Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପିରେ ପ୍ରଶାନ୍ତ ଜଗଦ୍ଦେବ ମିଶିବା ପରେ ଦ୍ବନ୍ଦରେ ଚିଲିକା କର୍ମୀ, ଗ୍ରହଣ କରିବାକୁ ନାରାଜ

ଭୁବନେଶ୍ବର: ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ମିଶିବା ପରେ ବର୍ତ୍ତମାନ ଦ୍ବନ୍ଦରେ ଅଛନ୍ତି ଚିଲିକା ବିଜେପି କର୍ମୀ। ସେମାନେ ପ୍ରଶାନ୍ତଙ୍କୁ କେମିତି ଗ୍ରହଣ କରିବେ ସେହି ଚିନ୍ତା ଘାରିଛି। କାରଣ ହେଲା ଏକଦା ପ୍ରଶାନ୍ତ ବିଜେଡିରେ ଥିବା ବେଳେ ବିଜେପି କର୍ମିଙ୍କୁ ମାଡ ମାରିବା ଗାଳି କରିବା କାମ କରିଥିଲେ। ଯାହାକୁ ଏ ପର୍ଯ୍ୟନ୍ତ ଚିଲିକା ବିଜେପି କର୍ମି ଭୁଲିପାରି ନାହାଁନ୍ତି।

ବାଲୁଗାଁରେ ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ ମାରିବା, ପଞ୍ଚାୟତ ନିର୍ବାଚନ ପ୍ରଚାର ବେଳେ କ୍ଲବ ଘରେ ପଶି ବିଜେପି କର୍ମିଙ୍କୁ ଗାଳି କରିବାକୁ ସେମାନେ ଭୁଲି ନାହାଁନ୍ତି। ଯାହାକୁ ନେଇ ସେତେବେଳେ ଚିଲିକାରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା। ତେବେ ସବୁଠାରୁ ବଳେଇ ଯାଇଥିଲା ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ। ସେଠାରେ ସେ ଏହିପରି କିଛି କାର୍ଯ୍ୟ କରିଥିଲେ ଯାହାକୁ ନେଇ ସେତେବେଳେ ବିଜେପି କର୍ମୀ ଉତ୍ତେକ୍ତ ହୋଇ ଉଠିଥିଲେ।

ସବୁ କର୍ମି ମିଶି ତାଙ୍କୁ ମାଡ ମାରିବା ଏବଂ ଗାଡି ମଡାଇବା ପରି ବଡ ଘଟଣା ଘଟିଥିଲା। ଯାହା ସାରା ରାଜ୍ୟରେ ପଡିଥିଲା ଉଠିଥିଲା। ଏହାକୁ ନେଇ ପୁରା ବିଜେପି ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଥିଲା। ରାଜ୍ୟ ବିଜେପି ଏହି ଘଟଣାକୁ ନେଇ ତୁମ୍ବିତୋଫାନ ମଧ୍ୟ କରିଥିଲା। ଏହିପରି ଚିଲିକା ନିର୍ବାଚନ ମଣ୍ଡଳିରେ ବହୁ ଛୋଟଛୋଟ ଘଟଣା ଘଟିଛି ଯେଉଁଠି ପ୍ରଶାନ୍ତ ଜଗଦ୍ଦେବ ଏବଂ ବିଜେପି କର୍ମୀ ଛକାଛକି ହୋଇଛନ୍ତି।

ଏପରି ପରିସ୍ଥିତିରେ ସେହି ପ୍ରଶାନ୍ତ ଜଗଦ୍ଦେବଙ୍କୁ କିପିରି ସେମାନେ କୋଳେଇ ନେବେ ଦ୍ବନ୍ଦରେ ଅଛନ୍ତି। ପ୍ରଶାନ୍ତ ମିଶିବା ପରେ ଅନେକ କର୍ମି ମନ ଉଣା କରି ବସିଛନ୍ତି। ଏକ ବିଶେଷ ସୁତ୍ର ଅନୁସାରେ ବିଜେପିରେ ଅନେକ କର୍ମି ଏଥର ନିର୍ବାଚନରେ ଆଗକୁ ଆସିବେ ନାହିଁ ବୋଲି ନିଷ୍ପତି କରିଛନ୍ତି। ସେମାନେ କେବେ ବି ପ୍ରଶାନ୍ତ ଜଗଦ୍ଦେବଙ୍କ ସହିତ ହାତ ମିଳାଇବେ ନାହିଁ ବୋଲି ଚିନ୍ତା କରିଛନ୍ତି। ଏପରିକି କେତେକ କର୍ମୀ ଓ ନେତା ଅନ୍ୟ ଦଳ ସହିତ ଯୋଗାଯୋଗରେ ମଧ୍ୟ ଅଛନ୍ତି ବୋଲି ଜଣାପଡିଛି।

ପ୍ରଶାନ୍ତ ଜଗଦ୍ଦେବ ଖୁବ ଶିଘ୍ର ଖୋର୍ଦ୍ଧା ଏବଂ ଚିଲିକାରେ ବିରାଟ ସମାବେଶ କରିବେ ବୋଲି ପ୍ରସ୍ତୁତ ହେଉଛନ୍ତି। ସେଥିପାଇଁ ସେ ଦଳିୟ ଅନୁମତିକୁ ଅପେକ୍ଷା କରିଛନ୍ତି। ସେହି ସମାବେଶ ପୂର୍ବରୁ ପ୍ରଶାନ୍ତ ଏବଂ ପୃଥରାଜ ହରିଚନ୍ଦନ ଚିଲିକା ଯାଇ କର୍ମିମାନଙ୍କ ସହିତ ମିଳାମିଶା କରିବେ। ସେତେବେଳେ ବିଜେପିର କେଉଁ ରହିବେ କେଉଁ କର୍ମି ମୁହଁ ବୁଲାଇବେ ତାହା ଜଣାପଡିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କ ଭିନ୍ନ ରୂପ, ଭାବମୂର୍ତ୍ତି ସଜାଡିବା ପାଇଁ ଧାର୍ମିକ କାର୍ଯ୍ୟରେ ହେଉଛନ୍ତି ସାମିଲ

ଭୁବନେଶ୍ବର: ବିଭିନ୍ନ ସମୟରେ ବିବାଦୀୟ ହୋଇପଡିଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜେଲରୁ ଫେରିବା ପରେ ଏବେ ଭିନ୍ନ ରୂପ ଧାରଣ କରିଛନ୍ତି। ସେ ବର୍ତ୍ତମାନ ନିଜକୁ ଧାର୍ମିକ କାର୍ଯ୍ୟରେ ନିୟୋଜିତ ରଖୁଛନ୍ତି। ନିଜ ଭିତରେ ଏବଂ ରାଜ୍ୟରେ ଶାନ୍ତି ଆଣିବା ପାଇଁ ବର୍ତ୍ତମାନ ସେ ନିଜକୁ ବିଭିନ୍ନ ଧାର୍ମିକ କାର୍ଯ୍ୟରେ ନିଜକୁ ସାମିଲ ରଖୁଛନ୍ତି।

ନିକଟରେ ଦୁର୍ଗାପୂଜା ଆଉ ଲକ୍ଷ୍ମୀ ପୂଜାରେ ମଧ୍ୟ ବିଭିନ୍ନ ସ୍ଥାନରେ ପ୍ରଶାନ୍ତ ଜଗଦ୍ଦେବ ପୂଜାପାଠ କରୁଥିବାର ପରିଲକ୍ଷିତ ହୋଇଥିଲା। ବିଶେଷ କରି ସେ ଖୋର୍ଦ୍ଧା ଏବଂ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ହେଉଥିବା ଏହି ପୂଜାରେ ନିଜକୁ ନିୟୋଜିତ ରଖିଥିଲେ। ସେତିକି ନୁହେଁ ସେ ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ନେତୃବୃନ୍ଦଙ୍କ ସହିତ ମଧ୍ୟ ସଂପର୍କ ଯୋଡିଥିଲେ।

ପ୍ରଶାନ୍ତ ଜଗଦେବ ଜଣେ ରାଗି ମିଞ୍ଜାଜର ନେତା ବୋଲି ଯେଉଁ ପ୍ରଚାର ଚାଲିଛି ସେଥିରେ ସେ ଭଟ୍ଟା ପକାଇବା ପାଇଁ ଏହି ନୂଆ ମାଧ୍ୟମକୁ ଆପଣେଇଛନ୍ତି। ପ୍ରଶାନ୍ତ ଜଗଦ୍ଦେବ ଜଣେ ରାଗି ବ୍ୟକ୍ତି ନୁହଁନ୍ତି, ସେ ଜଣେ ସରଳ ଓ ଶାନ୍ତଶିଷ୍ଟ ବ୍ୟକ୍ତି ବୋଲି ପ୍ରମାଣିତ କରିବା ପାଇଁ ସେ ଏହି ପଦକ୍ଷେପ ଆରମ୍ଭ କରିଛନ୍ତି। ସେଥିପାଇଁ ସେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ନିଜକୁ ସାମିଲ କରି ନୃତ୍ୟଶିଳ୍ପୀଙ୍କ ସହିତ ନୃତ୍ୟ କରିବା ମଧ୍ୟ ଆରମ୍ଭ କରିଛନ୍ତି।

ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜାରେ ପରେ ଏବେ ସେ କାଳୀ ପୂଜାରେ ମଧ୍ୟ ନିଜକୁ ନିୟୋଜିତ ରଖିଛନ୍ତି।  ପବିତ୍ର କାଳୀପୂଜା ଅବସରରେ ଭୁବନେଶ୍ୱର ଗଙ୍ଗନଗର ସ୍ଥିତ “ମା” ରକ୍ଷାକାଳୀଙ୍କ ମନ୍ଦିରର ବାର୍ଷିକ ଉତ୍ସବରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପୂଜାପାଠ କରିଛନ୍ତି। ତାଙ୍କର ଧର୍ମପତ୍ନୀ ତଥା ସମାଜସେବୀ ସ୍ୱାଗତିକା ଜଗଦ୍ଦେବ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।

ବର୍ତ୍ତମାନ କୋର୍ଟ ନିର୍ଦ୍ଦେଶ ଯୋଗୁଁ ପ୍ରଶାନ୍ତ ତାଙ୍କ ନିର୍ବାଚନ ମଣ୍ଡଳି ଚିଲିକାକୁ ଯାଇପାରୁ ନାହାଁନ୍ତି। ହେଲେ ସେ ଭୁବନେଶ୍ବରରେ ରହି ନିଜର ନିର୍ବାଚନ ମଣ୍ଡଳିକୁ ନିୟନ୍ତ୍ରିତ କରୁଛନ୍ତି। ସେହିପରି ଏହି କଟକଣା ପାଇଁ ସେ ଚିଲିକା ଯାଇପାରୁ ନ ଥିବାରୁ ସେ ଅନ୍ୟ ସ୍ଥାନରେ ଏହି ଧାର୍ମିକ କାର୍ଯ୍ୟରେ ନିୟୋଜିତ କରି ନିଜର ଭାବମୂର୍ତ୍ତି ସଜାଡିବାରେ ଲାଗିଛନ୍ତି।