Categories
ଆଜିର ଖବର

ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରୁ ନୂଆ ପାକିସ୍ତାନ–ବୈଦେଶିକ ମନ୍ତ୍ରଣାଳୟ

ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ–ମହମ୍ମଦ ବିରୋଧରେ ପାକ ସରକାର ଏଯାଏ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ବରଂ ଏହି ଆତଙ୍କୀ ସଂଗଠନକୁ ସୁରକ୍ଷା ଦେଇ ଆସୁଛନ୍ତି । ପୁଲ୍‌ୱାମା ଆକ୍ରମଣ ପାଇଁ ଜୈଶ ନିଜକୁ ଦାୟୀ କରିଥିବାବେଳେ ପାକ୍‌ ସରକାର କିନ୍ତୁ ଏହାକୁ ମାନିବାକୁ ନାରାଜ୍‌ ରହିଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଆତଙ୍କବାଦୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଥିବା ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସେହିପରି କୁଖ୍ୟାତ ଆତଙ୍କୀ ମାସୁଦକୁ ନେଇ ମଧ୍ୟ ପାକିସ୍ତାନର କାର୍ଯ୍ୟକଳାପ ବେଶ୍‌ ସନ୍ଦେହଜନକ ରହିଛି । ପାକିସ୍ତାନ ଏବେ ଆତଙ୍କବାଦୀଙ୍କ ମୁଖପାତ୍ର ଭାବେ କାମ କରୁଛି । ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ନୂଆ ଚିନ୍ତାଧାରାରେ ନୂଆ ପାକିସ୍ତାନ କଥା କହୁଥିବାବେଳେ ଜୈଶ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ବିଫଳ ରହିଛନ୍ତି । ଗୋଟିଏ ପଟେ ଆତଙ୍କବାଦକୁ ସହଯୋଗ କରିବେ ନାହିଁ ବୋଲି ଇମ୍ରାନ୍‌ ଖାନ୍‌ କହୁଥିବାବେଳେ ଜୈଶ୍‌ଙ୍କୁ ଘୋଡେଇ ରଖିବା ତାଙ୍କର ଦୋମୁହାଁ ନୀତିକୁ ପ୍ରମାଣିତ କରୁଛି ।  ସେହିପରି ଭାରତର ୨ଟି ଯୁଦ୍ଧ ବିମାନକୁ ଖସାଇ ଦେଇଥବା ନେଇ ପାକିସ୍ତାନ ଦାବି କରୁଥିବା ବେଳେ ଏହା ସମ୍ପୂର୍ଣ୍ଣ ରୂପେ ମିଥ୍ୟା । ଯଦି ଏହା ସତ୍ୟ, ତେବେ ଏହାର ପ୍ରମାଣ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ମଧ୍ୟ ହସ୍ତାନ୍ତର କରୁନାହିଁ କାହିଁକି। ପାକିସ୍ତାନ ଆତ୍ମପ୍ରଚାର ପାଇଁ ମିଥ୍ୟା ପ୍ରଚାର କରୁଛି ।