Categories
ଆଜିର ଖବର ରାଜ୍ୟ ଖବର

ପ୍ରବଳ ବର୍ଷିବ, ସାତଟି ଜିଲ୍ଲାକୁ ରେଡ-ୱାର୍ଣ୍ଣିଂ

ଭୁବନେଶ୍ୱର : ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  । ପଶ୍ଚିମ ଓଡ଼ିଶାର ସାତଟି ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେଗୁଡ଼ିକ ହେଲା ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର, ଝାରସୁଗୁଡ଼ା ଓ ଦେବଗଡ଼ ।ଲଘୁଚାପ ପ୍ରଭାବରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଭୂସ୍ଖଳନ, ଅକସ୍ମାତ ବନ୍ୟା, ତଳିଆ ଅଞ୍ଚଳରେ ପାଣି ଜମିଯିବା, କଚ୍ଚା ରାସ୍ତା ଓ ଘର ଭୁଶୁଡ଼ି ପଡ଼ିବା ଭଳି ଦୁର୍ବିପାକର ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ଏହା ବ୍ୟତୀତ ସୋନପୁର, ବୌଦ୍ଧ, ଅନୁଗୁଳ, ସୁନ୍ଦରଗଡ଼ ଓ କେନ୍ଦୁଝର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଏବଂ ମୟୂରଭଞ୍ଜ, ଜଗତସିଂହପୁର, ଯାଜପୁର ଓ ଢେ଼ଙ୍କାନାଳରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର । ଏହା ସହ ଅଶାନ୍ତ ସମୁଦ୍ରକୁ ଯିବାକୁ କେନ୍ଦ୍ର ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି । କେନ୍ଦ୍ରର ସୂଚନା ଅନୁଯାୟୀ ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ପାଗ ମେଘୁଆ ରହିଥିବା ବେଳେ ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଢେ଼ଙ୍କାନାଳ ଆଦି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଯାଇଛି । ଆସନ୍ତା 24 ଘଣ୍ଟା ମଧ୍ୟରେ ଏହି ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଡ଼କୁ ଗତି କରି ଅଧିକ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ । ପ୍ରଭାବରେ ଆଜି ବର୍ଷାର ପରିମାଣ ବଢ଼ିବ ଓ ପଶ୍ଚିମ ଓଡ଼ିଶାର ଉପରୋକ୍ତ ସାତୋଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବ  ।