Categories
ବିଶେଷ ଖବର

ମାର ତାଳି, ପିଆଜ କିଲୋ ଦୁଇ ଶ’ ବୋଲି

କେଦାର ମିଶ୍ର 

ପ୍ରଥମରୁ ଗୋଟେ ସ୍ଵୀକାରୋକ୍ତି- ମୋଦୀ ହୈ ତୋ ମୁମକିନ ହୈ। ମୋଦୀ ଅଛନ୍ତି ମାନେ ସବୁକିଛି ସମ୍ଭବ। ଆଜି ଯଦି ନରେନ୍ଦ୍ର ଦାମୋଦର ଦାସ ମୋଦୀଙ୍କ ବଦଳରେ ଆଉ କେହି ବି ପ୍ରଧାନମନ୍ତ୍ରୀ ଥାଆନ୍ତା, ତାହେଲେ ତାଙ୍କୁ ନିଦ ଇ ହେଉନଥାନ୍ତା। ପିଆଜ କିଲୋ ୨୦୦ ଟଙ୍କା ହେବା ପରେ ବି ଦେଶରେ ଯଦି କୌଣସି ପ୍ରତିବାଦ ନାହିଁ, ତାହେଲେ ଆମକୁ ଭାବି ନେବାକୁ ହେବ ଯେ, ଦେଶରେ ପ୍ରତିବାଦ କରିବାର ଆଉ ଶକ୍ତି ବା ସାମର୍ଥ୍ୟ ନାହିଁ। ମାତ୍ର ପନ୍ଦର ଦିନ ଭିତରେ ପିଆଜ କିଲୋ ପଚାଶରୁ ଦୁଇ ଶହରେ ପହଞ୍ଚିଛି। ଯେଉଁ ଗତିରେ ପିଆଜ ଦର ବଢୁଛି, ତାହା ହୁଏତ ଆଗାମୀ ସପ୍ତାହରେ ୩୦୦ କି ୫୦୦ ମଧ୍ୟ ହୋଇପାରେ। କୌଣସି ବି ଦେଶରେ ସବୁଠୁ ଅତ୍ୟାବଶ୍ୟକ ମନେ କରାହେଉଥିବା ଏକ ଖାଦ୍ୟ ପଦାର୍ଥର ଦର ଏମିତି ବଢେନାହିଁ। ଯେତେବେଳେ ମୁଦ୍ରାସ୍ଫୀତି ଅନିୟନ୍ତ୍ରିତ ହୁଏ ଓ ଖାଦ୍ୟର ଭୟଙ୍କର ଅଭାବ ଦେଖାଦିଏ, ସେତେବେଳେ ହୁଏତ ଏମିତି ଦରବୃଦ୍ଧି ସ୍ଵାଭାବିକ। ହେଲେ ମୁଦ୍ରାସ୍ଫୀତି ନିଯନ୍ତ୍ରଣରେ ରହିଛି ବୋଲି ମୋଦୀ ସରକାର ବାରମ୍ବାର ତଥ୍ୟ ଦେଉଛନ୍ତି ଓ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା କୁହାଯାଉଥିଲା ଯେ ପିଆଜ ଯଥେଷ୍ଟ ପରିମାଣରେ ମହଜୁଦ ରହିଛି। ତା ସତ୍ତ୍ୱେ ଏମିତି ହେଲା କେମିତି? ଏହାର ଉତ୍ତର କିଏ ଦେବ?

ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ତ କହୁଛନ୍ତି, ଏଠି ଲାଗି ଇନ୍ଦ୍ର ଦାୟୀ। ଅକାଳ ବର୍ଷ ଯୋଗୁଁ ପିଆଜ ଅମଳ ହେଲା ନାହିଁ, ତେଣୁ ପିଆଜ ଦର ବଢିବ। ହେଲେ ଆମର ସରଳ ପ୍ରଶ୍ନ, ବଢିବ ଯେ କେତେ ବଢିବ? ୨୦ ରୁ ୨୦୦ ଟଙ୍କା ଯାଏ ଗୋଟେ ଦ୍ରବ୍ୟର ଦର ସେତେବେଳେ ବଢେ ଯେତେବେଳେ ସେହି ଦ୍ରବ୍ୟର ଅକାଳ ପଡେ। ଆଜି ପିଆଜର ଅକାଳ ପଡିଛି କି? ବଜାରରେ ପିଆଜ ଅଛି। ଜଳ ଜଳ ଦିଶୁଛି, ବ୍ୟାପକ ପରିମାଣରେ ପିଆଜ ବଜାରକୁ ଆସୁଛି, ହେଲେ ଚଢା ଦରରେ। ଚଢା ଦର ହେବାକୁ ହେଲେ ପ୍ରଥମ କାରଣ ହେଉଛି, ପିଆଜ ବଜାରରେ ଦୁର୍ଲ୍ଲଭ ହେବା କଥା। ପିଆଜ ବଜାରରେ ମହଜୁଦ ଥାଇକି ଏତେ ପରିମାଣରେ ଦର ବୃଦ୍ଧି ପଛରେ କିଛି ଗୋଟେ ଷଡଯନ୍ତ୍ର ନିଶ୍ଚୟ ରହିଛି।

ଆଜି ବିଜେପି ଯଦି ଶାସନ ରେ ନଥାଇ ବିରୋଧୀ ଦଳରେ ବସିଥାନ୍ତା, ତାହେଲେ ସବୁଠି ଆନ୍ଦୋଳନ ଚାଲିଥାନ୍ତା। ବିଜେପିର ବିଧାୟକ ଓ ସାଂସଦମାନେ ପିଆଜକୁ ନେଇ କେତେ ଶୋଭାଯାତ୍ରା କରୁଥାନ୍ତେ। ଅଭିନବ ଉପାୟରେ ସାଂସଦ ମାନେ ପିଆଜର ମାଳା ପିନ୍ଧି ସଂସଦକୁ ଅଚଳ କରୁଥାନ୍ତେ। ରାସ୍ତାଘାଟରେ ସରକାରକୁ ହାଏ ହାଏ ବୋଲି କହି ଗାଳି କରା ହେଉଥାନ୍ତା। ମୋଦୀଙ୍କ ଭଳିଆ କେହି ଜଣେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅପାରଗ, ସମ୍ବେଦନହୀନ ଓ ଗରୀବା ବିରୋଧୀ ବୋଲି କହୁଥାନ୍ତା। ଆଜି ସେସବୁ କିଛି ଘଟିବାର ନାହିଁ। କାରଣ ବିଜେପି ହାତରେ ଆଜି ଶାସନ ଡୋରୀ। ମୁଖ୍ୟ ବିରୋଧୀ ଦଳ ଭାବରେ କଂଗ୍ରେସ ଡାଲି ପିଆଜକୁ ନେଇ ଆନ୍ଦୋଳନ କରିବା ଜାଣି ନାହିଁ। ଅସଲରେ କଂଗ୍ରେସ ପ୍ରତିବାଦର କଳା କେବେ ଶିଖିନାହିଁ। ଏହା ବାବୁ ଓ ଠିକାଦାରଙ୍କ ଦଳ। ତେଣୁ ଲୋକଙ୍କ ମୌଳିକ ସମସ୍ୟାକୁ ନେଇ ରାସ୍ତାକୁ ଓହ୍ଲାଇବା କଂଗ୍ରେସ ପାଇଁ ସମ୍ଭବ ନୁହଁ। ତେବେ କଂଗ୍ରେସ ବ୍ୟତୀତ ଅନ୍ୟ ଦଳ ଗୁଡିକ କିଛି କରୁଛନ୍ତି କି? ନା, ସେମାନେ ବି ନୀରବ। ଏପରିକି ସାମ୍ୟବାଦୀ ଦଳମାନେ ମଧ୍ୟ ଏ ପ୍ରସଙ୍ଗରେ ଚୁପ।

ସାଧାରଣ ଜନତାକୁ ପିଆଜ-ପଖାଳର ମୌଳିକ ଅଧିକାରରୁ ବଞ୍ଚିତ ରଖି ଗୋଟେ ସରକାର ଶାନ୍ତିରେ ରହି ପାରୁଛି ମାନେ, ଏ ଦେଶରେ ବିରୋଧୀ ରାଜନୀତି ମରି ଯାଇଛି। ଆଜି ଏହି ସଙ୍କଟ ପାଇଁ ସରକାରକୁ ଯେତିକି ଦାୟୀ କରାଯିବ, ତାଠୁ ଅଧିକ ଦାୟୀ ବିରୋଧୀ ଦଳ। ସରକାର ଦେଖୁଛି, ପିଆଜ ଦର ପଚାଶ ହେଉ କି ପାଞ୍ଚ ଶହ, ଲୋକଙ୍କର ବା ବିରୋଧୀଙ୍କର କୌଣସି ଚାପ ନାହିଁ। ତେଣୁ କଳା ବଜାରୀଙ୍କ ହାତରେ ପୂରା ପିଆଜ ବଜାରକୁ ଛାଡି ଦିଆ ଯାଇଛି। ସେମାନେ ପ୍ରତିଦିନ ପିଆଜର କିଲୋ ପିଛା ଦର ୫୦ ରୁ ୧୦୦ ପ୍ରତିଶତ ବଢାଇ ଚାଲିଛନ୍ତି। ଇତି ମଧ୍ୟରେ ନୂଆ ପିଆଜ ବଜାରକୁ ଆସିଯିବା କଥା। ହେଲେ ଚାଷୀ ପିଆଜ ବିକ୍ରି କରିବାକୁ ଏବେ ପ୍ରସ୍ତୁତ ନାହାନ୍ତି। ତାହେଲେ ପିଆଜ ସହିତ ସାଧାରଣ ଭାରତୀୟର ସମ୍ପର୍କ ସବୁଦିନ ପାଇଁ କଟିଗଲା କି? ଦୁଇ ଶହ ଟଙ୍କା ଦେଇ କିଲେ ପିଆଜ କିଣିବାକୁ ଗରୀବ କଥା ଛାଡନ୍ତୁ, ମଧ୍ୟବିତ୍ତ ମଧ୍ୟ ସାହସ କରିବ ନାହିଁ।

ଛାଡନ୍ତୁ, ପିଆଜ କଥା ଆଜିଠୁ ଭୁଲିଯିବା। କିଛି ଦିନ ତଳେ ଆମକୁ ଜଣେ ମୋଦୀ ଭକ୍ତ ରାଗିକି କହିଥିଲେ, କିହୋ, ଦେଶର ଏତେ ବଡ ବଡ ପ୍ରସଙ୍ଗ ଥାଉ ଥାଉ ତମେ ସେ ଆଳୁ ପିଆଜରେ ମାତିଛ। ଠିକ କଥା, ଆମେ ପିଆଜ ଖାଇବାର ମୋହକୁ ବିସର୍ଜନ କରି ପୁଣିଥରେ ତାଳି ମାରି କହିବା- ମାର ତାଳି, ମୋଦୀ ହୈ ତୋ ମୁମକିନ ହୈ। ଅଚ୍ଛେ ଦିନ ଆ ଗୟେ ହୈ!!

Categories
ବିଶେଷ ଖବର

ଶତକ ହାସଲ କଲା ପିଆଜ, ଭୁବନେଶ୍ବରରେ କିଲୋ ପିଛା 120 ଟଙ୍କା ,ଅନ୍ୟାନ୍ୟ ସହରର ଦର ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଭୁବନେଶ୍ବର-ବର୍ତ୍ତମାନ ରାଜ୍ୟରେ ପିଆଜ ଦର ହୁତହୁତ ହୋଇ ବଢିବାରେ ଲାଗିଛି। ଚଳିତ ବର୍ଷ ପିଆଜ ଦର ଆକାଶ ଛୁଆ ହୋଇଛି। ବର୍ତ୍ତମାନ କଟକ ଭୁବନେଶ୍ବରରେ ପିଆଜ କିଲୋ ପିଛା 120 ଟଙ୍କାରେ ବିକ୍ରି ହେଉଛି। ବଜାରକୁ ନୂଆ ପିଆଜ ଆସିଲେ ଦର ହ୍ରାସ ପାଇବ ବୋଲି ସରକାରୀ ଭାବେ କୁହାଯାଉଥିଲା। ହେଲେ ନୂଆ ପିଆଜ ଆସିବା ପରେ ମଧ୍ୟ ପିଆଜ ଦର କମିବା ବଦଳରେ ବଢିବାରେ ଲାଗିଛି। ଫଳରେ ବର୍ତ୍ତମାନ ଖାଉଟି ପିଆଜ କିଣିବା ବେଳେ ଶହେ ଥର ଚିନ୍ତା କରୁଛନ୍ତି। ପିଆଜ ଦର ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ବିଦେଶରୁ ପିଆଜ ଆମଦାନୀ କରିବେ ବୋଲି କହିଥିଲେ, ହେଲେ ତାହା ମଧ୍ୟ ସଫଳ ହୋଇପାରି ନାହିଁ। ଫଳରେ ପିଆଜ ଦର ବର୍ତ୍ତମାନ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ବର୍ତ୍ତମାନ ଓଡିଶାର ବିଭିନ୍ନ ସହରରେ କିଲୋ ପିଛା ପିଆଜ ଦର ଯାହା ହୋଇଛି ତାହା ହେଲା

କଟକ- 120 ଟଙ୍କା

ଭୁବନେଶ୍ବର-120 ଟଙ୍କା

ବାଲେଶ୍ବର-120 ଟଙ୍କା

ବ୍ରହ୍ମପୁର-100 ଟଙ୍କା

ବଲାଙ୍ଗୀର-100 ଟଙ୍କା

ନବରଂଗପୁର-90 ଟଙ୍କା

ରାଉରକେଲା-110 ଟଙ୍କା

ପିପିଲି-120 ଟଙ୍କା

ଜଗତସିଂହପୁର-100 ଟଙ୍କା ରହିଛି।

ଯଦି ବର୍ତ୍ତମାନ ଯେପରି ଅବସ୍ଥା ଲାଗି ରହିଛି ତାହା ଯଦି ବଜାଇ ରହେ ତେବେ ଏହି ଦର ଆହୁରି ବଢିବ ବୋଲି ବ୍ୟବସାୟୀ ସଂଘ ତରଫରୁ କୁହାଯାଇଛି।

Categories
ବିଶେଷ ଖବର

ପିଆଜ ଦର ବଢୁଛି କାହିଁକି ଓ କାହା ପାଇଁ, କାହାକୁ ଜଣା ନାହିଁ!! 

କେଦାର ମିଶ୍ର 

ଆମେ ଗୋଟେ ଅଦ୍ଭୁତ ସମୟରେ ବଞ୍ଚୁଛୁ। ଆମ ପାଖରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ନାହିଁ। ତାର ଏକ ଛୋଟିଆ ଉଦାହରଣ ହେଉଛି, ଦେଶସାରା ବଢି ଚାଲିଥିବା ନିଆଁଲଗା ପିଆଜ ଦର। ଆଜିର ତାରିଖରେ ଭୁବନେଶ୍ବରରେ ପିଆଜ ଦର କିଲୋ ପିଛା ୯୦ ରୁ ୧୦୦ ଟଙ୍କା। ଏହା କେବଳ ଓଡିଶାରେ ସୀମିତ ନୁହେଁ। ସାରା ଦେଶରେ ପିଆଜ ଦର କିଲୋ ପିଛା ୯୦ ରୁ ୧୦୦ ଭିତରେ ରହିଛି। ତେବେ ଏହାକୁ ନେଇ କୌଣସି ରାଜନୈତିକ ପ୍ରତିକ୍ରିୟା ଦେଖିବାକୁ ମିଲୁନି କାହିଁକି? ସଂସଦର ଅଧିବେଶନ ଚାଲିଛି। ପିଆଜର ଏହି ଅହେତୁକ ଦରବୃଦ୍ଧିକୁ ନେଇ ସଂସଦରେ ଆଲୋଚନା ହେଲାଣି କି? ଗୋଡସେ ଭଳି ଅପରାଧୀକୁ ନେଇ ଦୁଇ ଦିନ ଚର୍ଚ୍ଚା କରୁଥିବା ଆମର ସାଂସଦ, ପ୍ରତ୍ୟେକ ସାଧାରଣ ଲୋକକୁ କନ୍ଦାଉଥିବା ପିଆଜ ଦର ବିଷୟରେ ଆଲୋଚନା କରୁନି କାହିଁକି? କୌଣସି ବି ରାଜନୈତିକ ଦଳ ଏହି ପ୍ରସଙ୍ଗରେ ରାସ୍ତାକୁ ଓହ୍ଳାଇବାର କେହି ଦେଖିଛନ୍ତି କି? କଣ ପାଇଁ ଏହାକୁ ଆମେ ଏତେ ସହଜରେ ଗ୍ରହଣ କରି ନେଇଛୁ? ପିଆଜ ଦର ବଢୁଥିବାରୁ ଏହା ପିଆଜ ଚାଷୀଙ୍କ ଜୀବନ ଧାରଣର ମାନରେ ଉନ୍ନତି ଆନୁଛି କି? ମୁଁ ଯଦି କିଲେ ପିଆଜକୁ ୧୦୦ ଟଙ୍କାରେ କିଣୁଛି, ତାର ୭୦-୮୦ ଟଙ୍କା ଚାଷୀ ପାଉଛି କି? ଯଦି ଚାଷୀ ପାଖକୁ ସେ ପଇସା ଯାଆନ୍ତା, ତାହେଲେ ଖାଉଟି ପଇସା ଦେବାର ଲାଭ ଅଛି ବୋଲି କହିହେବ। ତାହା ବି ହେଉନାହିଁ। ପିଆଜ ଦର କାହିଁକି ବଢୁଛି, ସେ ସମ୍ପର୍କରେ କେନ୍ଦ୍ର ସରକାର ବା ରାଜ୍ୟ ସରକାର, କେହି କିଛି କହୁନାହାନ୍ତି। କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କର କୌଣସି ବକ୍ତବ୍ୟ ଏ ପ୍ରସଙ୍ଗରେ ଶୁଣିବାକୁ ମିଳୁନାହିଁ। ପ୍ରଧାନମନ୍ତ୍ରୀ ତ ବଡ ଲୋକ, ସେ ପିଆଜ ଭଳି ଛୋଟ କଥାରେ ମୁଣ୍ଡ କାଇଁ ପୁରାଇବେ!

ସାଧାରଣ ନାଗରିକ ଭାବରେ ଆସନ୍ତୁ, ଆମେ ଏହାର କାରଣ ଖୋଜିବା। ଅର୍ଥନୀତି ଓ ବଜାରର ଏକ ସାଧାରଣ ନିୟମ ହେଉଛି, ଯଦି ଖାଉଟିର ଦାବି ତୁଳନାରେ ଉତ୍ପାଦନ କମ ହୁଏ, ତାହେଲେ ଦର ବୃଦ୍ଧି ସ୍ଵାଭାବିକ। ଯେତିକି ପିଆଜ ଆମେ ଦରକାର କରୁଛୁ, ତାଠୁ ପିଆଜ ଉତ୍ପାଦନ ଯଦି କମ ହେଉଛି, ତାହେଲେ ଦର ବଢିବାର କାରଣ ବୁଝିହେବ। ହେଲେ ସରକାରୀ ତଥ୍ୟ କହୁଛି, ଆମର ଚାହିଦା ଠାରୁ ପିଆଜ ଉତ୍ପାଦନର ମାତ୍ରା ଢେର ଅଧିକ। ଇକୋନମିକ ଟାଇମ୍ସର ଏକ ରିପୋର୍ଟ ମୁତାବକ ଦେଶରେ ୨୦୧୮-୧୯ ବର୍ଷରେ ପିଆଜ ଉତ୍ପାଦନ ୨୩.୫ ନିୟୁତ ଟନ ହୋଇଥିବା ବେଳେ ଦେଶର ଚାହିଦା ହେଉଛି ୧୬ ନିୟୁତ ଟନ। ଅର୍ଥାତ ଆମ ଚାହିଦା ଠାରୁ ଆମେ ୭.୫ ନିୟୁତ ଟନ ଅଧିକ ଉତ୍ପାଦନ କରୁଛୁ। ବଳକା ପିଆଜକୁ ରପ୍ତାନି କରି ୨୦୧୮ରେ ୩୫୧୬ କୋଟି ଓ ଚଳିତ ବର୍ଷ ଜୁନ ସୁଦ୍ଧା ୧୮୪୦ କୋଟି ଟଙ୍କାର ଆୟ ହୋଇଛି। ତା ସତ୍ତ୍ୱେ ଘରୋଇ ବଜାରରେ ପିଆଜ ଦର ଏତେ ଅଧିକ ହେବାର କାରଣ କଣ? ଯେ କୌଣସି ଅର୍ଥଶାସ୍ତ୍ରୀ ବା ବଜାର ବିଶେଷଜ୍ଞ ଏହି ତଥ୍ୟକୁ ଦେଖି ମୂର୍ଚ୍ଛା ହୋଇପଡିବେ। ୭.୫ ନିୟୁତ ଟନ ବଳକା ପିଆଜ ଉତ୍ପାଦନ କରୁଥିବା ଦେଶରେ ପିଆଜ ସବୁଠୁ ଶସ୍ତା ହେବା କଥା। ଏହାର ବିପରୀତରେ ସବୁଠୁ ମହଙ୍ଗା ପିଆଜ କାହିଁକି?

ଦର ବୃଦ୍ଧିର ଗୋଟେ କାରଣ କୁହାଯାଉଛି, ତାହେଲା ଦେଶର ପ୍ରମୁଖ ପିଆଜ ଉତ୍ପାଦନକାରୀ ରାଜ୍ୟ ଗୁଜରାଟ, ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶରେ ଅସମୟ ବର୍ଷା। ଏଥିପାଇଁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବିଳାଶ ପାଶ୍ଵାନ ବଡ ନିରୀହ ଭାବରେ କହିଛନ୍ତି, ପ୍ରକୃତି ଉପରେ ଆମର କୌଣସି ନିୟନ୍ତ୍ରଣ ନାହିଁ। ଠିକ କଥା, ଅସମୟ ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଛି। ହେଲେ ଏହା ଏକ ସାଧାରଣ ଘଟନା। ଆଗରୁ ସତର୍କତାମୂଳକ ଭାବରେ ପିଆଜ ମହଜୁଦ ରଖିବା କଥା। ସରକାରୀ ତଥ୍ୟ ତ କହୁଛି, ପିଆଜ ମହଜୁଦ ଅଛି। ତଥାପି ଦର ବଢୁଛି କେମିତି? ପାଶ୍ୱାନ ସାହେବ ଏହାର ଉତ୍ତର ଦେବାକୁ ଚାହୁଁ ନାହାନ୍ତି। ଗତ ସେପ୍ଟେମ୍ବର ମାସରେ ପିଆଜର ରପ୍ତାନି ଉପରେ ସରକାର କଟକଣା ଲାଗୁ କରିଥିଲେ। ତଥାପି ପରିସ୍ଥିତିରେ ସୁଧାର ଆସୁନାହିଁ। ପରିସ୍ଥିତି ସମ୍ଭାଳିବାକୁ ଏବେ ଇଜିପ୍ଟରୁ ୬୦୯୦ ଟନ ପିଆଜ ଆମଦାନୀ କରାଯାଉଛି। ଯଦି ପିଆଜ ମହଜୁଦ ଅଛି, ତାହେଲେ ଆମଦାନୀ ର ଆବଶ୍ୟକତା କଣ? ଏଠି କେହି ନା କେହି ତ ମିଛ କହୁଛି।

ପିଆଜ ର କଳା ବଜାର ପାଇଁ ବେଆଇନ ଭାବରେ ବ୍ୟବସାୟୀମାନେ ଏହାର ଯୋଗାଣକୁ ବ୍ୟାହତ କରୁଥିବାର ଅଭିଯୋଗ ଆସୁଛି। ସରକାରୀ ନିୟମ ଅନୁଯାୟୀ ଜଣେ ଖୁଚୁରା ପିଆଜ ବ୍ୟବସାୟୀ ୧୦୦ କୁଇଣ୍ଟାଲ ଓ ହୋଲସେଲର ୫୦୦ କୁଇଣ୍ଟାଲ ପିଆଜ ମହଜୁଦ ରଖିପାରିବେ। ପିଆଜ ଗୋଦାମ ତଥା ବ୍ୟବସାୟୀଙ୍କ ଉପରେ ଚଢାଉ କରି ଏହି ନିୟମକୁ କଡାକଡି ଲାଗୁ କରିବାର ଦାୟିତ୍ଵ ରାଜ୍ୟ ସରକାରଙ୍କର ରହିଛି। ଓଡିଶାରେ ଏଥିପାଇଁ ଯୋଗାଣ ବିଭାଗ କିଛି କରୁଛନ୍ତି ନା କେବଳ ହାତକୁ ହାତ ବାନ୍ଧି ବସିଛନ୍ତି ତାହା ମଧ୍ୟ ଏକ ବଡ ପ୍ରଶ୍ନ।

ନଭେମ୍ବର ପ୍ରଥମ ସପ୍ତାହରେ ମହାରାଷ୍ଟ୍ର ଅହମଦନଗର ର ଜଣେ ପିଆଜ ଚାଷୀ କାନ୍ଦି କାନ୍ଦି କହୁଥିଲେ, ସେ ପିଆଜ କିଲୋ ମାତ୍ର ୮ ଟଙ୍କାରେ ବିକ୍ରି କରୁଛନ୍ତି। ଶ୍ରମିକଙ୍କୁ ମୂଲ ଦେବାଲାଗି ତାଙ୍କର ସାମର୍ଥ୍ୟ ନାହିଁ। ହେଲେ ଖାଉଟି ଶହେ ଟଙ୍କାରେ ପିଆଜ କିଣି ଖାଉଛି। ଚାଷୀର ୮ ଟଙ୍କା ଓ ଖାଉଟିର ୧୦୦ ଟଙ୍କା ଭିତରେ ଯେଉଁ ୯୨ ଟଙ୍କାର ମୁନାଫା, ତାକୁ ଖାଉଛି କିଏ? ଏ ପ୍ରଶ୍ନ ବା ପଚାରିବ କିଏ? ସରକାରକୁ ପ୍ରଶ୍ନ ପଚାରିବା ଯେହେତୁ ଦେଶଦ୍ରୋହ, ତେଣୁ ଏ ପ୍ରଶ୍ନ ନିଜେ ନିଜକୁ ହିଁ ପଚରାଯାଉ!!

Categories
ବିଶେଷ ଖବର

ପିଆଜ କିଲୋ ସତୁରୀ ହେଉ କି ସାତ ଶହ, ଆମେ ଭାଇ ସରକାର ବିରୋଧରେ କିଛି କହିବୁ ନାହିଁ!!  

କେଦାର ମିଶ୍ର 

ପିଆଜ କିଲୋ ସତୁରୀ ଟଙ୍କା ହେଉ କି ସାତ ଶହ ଏ ବିଷୟରେ କିଛି କହିଲେ ମାନେ, ବିଜେପି ଭକ୍ତମାନେ ଆପଣଙ୍କ ତଣ୍ଟି କୁ ମାଡିବସିବେ। ଆପଣଙ୍କୁ କହିବେ- କୋଢିଆମାନେ, ଚାଷ କରୁନ! ମୋଦୀ କଣ ଏଠି ଆଳୁ ପିଆଜ ଦର ବୁଝିବାକୁ ପ୍ରଧାନମନ୍ତ୍ରୀ ହୋଇଛନ୍ତି! ଭକ୍ତଙ୍କ ଭୟରେ ଆପଣ ପ୍ରତିବାଦ କରିବାକୁ ସାହସ ବି କରି ପାରିବେ ନାହିଁ।  ଆମର ମନେ ଅଛି, ଗତ ତିନି ମାସ ଭିତରେ  ପିଆଜ ଦର ଲେଖାଲେଖି କରି ଆମେ କେମିତି ସରକାରୀ ଭକ୍ତ ଓ ନରେନ୍ଦ୍ର ମୋଦୀଙ୍କ ବିଶାଳ ଟ୍ରୋଲ ବାହିନୀ ପାଖରୁ ଗାଳି ଖାଉଛୁ। ଆମକୁ କୁହା ହୋଇଥିଲା- କଣ, କଂଗ୍ରେସ ବେଳେ ପିଆଜ ଦର ବଢୁ ନଥିଲା କି? କଂଗ୍ରେସ ବେଳେ ତମେ ସବୁ କେଉଁଠି ଶୋଇଥିଲ? ଆମର ସୈନିକ ସୀମାନ୍ତରେ ଗୁଳି ଖାଇ ମରୁଛନ୍ତି ଆଉ ତମେ ପିଆଜ କିଲୋ ସତୁରୀ ଟଙ୍କା ଦେଇ କିଣିପାରୁନ! ଭକ୍ତ ଓ ଟ୍ରୋଲ ମାନଙ୍କର ଏସବୁ ପ୍ରଶ୍ନ ବହୁ ପୁରୁଣା। ସେମାନେ ଜାଣନ୍ତି ନାହିଁ ଯେ ଦରଦାମ ବଢିଲେ, ଲୋକଙ୍କର ହା ହୁତାଶ କେମିତି ଆସେ। ଜଣେ ସାଧାରଣ ଶ୍ରମିକ ବା କୃଷକର  ଅଧା ଦିନର ମଜୁରି ଯଦି କିଲେ ପିଆଜରେ ସରିଯାଏ, ତାହେଲେ ସେ ବଞ୍ଚିବ କେମିତି- ଏ ପ୍ରକାର ସମ୍ବେଦନା ଆମ ସମୟରେ ଆଉ ଦେଖିବାକୁ ମିଳୁନାହିଁ।

କଂଗ୍ରେସ ସମୟରେ ଯେତେବେଳେ ବି ଦରଦାମ ବଢିଛି, ଲୋକେ ଉତ୍ତ୍ୟକ୍ତ ହୋଇଛନ୍ତି। ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ଗୋଟେ ସମୟରେ ଅଟଳ ବିହାରୀ ସରକାର ପିଆଜ ଦର ଲାଗି ହାରିଥିଲା। ମନମୋହନ ସିଂ ଲୋକଙ୍କ ଆସ୍ଥା ହରାଇବା ପଛରେ ମୁଦ୍ରାସ୍ଫୀତି ଏକ ବଡ କାରଣ ଥିଲା। କଂଗ୍ରେସ ସରକାର ସମୟରେ ପିଆଜ ଦର ଟଙ୍କାଟେ ବଢିଗଲେ ବିଜେପି ସଂସଦରୁ ସଡକ ହୁଲସ୍ତୁଲ କରି ପକାଉଥିଲା। ବିଜେପି ନେତା ଓ ଲୋକ ପ୍ରତିନିଧିମାନେ ପିଆଜ ଓ ଟମାଟୋ ମାଳ ବେକରେ ପକାଇ ଧାରଣାରେ ବସଥିଲେ। ହେଲେ ଆଜି ଦରବୃଦ୍ଧି ବିରୋଧରେ ପଦେ କହିବାକୁ ସାଧାରଣ ଜନତାର ଏତେ ଭୟ କାହିଁକି? ଲୋକଙ୍କ ଭିତରେ ପ୍ରତିବାଦ ମରିଯାଇଛି କାହିଁକି? ଦେଶର ସବୁ ପ୍ରସଙ୍ଗ ଓ ସଙ୍କଟକୁ ଆଜି କଂଗ୍ରେସ ବନାମ ବିଜେପି କରି ଭାଗ କରିଦିଆଯାଇଛି। ସରକାର ବିରୋଧରେ ଯେ କହିଲା ସେ କଂଗ୍ରେସର ଚାମଚା, ନଚେତ ଦେଶଦ୍ରୋହୀ। ତେଣୁ ଆଜି ଦରଦାମ ବଢିଲେ କାହାର କିଛି କହିବାର ନାହିଁ।

ଗତ ତିନିମାସ ଧରି ଅନିୟନ୍ତ୍ରିତ ଭାବରେ ପିଆଜ, ଡାଲି, ଖାଇବା ତେଲ ଇତ୍ୟାଦିର ଦର ବଢିଛି। ଏପଟେ, ମୁଦ୍ରାସ୍ଫୀତି ନିୟନ୍ତ୍ରଣ ବାହରାକୁ ଚାଲି ଯାଉଛି। ଅର୍ଥନୀତିର ସାଧାରଣ ନିୟମ ହେଉଛି, ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଅଛି ମାନେ, ଦର ଦାମ ବଢିବା କଥା ନୁହଁ। ତାହେଲ ବଢୁଛି କେମିତି? ଏହାର ଉତ୍ତର ହେବ, ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାକୁ ଯାଇ ଚାଷୀକୁ ସରକାର ଉଚିତ ମୂଲ୍ୟ ଦେଉ ନାହାନ୍ତି। ଅପରପକ୍ଷେ ପିଆଜର ଦଲାଲି ଓ କଳାବଜାରକୁ ନିୟନ୍ତ୍ରଣ କରାଯାଉନି। ପିଆଜର ଆବଶ୍ୟକତା ତୁଳନାରେ ବଜାରରେ କମ ଉତ୍ପାଦନ ଥିବାରୁ ଏହାର ଲାଭ ବ୍ୟବସାୟୀ ଉଠାଉଛି। ଚାଷୀ ବେଚାରା ଯେଉଁ କ୍ଷତିରେ ଥିଲା, ସେଇ କ୍ଷତିରେ ଆଜି ମଧ୍ୟ ରହିଛି। ସରକାର ମାସମାସ ଧରି କଳାବଜାରୀଙ୍କ ପେଟ ପୋଷି ଚାଲିଛନ୍ତି। ଏକଥା କହିଲେ, ଭକ୍ତଙ୍କ ମୁଣ୍ଡରେ ପିତ୍ତ ଚଢିଯିବ। ଦେଶର ଅର୍ଥନୀତି ଏମିତି ଗୋଟେ ଭୟଙ୍କର ସ୍ଥିତିରେ ପହଞ୍ଚିଛି, ଯେଉଁଠି କେତେବେଳେ କିଛି ବି ଘଟିପାରେ।

ଆମ ସରକାର ଅର୍ଥନୀତିକୁ ମଧ୍ୟ ନିଜର ଟ୍ରୋଲ ଜରିଆରେ ଚଳାଇବାକୁ ଚାହୁଁଛନ୍ତି। ଯାହାର ପରିଣତି ସ୍ଵରୂପ ଆମର ସାମାଜିକ ଓ ଅର୍ଥନୈତିକ ଜୀବନ ଘୋର ସଙ୍କଟ ଆଡକୁ ଗତି କରୁଛି। ଆଗରୁ ପିଆଜ ଦର ଅତି ବେଶୀରେ ମାସେ ବଢୁଥିଲା ଓ ନୂଆ ପିଆଜ ବଜାରକୁ ଆସିବା ପରେ ଦର ନିୟନ୍ତ୍ରଣକୁ ଚାଲି ଆସୁଥିଲା। ପ୍ରାୟ ତିନିମାସ ଧରି ଚଢା ଦରରେ ପିଆଜ ବିକ୍ରି ହେବା ଓ ଏହାର ଲାଭ, ଚାଷୀଙ୍କୁ ନ ମିଳିବା, ମୋଦୀ ସରକାରର ଅପାରଗତାକୁ ସୂଚେଇ ଦେଉଛି। ହେଲେ ଏକଥା ଯିଏ କହିବ, ସେ ଦେଶଦ୍ରୋହୀ ବୋଲାଇବ କିମ୍ବା ପାକିସ୍ତାନ ପଳା ବୋଲି ନୋଟିସ ପାଇବ!!

ତେଣୁ ଆମେ କହୁଛୁ- ପିଆଜ  କିଲୋ ସତୁରୀ ଟଙ୍କା ହେଉ କି ସାତଶହ , ଆମେ ଭାଇ ସରକାର ବିରୋଧରେ କିଛି ବି କହିବୁ ନାହିଁ।

 

Categories
ବିଶେଷ ଖବର

ପାକିସ୍ତାନରେ ପିଆଜ ଓ ମାଂସ ଦର ବିଷୟରେ ଓଡିଆ ଟେଲିଭିଜନ ଓ ଖବର କାଗଜର ଏତେ ମୁଣ୍ଡ ବିନ୍ଧୁଛି କାହିଁକି?

କେଦାର ମିଶ୍ର

ଗତକାଲି ଓଡିଶାର ଏକ ପ୍ରମୁଖ ଟେଲିଭିଜନ ଚାନେଲର ଖବର ଥିଲା- ପାକିସ୍ତାନ ଓ ବାଂଲାଦେଶକୁ ପିଆଜ ଚିନ୍ତା। ବଡ ବିଚିତ୍ର ଖବର। ଯେତେବେଳେ ଆମ ନିଜ ଦେଶରେ ପିଆଜ ଉତ୍ପାଦନ, ବିତରଣ ଓ ବଜାରର ସ୍ଥିତି ଅତ୍ୟନ୍ତ ଖରାପ ଅବସ୍ଥାରେ ରହିଛି, ସେତେବେଳେ ପାକିସ୍ତାନ ଓ ବାଂଲାଦେଶର ଚିନ୍ତା ଆମକୁ ଏତେ ପାଗଳ କରୁଛି କାହିଁକି? ଏ ପ୍ରକାର ଖବର ପଛରେ କି ଉଦ୍ଦେଶ୍ୟ ଥାଇପାରେ? ଆମ ଦେଶରେ ପିଆଜ ମହଙ୍ଗା ହେବା ଏକ ସାଧାରଣ ଘଟନା, ହେଲେ ପାକିସ୍ତାନରେ ପିଆଜ ମହଙ୍ଗା ହେବା ଅସ୍ଵାଭାବିକ ବୋଲି ଆମର ଗଣମାଧ୍ୟମ ଭାବୁଛି କି? ପାକିସ୍ତାନର ପିଆଜ ଦରକୁ ନେଇ ପଞ୍ଜାବ, କାଶ୍ମୀର,ରାଜସ୍ଥାନ ବା ଗୁଜରାଟ ଗଣମାଧ୍ୟମରେ ଚର୍ଚ୍ଚା ହେଲେ, ତାର କିଛି କାରଣ ଅଛି ବୋଲି ଆମେ ବୁଝିବା। ଏ ସବୁ ରାଜ୍ୟ ପାକିସ୍ତାନକୁ ଲାଗିକି ଅଛନ୍ତି ଓ ପାକିସ୍ତାନର ବଜାର ମୂଲ୍ୟ ସହିତ ଏମାନେ କିଛିଟା ପ୍ରଭାବିତ ହେବାର ସମ୍ଭାବନା ରହିଛି। ହେଲେ ଓଡିଶାରେ ଆମ ସାମ୍ବାଦିକମାନେ ପାକିସ୍ତାନୀ ପିଆଜକୁ ନେଇ ଏତେ ମାତିଛନ୍ତି କାହିଁକି?

ଆମର ସାମ୍ବାଦିକଙ୍କ ଲାଗି ଗୋଟେ ସୂଚନା ଏଠି ମାର୍କଫେଡ ସୂତ୍ରରୁ ଦିଆଯାଇପାରେ। ପ୍ରତି ବର୍ଷ ସେପ୍ଟେମ୍ବର ମାସ ବେଳକୁ ଭାରତୀୟ ବଜାରରେ ପ୍ରାୟ ୬ ଲକ୍ଷ ମେଟ୍ରିକ ଟନ ପିଆଜ ମହଜୁଦ ରହିଥାଏ। ଏବେ ମାତ୍ର ୩.୧ ଲକ୍ଷ ମେଟ୍ରିକ ଟନ ପିଆଜ ମହଜୁଦ ରହିଛି। ଅର୍ଥାତ ଆବଶ୍ୟକତା ତୁଳନାରେ,ମାତ୍ର ୫୦% ପିଆଜ ଅଭାବ ରହିଛି। ୨.୯ ଲକ୍ଷ ମେଟ୍ରିକ ଟନ ପିଆଜର ଭରଣା ହେବ କେମିତି? ଆବଶ୍ୟକତା ଅନୁଯାୟୀ ପିଆଜ ମହଜୁଦ ନଥିବାରୁ ଏବେ ବଜାରରେ ପିଆଜ ଦର ୬୦ ରୁ ୮୦ ଟଙ୍କା ରହିଛି। ଆମ ଗଣମାଧ୍ୟମ ପାଇଁ ଏହା ବଡ ଖବର ନା ପାକିସ୍ତାନର ପିଆଜ ଦର ଆମ ଲାଗି ବେଶୀ ଗୁରୁତ୍ୱପୂର୍ଣ୍ଣ?

ଆଉ ଏକ ବଡ ଟିଭି ଚାନେଲ ଆଉ ପାଦେ ଆଗେଇ ଯାଇ ପାକିସ୍ତାନରେ କୁକୁଡା ମାଂସ ଦର ବହୁତ ବଢି ଯାଇଛି, ତେଣୁ ସେଠି ଆମିଷ କିଣିବାକୁ ଲୋକେ ହାହାକାର କରୁଛନ୍ତି ବୋଲି ଖବର ବାହାରିଛି। ପାକିସ୍ତାନର ପଲ୍ଟ୍ରି ବଜାରର ତଥ୍ୟ ଅନୁସାରେ ଭାରତୀୟ କୁକୁଡା ଓ ପାକିସ୍ତାନୀ କୁକୁଡା ମାଂସର ଦର ସମାନ ରହିଛି। ପାକିସ୍ତାନୀ ଟଙ୍କାରେ ସେଠି କୁକୁଡା ମାଂସ କିଲୋ ୨୮୦/୩୦୦ ରହିଛି। ଭାରତୀୟ ଟଙ୍କା ତୁଳନାରେ ପାକିସ୍ତାନୀ ଟଙ୍କା ହେଉଛି ୧;୨.୨୦ ଟଙ୍କା। ଏହି ହିସାବରେ ଭାରତ ଓ ପାକିସ୍ତାନରେ ଆମିଷର ଦର ପ୍ରାୟ ସମାନ। ତଥାପି ଏହା ଓଡିଆ ଟିଭିରେ ଏକ ବଡ ଖବର ହେବାର କାରଣ କଣ?

ସବୁଠୁ ବଡ କଥା ହେଲା, ପାକିସ୍ତାନରେ ପିଆଜ ଦର ବଢିଲେ ଆମର ବା ଯାଏ ଆସେ କଣ? ପାକିସ୍ତାନ ବଜାରକୁ ନେଇ ଓଡିଶାର ସାମ୍ବାଦିକଙ୍କ ମୁଣ୍ଡ ବିନ୍ଧୁଛି କାହିଁକି? ବୋଧହୁଏ, ଆମେ ଏଇଠି ଥାଇ ଭାବୁଛୁ, ପାକିସ୍ତାନୀମାନେ ଖାଇବାକୁ ନ ପାଇ ଭୋକରେ ମରି ଯାଉଛନ୍ତି। ଯଦି ତାହା ସତ ହୋଇଥାଏ, ତାକୁ ନେଇ ଆମେ ଉଲ୍ଲସିତ ହେବାର କୌଣସି କାରଣ ନାହିଁ। ଆମ ମୁଣ୍ଡ ଉପରେ ସମସ୍ୟାର ପାହାଡ ରହିଥିବା ବେଳେ ପଡୋଶୀର ସମସ୍ୟାକୁ ଦେଖାଇ ଆମେ କୁତ କୁତ ହେବାଟା ବଡ ଅଶ୍ଳୀଳ ଲାଗୁନାଇଁ କି?

ଆମ ପାଇଁ ଯାହା ସତରେ ଖବର ହେବା କଥା ତାହାକୁ ନେଇ ଆମର ଚର୍ଚ୍ଚା ନାହିଁ।  ସକାଳୁ ସନ୍ଧ୍ୟା ପାକିସ୍ତାନ ପାକିସ୍ତାନ ଘୋଷି ହେଉଥିବା ଆମର ସାମ୍ବାଦିକମାନେ ଜାଣନ୍ତି କି, ଯଦି ଉଭୟ ଦେଶ ଭିତରେ ଆଜି ଯୁଦ୍ଧ ହୁଏ ତାହେଲେ ପ୍ରାୟ ସାଢେ ବାର କୋଟି ଲୋକ ଏହି ଯୁଦ୍ଧରେ ପ୍ରାଣ ହରାଇପାରନ୍ତି। ସାଢେ ବାର କୋଟି ଜୀବନ- କେହି କଳ୍ପନା କରିଛନ୍ତି? ଯୁଦ୍ଧ ଯୁଦ୍ଧ ବୋଲି ପାଗଳ ଭଳି ଚିତ୍କାର କରୁଥିବା ଲୋକ ଏହି ସାଢେ ୧୨ କୋଟି ଲୋକଙ୍କ ଭିତରେ ଯେ ନ ରହିବେ, ତାର ଗ୍ୟାରେଣ୍ଟି କିଏ ଦେବ? ଭାରତୀୟ ଉପ ମହାଦେଶର ସାଢେ ବାର କୋଟି ଲୋକଙ୍କ ଜୀବନକୁ ଆମେ ଖେଳଣା ବୋଲି ଭାବୁଛୁ କି? ଅର୍ଥନୈତିକ ମାନ୍ଦାବସ୍ଥାକୁ ଲୁଚାଇବା ପାଇଁ ଓ ଆଭ୍ୟନ୍ତରୀଣ ରାଜନୀତିର ବିଭାଜନକାରୀ ଶକ୍ତିମାନଙ୍କୁ ପ୍ରୋତ୍ସାହନ ଦେବା ଲାଗି ଯୁଦ୍ଧ ଉନ୍ମାଦନା ଓ ପଡୋଶୀ ଦେଶର ପିଆଜ କୁ ବଡ ଖବର ଭାବରେ ଆମେ ପ୍ରାଧାନ୍ୟ ଦେଉଛୁ। ନିର୍ଲ୍ଲଜ ସାମ୍ବାଦିକତାର ଏହା ବୋଧହୁଏ ସବୁଠୁ ବଡ ଉଦାହରଣ।

ପିଆଜ ଖବର ବିଷୟରେ ଆଉ ଏକ ସୂଚନା ଆମର ସାମ୍ବାଦିକଙ୍କ ପାଇଁ ଦେବାକୁ ଚାହୁଁଛୁ। ମାତ୍ର ୨ ମାସ ତଳେ ପିଆଜ ନାସିକର ଚାଷୀ ପିଆଜ କୁଇଣ୍ଟାଲ ପିଛା ୨୦୦ ଟଙ୍କାରେ ବିକ୍ରି କରିଛନ୍ତି। ଆଜି ସେଇ ପିଆଜ ମଣ୍ଡିରେ କୁଇଣ୍ଟାଲ ପିଛା ୪୪୦୦ ଟଙ୍କା ଓ ଖୋଲା ବଜାରରେ ୮୦୦୦ ଟଙ୍କାରେ ବିକ୍ରି ହେଉଛି। ସେଥିରୁ ଚାଷୀକୁ ମିଳିଲା କଣ? ଏବେ ପିଆଜ ଦରକୁ ନିୟନ୍ତ୍ରିତ କରିବାକୁ ଯାଇ କେନ୍ଦ୍ର ସରକାର ପିଆଜର ସର୍ବନିମ୍ନ ଦରକୁ ୧୦୦୦ ଟଙ୍କା କମାଇ ଦେଇଛନ୍ତି। ଏହାର ଅର୍ଥ ଚାଷୀ ବଜାର ରେ ଚଢା ମୂଲ୍ୟ ଥିବା ସମୟରେ ମଧ୍ୟ କ୍ଷତି ସହିବାକୁ ବାଧ୍ୟ।

ଦେଶୀ ପିଆକ ବିଷୟରେ ଏତେ କଥା ଖବର ପାଇଁ ରହିଥିବା ବେଳେ ପାକିସ୍ତାନୀ ପିଆଜକୁ ନେଇ ଛାତି ପିଟି ପିଟି ଚିତ୍କାର କରୁଥିବା ସାମ୍ବାଦିକମାନଙ୍କୁ ଆମେ କଣ କହିବା??