ଚର୍ଚ୍ଚିତ ଅଶ୍ଳୀଳ ଭିଡିଓ ମାମଲା: ମେ ୩୧ ରେ ପହଞ୍ଚିବେ ସାଂସଦ ପ୍ରଜ୍ଵଳ ରେଭନ୍ନା, ଗିରଫ କରିବ SIT

Published: May 28, 2024, 7:57 am IST

ନୂଆଦିଲ୍ଲୀ: କର୍ଣ୍ଣାଟକର ଚର୍ଚ୍ଚିତ ଅଶ୍ଳୀଳ ଭିଡିଓ କାଣ୍ଡ ପରେ ଯୌନ ଶୋଷଣ ଅଭିଯୋଗରେ ଘେରି ରହିଥିବା ହାସନ ସାଂସଦ ପ୍ରଜ୍ଵଳ ପ୍ରଜ୍ଵଳ ରେଭନ୍ନା ମେ ୩୧ ତାରିଖରେ ବେଙ୍ଗାଲୁରୁରେ ପହଞ୍ଚିବେ। ସୂଚନାନୁସାରେ, ପ୍ରଜ୍ଵଳ ରେଭନ୍ନାଙ୍କ ବିମାନ ସକାଳ ୮ ଟାରେ ବେଙ୍ଗାଲୁରୁ ବିମାନବନ୍ଦରରେ ଅବତରଣ କରିବ। ବିମାନ ବନ୍ଦରରେ ପହଞ୍ଚିବା ମାତ୍ରେ SIT ରେଭାନ୍ନାଙ୍କୁ ଗିରଫ କରିବ।

ଏହାପୂର୍ବରୁ ପ୍ରଜ୍ଵଳ ରେଭନ୍ନା ଏକ ଭିଡିଓ ବାର୍ତ୍ତା ଦେଇ କହିଥିଲେ ଯେ, ସେ ଏକ ରାଜନୈତିକ ଷଡ଼ଯନ୍ତ୍ରରେ ସଂପୃକ୍ତ ଅଛନ୍ତି। କାରଣ ଏପ୍ରିଲ ୨୬ ତାରିଖରେ ମତଦାନ ଦିନ ପର୍ଯ୍ୟନ୍ତ ଏହି ବିଷୟରେ କୌଣସି ସ୍ଥାନରେ ଆଲୋଚନା ହୋଇନଥିଲା। କିନ୍ତୁ ଯେତେବେଳେ ସେ ତାଙ୍କ କାର୍ଯ୍ୟସୂଚୀ ଅନୁଯାୟୀ ବିଦେଶ ଗସ୍ତ କଲେ, ସେତେବେଳେ ହଙ୍ଗମା ସୃଷ୍ଟି ହେଲା।

ଏକ ସ୍ଵୟଂ ନିର୍ମିତ ଭିଡିଓରେ ପ୍ରଜ୍ଵଳ ରେଭନ୍ନା କହିଛନ୍ତି ଯେ, ମୁଁ ମେ ୩୧ ତାରିଖରେ SIT ସମ୍ମୁଖରେ ହାଜର ହେବି। ରାହୁଲ ଗାନ୍ଧୀଙ୍କ ଉପରେ ଅଭିଯୋଗ କରି ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ କଂଗ୍ରେସ ନେତା ମୋ ବିରୋଧରେ କହିବା ଆରମ୍ଭ କରିଥିଲେ ଏବଂ ଏକ ରାଜନୈତିକ ଷଡଯନ୍ତ୍ର ରଚିଥିଲେ।

କନ୍ନଡ ଭାଷାରେ ପ୍ରକାଶିତ ଏକ ଭିଡିଓ ବିବୃତ୍ତିରେ ସେ କହିଛନ୍ତି, ‘ଭଗବାନ, ଜନସାଧାରଣ ଏବଂ ମୋ ପରିବାରର ଆଶୀର୍ବାଦ ମୋ ଉପରେ ରହିଥାଉ। ମୁଁ ନିଶ୍ଚିତ ଭାବରେ ମଇ ୩୧ ତାରିଖ ଶୁକ୍ରବାର ଦିନ SIT ସମ୍ମୁଖରେ ଉପସ୍ଥିତ ହେବି। ଫେରିବା ପରେ ମୁଁ ଏସବୁ ମାମଲା ସମାପ୍ତ କରିବାକୁ ଚେଷ୍ଟା କରିବି। ମୋ ଉପରେ ବିଶ୍ୱାସ କରନ୍ତୁ। ସେ କହିଛନ୍ତି ଯେ, ତାଙ୍କ ପିତାମାତା, ଜେଜେବାପା ଏଚଡି ଦେବାଗୌଡା, ଦାଦା ଏଚ୍ ଡି କୁମାରସ୍ୱାମୀ ରାଜ୍ୟବାସୀ ଏବଂ ଦଳୀୟ କର୍ମୀଙ୍କୁ କ୍ଷମା ପ୍ରାର୍ଥନା କରୁଛି।

Related posts