Categories
ଜାତୀୟ ଖବର ବିଶେଷ ଖବର

ଆଉ 4ଟି ରାଜ୍ୟ ଓ କେନ୍ଦ୍ର ଶାସିତ ସ୍ଥାନରେ ଆରମ୍ଭ ହେଲା ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ଼’ ବ୍ୟବସ୍ଥା, ଜାଣନ୍ତୁ କେଉଁ ରାଜ୍ୟ

ନୂଆଦିଲ୍ଲୀ, କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ସାଧାରଣ ବଣ୍ଟନ ବ୍ୟାପାର ମନ୍ତ୍ରୀ ଶ୍ରୀ ରାମବିଳାସ ପାଶୱାନ ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ଼’ ଯୋଜନାର ପ୍ରଗତି ସମୀକ୍ଷା କରିଛନ୍ତି। ଏହି କାର୍ଡ ବ୍ୟବସ୍ଥାକୁ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଧାର୍ଯ୍ୟ ସମୟ ସୀମା ମଧ୍ୟରେ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଚାଲିଥିବା ଉଦ୍ୟମ ବିଷୟରେ ମନ୍ତ୍ରୀ ଅନୁଧ୍ୟାନ କରିଛନ୍ତି। ଏହି ସମୀକ୍ଷା ଅନୁସାରେ ଆଉ ୩ଟି ରାଜ୍ୟ ମଣିପୁର, ନାଗାଲାଣ୍ଡ ଓ ଉତ୍ତରାଖଣ୍ଡ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରରେ ଏହି ନୂଆ ବ୍ୟବସ୍ଥା ପ୍ରବର୍ତ୍ତିତ ହୋଇଥିବା ଜଣାପଡିଛି। ଏଥିପାଇଁ ଯେଉଁ ବୈଷୟିକ ଆବଶ୍ୟକତା ଓ ପ୍ରସ୍ତୁତି ଦରକାର ଥିଲା ତାହା ଏହି 4ଟି ରାଜ୍ୟ ଓ  କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟକ୍ଷମ ହୋଇଛି । ଏହାକୁ ମିଶାଇ ଆଜି ଅର୍ଥାତ୍‌, 2020 ଅଗଷ୍ଟ ପହିଲା ସୁଦ୍ଧା ଦେଶର 24ଟି  ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏକ ରାଷ୍ଟ୍ର ଏକ ରାସନ କାର୍ଡ ବ୍ୟବସ୍ଥା ପ୍ରବର୍ତ୍ତନ କରାଯାଇଛି।

ଯେଉଁସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ବ୍ୟବସ୍ଥା ଲାଗୁ ହୋଇଛି ସେଗୁଡିକ ହେଲା- ଆନ୍ଧ୍ରପ୍ରଦେଶ, ବିହାର, ଦାଦ୍ରା ଓ ନଗର ହାବେଳି ଏବଂ ଦାମନ ଓ ଡିଉ, ଗୋଆ, ଗୁଜରାଟ, ହରିଆନା, ହିମାଚଳ ପ୍ରଦେଶ, ଜମ୍ମୁ ଓ କଶ୍ମୀର, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମିଜୋରାମ, ନାଗାଲାଣ୍ଡ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ସିକ୍କିମ, ତେଲଙ୍ଗାନା, ତ୍ରିପୁରା, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ । ଏଥିସହିତ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅନ୍ତର୍ଭୁକ୍ତ 80 ଶତାଂଶ ବା 65 କୋଟି ଲୋକ ଏବେ ଏହି ନୂଆ କାର୍ଡ ବ୍ୟବସ୍ଥାରେ ଏସବୁ ରାଜ୍ୟର ଯେକୌଣସି ସ୍ଥାନରେ ନିଜର ଖାଦଶସ୍ୟକୁ ସଂଗ୍ରହ କରିପାରିବେ। ଅବଶିଷ୍ଟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ଏକକ କାର୍ଡ ବ୍ୟବସ୍ଥା 2021 ମାର୍ଚ୍ଚ ସୁଦ୍ଧା ପ୍ରବର୍ତ୍ତନ କରିବାର ଲକ୍ଷ୍ୟ ରଖାଯାଇଛି।

ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନା କେନ୍ଦ୍ରର ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରଣାଳୟର ଏକ ମହତ୍‌କାଂକ୍ଷୀ କାର୍ଯ୍ୟକ୍ରମ। ଏହା ମାଧ୍ୟମରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଅନ୍ତର୍ଭୁକ୍ତ ଜନସାଧାରଣଙ୍କୁ ଦେଶର ଯେକୌଣସି ସ୍ଥାନରେ ପଡିକାର୍ଡ ମାଧ୍ୟମରେ ଖାଦ୍ୟଶସ୍ୟ ଯୋଗାଣ ନିଶ୍ଚିତ କରିବା ଏହାର ଲକ୍ଷ୍ୟ। 2013 ଖାଦ୍ୟ ସୁରକ୍ଷା ଆଇନ ବଳରେ ଯେଉଁମାନେ ମାଗଣା ଖାଦ୍ୟଶସ୍ୟ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନେ ନିଜ ରାଜ୍ୟ ଛାଡି ଦେଶର ଯେକୌଣସି ରାଜ୍ୟରେ ରହିଲେ ମଧ୍ୟ ନିଜ କାର୍ଡ ମାଧ୍ୟମରେ ଏହିସବୁ ସାମଗ୍ରୀ ସଂଗ୍ରହ କରିପାରିବେ। ଏଥିପାଇଁ ଏକ ସମନ୍ୱିତ ସାଧାରଣ ଯୋଗାଣ ପରିଚାଳନା ବ୍ୟବସ୍ଥା ବା ଆଇଏମ୍‌ପିଡିଏସ୍‌ କେନ୍ଦ୍ର ସରକାର ରାଜ୍ୟଗୁଡିକର ସହଯୋଗରେ ପ୍ରସ୍ତୁତ କରିଛନ୍ତି।

ଏହି ବ୍ୟବସ୍ଥା ମାଧ୍ୟମରେ ଭ୍ରମଣଶୀଳ ଶ୍ରମିକ ଓ ଅନ୍ୟାନ୍ୟ ପ୍ରବାସୀ ବିଶେଷ ଉପକୃତ ହେବେ। କାର୍ଯ୍ୟ ଅନ୍ୱେଷଣରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଥିବା ଏହି ବର୍ଗର ଲୋକମାନେ ନିଜ ନିଜର କାର୍ଡ ଜରିଆରେ ରହୁଥିବା ସହରର ସୁଲଭ ମୂଲ୍ୟ ଦୋକାନରୁ ସୁବିଧାରେ ନିଜର ପଡି ସାମଗ୍ରୀ ସଂଗ୍ରହ କରିପାରିବେ। ଏହି କାର୍ଡଗୁଡିକ ବାୟୋମେଟ୍ରିକ/ଆଧାରଭିତ୍ତିକ ହୋଇଥିବାରୁ ସଂପୃକ୍ତ ଦୋକାନରେ ଥିବା ଇଲେକ୍‌ଟ୍ରୋନିକ୍‌ ପିଓଏସ୍‌ ମେସିନ୍‌ରେ ସୁବିଧାରେ ଚିହ୍ନଟ ହୋଇପାରିବ ଏବଂ ହିତାଧିକାରୀଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ।

Categories
ଜାତୀୟ ଖବର ବିଶେଷ ଖବର

ଗୋଟିଏ ଦେଶ, ଗୋଟିଏ କାର୍ଡ ଯୋଜନାରେ ସାମିଲ ହେଲା ଓଡ଼ିଶା ସହିତ ସିକ୍କିମ ଏବଂ ମିଜୋରାମ

ନୂଆଦିଲ୍ଲୀ, ଆଜିଠାରୁ ଓଡ଼ିଶା, ସିକ୍କିମ ଓ ମିଜୋରାମ, ସମନ୍ୱିତ ସାଧାରଣ ବଣ୍ଟନ ବ୍ୟବସ୍ଥା (IM-PDS) ଯୋଜନାରେ ସାମିଲ ହେଲା। ଏହି ଘୋଷଣା କରିଛନ୍ତି କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାସୱାନ କହିଛନ୍ତି ।  ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅଧୀନରେ ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ଜରିଆରେ ପଡିକାର୍ଡ ଧାରକ ମାନେ ଦେଶର ଯେ କୌଣସି ସ୍ଥାନରୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ରାସନ ସାମଗ୍ରୀ ପାଇପାରିବେ।

ତେବେ ସେମାନଙ୍କ ରାସନ କାର୍ଡକୁ ଆଧାର କାର୍ଡରେ ଇପିଓଏସ ଦ୍ୱାରା ସଂଯୋଗ କରିବାକୁ ହେବ। ଏ ପର୍ଯ୍ୟନ୍ତ ଏହି ସୁବିଧା 17ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଯଥା – ଆନ୍ଧ୍ରପ୍ରଦେଶ, ବିହାର, ଦାଦ୍ରା ଓ ନଗର ହାବେଳୀ, ଡାମନଡିଉ, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କେରଳ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ପଞ୍ଜାବ, ତେଲଙ୍ଗାନା, ତ୍ରିପୁରା ଏବଂ ଉତ୍ତର ପ୍ରଦେଶରେ ମିଳୁଥିଲା।

ଏହା ବ୍ୟତୀତ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଦ୍ୱାରା ଏହି ସୁବିଧା ଅନ୍ୟ ରାଜ୍ୟଗୁଡିକୁ ମଧ୍ୟ ସଂପ୍ରସାରିତ କରାଯାଉଛି । ଏହି ପରିପ୍ରେକ୍ଷୀରେ 3ଟି ନୂଆ ରାଜ୍ୟ ଏଥିରେ ସାମିଲ ହେବେ। ଏଥିପାଇଁ ଇପିଓଏସ ସଫ୍ଟୱେୟାରକୁ ଉନ୍ନିତ କରାଯିବା ସହ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ କେନ୍ଦ୍ରୀୟ ଏନଆଇସି ଟିମ ଜରିଆରେ କରାଯାଉଛି।

ଏହି ଔପଚାରିକତା ପୂରଣ ପରେ ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ଯୋଜନା ବଣ୍ଟନ ବ୍ୟବସ୍ଥା ଜୁନ ମାସଠାରୁ ଆରମ୍ଭ ହୋଇପାରିବ । ଅଗଷ୍ଟ 2020 ସୁଦ୍ଧା ଆଉ ତିନିଟି ରାଜ୍ୟ ଯଥା – ଉତ୍ତରାଖଣ୍ଡ, ନାଗାଲାଣ୍ଡ  ଏବଂ ମଣିପୁର ମଧ୍ୟ ଏହି ଜାତୀୟ କ୍ଲଷ୍ଟରରେ ସାମିଲ ହୋଇଯିବେ । ବିଭାଗ ପକ୍ଷରୁ ବାକି ଅବଶିଷ୍ଟ 13 ରାଜ୍ୟ ଯଥା – ପଶ୍ଚିମବଙ୍ଗ, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ଦିଲ୍ଲୀ, ଜମ୍ମ କାଶ୍ମୀର, ଲଦାଖ, ଚଣ୍ଡିଗଡ, ପୁଡୁଚେରି, ତାମିଲନାଡୁ, ଛତିଶଗଡ, ଆଣ୍ଡାମାନ-ନିକୋବର ଓ ଲାକ୍ଷାଦ୍ୱୀପ ଏହି ଜାତୀୟ କ୍ଲଷ୍ଟରରେ ସାମିଲ ହେବା ପାଇଁ ସମସ୍ତ ପ୍ରଚେଷ୍ଟା ଚାଲିଛି ।

ଆସନ୍ତା ବର୍ଷ ମାର୍ଚ୍ଚ 31 ତାରିଖ ସୁଦ୍ଧା ସବୁ ରାଜ୍ୟ ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ଯୋଜନାରେ ସାମିଲ ହେବା ପରେ ଏହା ଜାତୀୟ ସ୍ତରରେ କାର୍ଯ୍ୟକାରୀ ହେବ ।

ମନ୍ତ୍ରୀ ପାସୱାନ କହିଛନ୍ତି ଯେ, କେନ୍ଦ୍ରୀୟ ବୈଷୟିକ ଦଳ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବିଭାଗୀୟ ଅଧିକାରୀ ଓ ବୈଷୟିକ ଗୋଷ୍ଠୀଙ୍କୁ ଏ ସଂକ୍ରାନ୍ତରେ ଭିଡିଓ କନଫରେନ୍ସିଂ ଜରିଆରେ ତାଲିମ ପ୍ରଦାନ କରୁଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଯେଉଁ ରାସନ କାର୍ଡ ଛ ମାସ ଧରି ଆଧାର ସଂଯୋଗ ହୋଇଥିବ ତାହା ଏହି ଯୋଜନାରେ ସାମିଲ ହୋଇପାରିବ। ଏହା ବ୍ୟତୀତ କେନ୍ଦ୍ରୀୟ ଏନଆଇସି ଟିମ ମଧ୍ୟ ୱାନ ନେସନ, ୱାନ କାର୍ଡ ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ରାଜ୍ୟ ଗୁଡିକୁ ନିରବଚ୍ଛିନ୍ନ ଭାବେ ସହାୟତା କରି ଆସୁଛନ୍ତି ।

ଜୁନ ମାସ ଶେଷ ସୁଦ୍ଧା ଯୋଜନାରେ ସାମିଲ ସମସ୍ତ ରାଜ୍ୟ ଜାତୀୟ ଓ ଆନ୍ତଃରାଜ୍ୟ ଦେଣନେଣ ବ୍ୟବସ୍ଥା ଆରମ୍ଭ କରିବାକୁ ଶ୍ରୀ ପାସୱାନ ନିବେଦନ କରିଛନ୍ତି । ଏହା ଫଳରେ ହିତାଧିକାରୀମାନେ ଯେଉଁ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳରେ ଥାଆନ୍ତୁ ନା କାହିଁକି ସେଠାରୁ ନିଜର ରାସନ ସାମଗ୍ରୀ ଉଠାଇପାରିବେ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ହିତାଧିକାରୀ ଓ ସୁଲଭ ଦର ଦୋକାନୀମାନଙ୍କୁ ଏ ସମ୍ପର୍କରେ ସଚେତନ କରିବା ଉପରେ ମଧ୍ୟ ପାସୱାନ ଗୁରୁତ୍ୱାରୋପ କରିଛନ୍ତି ।