Categories
ଆଜିର ଖବର

ପିଏମ୍‌ଶ୍ରୀ ସ୍କୁଲ ଯୋଜନାକୁ ତୁରନ୍ତ ଲାଗୁ କରିବା ପାଇଁ ରାଜ୍ୟ ବିଜେପିର ଦାବୀ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପିଏମଶ୍ରୀ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ବିଜେପି ଦୃଢ ଦାବୀ କରିଛି। ଭୁବନେଶ୍ବରର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଦାବୀ କରିଛନ୍ତି ବିଜେପି ମୁଖପାତ୍ର ସୋନାଲି ସାହୁ।

ସେ କହିଛନ୍ତି ଯେ, ୨୦୨୨-୨୩ ରୁ ୨୦୨୬-୨୭ପର୍ଯ୍ୟନ୍ତ ଆଗାମୀ ୫ବର୍ଷ ମଧ୍ୟରେ ଦେଶରେ ଏହି ଯୋଜନାରେ ୨୭,୩୬୦କୋଟି ଟଙ୍କା ଖର୍ଚ୍ଚ କରିବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି। ହେଲେ ଓଡିଶାରେ ସରକାର ତାହା ଲାଗୁ ନ କରିବାରୁ ରାଜ୍ୟ ତାର ଭାଗ ପ୍ରାୟ ୧୦୦୦ରେ କୋଟି ଟଙ୍କା ହରାଇଲା ବୋଲି ସୋନାଲି କହିଛନ୍ତି।

ବାରମ୍ବାର ଚିଠି କଲାପରେ ମଧ୍ୟ କାହିଁକି ରାଜ୍ୟ ସରକାର ପିଏମ୍‌ଶ୍ରୀ ଯୋଜନାକୁ ଲାଗୁ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ସୋନାଲି। ଯେହେତୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ନେତା, ତେଣୁ ରାଜ୍ୟ ରାଜନୈତିକ ଅସୁୟାଭାବ ରଖି ଜାଣିଶୁଣି ଏହି ଯୋଜନାକୁ ଲାଗୁ କରୁନାହାନ୍ତି ବୋଲି ସେ କହିଛନ୍ତି।

ଏହାଦ୍ବାରା ଓଡିଶାର କୁନି କୁନି ପିଲାଙ୍କ ଭବିଷ୍ୟତକୁ ସରକାର ଅନ୍ଧାରକୁ ଠେଲି ଦେଇଛନ୍ତି। ରାଜନୈତିକ ହୀନ ଉଦ୍ଦେଶ୍ୟ ଛାଡି ପିଲାମାନଙ୍କ ସୁନ୍ଦର ଭବିଷ୍ୟତ ପାଇଁ ପିଏମ୍‌ଶ୍ରୀ ସ୍କୁଲ ଯୋଜନାକୁ ତୁରନ୍ତ ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଶ୍ରୀମତୀ ସାହୁ ଦାବି କରିଛନ୍ତି।