Categories
ଆଜିର ଖବର

ଅଢେଇ ବର୍ଷ ପରେ ବାରବାଟୀକୁ ଫେରିଲା କ୍ରିକେଟ : ଡିସେମ୍ବର ୨୨ରେ ଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ର ଅନ୍ତିମ ମ୍ୟାଚ୍‌

ଓଡ଼ିଶା କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସିର ଖବର। ଦୀର୍ଘ ଅଢେଇ ବର୍ଷ ପରେ କଟକକୁ ଫେରିଛି ଅନ୍ତରାଷ୍ଟ୍ରୀୟ ଦିନିକିଆ କ୍ରିକେଟ୍। ଓ୍ଵେଷ୍ଟଇଣ୍ଡିଜର ଆଗାମୀ ଭାରତ ଗସ୍ତରେ ତୃତୀୟ ଦିନିକିଆ ମ୍ୟାଚ୍ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ଡିସେମ୍ବର ୨୨ରେ ଖେଳାଯିବ। ତୃତୀୟ ଦିନିକିଆ ଦିବାରାତ୍ର କ୍ରିକେଟ୍ ହେବା ନେଇ ସୂଚନା ଦେଇଛନ୍ତି ଓସିଏ ପରିଚାଳନା କମିଟିର ଅଧ୍ୟକ୍ଷ ଧିରେନ ପଲେଇ। ବାରବାଟୀ ଷ୍ଟାଡିୟମ୍‌ରେ ଶେଷ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ୨୦୧୭ ଡିସେମ୍ବର ୨୦ରେ ଖେଳାଯାଇଥିଲା। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏହି ଟି-୨୦ ମୁକାବିଲା ଅନୁଷ୍ଠିତ ହୋଇଥିଲା। ବାରବାଟୀରେ ଏ ପର୍ଯ୍ୟନ୍ତ ୨ଟି ଟେଷ୍ଟ, ୧୮ଟି ଦିନିକିଆ ଓ ଗୋଟିଏ ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳାଯାଇଛି। ଚଳିତବର୍ଷ ଡିସେମ୍ବରରେ ୱେଷ୍ଟଇଣ୍ଡିଜ୍ ଭାରତ ଗସ୍ତରେ ଆସିବ। ଏହି ଗସ୍ତରେ ତିନୋଟି ଲଖାଏଁ ଟି-୨୦ ଓ ଦିନିକିଆ ମ୍ୟାଚ୍ ଖେଳାଯିବ। ପ୍ରଥମ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଡିସେମ୍ବର ୬ ରୁ ୧୧ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏହା ପରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୧୫ରେ ଚେନ୍ନାଇରେ ଖେଳାଯିବ। ଡିସେମ୍ବର ୧୮ରେ ଦ୍ୱିତୀୟ ମ୍ୟାଚ୍ ବିଶାଖାପଟନମ ଏବଂ ୨୨ ତାରିଖରେ ତୃତୀୟ ମ୍ୟାଚ୍ କଟକରେ ଖେଳାଯିବ।