Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳବାଇ ଓଭରବ୍ରିଜ୍‌ କାମର ଅଗ୍ରଗତି ନେଇ ଏସ୍‌ଡିଓଙ୍କୁ ଭେଟିଲେ ଚିଲିକା ବିଧାୟକ

ସମୀକ୍ଷା ବ୍ୟୁରୋ
ବାଲୁଗାଁ, ୦୨/୧: ବାଲୁଗାଁ ରେଳବାଇ ଓଭରବ୍ରିଜ୍‌ରେ କାମର ଅଗ୍ରଗତିକୁ ନେଇ ଆଜି ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ସଡକ ଏବଂ ଗୃହନିର୍ମାଣ ବିଭାଗ ଅଧିକାରୀଙ୍କୁ ଭେଟିଛନ୍ତି। ଶ୍ରୀ ଜଗଦ୍ଦେବ ସଡକ ଏବଂ ଗୃହନିର୍ମାଣ ବିଭାଗ ଏସ୍‌ଡିଓ, ରେଳବାଇ କନିଷ୍ଠଯନ୍ତ୍ରୀ ଏବଂ କାର୍ଯ୍ୟରତ କମ୍ପାନୀ ନନ୍ଦ କନ୍‌ଷ୍ଟ୍ରକ୍‌ସନ୍‌ର ଅଧିକାରୀଙ୍କୁ ଭେଟି ଏହି ବିଷୟରେ ଆଲୋଚନା କରିଛନ୍ତି। ନିର୍ବାଚନ ସମୟରେ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ମୁତାବକ ଶ୍ରୀ ଜଗଦ୍ଦେବ ରେଳବାଇ ବ୍ରିଜ୍‌ କାମ ତ୍ବରାନ୍ବିତ କରିବାର ପ୍ରୟାସ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୬ ତାରିଖ ସୁଦ୍ଧା କାର୍ଯ୍ୟସମାପ୍ତ କରିବା ପାଇଁ ବିଧାୟକ ସମ୍ପୃକ୍ତ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ୬ ବର୍ଷ ଧରି ଚାଲିଥିବା ଏହି ରେଳବାଇ ବ୍ରିଜ୍‌ର କାମ ସମ୍ପୂର୍ଣ୍ଣ ହେଉନଥିବାରୁ ସର୍ବସାଧାରଣରେ ଅସନ୍ତୋଷ ଦେଖାଦେଇଥିଲା। ଏକ ସମୟରେ ଓଡିଶାରେ ୬ଟି ରେଳବାଇ ବ୍ରିଜ୍‌ର କାମ ଆରମ୍ଭ କରାଯାଇଥିବା ବେଳେ ତନ୍ମଧ୍ୟରୁ ୫ଟିର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି ମାତ୍ର ବାଲୁଗାଁ ରେଳବାଇ ବ୍ରିଜ୍‌ଟି ଅସମ୍ପୂର୍ଣ୍ଣ ରହିଛି। ଏହାକୁ ନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ବିକ୍ଷୋଭ କରାଯାଇଥିଲା। ଗତ ସେପ୍ଟେମ୍ବର ମାସ ୨୩ ତାରିଖରେ ହେଲ୍ପ କ୍ଳବ୍‌ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ଏହି ଆନ୍ଦୋଳନରେ ବହୁ ବୁଦ୍ଧିଜୀବୀ ଏବଂ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ। ୨୦୧୯ ବିଧାନସଭା ନିର୍ବାଚନର ସ୍ବାଧୀନ ବିଧାୟକ ପ୍ରାର୍ଥୀ ଲଲାଟେନ୍ଦୁ ଶତ୍‌ପଥୀ ଏହି ଆନ୍ଦୋଳନରେ ଯୋଗ ଦେଇ ଆନ୍ଦୋଳନକୁ ତୀବ୍ର କରିଥିଲେ। ୬ ମାସ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ପ୍ରଦାନ କରାଯିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଆନ୍ଦୋଳନ ପରେ କାର୍ଯ୍ୟ ତ୍ବରାନ୍ବିତ ହୋଇଥିଲେ ମଧ୍ୟ ଅଳ୍ପ କିଛି ଦିନପରେ ପୁନର୍ବାର କାମରେ ଶିଥିଳତା ଦେଖା ଦେଇଥିଲା।

ଆଜି ବିଧାୟକଙ୍କ ଏହି ଆଲୋଚନାକୁ ନେଇ ସ୍ଥାନୀୟ ଜନସାଧାରଣ ଏବଂ ବୁଦ୍ଧିଜୀବୀ ସନ୍ତୋଷ ବ୍ୟକ୍ତ କରିବା ସହିତ ବିଧାୟକଙ୍କ ପ୍ରଚେଷ୍ଟାରେ ବ୍ରିଜ୍‌ଟିର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ଆଶାପ୍ରକାଶ କରିଛନ୍ତି।