Categories
ଆଜିର ଖବର

ମୋଦି ଧନୀ ଲୋକଙ୍କୁ ପଇସା ଦେଉଛନ୍ତି, କଂଗ୍ରେସ ଗରିବ ଲୋକଙ୍କୁ ପଇସା ଦେବ : ରଣଦୀପ ସୁର୍ଜେଓ୍ବାଲା

ରାହୁଲ୍‌ଙ୍କର ସର୍ବନିମ୍ନ ନିଶ୍ଚୟ ଆୟର ଘାେଷଣା କରିବା ପରେ ଏହାକୁ ନେଇ ଆରମ୍ଭ ହୋଇ ରାଜନୈତିକ ବାକ୍‌ବିତଣ୍ଡା। ଏହି ପ୍ରସଙ୍ଗକୁ ନେଇ ଉଭୟ ଉଭୟଙ୍କୁ କଟାକ୍ଷ କରୁଛନ୍ତି। ବିଜେପି ଏମ୍‌ଆଇଜିକୁ ସମାଲୋଚନା କରିଥିବାବେଳେ କଂଗ୍ରେସ ଆଜି ଏହାର ଜବାବ ଦେଇଛି। ମୋଦି ସରକାର ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କୁ ଗରିବ ବିରୋଧୀ ବାେଲି କହିଛି କଂଗ୍ରେସ। କଂଗ୍ରେସର ସର୍ବନିମ୍ନ ନିଶ୍ଚିତ ଆୟ (ଏମ୍‌ଆଇଜି) କୁ ସମାଲୋଚନା କରିବା ପରେ କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେଓ୍ବାଲା ଏହି ମନ୍ତବ୍ୟ ଦେଇଛନ୍ତି। ଏଆଇସିସି ମିଡିଆ ଇନଚାର୍ଜ ରଣଦୀପ  ସୁର୍ଜେଓ୍ବାଲା କହିଛନ୍ତି  ଯେ, ମୋଦି କିଛି ହାତଗଣତି ବ୍ୟବସାୟୀଙ୍କୁ ୩ ଲକ୍ଷ ୫୦ ହଜାର କୋଟିର ଋଣ ଛାଡ କରି ପାରନ୍ତି ମାତ୍ର ଏକ ଗରିବ ପରିବାରକୁ ୭୨୦୦୦ ଟଙ୍କା ତାଙ୍କୁ କଷ୍ଟ ଦେଇଥାଏ। ନିଜର ପ୍ରଚାର ପ୍ରସାର ପାଇଁ ମୋଦି ୫୦୦୦ କୋଟି ଖର୍ଚ୍ଚ କରୁଛନ୍ତି ମାତ୍ର ଏକ ଗରିବ ପରିବାରକୁ ୭୨୦୦୦ ଟଙ୍କାକୁ କାହିଁକି ବିରୋଧ କରୁଛନ୍ତି ବୋଲି ସୁର୍ଜେଓ୍ବାଲା ପ୍ରଶ୍ନ ଉଠାଇଛନ୍ତି। ଏହି ସବୁ ଘଟଣାରୁ ଏହା ସ୍ପଷ୍ଟ ପ୍ରତୀୟମାନ ଯେ, ଗରିବ ବିରାେଧୀ ମନୋଭାବ ମୋଦି ଏବଂ ବିଜେପିର ଡିଏନ୍‌ଏରେ ରହିଛି। ଗରିବ ଲୋକଙ୍କ ନିମନ୍ତେ ଆୟର ପନ୍ଥା ଏମ୍‌ନରେଗା ଯୋଜନାର ବିରାେଧ କରିଥିଲେ ମୋଦି। ଏନ୍‌ଏସ୍‌ଏସ୍‌ଓ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ମୋଦିଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ ଦେଶ ୪ କୋଟି ଚାକିରି ହରାଇଛି। ଜିଏସ୍‌ଟି ଦ୍ବାରା କ୍ଷୁଦ୍ର ବ୍ୟବସାୟ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଛି। ଏହି ସମସ୍ତ ଘଟଣା ମୋଦିଙ୍କୁ ବିଜେପି ବିରୋଧୀ ବୋଲି ପ୍ରମାଣିତ କରୁଛି ବୋଲି ଶ୍ରୀ ସୁର୍ଜେଓ୍ବାଲା ପ୍ରକାଶ କରିଥିଲେ। ଏହାପରେ କଂଗ୍ରେସର ଯୋଜନା ସମ୍ପର୍କରେ ସୁର୍ଜେଓ୍ବାଲା  କହିଥିଲେ – ଦେଶର ୨୦ ପ୍ରତିଶତ ଅତି ଗରିବ ପରିବାରକୁ ପ୍ରତ୍ୟେକ ବର୍ଷ ୭୨,୦୦୦ଟଙ୍କା ଦିଆଯିବ, ଏହି ଅର୍ଥରାଶି ସିଧାସଳଖ ତାଙ୍କ ବ୍ୟାଙ୍କ ଖାତାକୁ ପଠାଯିବ। ସେ ଏହି ଅବସରରେ ମୋଦିଙ୍କକୁ କଟାକ୍ଷ କରି କହିଛନ୍ତି ଯେ, ମୋଦିଜୀ ଦେଶର ସବୁଠୁ ଧନୀ ଲୋକଙ୍କୁ ପଇସା ଦେଉଛନ୍ତି, ତେଣୁ କଂଗ୍ରେସ ଦେଶର ସବୁଠୁ ଗରିବ ଲୋକଙ୍କୁ ପଇସା ଦେବ। ଏହି ଯୋଜନାରେ ପାଞ୍ଚ କୋଟି ପରିବାର ଅର୍ଥାତ୍‌ ୨୫ କୋଟି ଲୋକ ଫାଇଦା ପାଇପାରିବେ ବୋଲି ରାହୁଲ୍‌ କହିଛନ୍ତି। ସ୍ବାଧୀନତାର ୭୦ ବର୍ଷରେ ଗରିବ ଲୋକଙ୍କ ସଂଖ୍ୟା ୭୦ ପ୍ରତିଶତରୁ ୨୨ ପ୍ରତିଶତକୁ ଖସି ଆସିଛି ଏହି ସଂଖ୍ୟାକୁ ଶୂନକୁ ଆଣିବା କଂଗ୍ରେସର ଲକ୍ଷ୍ୟ ବୋଲି ଶ୍ରୀ ସୁର୍ଜେଓ୍ବାଲା ପ୍ରକାଶ କରିଛନ୍ତି।