ଭାରତ ପକ୍ଷରୁ ପାକିସ୍ତାନ ଜାତୀୟ ଦିବସ ପାଳନ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପାକିସ୍ତାନ ପ୍ରତିପକ୍ଷ ଇମ୍ରାନ୍ ଖାନ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ୍ ମିଡିଆ ସାଇଟ୍ ଟ୍ବିଟ୍ଟର ଜରିଆରେ ସେୟାର କରି ତେହରିକ୍ ଏ ଇନ୍ସାଫ୍ ମୁଖ୍ୟ କହିଛନ୍ତି ଯେ, ମୋଦି ଜାତୀୟ ଦିବସ ଅବସରରେ ଶୁଭେଚ୍ଛା ଜଣାଇବା ସହିତ ଦୁଇ ପଡୋଶୀ ଦେଶ ଏକତ୍ର ହାେଇ ଦେଶର ବିକାଶରେ ଯୋଗଦାନ ଦେବା ଉଚିତ୍ ଏବଂ ଆତଙ୍କବାଦ ଓ ହିଂସାରୁ ଦୁରେଇ ରହିବା ଉଚିତ୍। ପୁଲ୍ଓ୍ବାମା ଆକ୍ରମଣ ପରେ ଭାରତ ପକ୍ଷରୁ ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା ଏବଂ ଅନ୍ୟୁନ ୩୦୦ଆତଙ୍କୀ ନିହତ ହାେଇଥିଲେ। ଇମ୍ରାନ ଅନ୍ୟ ଏକ ଟ୍ବିଟ୍ ଜରିଆରେ କହିଛନ୍ତି ଯେ, ପାକିସ୍ତାନ ଦିବସରେ ମୋଦିଙ୍କ ଶୁଭେଚ୍ଛା ଏକ ଅନନ୍ୟ ପଦକ୍ଷେପ। ଏହା ଦ୍ବାରା ଉଭୟ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ଦୃଢୀଭୂତ ହେବା ସହିତ ପୂର୍ବ ସମସ୍ୟା ଦୂର ହୋଇପାରିବ। ପାକିସ୍ତାନ ଦିବସ ଅବସରରେ ଭାରତୀୟ ଉଚ୍ଚାୟୁକ୍ତଙ୍କୁ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବା ଉପରେ ଭାରତ ପକ୍ଷରୁ କଟକଣା ଜାରି କରାଯାଇଥିଲା। ଏପରି ସମୟରେ ପାକିସ୍ତାନର ଜାତୀୟ ଦିବସ ପାଳନ ଅବସରରେ ନରନ୍ଦ୍ରେ ମୋଦିଙ୍କ ଶୁଭେଚ୍ଛାକୁ ନେଇ ଟାର୍ଗେଟ କରିଛି କଂଗ୍ରେସ। ତେବେ ଏନେଇ ସ୍ପଷ୍ଟୀକରଣ ଦେବାକୁ କଂଗ୍ରେସ ମଧ୍ୟ ଦାବି କରିଛି। କଂଗ୍ରେସର ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀ ଇମ୍ରାନ୍ଙ୍କ ଟୁଇଟ୍କୁ ନେଇ ମୋଦିଙ୍କୁ ଘେରିବା ସହିତ ଏଇ ଟୁଇଟ୍ର ସତ୍ୟାସତ୍ୟ ଜାଣିବାକୁ ଦାବି କରିଛନ୍ତି।