୋଧୀ ଦଳର ଏକମାତ୍ର ଆକର୍ଷଣ ହୋଇ ରହିଛନ୍ତି ରାଜ୍ୟ ସରକାରଙ୍କର ୫ଟି ବିଭାଗର ପ୍ରମୁଖ ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ। ଗଣମାଧ୍ୟମ ରେ ଜଣେ ପ୍ରଭାବଶାଳୀ ଶାସନ ସଚିବଙ୍କ ଗସ୍ତକୁ ନେଇ ଆଗ୍ରହ ରହିବା ସ୍ବାଭାବିକ। ହେଲେ ବିରୋଧୀ ଦଳ ଗୁଡିକ ଏହାକୁ ନେଇ ଏତେ ଆତଙ୍କିତ ହେବାର କାରଣ କଣ? ବିରୋଧୀ ଦଳ ଜଣେ ଶାସନ ସଚିବଙ୍କ ଗସ୍ତ କୁ ବିରୋଧ କରିବାର ଅର୍ଥ କଣ ଏଇଆ ଯେ, ନବୀନ ପଟ୍ଟନାୟକଙ୍କ ବଦଳରେ ଏବେ ପାଣ୍ଡିଆନ୍ ହିଁ ବିରୋଧୀ ଙ୍କ ଲକ୍ଷ୍ୟ! ମଜାର କଥା ହେଉଛି, ଓଡ଼ିଶାରେ ବିରୋଧୀ ଦଳ ଗୁଡିକ ସବୁବେଳେ ଏହି ଭୁଲ ହିଁ ଦୋହରାଇ ଚାଲିଛନ୍ତି। ପ୍ରଥମେ ପ୍ୟାରୀମୋହନ ମହାପାତ୍ର, ତାଙ୍କ ପରେ ବିଜୟ ପଟ୍ଟନାୟକ ଓ କଳ୍ପତରୁ ଦାସ ଏବଂ ଏବେ ପାଣ୍ଡିଆନଙ୍କ ଉପରେ ବିରୋଧୀ ଙ୍କ ନଜର ରହିଛି। ଏହା ହିଁ ନବୀନ ପଟ୍ଟନାୟକଙ୍କ ସଫଳତା ର ଏକ ସହଜ ସୂତ୍ର। ନବୀନ ସବୁବେଳେ ସବୁ ପ୍ରକାର ଆଲୋଚନା ର ଉର୍ଦ୍ଧ୍ବ ରେ ରହିଛନ୍ତି ଓ ରହୁଛନ୍ତି।

ନବୀନଙ୍କୁ ଛାଡି ତାଙ୍କ ପାଖଲୋକ ପଛରେ ଦଉଡିବାର ଭୁଲ ବାରମ୍ବାର ବିରୋଧୀ ଦଳ କରି ଆସୁଛନ୍ତି। ଏଥିରେ ଗଣମାଧ୍ୟମ ବିରୋଧୀ ଦଳକୁ ସବୁଠୁ ବେଶୀ ବିଭ୍ରାନ୍ତ କରୁଛି। ଯାହା ରାଜ୍ୟର ଅସଲ ସମସ୍ୟା ତାକୁ ନେଇ ରାଜରାସ୍ତାକୁ ଓଲ୍ଲାଇବା ବଦଳରେ ଗଣମାଧ୍ୟମ ବଡ କରି ଉପସ୍ଥାପନ କରୁଥିବା ପ୍ରସଙ୍ଗ ପଛରେ ବିରୋଧୀ ଦଳ ମାଡି ଚାଲିଛନ୍ତି। ପାଣ୍ଡିଆନ ପ୍ରସଙ୍ଗ ତାର ସବୁଠୁ ବଡ ଉଦାହରଣ। ରାଜ୍ୟ ସରକାରଙ୍କର ଜଣେ ଶାସନ ସଚିବ ବିଭିନ୍ନ ସରକାରୀ ଅନୁଷ୍ଠାନକୁ ପରିଦର୍ଶନ କରିବା ବା ବିଭିନ୍ନ ଜିଲ୍ଲା କୁ ଯାଇ ସମୀକ୍ଷା କରିବା ତାଙ୍କ ଦାୟିତ୍ଵର ଅଂଶ ବିଶେଷ। ଏହା କିଛି ଗୋଟେ ବିଶେଷ ଘଟଣା ନୁହେଁ। ଆଗରୁ ଶାସନ ସଚିବମାନଙ୍କୁ ବାରମ୍ବାର ସରକାର ଏଇ କାମଟି କରିବା ଲାଗି ନିର୍ଦ୍ଦେଶ ଦେଉଥିଲେ, ଯାହାକୁ କି ସଚିବମାନେ ମାନୁ ନଥିଲେ। ଯଦିବା କେହି ସଚିବ ଜିଲା ଗସ୍ତ କରୁଥିଲେ, ତାହାକୁ ରୁଟିନ କାମ ବୋଲି କହି କେହି ଗୁରୁତ୍ଵ ଦେଉନଥିଲେ।ତେବେ ପାଣ୍ଡିଆନ ଗସ୍ତ କରିବା ଆରମ୍ଭ କଳା ପରେ ଏହାର ଗୁରୁତ୍ଵ ବଢିଗଲା। ଗଣମାଧ୍ୟମର ଦୟାରୁ ପ୍ୟାରୀମୋହନ ମହାପାତ୍ରଙ୍କ ପରେ ପାଣ୍ଡିଆନ ବାବୁ ଏବେ ରାଜ୍ୟର ଦ୍ଵିତୀୟ କ୍ଷମତା କେନ୍ଦ୍ର ଭାବରେ ବିବେଚିତ। ତେଣୁ ତାଙ୍କର ଗସ୍ତକୁ ନେଇ ଗଣମାଧ୍ୟମରେ ଉତ୍ସାହ ଅଧିକ।

“ମୋ ସରକାର” ଯୋଜନାରେ ବିଜ୍ଞାପନ ବାବଦକୁ ଖର୍ଚ୍ଚ କରି ସରକାର ଯେତିକି ଲୋକପ୍ରିୟତା ପାଇନଥିଲେ, ପାଣ୍ଡିଆନଙ୍କ ଗସ୍ତ ଯୋଗୁଁ ମାଗଣାରେ ଅଧିକ ପ୍ରଚାର ସୁଯୋଗ ମିଳିଲା। ଏହା ପୂର୍ବରୁ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା କେବଳ ରାଜଧାନୀରେ ସୀମୀତ ରହିଥିଲା। ଏବେ ତାଙ୍କର ନାଁ ଗାଁ ଗହଳରେ ବି ଲୋକପ୍ରିୟ ହେବା ଆରମ୍ଭ କଲାଣି। ଏହାକୁ କୁହାଯାଏ ଗଣମାଧ୍ୟମର ମ୍ୟାଜିକ। ଆପଣ ପ୍ରଶଂସିତ ହୁଅନ୍ତୁ ବା ସମାଲୋଚିତ ହୁଅନ୍ତୁ, ଗଣମାଧ୍ୟମରେ ଆପଣ ରହିବା ଦରକାର। ଓଡିଶାର ଗଣମାଧ୍ୟମ ତଥା ବିରୋଧୀ ଦଳ ଏବେ ପାଣ୍ଡିଆନଙ୍କ ମାଗଣା ପ୍ରଚାରକ ଭାବେ କାମ କରୁଛନ୍ତି। କଂଗ୍ରେସ ଦଳ ଏ କ୍ଷେତ୍ରରେ ପାଦେ ଆଗକୁ ଯାଇ ଅନୁଗୁଳ ଜିଲ୍ଲାରେ ପାଣ୍ଡିଆନଙ୍କ ଗସ୍ତର ବିରୋଧ କରି ରାଲି ବାହାର କଲା। ବିରୋଧୀ ଦଳ ଯେତେବେଳେ ରାଜନୈତିକ ଲୋକଙ୍କୁ ଛାଡି ଅମଲାତନ୍ତ୍ର ପଛରେ ପଡନ୍ତି, ତାହା ସେମାନଙ୍କ ରାଜନୈତିକ ଆତ୍ମହତ୍ୟା ର କାରଣ ହୋଇଥାଏ। ବିରୋଧୀଙ୍କ ଲାଗି ମୂଳ ଲକ୍ଷ୍ୟ ନବୀନ ହେବା ଉଚିତ, ନା କି ପାଣ୍ଡିଆନ।

ବିଜେଡି ରଣନୀତିରେ ମଧ୍ୟ ଏବେ ପାଣ୍ଡିଆନ ଫେକ୍ଟରକୁ ନେଇ ନୂଆ ଅଧ୍ୟାୟ ଯୋଡା ଯାଉଛି। ପୂର୍ବରୁ ଗଣମାଧ୍ୟମ ଆଗକୁ ଆସିବାକୁ ଆଦୌ ଚାହୁଁ ନଥିବା ପାଣ୍ଡିଆନ ଏବେ ସହଜରେ କ୍ୟାମେରା ଆଗରେ ନିଜ କାମ କରୁଛନ୍ତି। ବିଭିନ୍ନ ଡାକ୍ତରଖାନା ଗସ୍ତରେ ଗଲାବେଳେ କିମ୍ବା ଦୀପାବଳୀ ପିଲାଙ୍କ ସହ ପାଳିଲା ବେଳେ ପାଣ୍ଡିଆନଙ୍କ ପଛରେ କ୍ୟାମେରା ଲାଗି ରହୁଛି ଓ ସେ ଏହାକୁ ନେଇ ଆଗପରି ବିରକ୍ତ ହେଉ ନାହାନ୍ତି। ଆପାତତଃ ବିଜେଡ଼ି ପାଇଁ ହେବାକୁ ଥିବା ସବୁ ସମାଲୋଚନା ଏବେ ପାଣ୍ଡିଆନଙ୍କ ବାଟ ଦେଇ ପହଞ୍ଚିବ। ସେହି ସୁରକ୍ଷା ବଳୟରେ ନବୀନ ପଟ୍ଟନାୟକ କିନ୍ତୁ ସବୁ ପ୍ରଶ୍ନ ଓ ଆଲୋଚନାର ଉର୍ଦ୍ଧ୍ଵରେ ରହିବେ।

ବିରୋଧୀ ଦଳଗୁଡିକର ଏପ୍ରକାର ଆତ୍ମଘାତି ନୀତି ଯୋଗୁଁ ରାଜ୍ୟରେ ନବୀନଙ୍କର ବିକଳ୍ପ ତିଆରି ହୋଇ ପାରୁନାହିଁ। ନବୀନଙ୍କ ବିରୋଧ ବଦଳରେ ଏବେ ବିରୋଧୀ ଦଳ ଗୁଡିକ “ମିଶନ ପାଣ୍ଡିଆନ”ରେ ମାତିଛନ୍ତି ଏବଂ ଏହାର ସବୁତକ ଲାଭ ନବୀନଙ୍କ ପାଖକୁ ହିଁ ଯାଉଛି।

 

Categories
ବିଶେଷ ଖବର

ସମ୍ବେଦନା ଓ ମାନବୀୟ ମୂଲ୍ୟବୋଧ ନ ରହିଲେ “ମୋ ସରକାର” ର କୌଣସି ମୂଲ୍ୟ ନାହିଁ

କେଦାର ମିଶ୍ର

ଓଡିଶା ସରକାରଙ୍କର ଅତ୍ୟନ୍ତ ଉଚ୍ଚାଭିଳାଷୀ ଯୋଜନା “ମୋ ସରକାର’’ କୁ ନେଇ ଏବେ ବେଶ ଚର୍ଚ୍ଚା ଚାଲିଛି। ଏହା ସହିତ ଫାଇଭ ଟି, ଯଥା-ସାମୁହିକ ଦାୟିତ୍ଵ(ଟିମ ୱାର୍କ),  ସମୟସୀମା (ଟାଇମ ଲିମିଟ), ଟେକ୍ନୋଲୋଜି, ସ୍ବଚ୍ଛତା (ଟ୍ରାଂସପେରେନ୍ସି) ଓ ପରିବର୍ତ୍ତନ (ଟ୍ରାନ୍ସଫର୍ମେସନ)କୁ ସରକାରର ମନ୍ତ୍ର ଭାବରେ ଗ୍ରହଣ କରିବାକୁ କୁହା ଯାଇଛି। ଏହି ଲକ୍ଷ୍ୟ ସାଧନ ଲାଗି ସରକାରର ସବୁଠୁ ପ୍ରଭାବଶାଳୀ ଅଧିକାରୀ ଭି. କାର୍ତ୍ତିକ ପାଣ୍ଡିଆନଙ୍କୁ ସ୍ଵତନ୍ତ୍ର ଦାୟିତ୍ଵ ଦିଆ ଯାଇଛି। ମୁଖ୍ୟ ଶାସନ ସଚିବଙ୍କଠୁ ଆରମ୍ଭ କରି ଜିଲାପାଳ ପର୍ଯ୍ୟନ୍ତ ସବୁ ବଡ ବଡ ଅଧିକାରୀ ଏହି କାମରେ ଲାଗିଛନ୍ତି। ଏହି ବିଭାଗ ଦାୟିତ୍ବରେ ଥିବା ଶାସନ ସଚିବ କାର୍ତ୍ତିକ ପାଣ୍ଡିଆନ ବିଭିନ୍ନ ଜିଲା ଗସ୍ତ କରି ଏହି ଯୋଜନାର ତଦାରଖ କରୁଛନ୍ତି। ଅନ୍ତତଃ ସରକାରୀ ଭାବରେ ଏହାର କାର୍ଯ୍ୟକାରିତା ଅତ୍ୟନ୍ତ ପ୍ରଭାବଶାଳୀ ମନେ ହେଉଛି। ଦାୟିତ୍ବରେ ଖିଲାପ କରୁଥିବା ଅଧିକାରୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ଅନ୍ତତଃ ପ୍ରାଥମିକ ସ୍ତରରେ “ମୋ ସରକାର”କୁ ନେଇ ଓଡିଶା ସରକାର ଯେ ଅତ୍ୟନ୍ତ ଗମ୍ଭୀର  ଅଛନ୍ତି, ତାହା ପ୍ରମାଣିତ ହେଉଛି। ହେଲେ ଏତେ ସବୁ ସତର୍କତା ଭିତରେ ଏହାର ବିପରୀତ କିଛି ଚିତ୍ର ଓ ଖବର ମଧ୍ୟ ଆସୁଛି। ଆମ୍ବୁଲାନ୍ସ ରୋଗୀ ନେଇ ଆସିବା ବେଳେ ବାଟରେ ତେଲ ସରିଯାଉଛି, ଯାହା ଫଳରେ ରୋଗୀ ରାସ୍ତାରେ ମୃତ୍ୟୁ ବରଣ କରୁଛନ୍ତି। ଖୋଦ ରାଜଧାନୀ ଭୁବନେଶ୍ବରରେ ଡାକ୍ତରଖାନାରେ କୌଣସି ସହାୟତା ନ ପାଇ ଜଣେ ଗରିବ ମହିଳା ରାସ୍ତା କଡରେ ଛୁଆ ଜନ୍ମ କରୁଛନ୍ତି। ଏ ପ୍ରକାର ଖବର ରାଜ୍ୟ ସରକାରଙ୍କ ସବୁ ଭଲ ଉଦ୍ଦେଶ୍ୟକୁ ପାଣି ଫଟେଇ ଦେଉଛି।

ଗତ ଶୁକ୍ରବାର ଦିନ ସାଲିଆ ସାହିର ଜଣେ ଗର୍ଭବତୀ ମହିଳା ଭୁବନେଶ୍ୱର ସ୍ଥିତ ରାଜଧାନୀ ଡାକ୍ତରଖାନାକୁ ଆସିଥିଲେ। ହେଲେ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା ସହାୟତା ମିଳିନଥିଲା। ଡାକ୍ତରଖାନାରୁ ଫେରୁଥିବା ବେଳେ ସେ ଡାକ୍ତରଖାନା ପରିସରରେ ରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ଏହି ଘଟଣାରେ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବେଲୁନରୁ ସବୁ ପବନ ଫୁସ ହୋଇ ଯାଇଛି। ଖୋଦ ରାଜଧାନୀରେ ଯଦି ପ୍ରାଥମିକ ସ୍ବାସ୍ଥ୍ୟସେବା ଯୋଗାଇଦେବାରେ ଆମର ସରକାରୀ ଡାକ୍ତରଖାନା ଗୁଡିକ ଅକ୍ଷମ, ତାହେଲେ ଦୁର୍ଗମ ଅଞ୍ଚଳରେ ସ୍ଥିତି ଏହାଠୁ ଖରାପ ଥିବ ନିଶ୍ଚୟ। ରାଜଧାନୀ ଡାକ୍ତରଖାନାରେ ପ୍ରସୂତି ଓ ମାତୃ ମଙ୍ଗଳ ବିଭାଗର ଅବ୍ୟବସ୍ଥାକୁ ନେଇ ଆଗରୁ ଅନେକ ରିପୋର୍ଟ ବାହାରିଛି। ଅନେକ ସମୟରେ ଡାକ୍ତର ଓ ଡାକ୍ତରଖାନା କର୍ମଚାରୀଙ୍କ ଅପବ୍ୟବହାରକୁ ନେଇ ଅଭିଯୋଗ ମଧ୍ୟ ଆସିଛି। ହେଲେ ଏହାର ସମାଧାନ ସମ୍ଭବ ହୋଇ ପାରୁନାହିଁ।

ତେବେ ଏକଥା ମଧ୍ୟ ସତ୍ୟ ଯେ ଡାକ୍ତରଖାନା ଗୁଡିକରେ ଆବଶ୍ୟକୀୟ ଭିତ୍ତିଭୂମି ଓ ଲୋକ ବଳର ଅଭାବ ରହିଛି। ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ପାରା ମେଡିକାଲ କର୍ମଚାରୀ ନଥିବାରୁ ଅଳ୍ପ କେତେଜଣ ଡାକ୍ତରଙ୍କ ଉପରେ ପ୍ରବଳ ମାନସିକ ବୋଝ ବଢୁଛି। ଏହାର ପ୍ରଭାବ ଡାକ୍ତରଙ୍କ ଆଚରଣ ଓ ବ୍ୟବହାର ଉପରେ ପଡୁଛି। ହେଲେ ଏହା ମୌଳିକ ସ୍ୱାସ୍ଥ୍ୟ ସେବାରୁ ଲୋକଙ୍କୁ ବଞ୍ଚିତ କରିବାର ଏକ କାରଣ ହୋଇ ନପାରେ। ଯେତିକି ଭିତ୍ତିଭୂମି ଓ ଲୋକବଳ ଅଛି ତାର ସଠିକ ପରିଚାଳନା ହୋଇ ପାରିଲେ ଅନେକ ସମସ୍ୟାର ସମାଧାନ ହୋଇଯିବ।

ତେବେ ଏହାର ସଠିକ ପରିଚାଳନା ଓ ସରକାରୀ ଅନୁଷ୍ଠାନଗୁଡିକରେ ଲୋକଙ୍କୁ ମାନବୀୟ ବ୍ୟବହାର ଦେଖାଇବାର ଦାୟିତ୍ଵ ସଚିବାଳୟରୁ ତୁଲାଇହେବ କି? ଥାନା, ଡାକ୍ତରଖାନା, ବ୍ଲକ ଓ ତହସିଲ ଅଫିସ ଭଳି ଲୋକଙ୍କ ଗତାଗତ ରହୁଥିବା ଅଫିସ ଗୁଡିକରେ କର୍ମଚାରୀମାନେ ଲୋକଙ୍କ ପ୍ରତି ସମ୍ମାନଜନକ ବ୍ୟବହାର ପ୍ରଦର୍ଶନ କରୁଛନ୍ତି କି? ଏହାର ସିଧା ଉତ୍ତର ହେବ-ନା। ଏବେ ମଧ୍ୟ ସରକାରୀ ଅଫିସ ଗୁଡିକ “ଜୀ ହଜୁର” ଅମଳର ମାନସିକତା ନେଇ ଚାଲିଛନ୍ତି। ଏହାକୁ ବଦଳାଇବା “ମୋ ସରକାର”ପାଇଁ ସବୁଠୁ ବଡ ଆହ୍ଵାନ। ଲୋକଙ୍କୁ ଭଲ ବ୍ୟବହାର ଦେଖାଇବା ଫାଇବ ଟି ଆଧାରରେ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ଲାଗି, ତଳସ୍ତରରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଛି।

କୌଣସି ଅଧିକାରୀ ବା ସରକାରୀ ଅନୁଷ୍ଠାନ ଚାହିଁଲେ ରାତାରାତି ଶାସନ ବ୍ୟବସ୍ଥା ବଦଳି ଯିବନାହିଁ। ଏଥି ପାଇଁ  ଦୃଶ୍ୟ ଓ ଅଦୃଶ୍ୟ- ଦୁଇ ସ୍ତରରେ ସତର୍କତାର ଆବଶ୍ୟକତା ରହିଛି। ଉପରସ୍ତରର ଅଧିକାରୀଙ୍କ ଗସ୍ତ ସହିତ ସ୍ଵାଧୀନ ଭାବରେ କାମ କରୁଥିବା ନାଗରିକମାନଙ୍କ ଠାରୁ ଏ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାର ଆବଶ୍ୟକତା ରହିଛି। “ମୋ ସରକାର” ବ୍ୟବସ୍ଥାରେ ସ୍ଵାଧୀନ ଓ ନିରପେକ୍ଷ ପ୍ରସ୍ତାବ ପାଇବାକୁ ରାଜ୍ୟ ସରକାର ଏକ “ନାଗରିକ କମିଶନ ବା କମିଟି” କଥା ଚିନ୍ତା କରି ପାରନ୍ତି। ସେହିପରି ସୋସିଆଲ ମିଡିଆ ଓ ଗଣମାଧ୍ୟମ ଜରିଆରେ ବାସ୍ତବ ସ୍ଥିତି ପରଖିବାକୁ ଏକ ସ୍ଵତନ୍ତ୍ର ବୈଷୟିକ ବ୍ୟବସ୍ଥା ତିଆରି କରିବା ଜରୁରୀ।

ହୁଏତ ଅଧିକାରୀଙ୍କୁ ଦେଖି ଲୋକେ ସବୁ ଠିକ ଚାଲିଛି ବୋଲି କହି ଦେବେ, କିନ୍ତୁ ତାହା ଏକମାତ୍ର ସତ୍ୟ ନ ହୋଇ ନ ପାରେ। ତେଣୁ ଭିନ୍ନ ସ୍ତରରୁ ଓ ବିବିଧ ଗୋଷ୍ଠୀରୁ ଏ ସଙ୍କ୍ରାନ୍ତରେ ମତାମତ ନେଇ କାମ କରିବା ଜରୁରୀ। ସରକାର ଯେତେ ଭଲ କାମ କଲେ ମଧ୍ୟ ଯଦି ରାଜଧାନୀ ଡାକ୍ତରଖାନାରେ ଗତ ଶୁକ୍ରବାର ଭଳି ଘଟନା ଘଟେ, ତାହେଲେ ସବୁ ତପସ୍ୟା ଶୁଖୁଆ ପୋଡାରେ ହିଁ ଯିବ!!

ପଢନ୍ତୁ-     ଓଡିଶା ଶାସନରେ ‘ଫାଇଭ-ଟି’ ଓ ‘ୱାନ-ପି’ ର ପ୍ରଭାବ