Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

୨୦୨୪ର ରୋଚକ ଲଢ଼େଇ: ଦୁଇ ଭାଇ ଓ ଖୁଡ଼ୀ-ପୁତୁରା ମୁହାଁମୁହିଁ

ଭୁବନେଶ୍ଵର: ଚଳିତ ନିର୍ବାଚନରେ କ୍ଷମତା ନିଶା ଏତେ ବଢ଼ି ଯାଇଛି ଯେ, ମାଆ ପେଟର ଦୁଇ ଭାଇ କେହି କାହାକୁ ସହିବାକୁ ପ୍ରସ୍ତୁତ ନୁହଁନ୍ତି। କେବଳ ଭାଇ ଭାଇ ନୁହଁନ୍ତି ଗୋଟିଏ ପରିବାରର ସଦସ୍ୟ ଖୁଡ଼ୀ-ପୁତୁରା କ୍ଷମତା ହାସଲ କରିବା ପାଇଁ ନିର୍ବାଚନୀ ମଇଦାନରେ ମୁହାଁମୁହିଁ ହେବାକୁ ପଛଘୁଞ୍ଚା ଦେଇନାହାନ୍ତି।

ଏଭଳି ଘଟଣା ଦେଶର ବିଭିନ୍ନ ରାଜ୍ୟରେ ଘଟୁଥିବା ଘଟଣା ଆମେ ପଢ଼ିବାକୁ ପାଉଥିଲୁ। କିନ୍ତୁ ଏବେ ଆମ ରାଜ୍ୟରେ ଏହିପରି ଦୁଇଟି ଘଟଣା ଦେଖିବାକୁ ମିଳିଛି। ପ୍ରଥମଟି ହେଉଛି ଗଞ୍ଜାମ ଜିଲ୍ଲାର ଚିକିଟି ନିର୍ବାଚନ ମଣ୍ଡଳୀରେ। ଚିକିଟିର ପୂର୍ବତନ ବିଧାୟକ ତଥା ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରାୟଙ୍କ ଦୁଇ ପୁଅ ରବୀନ୍ଦ୍ରନାଥ ଦ୍ୟାନସାମନ୍ତରାୟ କଂଗ୍ରେସ ଦଳରୁ ଓ ମନୋରଞ୍ଜନ ଦ୍ୟାନସାମନ୍ତରାୟ ବିଜେପି ଟିକଟରେ ଚିକିଟି ବିଧାନସଭା ଆସନ ପାଇଁ ଲଢ଼ୁଛନ୍ତି। ଏହାକୁ ନେଇ ଚିକିଟି ଅଞ୍ଚଳରେ ଚର୍ଚ୍ଚା ଜୋର୍‍ ଧରିଛି।

ସେହିପରି ନବରଙ୍ଗପୁର ବିଧାନସଭା ଆସନରେ ମଧ୍ୟ ପାରିବାରିକ ନିର୍ବାଚନୀ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳୁଛି। ନବରଙ୍ଗପୁରର ସଂସଦୀୟ କ୍ଷେତ୍ରର ୯ଥରର ସାଂସଦ ଖଗପତି ପ୍ରଧାନୀଙ୍କ ପୁଅ ତଥା ବିଜେଡି ବିଧାୟକ ସଦାଶିବ ପ୍ରଧାନୀଙ୍କ ପତ୍ନୀ କୌଶଲ୍ୟା ପ୍ରଧାନୀଙ୍କୁ ଦଳ ପ୍ରାର୍ଥୀ କରିଛି। କୌଶଲ୍ୟାଙ୍କ ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ଖଗପତିଙ୍କ ଅନ୍ୟତମ ପୁଅ ତଥା ଜିଲ୍ଲାପରିଷଦ ସଭ୍ୟ ତ୍ରିନାଥ ପ୍ରଧାନୀଙ୍କ ପୁଅ ଦିଲ୍ଲୀପ ପ୍ରଧାନୀ। ଦିଲ୍ଲୀପଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦିଲ୍ଲୀପ ପ୍ରଧାନୀ କଂଗ୍ରେସ ତେନ୍ତୁଳି ଖୁଣ୍ଟି ବ୍ଳକ ଅଧ୍ୟକ୍ଷ ହେବାକୁ ଚେଷ୍ଠାକରୁଥିଲାବେଳେ ସଦାଶିବ ପରିବାର କଥା ଚିନ୍ତା ନ କରି ଏଥିରେ ବାଧା ସୃଷ୍ଟି କରିଥିଲେ ବୋଲି ଦିଲ୍ଲୀପ ଅଭିଯୋଗ କରିଛନ୍ତି। ତେଣୁ ସେ ପରିବାର କଥା ଚିନ୍ତା ନ କରି ଜାତୀୟ ଦଳରୁ ବିଧାୟକ ପ୍ରାର୍ଥୀ ହୋଇଥିବା କହିଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେପିରେ ସାମିଲ ହେଲେ କେନ୍ଦ୍ରାପଡା ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ

ଭୁବନେଶ୍ୱର: ଆଜିର ଏହି ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ କରିବ। ମୋଦିଜୀଙ୍କ ହାତମୁଠାକୁ ସୁଦୃଢ଼ କରିବା ପାଇଁ ସମସ୍ତ ବର୍ଗର ଲୋକେ ବିଜେପିକୁ ଆପଣାଉଛନ୍ତି। ଓଡିଶାର ବିକାଶ ପାଇଁ ଆମେ କାର୍ଯ୍ୟ କରିବା ବୋଲି ସଂକଳ୍ପ ନେବା। ମୋଦିଜୀଙ୍କ ହାତମୁଠାକୁ ସୁଦୃଢ଼ କରିବା ପାଇଁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରି ବିଜେପିର ସଦସ୍ୟ ହୁଅନ୍ତୁ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦ୍ରାପଡା ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ଡେରାବିଶ ବ୍ଲକର ପୂର୍ବତନ ବ୍ଲକ ଚେୟାରମ୍ୟାନ ତଥା ବିଜେଡି ନେତା ସରୋଜକାନ୍ତ ସାହୁ ଏବଂ ପ୍ରଭାତୀ ମଲ୍ଲିକ, ଡ.ପ୍ରିୟବ୍ରତ ମିଶ୍ର ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେଲେ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି କେ.ଭି ସିଂହଦେଓ, ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ନେତୃବୃନ୍ଦ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ।

ଏହି ମିଶ୍ରଣ ପର୍ବରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ରାଜ୍ୟ ସାଧାରଣ ସମ୍ପାଦକ ଡ.ଯତୀନ ମହାନ୍ତି, ରାଜ୍ୟ ସଂପାଦକ ସରୋଜ କର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିନୋଦ ଦାସ, ବିଷ୍ଣୁ ଦାସ, ଜିଲ୍ଲା ସଭାପତି କିଶୋର ପଣ୍ଡା, ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା, ସାମାଜିକ ଗଣମାଧ୍ୟମ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡ଼ି-ବିଜେପି ମେଣ୍ଟକୁ ନେଇ ଆସିଲା ବଡ ଖବର: ସ୍ପଷ୍ଟ କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ଭୁବନେଶ୍ଵର: ଓଡିଶାରେ ବିଜେଡ଼ି-ବିଜେପି ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ହେଲେ ଏହି ସମୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଦ୍ଵାରା ସୋସିଆଲ ମିଡ଼ିଆରେ କରାଯାଇଥିବା ପୋଷ୍ଟକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ମନମୋହନଙ୍କ ଏକ୍ସ ର ଏକ ପୋଷ୍ଟ ପରେ ବର୍ତ୍ତମାନ ବିଜେଡ଼ି-ବିଜେପି ମେଣ୍ଟର କୌଣସି ସମ୍ଭାବନା ନାହିଁ ବୋଲି କୁହାଯାଉଛି।

ମନମୋହନ ଏକ୍ସ ରେ ଲେଖିଛନ୍ତି ଯେ, ରାଜ୍ୟରେ ଏଥର ବିଜେପି ଏକାକୀ ଲଢିବ। ସମସ୍ତ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ବିଜେପି ଏକାକୀ ଲଢିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ମନମୋହନ ଧନ୍ୟବାଦ ଦେଇଛନ୍ତି। କେନ୍ଦ୍ରର ମୋଦୀ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସମଗ୍ର ଦେଶରେ ଯେଉଁସବୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ରହିଛି ସେଠାରେ ବିକାଶ ଓ ଗରିବ କଲ୍ୟାଣର କାର୍ଯ୍ୟସବୁ ତ୍ବରାନ୍ବିତ ହୋଇଛି ଏବଂ ସବୁ କ୍ଷେତ୍ରରେ ସଂପୃକ୍ତ ରାଜ୍ୟମାନେ ମଧ୍ୟ ଅଗ୍ରଗତି ହାସଲ କରୁଛନ୍ତି ବୋଲି ଆମେ ଅନୁଭବ କରୁଅଛୁ। କିନ୍ତୁ ଆଜି ଓଡ଼ିଶାରେ ମୋଦୀ ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରକୁ ପହଞ୍ଚି ପାରୁନାହିଁ, ଯେଉଁ କାରଣରୁ ଓଡିଶାର ଗରିବ ଭଉଣୀ ଓ ଭାଇମାନେ ଏସବୁର ସୁଫଳ ପାଇପାରୁନାହାଁନ୍ତି।

ଓଡ଼ିଆ-ଅସ୍ମିତା, ଓଡ଼ିଶାର ଗୌରବ ଏବଂ ଓଡ଼ିଶାବାସୀଙ୍କ ସ୍ବାର୍ଥ ସହ ଜଡ଼ିତ ଅନେକ ପ୍ରସଙ୍ଗରେ ଆମେ ରାଜ୍ୟ ସରକାରଙ୍କ ସହ ସହ‌ମତ ହୋଇପାରୁନାହୁଁ। ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶା, ଅଭିଳାଷ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବରେ ଏକ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ନିମନ୍ତେ ବିଜେପି ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ।