Categories
ଜାତୀୟ ଖବର ବଜେଟ ୨୦୨୪ ବିଶେଷ ଖବର

ସରକାରୀ କର୍ମଚାରୀଙ୍କ ପୁରୁଣା ପେନସନ ଯୋଜନା ପୁନରୁଦ୍ଧାର ହେବ କି?: ଅନ୍ତରୀଣ ବଜେଟରେ ମିଳିପାରେ ଅପଡେଟ୍

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ। ଏଥିରେ ନ୍ୟାସନାଲ ପେନସନ ସିଷ୍ଟମ (ଏନପିଏସ)ର ଷ୍ଟାଟସ୍ ରିପୋର୍ଟ ଉପସ୍ଥାପନ କରାଯାଇପାରେ ବୋଲି ସୂଚନା ମିଳିଛି। ଏନପିଏସର ସମୀକ୍ଷା ପାଇଁ କେନ୍ଦ୍ର ସରକାର ଗତ ବର୍ଷ ଏପ୍ରିଲରେ ଅର୍ଥ ସଚିବ ଟିଭି ସୋମନାଥନଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଥିଲେ। ଏହି କମିଟି ଚଳିତ ମାସ ଶେଷ ସୁଦ୍ଧା ରିପୋର୍ଟ ପ୍ରଦାନ କରିବ ବୋଲି ଆଶା କରାଯାଉଛି। କମିଟିର ବୈଠକରେ ଏନପିଏସର ନିୟମରେ କିଛି ପରିବର୍ତ୍ତନ ନେଇ ଆଲୋଚନା ହୋଇଥିଲେ ମଧ୍ୟ ପୁରୁଣା ପେନସନ ବ୍ୟବସ୍ଥାକୁ ପୁନରୁଦ୍ଧାର କରିବା ସପକ୍ଷରେ ନାହିଁ। ପୁରୁଣା ପେନସନ ଯୋଜନାର ପୁନରୁଦ୍ଧାର ପାଇଁ ସରକାରୀ କର୍ମଚାରୀମାନେ ଦାବି କରୁଛନ୍ତି। ଅନେକ ରାଜ୍ୟ ଏହାକୁ ପୁନରୁଦ୍ଧାର କରିଛନ୍ତି। ନିର୍ବାଚନୀ ବର୍ଷରେ ଏହାକୁ ପୁନରୁଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ମଧ୍ୟ ଚାପ ପଡ଼ୁଛି।

କମିଟିର ରିପୋର୍ଟ ଉପରେ ପଦକ୍ଷେପ ନେବା ପୂର୍ବରୁ ସରକାର ଲୋକଙ୍କଠାରୁ ପରାମର୍ଶ ନେଇପାରିବେ ବୋଲି ସୂତ୍ରରୁ ପ୍ରକାଶ। ଜଣେ ଅଧିକାରୀ କହିଛନ୍ତି ଯେ ରିପୋର୍ଟ ଉପରେ କାମ ଚାଲିଛି। ଏନପିଏସରେ କିପରି ଉନ୍ନତି କରାଯାଇପାରିବ ତାହା ଉପରେ ଏହି ରିପୋର୍ଟରେ ଗୁରୁତ୍ୱ ଦିଆଯିବ। ଏଥିରେ ପେନସନଭୋଗୀଙ୍କ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରାଯିବ। ରିପୋର୍ଟରେ ଯଦି କୌଣସି ପରିବର୍ତ୍ତନର ଆବଶ୍ୟକତା ରହିଛି, ତେବେ ଏହାର ବିତ୍ତୀୟ ପ୍ରଭାବକୁ ଦୃଷ୍ଟିରେ ରଖି କରାଯିବ। ଏହାପରେ ଏହାକୁ ଲୋକଙ୍କ ପରାମର୍ଶ ପାଇଁ ରଖାଯିବ। ଏନପିଏସର ସରକାରୀ କର୍ମଚାରୀଙ୍କ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ଗତ ବର୍ଷ ଏପ୍ରିଲରେ ଏହି କମିଟି ଗଠନ କରିଥିଲେ।

ଆରବିଆଇ ବିରୋଧ କଲା

୨୦୦୪ ଜାନୁଆରି ପହିଲାରୁ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏନପିଏସ ଲାଗୁ ହୋଇଥିଲା। ପେନସନ ପାଣ୍ଠି ନିୟାମକ ଏବଂ ବିକାଶ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟ ସେମାନଙ୍କ କର୍ମଚାରୀଙ୍କ ପାଇଁ ଏନପିଏସ ଲାଗୁ କରିଛନ୍ତି। ଗତବର୍ଷ ରାଜସ୍ଥାନ, ଛତିଶଗଡ଼ ଓ ହିମାଚଳ ପ୍ରଦେଶ ପୁରୁଣା ପେନସନ ଯୋଜନାକୁ ପୁନରୁଦ୍ଧାର କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ବ୍ୟବସ୍ଥା ଅନୁଯାୟୀ ସରକାରୀ କର୍ମଚାରୀମାନେ ସେମାନଙ୍କ ଶେଷ ଦରମାର ୫୦% ପେନସନ ଆକାରରେ ପାଆନ୍ତି।

କେନ୍ଦ୍ର ସରକାର କହୁଛନ୍ତି ଯେ ଓପିଏସ ସରକାରୀ ରାଜକୋଷ ଉପରେ ଏକ ବଡ଼ ବୋଝ ପକାଇଥାଏ। ଏହି କାରଣରୁ ଏହାକୁ ହଟାଇ ଦିଆଯାଇଥିଲା। ରିଜର୍ଭ ବ୍ୟାଙ୍କ ଏବଂ ଅନେକ ଜଣାଶୁଣା ଅର୍ଥନୀତିଜ୍ଞ ଓପିଏସ ପୁନରୁଦ୍ଧାରକୁ ବିରୋଧ କରିଛନ୍ତି। ସେମାନେ କହିଛନ୍ତି ଯେ ଏହି ପଦକ୍ଷେପ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତିକୁ ଖରାପ କରିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଦୈନିକ ୭ ଟଙ୍କା ସଞ୍ଚୟ କଲେ ପାଇବେ ୫ ହଜାର ପେନ୍ସନ୍, ଜାଣନ୍ତୁ ଏହି ଯୋଜନାର ସମସ୍ତ ବିବରଣୀ

ନୂଆଦିଲ୍ଲୀ: ଲୋକଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। ଏଥି ମଧ୍ୟରୁ ଗୋଟିଏ ହେଉଛି ଅଟଳ ପେନ୍ସନ୍ ଯୋଜନା, ଯାହା ନିବେଶକମାନଙ୍କୁ ଅର୍ଥନୈତିକ ଏବଂ ସାମାଜିକ ସୁରକ୍ଷା ଯୋଗାଇଥାଏ। ଏହା ହେଉଛି ସରକାରଙ୍କ ସବୁଠାରୁ ଲୋକପ୍ରିୟ ଯୋଜନା। ଏହି ଯୋଜନା ଅଧୀନରେ ପ୍ରତି ମାସରେ ୫ ହଜାର ଟଙ୍କା ପେନସନ୍ ନିଆଯାଇପାରେ। ୧୮ ରୁ ୪୦ ବର୍ଷ ବୟସର ଯେକୌଣସି ବ୍ୟକ୍ତି ଏହି ଯୋଜନାର ଲାଭ ଉଠାଇ ପାରିବେ।

ଅଟଳ ପେନ୍ସନ୍ ଯୋଜନା ଏକ ବିପଦମୁକ୍ତ ଯୋଜନା, ଯେଉଁଥିରେ ସରକାରଙ୍କ ଅବଦାନ ମଧ୍ୟ ରହିଛି। ଅଟଳ ପେନ୍ସନ୍ ଯୋଜନା PFRDA ଦ୍ୱାରା ପରିଚାଳିତ। ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ନାଗରିକମାନଙ୍କୁ ରୋଗ ଏବଂ ଦୁର୍ଘଟଣାରୁ ରକ୍ଷା କରିବା ଏବଂ ଏହି ଯୋଜନା ମୁଖ୍ଯତଃ ଦେଶର ଅସଂଗଠିତ କ୍ଷେତ୍ର ପାଇଁ ପ୍ରବର୍ତ୍ତିତ ହୋଇଛି।

ଅଟଳ ପେନ୍ସନ୍ ଯୋଜନା ପାଇଁ କିଏ ଯୋଗ୍ୟ?:

ସରକାରଙ୍କ ଏହି ପେନ୍ସନ୍ ଯୋଜନା ଅନୁଯାୟୀ ଟିକସଦାତାଙ୍କୁ ଅକ୍ଟୋବର ୧ ତାରିଖ ୨୦୨୨ ରୁ ବିନିଯୋଗ କରିବାକୁ ବାରଣ କରାଯାଇଛି ଏବଂ ବର୍ତ୍ତମାନ ଏହା ବ୍ୟତୀତ ୧୮ ରୁ ୪୦ ବର୍ଷର କୌଣସି ଭାରତୀୟ ନାଗରିକ ଏହି ଯୋଜନା ଅଧୀନରେ ଆବେଦନ କରିପାରିବେ। ତଥାପି, ଏହି ଯୋଜନାର ଲାଭ ଉଠାଇବାକୁ, ଆପଣଙ୍କ ପାଖରେ ଏକ ସେଭିଙ୍ଗ୍ ବ୍ୟାକ୍ ଆକାଉଣ୍ଟ୍ କିମ୍ବା ଏକ ପୋଷ୍ଟ ଅଫିସ୍ ଆକାଉଣ୍ଟ୍ ଥିବା ଆବଶ୍ୟକ।

ଏହି ଯୋଜନାର କିପରି ଲାଭ ଉଠାଇବେ?:

ଅଟଳ ପେନ୍ସନ୍ ଯୋଜନାର ଲାଭ ଉଠାଇବାକୁ, ଆପଣ ଯେକୌଣସି ବ୍ୟାଙ୍କ ଶାଖା କିମ୍ବା ଡାକଘରକୁ ଯାଇ ଏହି ଯୋଜନା ଅଧୀନରେ ସେଠାରେ ଆପଣଙ୍କର ଆକାଉଣ୍ଟ ଖୋଲିପାରିବେ। ଅନ୍ୟପକ୍ଷରେ, ଯଦି ଆପଣ ଏହି ଯୋଜନାରେ ଅନ୍ ଲାଇନରେ ଆବେଦନ କରିବାକୁ ଚାହାଁନ୍ତି, ତେବେ ଏଥିପାଇଁ ଆପଣଙ୍କୁ କିଛି ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ ପଡ଼ିବ। ପ୍ରଥମେ PRAN ପାଇଁ ଆବେଦନ କରିବାକୁ ପଡିବ, ଯାହା NPS ଅଧୀନରେ ଏକ ପଞ୍ଜୀକରଣ ଏବଂ ତା’ପରେ ଅଟଳ ପେନ୍ସନ୍ ଯୋଜନା ଅଧୀନରେ ଫର୍ମ ପୂରଣ କରିବାକୁ ପଡିବ। ଏହା ପରେ ଆପଣ ବ୍ୟାଙ୍କ କିମ୍ବା ଡାକଘର ସହିତ ଯୋଗାଯୋଗ କରିପାରିବେ।

୫୦୦୦ ଟଙ୍କା ପେନ୍ସନ୍ ପାଇବେ କିପରି?:

ଯଦି ଆପଣ ଏହି ଯୋଜନା ଅଧୀନରେ ଯୋଗ ଦିଅନ୍ତି, ତେବେ ଆପଣଙ୍କୁ ମାସିକ, ତ୍ରୟମାସିକ ଏବଂ ଅର୍ଦ୍ଧ ବାର୍ଷିକ ଯୋଗଦାନ କରିବାକୁ ପଡିବ। ଏହି ଯୋଜନା ଅଧୀନରେ ୧ ହଜାରରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ପେନ୍ସନ୍ ରାଶି ଦିଆଯାଉଛି। ଧରାଯାଉ ଯଦି ଜଣେ ବ୍ୟକ୍ତି ୧୮ ବର୍ଷ ବୟସରେ ଅଟଳ ପେନ୍ସନ୍ ଯୋଜନାରେ ଯୋଗ ଦିଅନ୍ତି ଏବଂ ପ୍ରତି ମାସରେ ୨୧୦ ଟଙ୍କା ଅର୍ଥାତ୍ ପ୍ରତିଦିନ ୭ ଟଙ୍କା ବିନିଯୋଗ କରନ୍ତି, ତେବେ ଅବସର ପରେ ତାଙ୍କୁ ପ୍ରତି ମାସରେ ୫୦୦୦ ଟଙ୍କା ମିଳିବ। ଏଥି ସହିତ, କ୍ୱାର୍ଟରରେ ୬୨୬ ଟଙ୍କା ଏବଂ ଅଧା ବର୍ଷରେ ୧୨୩୯ ଟଙ୍କା ବିନିଯୋଗ କରିବାକୁ ପଡିବ।

Categories
ବିଶେଷ ଖବର

ପୁରୁଣା ପେନ୍ସନ୍ ଯୋଜନା, ୧୦୦ ୟୁନିଟ୍ ମାଗଣା ବିଦ୍ୟୁତ୍: ବେସରକାରୀ କମ୍ପାନୀରେ ମିଳିବ ୭୫ ପ୍ରତିଶତ ନିଯୁକ୍ତି

ରାଞ୍ଚି: ପୁରାତନ ପେନ୍‌ସନ୍‌ ଯୋଜନାକୁ କେତେକ ସର୍ତ୍ତରେ କାର୍ଯ୍ୟକାରୀ କରିବା ଏବଂ ଗରିବ ଲୋକଙ୍କୁ ପ୍ରତି ମାସରେ ୧୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇବା ପାଇଁ ନିଷ୍ପତ୍ତି ହୋଇଛି। ଝାଡଖଣ୍ଡ କ୍ୟାବିନେଟ୍ ଏହି ପ୍ରସ୍ତାବକୁ ଅନୁମୋଦନ କରିଛି। ଜଣେ ଅଧିକାରୀ କହିଛନ୍ତି ଯେ, ପୁରୁଣା ପେନ୍ସନ୍ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବିକାଶ ଆୟୋଗଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ କମିଟି ଗଠନ କରାଯିବ।

କ୍ୟାବିନେଟ ସଚିବ ବନ୍ଦନା ଦାଦେଲେ ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ, କମିଟି ଦ୍ଵାରା ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିସର୍ (SOP) ପ୍ରସ୍ତୁତ କରାଯିବ। ଏହାକୁ ଅନୁମୋଦନ ପାଇଁ କ୍ୟାବିନେଟକୁ ପଠାଯିବ। “ପୁରୁଣା ପେନସନ୍ ଯୋଜନା ଏପ୍ରିଲ ୧ ତାରିଖ ୨୦୦୪ ରେ ବନ୍ଦ ହୋଇଯାଇଥିଲା ଏବଂ ଏହାକୁ ଜାତୀୟ ପେନସନ୍ ସିଷ୍ଟମ (NPS) ଦ୍ୱାରା ବଦଳାଯାଇଥିଲା।

ଏହା ବ୍ୟତୀତ ଗରିବଙ୍କ ପାଇଁ ୧୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ପ୍ରସ୍ତାବକୁ କ୍ୟାବିନେଟ୍ ମଧ୍ୟ ଅନୁମୋଦନ କରିଛି। ୨୦୨୨-୨୩ ବଜେଟରେ ସରକାର ଏହା ଘୋଷଣା କରିଥିଲେ। ଦାଦଲେ କହିଛନ୍ତି ଯେ, ୧୦ ୟୁନିଟ୍ ବିଦ୍ୟୁତ୍ ବ୍ୟବହାରକାରୀଙ୍କ ପାଇଁ ଏହାର ଲାଭ ପ୍ରଯୁଜ୍ୟ ହେବ। ଏହା ଉପରେ ବିଭିନ୍ନ ପ୍ରକାର ସ୍ଲାବ ଲାଗୁ ହେବ।

ସୂଚନାଯୋଗ୍ୟ ଯେ କ୍ୟାବିନେଟ ଦ୍ୱାରା ମୋଟ ୫୫ ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ପ୍ରତ୍ୟେକ ପରିବାରକୁ ମାସକୁ ୧ ଟଙ୍କା ମୂଲ୍ୟରେ ଏକ କିଲୋଗ୍ରାମ ଚଣା ଡାଲି ପ୍ରଦାନ କରିବାକୁ ଏକ ପ୍ରସ୍ତାବ ଅନ୍ତର୍ଭୁକ୍ତ ଥିଲା। ଏହା ସହିତ କ୍ୟାବିନେଟ୍ ମଧ୍ୟ MNREGA ମଜୁରୀ ଅଧୀନରେ ୨୭ ଟଙ୍କା ଅତିରିକ୍ତ ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହା ସହିତ ଝାଡଖଣ୍ଡର ଜଣେ MNREGA କର୍ମଚାରୀ ସର୍ବନିମ୍ନ ମଜୁରୀ ୨୩୭ ଟଙ୍କା ପାଇବେ।

ବେସରକାରୀ କ୍ଷେତ୍ରରେ ସ୍ଥାନୀୟ ପ୍ରାର୍ଥୀଙ୍କ ନିଯୁକ୍ତି ନିୟମ ମଧ୍ୟ ରାଜ୍ୟ ଅନୁମୋଦନ କରିଛି। ନିୟମ ଅନୁଯାୟୀ, ବେସରକାରୀ କମ୍ପାନୀମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କୁ ୭୫ ପ୍ରତିଶତ ସଂରକ୍ଷଣ ଦେବାକୁ ପଡିବ। ଉଲ୍ଲେଖନୀୟ ଯେ, ପୁରୁଣା ପେନସନ୍ ଯୋଜନାର କାର୍ଯ୍ୟକାରିତା ଘୋଷଣା କରିବା ପାଇଁ ଝାଡଖଣ୍ଡ ଦେଶର ତୃତୀୟ ରାଜ୍ୟ ହୋଇପାରିଛି। ଏହାପୂର୍ବରୁ ରାଜସ୍ଥାନ ଏବଂ ଛତିଶଗଡ ପୁରୁଣା ପେନ୍ସନ୍ ଯୋଜନା କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି।