Categories
ଆଜିର ଖବର ରାଜ୍ୟ ଖବର

ଦୁଇ ନବଜାତ ଶିଶୁଙ୍କ ମୃତଦେହ ଉଦ୍ଧାର : ପରଦା ପଛର ବେଆଇନ ନର୍ସିଂହୋମ୍‌

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ଆଜି ବ୍ରହ୍ମପୁର ସହରରେ ଦୁଇଦୁଇଟି ଲଜ୍ଜା ଏବଂ ଅଶୋଭନୀୟ ଘଟଣା ଦେଖିବାକୁ ମିଳିଛି । ସହରର ଦୁଇ ଅଲଗା ଅଲଗା ସ୍ଥାନରେ ନବଜନ୍ମିତ ଶିଶୁଙ୍କୁ ଫୋପାଡ଼ି ଦିଆଯାଇଛି । ଯାହାକୁ ନେଇ ସହରରେ ଆଜି ବୁଦ୍ଧିଜୀବୀ ପ୍ରଶାସନକୁ ଆଙ୍ଗୁଠି ନିକ୍ଷେପ କରିଛନ୍ତି । ଦୀର୍ଘଦିନ ହେଲା ପ୍ରଶାସନ ନର୍ସିଂ ହୋମ୍ ଗୁଡିକ ଉପରେ ଚଢ଼ାଉ କରିବାରେ ପଛଘୁଞ୍ଚା ଦେଉଛି । ସହରରେ ମାଳ ମାଳ ଛତୁଫୁଟିଲା ଭଳି ନର୍ସିଂ ହୋମ୍ ଖୋଲାଯାଉଛି । ଯାହାକି ସରକାରୀ ନିୟମକୁ ଖୁଲମ୍‌ଖୁଲା ଉଲ୍ଲଂଘନ କରୁଛନ୍ତି । ଏହି ସମସ୍ତ ନର୍ସିଂହୋମ୍‌ରେ ବେଆଇନ ଭାବରେ ଲିଙ୍ଗ ନିରୂପଣ କରାଯାଉଛି ।

ବିଭିନ୍ନ ଗଣମାଧ୍ୟମରେ ଏହି ନର୍ସିଂହୋମ୍‌ମାନଙ୍କୁ ନେଇ ଖବର ପ୍ରକାଶିତ ହେଲେ ପ୍ରଶାସନ ପକ୍ଷରୁ ଲୋକଦେଖାଣିଆ ଭାବେ ଚଢ଼ାଉ କରାଯାଏ । ଏହାର ଫଳ ଏକରକମ ଶୂନ କହିଲେ ଅତ୍ୟୁକ୍ତି ହେବ ନାହିଁ । ମୁଖ୍ୟତଃ ଟଙ୍କା ଲୋଭରେ ଏହି ବେଆଇନ ନର୍ସିଂ ହୋମ୍‌ଗୁଡ଼ିକ ଭୃଣହତ୍ୟାଠାରୁ ଆରମ୍ଭ କରି ଭୃଣ ନିରୂପଣ ଏବଂ ସମୟ ପୂର୍ବରୁ ପ୍ରସବ କରାଇବା ଦେଖିବାକୁ ମିଳୁଛି । ଏହି କ୍ଷେତ୍ରରେ ନର୍ସିଂ ହୋମ୍‌ଗୁଡ଼ିକ ମୋଟା ଅଙ୍କର ଅର୍ଥ ରୋଜଗାର କରିଥାନ୍ତି । ଯାହାଫଳରେ ଏହିପରି ଭୃଣହତ୍ୟା ଏବଂ କୋମଳମତି ଶିଶୁକନ୍ୟାକୁ ରାସ୍ତାଘାଟରେ, ଡ଼୍ରେନ୍‌ରେ ଫୋପାଡ଼ୁଥିବା ହୃଦୟ ବିଦାରକ ଚିତ୍ର ଦେଖିବାକୁ ମିଳୁଛି । ଆଜି ବ୍ରହ୍ମପୁର ମେଡ଼ିକାଲ୍ ନିକଟବର୍ତ୍ତୀ ସିଦ୍ଧାର୍ଥ ନଗର ନାଳରେ ଏକ ଶିଶୁକନ୍ୟାକୁ ଫୋପାଡ଼ି ଦେଇଥିବା ଦେଖିବାକୁ ମିଳିଥିଲା । ସେହିପରି ବିନାୟକ ଆଚାର୍ଯ୍ୟ କଲେଜ ପାଖରେ ଡ଼ମ୍ପିଂୟାର୍ଡ଼ରେ ଶିଶୁକୁ ଫୋପାଡ଼ି ଦିଆଯାଇଥିବା ଦେଖିବାକୁ ମିଳିଥିଲା । ଏହି ଖବର ପାଇବା ପରେ ସ୍ଥାନୀୟ ପୋଲିସ୍ ଘଟଣାସ୍ଥଳକୁ ଯାଇ ଶିଶୁମାନଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏ ନେଇ ବୈଦ୍ୟନାଥପୁର ଥାନାରେ ୟୁଡ଼ି କେସ ନଂ 72/2020ରେ ଏକ ମାମଲା ରୁଜୁ ହୋଇଛି ।