ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପତ୍ତିରେ ବୃଦ୍ଧି ହୋଇଛି । ଗତ 15 ମାସ ମଧ୍ୟରେ ମୋଦିଙ୍କ ସମ୍ପତ୍ତିରେ 36.53 ଲକ୍ଷ ବଢିଛି । ତେବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମ୍ପତି ହ୍ରାସ ପାଇଛି । ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନଙ୍କର ସମ୍ପତି ତାଲିକାରୁ ଏହା ଜଣାପଡ଼ିଛି । 2020 ଜୁନ 30 ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତି ମୂଲ୍ୟ 2.85 କୋଟି ଟଙ୍କା ହୋଇଛି । ଗତ ବର୍ଷ ଅପେକ୍ଷା ଏହା ସାମାନ୍ୟ ଅଧିକ । ମୋଦି ନିଜ ଦରମାରୁ ଅଧିକ ଅର୍ଥ ସଂଚୟ କରୁଛନ୍ତି । ଯେତେବେଳେକି କରୋନା ପାଇଁ ସେୟାର ବଜାର ଦୁର୍ବଳ ଥିବାରୁ ଅମିତ ଶାହାଙ୍କ ସମ୍ପତ୍ତି 32.3 କୋଟିରୁ 28.6 କୋଟିକୁ ହ୍ରାସ ପାଇଛି । ମୋଦି ନିଜ ରୋଜଗାରର ବଡ଼ ଅଂଶ ଟର୍ମ ଡିପୋଜିତ ଓ ସେଭିଂସ ଆକାଉଂଟରେ ରଖୁଛନ୍ତି । ମୋଦିଙ୍କ ନିକଟରେ 31 ହଜାର 450ଟଙ୍କା କ୍ୟାଶ ଥିବାବେଳେ ଗାନ୍ଧିନଗର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ରାଞ୍ଚରେ ତାଙ୍କ ବ୍ୟାଙ୍କ ଖାତାରେ 3 ଲକ୍ଷ 38 ହଜାର 173 ଟଙ୍କା ଜମା ରହିଛି । ପ୍ରଧାନମନ୍ତ୍ରୀ ଏସ୍ବିଆଇର ଏହି ଶାଖାରେ ଫିକ୍ସ ଡିପୋଜିଟ୍ କରିଛନ୍ତି । ଗତ ବର୍ଷ ଏହାର ଭ୍ୟାଲୁ 1 କୋଟି 27 ଲକ୍ଷ 81 ହଜାର 574 ରହିଥିବାବେଳେ ଜୁନ୍ 30, 2020 ସୁଦ୍ଧା ଏହା ବଢି 1 କୋଟି 60 ଲକ୍ଷ 28 ହଜାର 039ରେ ପହଞ୍ଚିଛି । ମୋଦିଙ୍କର ଏନଏସସି ଓ ଇନଫ୍ରା ବଣ୍ଡ ମଧ୍ୟ ରହିଛି । ଏନଏସସିରେ 8 ଲକ୍ଷ 43 ହଜାର 124ଟଙ୍କା ରହିଥିବାବେଳେ 1 ଲକ୍ଷ 50 ହଜାର 957 ଟଙ୍କାର ଜୀବନବୀମା ପଲିସି ରହିଛି । ସେହିପରି ସେ 20 ହଜାର ଟଙ୍କାର ଇନଫ୍ରା ବଣ୍ଡ ମଧ୍ୟ କିଣିଛନ୍ତି । ଅପରପକ୍ଷରେ ମୋଦିଙ୍କ ନାମରେ ଗାନ୍ଧୀନଗରରେ ଯେଉଁ ଘର ରହିଛି ତାହାର ମୂଲ୍ୟ 1 କୋଟି 1 ଲକ୍ଷ ଟଙ୍କା । ମୋଦି କେଉଁଠାରୁ ଋଣ କରିନଥିବାବେଳେ ତାଙ୍କ ପାଖରେ କାର ନାହିଁ । ତେବେ ତାଙ୍କପାଖରେ 4ଟି ସୁନା ମୁଦି ରହିଛି।
ଅପରପକ୍ଷରେ ଅମିତ୍ ଶାହାଙ୍କ ସମ୍ପତ୍ତି ହ୍ରାସ ପାଇଛି । 2020 ବର୍ଷରେ ଜୁନ୍ ମସିହରେ ତାଙ୍କର ମୋଟ୍ ସମ୍ପତ୍ତି 28 ,63 କୋଟି ରହିଛି, ଯେତେବେଳେ ଗତ ଲୋକସଭା ନିର୍ବାଚନ ସମୟରେ ତାଙ୍କ ସମ୍ପତ୍ତି 32.,3 କୋଟି ରହିଥିଲା । ସେହିପରି ଅମିତ୍ ଶାହାଙ୍କ ନିକଟରେ 15 ହଜାର 814 ଟଙ୍କା କ୍ୟାସ୍ ରହିଥିବାବେଳ 1.04 କୋଟିର ବ୍ୟାଙ୍କ ବାଲାନ୍ସ ଓ ଇନ୍ସୋରାନ୍ସ ରହିଛି । ଏହା ସହିତ 13. 47 ଲକ୍ଷର ପେନସନ୍ ପିଲିସି, 2.79 ଲକ୍ଷର ଫିକ୍ସଡ ଡିପୋଜିଟ୍ ସ୍କିମ୍ ଓ 44.47 ଲକ୍ଷର ଜୁଏଲାରୀ ରହିଛି । (ଏଜେନ୍ସି)