Categories
ଆଜିର ଖବର ଜାତୀୟ ଖବର

ଷଷ୍ଠ ଥର ପାଇଁ ମହଙ୍ଗା ହେଲା ଏଲ୍‌ପିଜି

ନୂଆଦିଲ୍ଲୀ : ଅଣ ସବ୍‌ସିଡି ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଘଟିଛି । ବୁଧବାର ଦିନ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ବିଗତ 6 ମାସ ମଧ୍ୟରେ ଷଷ୍ଠ ଥର ପାଇଁ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି । ଏହି ସମୟରେ ସବ୍‌ସିଡି ଯୁକ୍ତ ସିଲିଣ୍ଡରର ମୂଲ୍ୟ 556 ଟଙ୍କା ରହିଛି । ଇଣ୍ଡିଆନ୍‌ ଅଏଲ୍‌ ଓ୍ବେବ୍‌ସାଇଟ୍‌ରେ ବିଭିନ୍ନ ରାଜ୍ୟରେ ଗ୍ୟାସ୍‌ ଉପରେ ବର୍ଦ୍ଧିତ ମୂଲ୍ୟ ସମ୍ପର୍କରେ ତଥ୍ୟ ଜାରି କରାଯାଇଛି । ଦିଲ୍ଲୀରେ ଗ୍ୟାସ୍‌ର ମୂଲ୍ୟ ସିଲିଣ୍ଡର ପିଛା 144.50 ଟଙ୍କା ବୃଦ୍ଧି ପାଇ 858.50 ପଇସାରେ ପହଞ୍ଚିଛି । କୋଲକାତାରେ ଗ୍ୟାସ୍‌ ସିଲିଣ୍ଡର ଉପରେ 149 ଟଙ୍କା ବୃଦ୍ଧି ପାଇଥିବା ବେଳେ ମୁମ୍ବାଇ ଏବଂ ଚେନ୍ନାଇରେ ଯଥାକ୍ରମେ 145 ଏବଂ 147 ଟଙ୍କା ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ବୃଦ୍ଧି କାରଣରୁ ଇଣ୍ଡିଆନ୍‌ ଅଏଲ୍‌ ପକ୍ଷରୁ ଗ୍ୟାସ୍‌ ମୂଲ୍ୟ ବୃଦ୍ଧି କରାଯାଇଥିବା ଜଣାପଡିଛି । (ଏଜେନ୍ସି)

Categories
ବିଶେଷ ଖବର ମତାମତ

ଦେଶ ନିର୍ମାଣ ଲାଗି ଦରଦାମ ବଢୁଛି, ବଢୁ- ଆମର କିଛି କହିବାର ନାହିଁ!!

କେଦାର ମିଶ୍ର 

ଭାବିଦେଖନ୍ତୁ, ଯଦି ମନମୋହନ ସିଂ ଆଜି ପ୍ରଧାନମନ୍ତ୍ରୀ ଥା’ନ୍ତେ ଓ ପେଟ୍ରୋଲ ଉପରେ ଟିକସ ଏକାସାଙ୍ଗରେ ୨ ଟଙ୍କା ୫୨ପଇସା ବଢିଥାନ୍ତା, ଆଜି ସାରା ଦେଶ ବନ୍ଦ ଥା’ନ୍ତା। ବିରୋଧୀ ଦଳରେ ଥିବା ବିଜେପି କଂଗ୍ରେସର ନିଦ ହଜେଇ ଦେଇଥାନ୍ତା। ସାରା ଦେଶର ରାଜନୈତିକ ଦଳ ଗୁଡିକ ରାସ୍ତାରେ ହୋ ହଲ୍ଲା କରୁଥାନ୍ତେ। ଟିଭି ଚାନେଲ ଗୁଡିକ ଚିତ୍କାରରେ ଫାଟିପଡୁଥାନ୍ତେ। ହେଲେ ସୌଭାଗ୍ୟକ୍ରମେ, ଆଜି ମନମୋହନ ସିଂଙ୍କ ବଦଳରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଅଛନ୍ତି। ବଜେଟରେ ପେଟ୍ରୋଲ ଓ ଡିଜେଲ ଉପରେ ଅବକାରୀ କର ଓ ସେସ ବାବଦକୁ ୨ ଟଙ୍କା ବଢେଇ ଦିଆଯାଇଛି। ଏଥିରେ ରାଜ୍ୟର କର ମିଶି ପେଟ୍ରୋଲ ଦର ଗତକାଲି ରାତିରୁ ଅଢେଇ ଟଙ୍କା ବଢି ସାରିଛି। ହେଲେ କେଉଁଠି କିଛି ପ୍ରତିବାଦ ନାହିଁ। ଦେଶର ତୈଳ ଓ ପ୍ରାକୃତିକ ଗ୍ୟାସ ବିଭାଗର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆମକୁ ବୁଝେଇଦେଲେ ଦେଶ ନିର୍ମାଣ ଲାଗି ଦରଦାମ ବଢିବା ଦରକାର। ଦରଦାମ ବଢିଲେ ଯାଇ ରାସ୍ତା ଘାଟ ତିଆରି ହେବ, ରେଳପଥ ବିଛାଯିବ, ଯୋଜନା ପରେ ଯୋଜନା ତିଆରି ହେବ। ଭଲ କଥା, ଦରଦାମ ବଢୁ। କଂଗ୍ରେସ ସରକାର ସମୟରେ ଦରଦାମ ବଢିଲେ ଆମକୁ ବାଧୁଥିଲା।ଏବେ ଆମକୁ ବହୁତ ଭଲ ଲାଗୁଛି। କାରଣ ଦେଶ ନିର୍ମାଣ ହେଉଛି। କଂଗ୍ରେସ ସରକାର ସତୁରୀ ବର୍ଷ ଧରି ଆମର କିଛି କରୁନଥିଲେ। ଆମେ କଚ୍ଚା ସଡକରେ ଯିବା ଆସିବା କରୁଥିଲୁ। ଆମର ରେଳପଥ ନଥିଲା। ଏ ଯେଉଁ ଭାରତୀୟ ବିକାଶ, ଏହା ୨୦୧୪ ପରେ ହିଁ ଆରମ୍ଭ ହେଲା! ସତ କହିବାକୁ ଗଲେ, ଭାରତର ଯାହା କିଛି ହୋଇଛି, ତାହା ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେଲା ପରେ ହିଁ ହୋଇଛି!!

ବଜେଟରେ କୁହାଗଲା, ଏହା ଗାଁ, ଗରୀବ ଓ କିଶାନର ବଜେଟ। ଗାଁରେ ଯେଉଁ ଲୋକଟି ପାଣିପମ୍ପରେ ଡିଜେଲ ପୂରେଇବ, ସେ ଲିଟର ପିଛା ଅଧିକ ତଣ୍ଡ ଗଣିବ। ଟ୍ରାକ୍ଟର ଭଡା ମହଙ୍ଗା ହେବ। ଯିବା ଆସିବା ଖର୍ଚ୍ଚ ବଢିବ। ନିଶ୍ଚିତ ଭାବରେ ଆମର ଗାଁରେ ରହୁଥିବା ଗରୀବ ଓ କୃଷକମାନେ ଏବେ ସମ୍ପନ୍ନ ହୋଇଗଲେଣି। ସେମାନଙ୍କୁ ଅଢେଇ ଟଙ୍କାର ଦର ବୃଦ୍ଧି ବାଧିବ ନାହିଁ। ପେଟ୍ରୋଲ ଓ ଡିଜେଲର ଦର ବଢିଲେ, ତାର ପ୍ରଭାବରୁ ବାକି ସବୁର ଦର ବଢିବ। ଅତ୍ୟାବଶ୍ୟକୀୟ  ଜିନିଷଗୁଡ଼ିକର ଦାମ ହୁ ହୁ ହୋଇ ବଢିବ। ଦରଦାମ ବଢିଲେ ମୁଦ୍ରାସ୍ଫୀତି ମଧ୍ୟ ବଢିବ। ମୁଦ୍ରାସ୍ଫୀତି ଅର୍ଥ ବ୍ୟବସ୍ଥାକୁ ଅସନ୍ତୁଳିତ କରିବ।  ଥାଉ,ଏତେ କଥା ଭାବିବ କିଏ?

ତାପରେ ଆଉ ଗୋଟେ ବଡ କଥା ହେଲା, ଏ ସରକାରର ସବୁକିଛିକୁ ସମର୍ଥନ କରିବାକୁ ଆପଣ ବାଧ୍ୟ। ଆପଣ ବଜେଟକୁ ଯଦି ସମର୍ଥନ କରୁନାହାନ୍ତି ତାହେଲେ ଆପଣ ଜଣେ ନକାରାତ୍ମକ ବ୍ୟକ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ତାଙ୍କର ବାରାଣାସୀ ଭାଷଣରେ କହି ସାରିଛନ୍ତି, ଏ ବଜେଟକୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ନକାରାତ୍ମକ ସ୍ଵଭାବର ବ୍ୟକ୍ତି। ଯେତେବେଳେ ଆନ୍ତର୍ଜାତିକ ବଜାରରେ କଞ୍ଚା ତେଲର ମୂଲ୍ୟ ବାରେଲ ପିଛା ଶହେ ଡଲାରରୁ ଅଧିକ ରହୁଥିଲା, ସେତେବେଳେ କଂଗ୍ରେସ ସରକାର ଟଙ୍କାଟେ ଦର ବଢାଇଲେ ବିଜେପି ରାସ୍ତାକୁ ଓହ୍ଲାଇ ପ୍ରଧାନମନ୍ତ୍ରୀଙ୍କ ଚଉଦ ପୁରୁଷ ଉଦ୍ଧାର କରୁଥିଲେ! ସେତେବେଳେ ତାହା ବୋଧେ ସକାରାତ୍ମକ ଥିଲା। ଆଜି ଆମକୁ ପ୍ରବଚନ ଦିଆ ଯାଉଛି, ସରକାର ଯାହା କହୁଛି, ତାକୁ ମୁଣ୍ଡ ପାତି ସ୍ଵୀକାର କରିଯାଅ।

ଏହା ସହିତ ଆମ ରାଜ୍ୟରେ ପେଟ୍ରୋଲ ଦରବୃଦ୍ଧି ବିରୋଧରେ ହୋଇଥିବା ପ୍ରତିବାଦର ଇତିହାସ କଥା ମଧ୍ୟ ମନେ ପକେଇବା। ବିଜୁ ଜନତା ଦଳ ୟୁପିଏ ସରକାର ସମୟରେ ପ୍ରତି ୨୫/୫୦ ପଇସା ଦର ବଢିଲେ ବିଜେଡି ରାସ୍ତାକୁ ଓହ୍ଲାଇ ଆସୁଥିଲା। ଏବେ କିନ୍ତୁ ବିଜେଡି ସଂପୂର୍ଣ୍ଣ ନୀରବ। ବଜେଟକୁ ଗାଁ-ଗରୀବ ଓ କିଶାନ ପାଇଁ ବୋଲି କହି, ସେମାନଙ୍କୁ ବେଇଜ୍ଜତ କରିବାର ଏହା ଏକ ସୁନ୍ଦର ଉପାୟ!