Categories
ଆଜିର ଖବର

ଏନ୍‌ସିପିର ଦ୍ବିତୀୟ ପ୍ରାର୍ଥୀ ତାଲିକା ଜାରି : ଅଜିତ୍‌ ପାଓ୍ବାର୍‌ଙ୍କ ପୁଅ ପାର୍ଥ ସାମିଲ୍‌

ମହାରାଷ୍ଟ୍ରରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଆଜି ତା’ର ଦ୍ବିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ଏନ୍‌ସିପି ପ୍ରମୁଖ ଶରଦ ପାଓ୍ବାରଙ୍କ ନାତି ପାର୍ଥ ପାଓ୍ବରଙ୍କ ନାମ ରହିଛି। ପାର୍ଥ ଶରଦ ପାଓ୍ବାରଙ୍କ ପୁତୁରା ଅଜିତ୍‌ ପାଓ୍ବରଙ୍କ ପୁଅ। ପାର୍ଥଙ୍କୁ ପୁଣେ ଜିଲ୍ଲା ମାବଲ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ଶିରୁର୍‌ ଆସନ ପାଇଁ ଅମୋଲ୍‌ କୋଲ୍ହେ,, ନାସିକ୍‌ରୁ  ସମୀର ଭୁଜବଳ ଓ ମହାରାଷ୍ଟ୍ର ପାଇଁ ବଜରଂଗ ସୋନେବଣେଙ୍କ ନାମ ରହିଛି। ଏହା ପୂର୍ବରୁ ଏନ୍‌ସିପି ତା’ର ପ୍ରଥମ ତାଲିକାରେ ୧୨ଜଣ ପ୍ରାର୍ଥୀଙ୍କ ନାମ ଜାରି କରିଥିଲା। ବାରାମତୀରୁ ସୁପ୍ରିୟା ସୁଲେଙ୍କୁ ପ୍ରାର୍ଥୀ କରିଛି। ସୁପ୍ରିୟା ୨୦୦୯ ଓ ୨୦୧୪ ଲୋକସଭା ଆସନ ଜିତିଛନ୍ତି। ମହାରାଷ୍ଟ୍ରର ମୋଟ ୪୮ ସିଟ୍‌ରେ କଂଗ୍ରେସ ଓ ଏନ୍‌ସିପି ମେଣ୍ଟ କରି ନିର୍ବାଚନ ଲଢୁଛନ୍ତି। ଏନ୍‌ସିପି ୨୦ଟି ଆସନ ଓ କଂଗ୍ରେସ ୨୬ଟି ଆସନରେ ନିର୍ବାଚନ ଲଢିବେ। ବାକି ୨ଟି ଆସନକୁ କଂଗ୍ରେସ-ଏନ୍‌ସିପି ମେଣ୍ଟ ରାଜୁ ସେଟ୍ଟି ପାର୍ଟିକୁ ଦେବାକୁ ସ୍ଥିର କରାଯାଇଛି। ୨୦୧୪ ଲୋକସଭା ନିର୍ବାଚନରେ ଏନ୍‌ସିପି ୪ଟି ସିଟ୍‌ ହାତେଇଥିବାବେଳେ କଂଗ୍ରେସ ୨ଟି ଓ ବାକି ୪୨ଟି ଆସନ ଏନଡିଏ ମେଣ୍ଟ ହାତରେ ରହିଥିଲା।