Categories
ଆଜିର ଖବର ରାଜ୍ୟ ଖବର

କୁଜଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଜିଲା ନୋଡାଲ ଅଧିକାରୀ

ସମୀକ୍ଷା ବ୍ୟୁରୋ
କୁଜଙ୍ଗ, ୨୮/୧୨: ଶାସନ ବ୍ୟବସ୍ଥାରେ ସ୍ବଚ୍ଛତା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଫାଇଭ-ଟି ବ୍ୟବସ୍ଥା ଲାଗୁ କରାଯାଇଥିଲା। ସ୍ବାସ୍ଥ୍ୟ ବିଭାଗ ଫାଇଭ-ଟି ଅଧୀନରେ ଆସିବା ଦିନଠାରୁ ବର୍ତ୍ତମାନ ପ୍ରଶାସକ ମାନେ ଗାଁ ମୁହାଁ ହୋଇଛନ୍ତି। ଏହି ଅବସରରେ ରାଜ୍ୟର ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ପ୍ରମୁଖ ସଚିବ ତଥା ଜଗତସିଂହପୁର ଜିଲ୍ଲାର ନୋଡାଲ ଅଧିକାରୀ ପ୍ରଦୀପ୍ କୁମାର ଜେନା ଶୁକ୍ରବାର କୁଜଙ୍ଗ ବ୍ଲକ୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହା ସହିତ କୁଜଙ୍ଗ ବ୍ଲକ୍‌ର କୋଠିଆ ସାହିରେ ଥିବା କିଛି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପରିଦର୍ଶନ କରିଥିଲେ। ସ୍ବାସ୍ଥ୍ୟକେନ୍ଦ୍ର ଭ୍ରମଣ ସମୟରେ ବିଭିନ୍ନ ଗୁରତ୍ୱପୂର୍ଣ୍ଣ ପ୍ରକୋଷ୍ଠ, ରୋଗୀଙ୍କ ୱାର୍ଡ ବୁଲି ଦେଖିବା ପରେ ଜେଏସ୍ଡବ୍ଲୁ ପକ୍ଷରୁ ମେଡିକାଲକୁ ଯୋଗାଇ ଦିଆଯାଇଥିବା ଦନ୍ତ ଚକିତ୍ସା ପ୍ରକୋଷ୍ଠ ଏବଂ ଦୀର୍ଘଦିନ ଧରି ଅବ୍ୟବହୃତ ହୋଇ ପଡି ରହିଥିବା ଆଇଓସିଲ ପ୍ରଦତ୍ତ ଏକ୍ସରେ ମେସିନ୍ ବୁଲି ଦେଖିଥିଲେ। ଦୀର୍ଘଦିନ ଧରି ଖାଲି ପଡିଥିବା ମେଡିସିନ ଓ ସ୍ତ୍ରୀ ପ୍ରସୂତି ବିଭାଗର ସ୍ପେସାଲିଷ୍ଟ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବା ନେଇ ଶ୍ରୀ ଜେନା ପ୍ରତିଶ୍ରୁତି ଦେଇଥିଲେ।

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରେ ପ୍ରମୁଖ ସଚିବ ତହସିଲ କାର୍ଯ୍ୟାଳୟ ଭ୍ରମଣରେ ଯାଇଥିଲେ। ୫୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ ତହସିଲ କାର୍ଯ୍ୟାଳୟ ବ୍ୟବହାର କରାଯାଉନଥିବା ନେଇ ଶ୍ରୀ ଜେନା ଅସନ୍ତୋଷ ପ୍ରକାଶ କରିଥିଲେ। ଏହା ସହିତ ଆସନ୍ତା ଏକ ସପ୍ତାହ ମଧ୍ୟରେ ନୂତନ କାର୍ଯ୍ୟାଳୟକୁ ତହସିଲ ସ୍ଥାନାନ୍ତର କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ନୋଡାଲ ଅଧିକାରୀଙ୍କ ସହିତ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉପସ୍ଥିତ ଥିଲେ।