Categories
ଆଜିର ଖବର

ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ : କେନ୍ଦ୍ର ପିଟିସନ୍‌କୁ ନିର୍ମୋହୀ ଆଖଡାର ଚ୍ୟାଲେଞ୍ଜ

ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦରେ କେନ୍ଦ୍ର ସରକାରଙ୍କ ଯାଚିକାକୁ ନେଇ ନିର୍ମୋହି ଆଖଡା ବିରୋଧ କରିଛି। ଏହି ଜମି ମାମଲା ବିଚାରାଧୀନ ଥିବାବେଳେ ବିବାଦୀୟ ସ୍ଥଳ ଆଖପାଖରେ ରହିଥିବା ନିର୍ବିବାଦୀୟ ଜାଗାଗୁଡ଼ିକୁ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ ଚ୍ୟାଲେଞ୍ଜ କରିଛି ନିର୍ମୋହୀ ଆଖଡ଼ା। ଏ ନେଇ ନିର୍ମୋହୀ ଆଖଡ଼ା ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାୟର କରାଯାଇଛି। ଗତ ଜାନୁୟାରୀରେ ସରକାର ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରି ବିବାଦୀୟ ସ୍ଥଳ ନିକଟ ଅଞ୍ଚଳରେ ଥିବା  ପାଖାପାଖି ୬୭ ଏକର ଜାଗାକୁ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିବାକୁ ନିବେଦନ କରିଥିଲେ। ଉକ୍ତ ଜାଗାଗୁଡ଼ିକ ନିର୍ବିବାଦୀୟ ବୋଲି ସରକାର ଯୁକ୍ତି ଉପସ୍ଥାପନ କରିଥିଲେ। ଏହି ଜାଗା ମଧ୍ୟରୁ ରାମ ଜନ୍ମଭୂମି ନ୍ୟାସର ୪୨ ଏକର ରହିଛି। କିନ୍ତୁ ନିର୍ମୋହୀ ଆଖଡ଼ା କେନ୍ଦ୍ର ସରକାରଙ୍କ ପିଟିଶନକୁ ବିରୋଧ କରିଛି। ଆଲ୍ଲାବାଦ ହାଇକୋର୍ଟ ବିବାଦୀୟ ଜମିକୁ ତିନି ଭାଗରେ ବାଣ୍ଟ କରିଥିଲେ। ସୂଚନାଯୋଗ୍ୟ, ୨.୭୭ଏକର ଜମିରୁ ରାମଲଲାଙ୍କ ପାଇଁ ଗୋଟିଏ ଭାଗ ଓ ଦ୍ବିତୀୟଭାଗ ନିର୍ମୋହୀ ଆଖଡାକୁ ଦିଆଯାଇଥିବାବେଳେ ତୃତୀୟଭାଗକୁ ସୁନ୍ନୀ ବୋର୍ଡ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଜମି ଭାଗବଣ୍ଟାକୁ ନେଇ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରାଯିବା ପରେ ଏହି ଜମି ଉପରେ ରୋକ୍‌ ଲଗାଯାଇଥିଲା। ଏବେବି ଏହି ବିବାଦୀୟ ଜମି ସୁପ୍ରିମ୍‌କୋର୍ଟଙ୍କ ବିଚରାଧୀନ ରହିଛି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )