Categories
ଆଜିର ଖବର ଜାତୀୟ ଖବର

ଗାଡି ଚଳାଇବାବେଳେ ମୋବାଇଲ୍‌ ଫୋନ୍‌ରେ କଥା ହେଉଛନ୍ତି କି, ସାବଧାନ ହୋଇଯା‘ନ୍ତୁ, ନହେଲେ ଦେବାକୁ ପଡିବ 10 ହଜାର ଟଙ୍କାର ଜରିମାନା

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ପୁଣି ଥରେ ଟ୍ରାଫିକ୍‌ ନିୟମକୁ କଡାକଡି କରାଯାଇଛି । ଉତ୍ତରପ୍ରଦେଶରେ ଗାଡି ଚଲାଇବା ସମୟରେ ମୋବାଇଲ୍‌ରେ କଥା ହେବା ବେଶ୍‌ ମହଙ୍ଗା ପଡିବ । ଯଦି ଆପଣ ଦୁଇ ଚକିଆ କିମ୍ବା ଚାରି ଚକିଆ ଗାଡି ଚଳାଉଥିବା ସମୟରେ ମୋବାଇଲ୍‌ ଫୋନ୍‌ରେ କଥା ହେଉଛନ୍ତି ତେବେ ଆପଣଙ୍କୁ ପ୍ରଥମ ଥର ପାଇଁ 1ହଜାର ଟଙ୍କା, ଦ୍ବିତୀୟ ଥର ପାଇଁ 10 ହଜାର ଟଙ୍କାର ଜରିମାନା ଲାଗିବ । ଉତ୍ତରପ୍ରଦେଶରେ ମୋଟର ଯାନ ସମ୍ପର୍କିତ ନିୟମାବଳୀ ଜାରି କରାଯାଇଛି ।

ନିୟମମୁତାବକ ବିନା ହେଲମେଟ୍‌ରେ ଗାଡି ଚାଳନା ପାଇଁ 1000ଟଙ୍କା ଜରିମାନା ପଡିବ । ସେହିପରି ପ୍ରଥମ ଥର ପାଇଁ ପାର୍କିଂ ଉଲ୍ଲଂଘନ ଅଭିଯୋଗରେ 500ଟଙ୍କା ଓ ଦ୍ବିତୀୟ ଥର ପାଇଁ 1500ଟଙ୍କାର ଜରିମାନା ପଡିବ । ଏହା ସହିତ ସିଟ୍‌ ବେଲ୍ଟ ପାଇଁ  ଏକ ହଜାର  ଓ ବିନା ଲାଇସେନ୍ସ ବା 14 ବର୍ଷର କମ୍‌ ଶିଶୁଙ୍କ ଗାଡି ଚାଳନା କଲେ 5000ଟଙ୍କାର ଜରିମାନା ପଡିବ ।

ସେହିପରି ଅଧିକାରୀଙ୍କ କଥା ନ ଶୁଣିବା ବା ବାଧା ଉପୁଜାଇଲେ ପ୍ରଥମ ଥର ପାଇଁ 1000 ଟଙ୍କାର ଜରିମାନା ଓ ଦ୍ବିତୀୟ ଥର ପାଇଁ 2000ଟଙ୍କାର ଜରିମାନା ଦେବାକୁ ପଡିବ । ସେହିପରି ଡ୍ରାଇଭିଂ ଲାଇସେନ୍ସକୁ ନେଇ ମିଥ୍ୟା ତଥ୍ୟ ଦେଲେ 10 ହଜାରଟଙ୍କାର ଜରିମାନା ଦେବାକୁ ପଡିବ । ସେହିପରି ଅଗ୍ନିଶମ ଗାଡି ଓ ଆମ୍ବୁଲାନ୍ସକୁ ରାସ୍ତା ନ ଦେଲେ 10 ହଜାର ଟଙ୍କାର ଜରିମାନା ଭରିବାକୁ ପଡିବ ।

ଏତଦ୍‌ବ୍ୟତୀତ ଦ୍ରୁତ ଗତିରେ କାର୍‌ ଚଳାଇଲେ ଦୁଇ ହଜାରଟଙ୍କା ରଜରିମାନା ଓ କମର୍ସିଆଲ ଗାଡିକୁ ମଧ୍ୟ ଦ୍ରୁତ ଗତିରେ ଚଳାଇଲେ ଚାରି ହଜାର ଟଙ୍କାର ଜରିମାନା ଲାଗିବ । ସେହିପରି ଦୁଇ ଚକିଆ ଯାନରେ ତିନିଜଣ ବସିଲେ ଏକ ହଜାରଟଙ୍କାର ଜରିମାନା ଦେବାକୁ ପଡିବ ବୋଲି ସୂଚନା ରହିଛି ।

ସେହିପରି ନିଶବ୍ଦ ଅଞ୍ଚଳରେ ଜୋର୍‌ସୋର୍‌ରେ ହର୍ଣ୍ଣ ବଜାଇଲେ ଜରିମାନା ଦେବାକୁ ପଡିବ । ପ୍ରଥମ ଥର ଏହି ନିୟମ ଉଲ୍ଲଂଘନ କଲେ ଏକ ହଜାର ଟଙ୍କା ଦ୍ବିତୀୟ ଥର ପାଇଁ ଦୁଇ ହଜାରଟଙ୍କାର ଜରିମାନା ରହିଛି । ଇନ୍‌ସ୍ୟୁରାନ୍ସ ବିନା ଗାଡି ଚଳାଇଲେ ଦୁଇ ହଜାର ରୁ ଚାରି ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ ।

ଯାନର ମଡେଲ୍‌ ବଦଳାଇଲେ ନିର୍ମାତା ଓ ଡିଲର୍‌ଙ୍କୁ ପ୍ରତି ବାହନ ପିଛା ଏକ ଲକ୍ଷଟଙ୍କାର ଜରିମାନା ଦେବାକୁ ପଡିବ ବୋଲି ସୂଚନା ରହିଛି । ରାଜ୍ୟସରକାର ବିନା ଅନୁମତିରେ କୌଣସି ରେସ୍‌ କିମ୍ବା ଟ୍ରାୟଲ୍‌ରେ ଭାଗ ନେଲେ ପାଞ୍ଚ ହଜାର ଟଙ୍କା ଦେବାକୁ ପଡିବ ବୋଲି ସୂଚନା ରହିଛି ।  (ଏଜେନ୍ସି)