Categories
ବିଶେଷ ଖବର ରାଜ୍ୟ ଖବର

ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ପୂର୍ବରୁ ରତ୍ନ ଭଣ୍ଡାର ଖୋଲନ୍ତୁ ରାଜ୍ୟ ସରକାର: ସମୀର ମହାନ୍ତି

ଭୁବନେଶ୍ୱର: ଜଗତର ନାଥ ଜଗନ୍ନାଥଙ୍କ ରତ୍ନଭଣ୍ଡାରରେ ଗହଣା କେତେ ଅଛି ତାହା ଓଡ଼ିଶାବାସୀ ଜାଣିବା ଉଚିତ। କିନ୍ତୁ ରାଜ୍ୟ ସରକାର ରତ୍ନ ଭଣ୍ଡାର ଖୋଲିବା ବଦଳରେ ଲେଜର ସ୍କାନିଂ କରିବା କଥା କହିବା ରାଜ୍ୟ ସରକାରଙ୍କ ଯୋଜନାବଦ୍ଧ ଷଡଯନ୍ତ୍ର।ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି।

ସେ କହିଛନ୍ତି ଯେ, ୧୯୫୨ମସିହାରେ ସ୍ୱତନ୍ତ୍ର ଆଇନ କରି ଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ନିଷ୍ପତି ନେଇ ଗଜପତିଙ୍କ ଠାରୁ କ୍ଷମତା ନେଇଗଲେ ରାଜ୍ୟ ସରକାର। ତେଣୁ ରତ୍ନ ଭଣ୍ଡାର ଖୋଲିବା ଦାୟିତ୍ୱ ସମ୍ପୂର୍ଣ୍ଣରୂପେ ରାଜ୍ୟ ସରକାରଙ୍କର। ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଗଜପତିଙ୍କ ସୁପାରିଶକୁ କାହିଁକି କାର୍ଯ୍ୟକାରୀ କରୁ ନାହାନ୍ତି ରାଜ୍ୟ ସରକାର ବୋଲି ଶ୍ରୀ ମହାନ୍ତି ଅବିଯୋଗ କରିଛନ୍ତି।

ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ କଥା ଗଜପତି ମହାରାଜଙ୍କ ମୁହଁରୁ କୁହାଇ ରତ୍ନ ଭଣ୍ଡାର ପ୍ରସଙ୍ଗରୁ ଦୃଷ୍ଟି ହଟାଇବା ରାଜ୍ୟ ସରକାରଙ୍କର ଏକ ଷଡଯନ୍ତ୍ର। ରାଜ୍ୟ ସରକାର ରତ୍ନ ଭଣ୍ଡାର ଖୋଲିବା ବଦଳରେ ଲେଜର ସ୍କାନିଂ କରିବା ଓ ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ କରିବା କହିବାର ଅର୍ଥ ରତ୍ନ ଭଣ୍ଡାର ପ୍ରସଙ୍ଗକୁ ଅଣଦେଖା କରି ହାଇକୋର୍ଟଙ୍କ ନିଦ୍ଦେଶକୁ ଉପେକ୍ଷା କରୁଛନ୍ତି।

ସେ କହିଛନ୍ତି ଯେ, ଦୀର୍ଘ ୪୫ ବର୍ଷ ଧରି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଳାଯାଇନାହିଁ। ୨୦୧୮ ମସିହାରୁ ରାଜ୍ୟ ସରକାର ବିଭିନ୍ନ ସମୟରେ ବିଭିନ୍ନ ଭେଳିକି କରି ରତ୍ନ ଭଣ୍ଡାର ଖୋଲି ନାହାନ୍ତି, ଯାହା ଅଗଣିତ ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ କୁଠାରଘାତ କରିଛନ୍ତି। ଜଗନ୍ନାଥ ଭକ୍ତ ଓ ସାଧାରଣ ଲୋକଙ୍କ ସନ୍ଦେହ ଦୂର କରିବା ପାଇଁ ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ପୂର୍ବରୁ କମିଟି ଗଠନ କରି ରତ୍ନଭଣ୍ଡାର ତୁରନ୍ତ ଖୋଲନ୍ତୁ ରାଜ୍ୟ ସରକାର ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି।