Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ବିଶ୍ୱ ପର୍ଯ୍ୟଟନ ଦିବସରେ ସୁପର ବାଇକ ରାଲି, ଖାଦ୍ୟ ମହୋତ୍ସବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ପର୍ଯ୍ୟଟନ ଦିବସ। ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଏହାକୁ ମହାଡମ୍ବରରେ ପାଳନ କରାଯାଇଛି। ଏହି ଅବସରରେ ଓଡ଼ିଶା ସୁପର ରାଉଡର୍ସ ସଂଘ ପକ୍ଷରୁ ବାର୍ଷିକ ସୁପର ବାଇକ୍‌ ରାଲି ‘କଳିଙ୍ଗ ରାଇଡର୍ସ’ ଭୁବନେଶ୍ୱରସ୍ଥିତ ହୋଟେଲ୍‌ ସ୍ୟାଣ୍ଡିସ୍‌ ଟାୱାରରୁ ବାହାରି କଟକସ୍ଥିତ ସିଲ୍‌ଭର ସିଟି ବୋଟ କ୍ଲବ୍‌ରେ ପହଞ୍ଚିଥିଲା। ଏଥିରେ ଓଡ଼ିଶା ସୁପର ରାଇଡର୍ସର ପ୍ରାୟ ୧୫୦ ଜଣ ସଦସ୍ୟ ଭାଗ ନେଇଥିଲେ।

ଏହି ରାଲିକୁ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ପତାକା ଦେଖାଇ ଶୁଭାରମ୍ଭ କରି କହିଲେ ଯେ ରାଜ୍ୟ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଏବଂ ଉଦ୍ୟୋଗୀଙ୍କ ସମେତ ବିଭିନ୍ନ ଅଂଶୀଦାରମାନେ ହାତ ମିଳାଇବା ଉଚିତ। ଓଡ଼ିଶାରେ ଭରି ରହିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ, ଚାରୁ ଓ କାରୁକଳାକୁ ବିଶ୍ୱ ଦରବାରରେ ପରିଚିତ କରାଇବାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ସର୍ବଦା ପ୍ରେରଣାଦାୟୀ ହୋଇ ରହିଛି। ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଏ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ।

ତିନିବର୍ଷ ତଳେ ଆରମ୍ଭ ହୋଇଥିବା ‘ଓଡ଼ିଶା ବାଇ ରୋଡ୍‌ ଅଭିଯାନ’ ମାଧ୍ୟମରେ ଅଧିକରୁ ଅଧିକ ଉତ୍ସାହୀ ସୁପର ବାଇକରମାନେ ଯୋଗଦେବା ସହ ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ସେମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବା ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସଚିନ୍‌ ରାମଚନ୍ଦ୍ର ଯାଦବ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପର୍ଯ୍ୟଟନ ନିଗମର ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି, ପୋଲିସ୍‌ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିଶନର ଶ୍ରୀ ମୟୂର ସୂର୍ଯ୍ୟବଂଶୀ, ସିଆଇଏସ୍‌ଏଫ୍‌ କମାଣ୍ଡାଣ୍ଟ ଶ୍ରୀ ଅଲୋକ ଯୋଶୀ, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଉପଦେଷ୍ଟା ଶ୍ରୀ ଦୁର୍ଗା ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ।

ବାଇକ ରାଲି କଟକରେ ପହଞ୍ଚିବା ପରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଯାଦବ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତାକୁ ପାଠ କରିଥିଲେ। ଚଳିତ ବର୍ଷର ଶୀର୍ଷକ ‘ପର୍ଯ୍ୟଟନ ଓ ସବୁଜ ନିବେଶ’ ଉପରେ ମତ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଲେ ଯେ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ନିବେଶ ଦ୍ୱାରା ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ତ୍ୱରାନ୍ୱିତ ହୋଇଛି। ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ପରିବେଶ ଅନୁକୂଳ ଇକୋ-ରିଟ୍ରିଟ୍‌ କାର୍ଯ୍ୟକ୍ରମ ଲୋକାଦୃତ ହେବା ସହ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ସଂପର୍କରେ ପର୍ଯ୍ୟଟକମାନେ ଅଧିକ ଅଭିଜ୍ଞତା ଅର୍ଜନ କରିପାରିଛନ୍ତି।

କଟକସ୍ଥିତ ତାଳଦଣ୍ଡା କେନାଲ୍‌ରେ ‘ବ୍ୟଞ୍ଜନ ଖାଦ୍ୟ କୋର୍ଟ’, ‘ୱାଟର ସ୍ପୋଟର୍ସ ଜୋନ୍‌’ ଏବଂ ସିଲ୍‌ଭର ସିଟି ବୋଟ୍‌ କ୍ଲବ୍‌ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବାର କଟକ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ସୂଚନା ଦେଇଥିଲେ। କଟକ-ବାରବାଟି ବିଧାୟକ ମହମ୍ମଦ ମୋକିମ୍‌, ଚୌଦ୍ୱାର ବିଧାୟକ ଶ୍ରୀ ସୌଭିକ୍‌ ବିଶ୍ୱାଳ, କଟକ ମେୟର ଶ୍ରୀ ସୁବାଷ ସିଂ, ସିଡିଏ ଅଧ୍ୟକ୍ଷ ଶ୍ରୀ ଅନିଲ୍‌ ସାମଲ, କଟକ ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚଇନି, ଓଡ଼ିଶା ସୁପର ରାଉଡର୍ସର ଆବାହକ ଶ୍ରୀ ଦେବଜ୍ୟୋତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଓଡ଼ିଶା ପରିକ୍ରମା କରିଥିବା ଓଡ଼ିଶା ସୁପର ରାଉଡର୍ସର ସଦସ୍ୟ ଏବଂ ବ୍ଲଗର ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ କଟକ ମହାନଗର ନିଗମ ଏବଂ ପର୍ଯ୍ୟଟନ ବିଭାଗ ସହଯୋଗରେ ସିଲ୍‌ଭର ସିଟି ବୋର୍ଟ କ୍ଲବ୍‌ଠାରେ ଏକ ଛଅଦିନିଆ ଖାଦ୍ୟ ମହୋତ୍ସବ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାର ବିଭିନ୍ନ ପାରମ୍ପରିକ ବ୍ୟଞ୍ଜନ ଓ ଖାଦ୍ୟ ଉପଲବ୍ଧ ହେଉଛି।

ଆଜିର ସନ୍ଧ୍ୟାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭଞ୍ଜକଳା ମଣ୍ଡପଠାରେ ସାଂସ୍କୃତିକ ସନ୍ଧ୍ୟା ଅନୁଷ୍ଠିତ ହୋଇଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ନାଟକ ‘ନିସ୍ତବ୍ଧ ସାହାନାଇ’ ମଞ୍ଚସ୍ଥ ହେବା ସହ ବାର୍ଷିକ ମୁଖପତ୍ର ‘ପରିବ୍ରାଜକ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଆଜି ସନ୍ଧ୍ୟାରେ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର, ଏୟାର ପୋର୍ଟ ନିର୍ଦ୍ଦେଶକ ଶ୍ରୀ ପ୍ରସନ୍ନ ପ୍ରଧାନ, ପ୍ରନିତତ୍ତ୍ୱ ବିଭାଗର ସୁପରିଟେଣ୍ଡିଂ ଆର୍କୋଲୋଜିଷ୍ଟ ଶ୍ରୀ ସୁଶାନ୍ତ କୁମାର କର, ପର୍ଯ୍ୟଟନ ବିଭାଗ ଏବଂ ଓଟିଡିସିର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଲକଡାଉନରେ ରଜର ମଜା ନେବା ପାଇଁ ଓଟିଡିସି ତରଫରୁ ଆରମ୍ଭ ହେଲା ‘ପିଠା ଅନ୍ ହ୍ବିଲ୍’ କାର୍ଯ୍ୟକ୍ରମ

ଭୁବନେଶ୍ବର, ଆସନ୍ତାକାଲି ହେଉଛି ଓଡିଶାର ଗଣପର୍ବ ରଜ। ତିନିଦିନ ଧରି ସାରା ଓଡିଶାରେ ଏହି ପର୍ବ ପାଳନ କରାଯିବ। ହେଲେ କୋରନା ପାଇଁ ସାରା ଓଡିଶାରେ ଲାଗିଛି ଲକ ଡାଉନ। ରଜ ପରେ ଖୋଲିବ ଏହି ଲକ ଡାଉନ। ତେବେ ଲୋକଙ୍କୁ ରଜର ସ୍ବାଦ ଚଖାଇବା ପାଇଁ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ତରଫରୁ ଆରମ୍ଭ ହୋଇଛି ‘ପିଠା ଅନ୍ ହ୍ବିଲ୍’ କାଯ୍ୟକ୍ରମ।

ଆଜି ଭୁବନେଶ୍ବରସ୍ଥିତ ପାନ୍ଥନିବାସଠାରେ ଏହି କାର‌୍ୟ୍ୟକ୍ରମକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର। ଏଥିରେ ଏକ ଗାଡି ଭିତରେ ଭଳିକି ଭଳି ରଜପିଠା ରଖି ବିଭିନ୍ନ ସ୍ଥାନରେ ବିକ୍ରି କରାଯିବ। ଚଲିତ ବର୍ଷ ଭୁବନେଶ୍ବର ସହିତ ସମ୍ବଲପୁରରେ ଏହି ‘ପିଠା ଅନ୍ ହ୍ବିଲ୍’ କାର୍ଯ୍ୟକ୍ରମ କରାଯିବ।

ଏହି ଗାଡିରେ ୪ ପ୍ରକାରର ପୋଡପିଠା, ଆରିଶା, କାକରା, ଏଣ୍ଡୁରୀ ପରି ପ୍ରାୟ ୧୨ ପ୍ରକାରର ପିଠା ରହିବ। ଭୁବନେଶ୍ବରରେ ଏହି ‘ପିଠା ଅନ୍ ହ୍ବିଲ୍’ ମାଷ୍ଟରକ୍ୟାଣ୍ଟିନ, ଖଣ୍ଡଗିରି, ସିଆରପି ଛକ, ପଟିଆ, ଚନ୍ଦ୍ରଶେଖରପୁର ଏବଂ ରୂପାଲି ଛକରେ ରହି ବିକ୍ରି କରାଯିବ। ଏହିପିଠା ଓଡିଶାର ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ କରାଯାଉଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ପର୍ଯ୍ୟଟନକୁ “ଶ୍ରେଷ୍ଠ ଭବିଷ୍ୟତ ଅଗ୍ରଗାମୀ ରାଜ୍ୟ” ପାଇଁ ରୌପ୍ୟ ପୁରସ୍କାର

ଭୁବନେଶ୍ବର, ଭାରତୀୟ ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନ ପୁରସ୍କାରର ଷଷ୍ଠ ସଂସ୍କରଣରେ ଓଡିଶା ପର୍ଯ୍ୟଟନକୁ “ଶ୍ରେଷ୍ଠ ଭବିଷ୍ୟତ ଅଗ୍ରଗାମୀ ରାଜ୍ୟ” ପାଇଁ ରୌପ୍ୟ ପୁରସ୍କାର ମିଳିଛି । କୋଣାର୍କର ଇକୋ ରିଟ୍ରେଟରେ ଆୟୋଜିତ 6th Indian Responsible Tourism Awards ଏହି ପୁରସ୍କାର ମିଳିଛି।

ଏହି ପୁରସ୍କାର ପର୍ଯ୍ୟଟନ ମନ୍ତ୍ରୀ ଗ୍ରହଣ କରି କହିଛନ୍ତି ଯେ, ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାରେ ଓଡିଶାର ଅବଦାନ ଭଲ ଭାବରେ ପ୍ରତିଷ୍ଠିତ ହୋଇଛି । ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ପ୍ରକୃତି ଶିବିରଗୁଡିକର ଆମର ପ୍ରକୃତି ପର୍ଯ୍ୟଟନ ମଡେଲ୍ ୨୦୧୬ ଠାରୁ ଗ୍ରାମାଞ୍ଚଳର ଲୋକଙ୍କୁ ବିକଳ୍ପ ଏବଂ ସ୍ଥାୟୀ ଜୀବିକା ସହିତ ସଶକ୍ତ କରିଛି ।

ସାଇକ୍ଲୋଥନ୍ ଏବଂ ମହାମାରୀ ଭଳି ବିଶୃଙ୍ଖଳିତ ଘଟଣାଗୁଡ଼ିକ ବିରୁଦ୍ଧରେ ଅଧିକ ସ୍ଥିରତା ପାଇଁ ଓଡିଶାର ପର୍ଯ୍ୟଟନ ଏବଂ ଆତିଥ୍ୟ ଭିତ୍ତିଭୂମି ବିକାଶ ଠାରୁ ଆରମ୍ଭ କରି ନୂତନ ପର୍ଯ୍ୟଟନ ଦ୍ରବ୍ୟର ଦାୟିତ୍ୱପୂର୍ଣ୍ଣ ଡିଜାଇନ୍ ସୁନିଶ୍ଚିତ କରିବା ପର୍ଯ୍ୟନ୍ତ ଆମେ ଆମର ମନ୍ତ୍ର ସ୍ଥିରତା କରିଛୁ ବୋଲି ରାଜ୍ୟ ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହି କହିଛନ୍ତି ।

ଶିଖର ସମ୍ମିଳନୀରେ ସକ୍ରିୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଏବଂ ସମ୍ପ୍ରଦାୟର ନେତୃତ୍ୱାଧୀନ ସ୍ଥାୟୀ ସ୍ଥାନ ପର୍ଯ୍ୟଟନ ପ୍ରକଳ୍ପ ‘ଓଡିଶାର ପ୍ରକୃତି ପର୍ଯ୍ୟଟନ’ ସହିତ ସମ୍ପ୍ରଦାୟ ଭିତ୍ତିକ କାର୍ଯ୍ୟକଳାପ ମାଧ୍ୟମରେ ଜଳ, ବର୍ଜ୍ୟବସ୍ତୁ ଏବଂ ଅଙ୍ଗାରକାମ୍ଳ ପାଦଚିହ୍ନ ପରିଚାଳନା ପାଇଁ ସ୍ଥାୟୀ ସମାଧାନ ସହିତ ଜଡିତ ଆଲୋଚନା କରାଯାଇଥିଲା ।