Categories
ଆଜିର ଖବର ଜାତୀୟ ଖବର

ଚର୍ଚ୍ଚିତ ଅଶ୍ଳୀଳ ଭିଡିଓ ମାମଲା: ମେ ୩୧ ରେ ପହଞ୍ଚିବେ ସାଂସଦ ପ୍ରଜ୍ଵଳ ରେଭନ୍ନା, ଗିରଫ କରିବ SIT

ନୂଆଦିଲ୍ଲୀ: କର୍ଣ୍ଣାଟକର ଚର୍ଚ୍ଚିତ ଅଶ୍ଳୀଳ ଭିଡିଓ କାଣ୍ଡ ପରେ ଯୌନ ଶୋଷଣ ଅଭିଯୋଗରେ ଘେରି ରହିଥିବା ହାସନ ସାଂସଦ ପ୍ରଜ୍ଵଳ ପ୍ରଜ୍ଵଳ ରେଭନ୍ନା ମେ ୩୧ ତାରିଖରେ ବେଙ୍ଗାଲୁରୁରେ ପହଞ୍ଚିବେ। ସୂଚନାନୁସାରେ, ପ୍ରଜ୍ଵଳ ରେଭନ୍ନାଙ୍କ ବିମାନ ସକାଳ ୮ ଟାରେ ବେଙ୍ଗାଲୁରୁ ବିମାନବନ୍ଦରରେ ଅବତରଣ କରିବ। ବିମାନ ବନ୍ଦରରେ ପହଞ୍ଚିବା ମାତ୍ରେ SIT ରେଭାନ୍ନାଙ୍କୁ ଗିରଫ କରିବ।

ଏହାପୂର୍ବରୁ ପ୍ରଜ୍ଵଳ ରେଭନ୍ନା ଏକ ଭିଡିଓ ବାର୍ତ୍ତା ଦେଇ କହିଥିଲେ ଯେ, ସେ ଏକ ରାଜନୈତିକ ଷଡ଼ଯନ୍ତ୍ରରେ ସଂପୃକ୍ତ ଅଛନ୍ତି। କାରଣ ଏପ୍ରିଲ ୨୬ ତାରିଖରେ ମତଦାନ ଦିନ ପର୍ଯ୍ୟନ୍ତ ଏହି ବିଷୟରେ କୌଣସି ସ୍ଥାନରେ ଆଲୋଚନା ହୋଇନଥିଲା। କିନ୍ତୁ ଯେତେବେଳେ ସେ ତାଙ୍କ କାର୍ଯ୍ୟସୂଚୀ ଅନୁଯାୟୀ ବିଦେଶ ଗସ୍ତ କଲେ, ସେତେବେଳେ ହଙ୍ଗମା ସୃଷ୍ଟି ହେଲା।

ଏକ ସ୍ଵୟଂ ନିର୍ମିତ ଭିଡିଓରେ ପ୍ରଜ୍ଵଳ ରେଭନ୍ନା କହିଛନ୍ତି ଯେ, ମୁଁ ମେ ୩୧ ତାରିଖରେ SIT ସମ୍ମୁଖରେ ହାଜର ହେବି। ରାହୁଲ ଗାନ୍ଧୀଙ୍କ ଉପରେ ଅଭିଯୋଗ କରି ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ କଂଗ୍ରେସ ନେତା ମୋ ବିରୋଧରେ କହିବା ଆରମ୍ଭ କରିଥିଲେ ଏବଂ ଏକ ରାଜନୈତିକ ଷଡଯନ୍ତ୍ର ରଚିଥିଲେ।

କନ୍ନଡ ଭାଷାରେ ପ୍ରକାଶିତ ଏକ ଭିଡିଓ ବିବୃତ୍ତିରେ ସେ କହିଛନ୍ତି, ‘ଭଗବାନ, ଜନସାଧାରଣ ଏବଂ ମୋ ପରିବାରର ଆଶୀର୍ବାଦ ମୋ ଉପରେ ରହିଥାଉ। ମୁଁ ନିଶ୍ଚିତ ଭାବରେ ମଇ ୩୧ ତାରିଖ ଶୁକ୍ରବାର ଦିନ SIT ସମ୍ମୁଖରେ ଉପସ୍ଥିତ ହେବି। ଫେରିବା ପରେ ମୁଁ ଏସବୁ ମାମଲା ସମାପ୍ତ କରିବାକୁ ଚେଷ୍ଟା କରିବି। ମୋ ଉପରେ ବିଶ୍ୱାସ କରନ୍ତୁ। ସେ କହିଛନ୍ତି ଯେ, ତାଙ୍କ ପିତାମାତା, ଜେଜେବାପା ଏଚଡି ଦେବାଗୌଡା, ଦାଦା ଏଚ୍ ଡି କୁମାରସ୍ୱାମୀ ରାଜ୍ୟବାସୀ ଏବଂ ଦଳୀୟ କର୍ମୀଙ୍କୁ କ୍ଷମା ପ୍ରାର୍ଥନା କରୁଛି।

Categories
ଆଜିର ଖବର ଜାତୀୟ ଖବର

ଯୌନ ଉତ୍ପୀଡ଼ନ ମାମଲା: ଜେଡିଏସରୁ ନିଲମ୍ବିତ ହେଲେ ପ୍ରଜ୍ଵଲ ରେଭନ୍ନା

ନୂଆଦିଲ୍ଲୀ: ମହିଳାମାନଙ୍କର ଆପତ୍ତିଜନକ ଭିଡିଓ ପ୍ରସ୍ତୁତ କରିବା ଏବଂ ସେମାନଙ୍କ ଉପରେ ଯୌନ ଉତ୍ପୀଡ଼ନ ପାଇଁ ଦଳ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡାଙ୍କ ନାତି ପ୍ରଜ୍ଵଲ ରେଭନ୍ନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଚଡି ଦେବ ଗୌଡାଙ୍କ ଜେଡିଏସ ପ୍ରଜ୍ଵଲ ରେଭନ୍ନାଙ୍କୁ ନିଲମ୍ବିତ କରିବାକୁ ଏକ ବିଜ୍ଞପ୍ତି ଜାରି କରିଛି। ଦଳର ମୂଳ କମିଟିର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି।

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ୱାମୀ ମଙ୍ଗଳବାର ଦିନ କହିଛନ୍ତି ଯେ, ଆମେ ପ୍ରଜ୍ଵଲ ରେଭନ୍ନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଆମେ ଏ ବିଷୟରେ ରେଭନ୍ନାଙ୍କୁ ସୁରକ୍ଷା ଦେବୁ ନାହିଁ। ଏହା ଏକ ଲଜ୍ଜାଜନକ ବିଷୟ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ମଧ୍ୟ କହିଛନ୍ତି ଯେ, ଏଭଳି ମାମଲାକୁ ବରଦାସ୍ତ କରାଯାଇପାରିବ ନାହିଁ। ସେ କହିଛନ୍ତି ଯେ, ବିଜେପିର ଆଭିମୁଖ୍ୟ ହେଉଛି ଆମେ ମାତୃ ଶକ୍ତି ସହିତ ଛିଡା ହେବା। ମାତୃ ଶକ୍ତିର ଅପମାନକୁ କୌଣସି ସ୍ଥାନରେ ବରଦାସ୍ତ କରାଯିବ ନାହିଁ। କଂଗ୍ରେସ ଟାର୍ଗେଟ କରୁଛି, କିନ୍ତୁ ମୋର ପ୍ରଶ୍ନ ହେଉଛି ଏପର୍ଯ୍ୟନ୍ତ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ? ରାଜ୍ୟରେ କଂଗ୍ରେସ ସରକାର ଅଛି। ଆଇନ ହେଉଛି ଏକ ରାଜ୍ୟ ସରକାରଙ୍କ ବିଷୟ। ପ୍ରିୟଙ୍କା ଗାନ୍ଧୀ ଆମକୁ ପ୍ରଶ୍ନ କରୁଛନ୍ତି, କିନ୍ତୁ ଆପଣ ଆପଣଙ୍କର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରନ୍ତୁ।

ପ୍ରିୟଙ୍କା ଗାନ୍ଧୀ କ’ଣ କହିଛନ୍ତି?:

କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ପ୍ରଶ୍ନ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଏ ବାବଦରେ କାହିଁକି ଚୁପ୍ ଅଛନ୍ତି? ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ‘ଆଜି କର୍ଣ୍ଣାଟକର ସେହି ନେତା ଦେଶ ଛାଡି ପଳାଉଛନ୍ତି। ତାଙ୍କର ଜଘନ୍ୟ ଅପରାଧ ବିଷୟରେ ଶୁଣିବା ହୃଦୟ ବିଦାରକ ଅଟେ। ଯାହା ଶହ ଶହ ମହିଳାଙ୍କ ଜୀବନକୁ ନଷ୍ଟ କରିଦେଇଛି। ସେ ପଚାରିଲେ, ‘ମୋଦୀ ଜୀ, ଆପଣ ତଥାପି ଚୁପ୍ ରହିବେ କି?’

Categories
ଆଜିର ଖବର ଜାତୀୟ ଖବର

ହଜାର ହଜାର ମହିଳାଙ୍କୁ ଯୌନ ଉତ୍ପୀଡନ ଅଭିଯୋଗ, ଦେବଗୌଡାଙ୍କ ସାଂସଦ ନାତୀଙ୍କ ନାମ ସାମିଲ

ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଶନିବାର ଦିନ ହାସନ ଜିଲ୍ଲା ସହ ଜଡିତ ଯୌନ ଉତ୍ପୀଡନର ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଯୌନ ଉତ୍ପୀଡନରେ ହାସନରୁ ଜେଡିଏସ ସାଂସଦ ପ୍ରଜ୍ଵଲ ରେବନ୍ନାଙ୍କ ନାମ ମଧ୍ୟ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ଜେଡିଏସ୍ ମୁଖ୍ୟଙ୍କ ନାତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡାଙ୍କ ନାତି ପ୍ରଜ୍ଵଲ ରେବନ୍ନା ଶନିବାର ଜର୍ମାନୀର ଫ୍ରାଙ୍କଫର୍ଟ ସହରକୁ ଯାଇଥିବା ପୋଲିସ ଜାଣିଛି।

ଡେକାନ୍ ହେରାଲ୍ଡ ରିପୋର୍ଟ ଅନୁଯାୟୀ ସିଦ୍ଧରମେୟା ଏକ ବିବୃତ୍ତିରେ କହିଛନ୍ତି ଯେ, ପ୍ରଜ୍ଵଲ ରେବନ୍ନା ଅଶ୍ଳୀଳ ଭିଡିଓ ମାମଲାରେ ସରକାର ଏସଆଇଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଯେ, “ହାସନରେ ଆପତ୍ତିଜନକ ଭିଡିଓ ପ୍ରସାରିତ ହେଉଛି। ମହିଳାମାନଙ୍କୁ ଯୌନ ଉତ୍ପୀଡ଼ନ କରାଯାଇଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ମହିଳା ଆୟୋଗର ଅଧ୍ୟକ୍ଷ ସରକାରଙ୍କୁ ଏକ ଚିଠି ଲେଖି ଏସଆଇଟି ଯାଞ୍ଚ ପାଇଁ କହିଛନ୍ତି। ସେମାନଙ୍କ ଅନୁରୋଧ ପରେ ଏହି ନିଷ୍ପତ୍ତି ନିଆଯାଇଛି। ”

ବାସ୍ତବରେ, କର୍ଣ୍ଣାଟକ ମହିଳା ଆୟୋଗର ଅଧ୍ୟକ୍ଷ ଡକ୍ଟର ନାଗାଲକ୍ଷ୍ମୀ ଚୌଧୁରୀ ଏପ୍ରିଲ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଏବଂ ରାଜ୍ୟ ପୋଲିସ ମୁଖ୍ୟ ଆଲୋକ ମୋହନଙ୍କୁ ଏକ ଚିଠି ଲେଖିଥିଲେ। ଏଥିରେ ସେ ହାସନ ଜିଲ୍ଲାରେ ଭାଇରାଲ ହେଉଥିବା ମହିଳାଙ୍କ ଆପତ୍ତିଜନକ ଭିଡିଓର ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତ ଦାବି କରିଥିଲେ। ଚିଠିରେ କୁହାଯାଇଛି ଯେ, ସେହି ସମସ୍ତ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ, ଯେଉଁମାନେ କେବଳ ଏହି ଜଘନ୍ୟ ଅପରାଧର ଭିଡିଓ କରିନାହାଁନ୍ତି ବରଂ ଏହାକୁ ସର୍ବସାଧାରଣରେ ପ୍ରଚାର କରୁଛନ୍ତି।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଦିନ ହାସନରେ ଭୋଟ୍ ଦେବା ପୂର୍ବରୁ ପ୍ରଜ୍ଵଲ ରେବନ୍ନା ତାଙ୍କ ନିର୍ବାଚନ ଏଜେଣ୍ଟ ପୂର୍ଣ୍ଣାଚନ୍ଦ୍ର ତେଜସ୍ୱୀ ଏମ.ଜି.ଙ୍କ ମାଧ୍ୟମରେ ଅଭିଯୋଗ କରିଛନ୍ତି। ଏଥିରେ ରେବନ୍ନା କହିଛନ୍ତି ଯେ, ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଏକ ନକଲି ଭିଡିଓ ପ୍ରଚାର କରାଯାଉଛି। ପୋଲିସ ନିକଟରେ ଦାଖଲ ହୋଇଥିବା ଏଫଆଇଆରରେ କୁହାଯାଇଥିଲା ଯେ, ନବୀନ ଗୌଡା ଏବଂ ଅନ୍ୟମାନେ ନକଲି ଭିଡିଓ ଏବଂ ଫଟୋଗ୍ରାଫ ପ୍ରସ୍ତୁତ କରି ହାସନ ନିର୍ବାଚନ ପୂର୍ବରୁ ଭୋଟରଙ୍କ ମଧ୍ୟରେ ପ୍ରଚାର କରିଥିଲେ।

ଏଫ୍ଆଇଆର୍ ଅନୁଯାୟୀ, ଏହା କରାଯାଇଛି ଯାହା ଦ୍ଵାରା ପ୍ରଜ୍ଵଲ ରେବନ୍ନାଙ୍କ ଭାବମୂର୍ତ୍ତି ଖରାପ ହୋଇପାରିବ। ସେମାନେ ଲୋକଙ୍କୁ ରେବନ୍ନାଙ୍କୁ ଭୋଟ୍ ନଦେବାକୁ କହୁଛନ୍ତି। ଏହା କୁହାଯାଇଛି ଯେ, ପ୍ରଜ୍ଵଲ ରେବନ୍ନା ମଧ୍ୟ ଭିଡିଓରେ ନଜର ଆସିଛନ୍ତି।

ପ୍ରକାଶ ଯେ, ଶୁକ୍ରବାର ଦିନ ହାସନ ଆସନରେ ମତଦାନ ହୋଇଥିଲା। ଜେଡିଏସ୍ ଏବଂ ବିଜେପି ଏହି ଆସନରୁ ଏକାଠି ନିର୍ବାଚନ ଲଢୁଛନ୍ତି। ସେ ଏଠାରୁ ପ୍ରଜ୍ଵଲ ରେବନ୍ନାଙ୍କୁ ଟିକେଟ୍ ଦେଇଛନ୍ତି, ଯିଏକି ହାସନର ବର୍ତ୍ତମାନର ସାଂସଦ ଅଟନ୍ତି। ତାଙ୍କର ପ୍ରତିଯୋଗିତା କଂଗ୍ରେସର ଶ୍ରେୟସ ପଟେଲଙ୍କ ସହ ହେଉଛି।