Categories
ବିଶେଷ ଖବର

ସ୍କୁଲ ଛୁଟିକୁ ନେଇ ସଚିବ ଓ ମନ୍ତ୍ରୀଙ୍କ ମଧ୍ୟରେ ତାଳମେଳ ନାହିଁ, ସକାଳେ ମନ୍ତ୍ରୀ କହିଲେ ଛୁଟି ବଢିବନି, ସଂଧ୍ୟାରେ ସଚିବ କହିଲେ ଛୁଟି ହେବ

ସମୀକ୍ଷା ବ୍ୟୁରୋ

ବର୍ତ୍ତମାନ ନୂଆ ମନ୍ତ୍ରୀମାନେ ଆକ୍ସନ ମୁଡରେ ଥିବା ବେଳେ ଗୋଟିଏ ଗୋଟିଏ ସ୍ଥାନରେ ମନ୍ତ୍ରୀଙ୍କ ନିଷ୍ପତି ଫୁସ ହେଇଯାଉଛି। ପୂର୍ବରୁ ଏହିପରି ଘଟଣା ବହୁତ ଘଟିଯାଇଛି। ହେଲେ ଏବେ ନୂଆ ମନ୍ତ୍ରୀମଣ୍ଡଳରେ ନୂଆ ମନ୍ତ୍ରୀଙ୍କ ଅବସ୍ଥା ମଧ୍ୟ ସେହିପରି ହେବାରେ ଆରମ୍ଭ ହେଲାଣି। ଆଜି ଗଣଶିକ୍ଷା ବିଭାଗର ଘଟିଯାଇଥିବା ସ୍କୁଲ ଛୁଟି ଘଟଣା ହେଉଛି ଏହାର ଜ୍ବଳନ୍ତ ଉଦାହରଣ। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସରକାର ଛୁଟି ବଢାଇବେ କି ନାହିଁ, ସେ ନେଇ ସକାଳେ ସାମ୍ବାଦିକମାନେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ପଚାରିଥିଲେ। ମନ୍ତ୍ରୀ ତାଙ୍କର ମନ୍ତ୍ରିଆ ଢଙ୍ଗରେ ରୋକଠୋକ ମନାକରିଦେଲେ ଆଉ ଛୁଟି ବଢିବ ନାହିଁ। 19 ତାରିଖରେ ସ୍କୁଲ ଖୋଲିବ ବୋଲି ପୂର୍ବରୁ ଯେଉଁ ଘୋଷଣା ହୋଇଥିଲା ତାହା ବଳବତ୍ତର ରହିଛି। ଅର୍ଥାତ 19 ତାରିଖରେ ସମସ୍ତ ସ୍କୁଲ ଖୋଲିବ। ହେଲେ ଆଶ୍ଚର୍ଯ୍ୟର କଥା ସଂଧ୍ୟାରେ ସଚିବ ପ୍ରଦୀପ୍ତ ମହାପାତ୍ର କହିଲେ ଯେ, ସ୍କୁଲ ଛୁଟି ବୃଦ୍ଧି କରାଗଲା। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଚାଲୁ ରହିଥିବାରୁ ଏହି ଛୁଟିକୁ ଆସନ୍ତା ଜୁନ 25 ତାରିଖ ପର୍ଯ୍ୟନ୍ତ ବଢାଗଲା। ନୋଟିସ ବି ପ୍ରେସକୁ ଜାରୀ କରାଗଲା।

ଏସବୁ ଘଟଣାକୁ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା। ପ୍ରଶ୍ନ ଉଠୁଛି ଯେ, ଗଣଶିକ୍ଷା ମନ୍ତ୍ରୀ ଏବଂ ସଚିବଙ୍କ ମଧ୍ୟରେ ତାଳମେଳ ରହୁ ନାହିଁ କି? ଯଦି ସଚିବ ଛୁଟି ଘୋଷଣା କରିବାର ଥିଲା ତେବେ ସେ ମନ୍ତ୍ରୀଙ୍କ ପରାମର୍ଶ ନେଇ ଥିଲେ କି ନାହିଁ। ଯଦି ମନ୍ତ୍ରୀଙ୍କ ପରାମର୍ଶ ନେଇ ଥିଲେ ତେବେ ମନ୍ତ୍ରୀ କିପରି ଏହି ଘଟଣାରେ ଅନ୍ଧାରରେ ରହିଲେ। ଏସବୁ ପ୍ରଶ୍ନର ଗୋଟିଏ ଉତ୍ତର ଯେ, ମନ୍ତ୍ରୀ ଓ ସଚିବଙ୍କ ମଧ୍ୟରେ ବୋଧହୁଏ ତାଳମେଳ ରହୁ ନାହିଁ।

କେବଳ ଏହି ଘଟଣା ନୁହେଁ ପୂର୍ବରୁ ଏହିପରି ଅନେକ ଘଟଣା ଘଟିଛି। ଯେତେବେଳେ ସ୍କୁଲ ଓ ଗଣଶିକ୍ଷା ସଚିବ ଅପରାଜିତା ଷଡଙ୍ଗୀ ଥିଲେ ସେତେବେଳେ ମଧ୍ୟ ଏହିପରି ଘଟଣା ଦେଖିବାକୁ ମିଳିଥିଲା। ସେ ସମୟର ଗଣଶିକ୍ଷା ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଅପଦସ୍ତ ହୋଇଥିଲେ। ଅପରାଜିତା ସେତେବେଳେ ସ୍କୁଲ ଶିକ୍ଷୟତ୍ରୀଙ୍କ ଶାଢୀ ଗୋଲାପି ରଂଗର କରିବା ହେଉ କିମ୍ବା ସ୍କୁଲର ମାନ ବୃଦ୍ଧି ପଦକ୍ଷେପ ହେଉ, ସେ ଏକାକି ନିଷ୍ପତି ନେଇ ଯାଉଥିଲେ। ଏ ସଂପର୍କରେ ମନ୍ତ୍ରୀଙ୍କୁ ପଚାରିଲେ ସେ ଜାଣି ନ ଜାଣିବା ପରି ବ୍ୟବହାର ପ୍ରଦର୍ଶନ କରିଥିଲେ। ତାଙ୍କର ଶାରୀରିକ ଢଙ୍ଗରୁ ସ୍ପଷ୍ଟ ହେଉଥିଲା ଯେ, ଏହି ନିଷ୍ପତି ସଂପର୍କରେ ସେ ସଂପୂର୍ଣ୍ଣ ଅଜ୍ଞ ଥିଲେ।

ଅପରାଜିତାଙ୍କ ଏପରି ପଦକ୍ଷେପକୁ ନେଇ ସେତେବେଳେ ପ୍ରତାପ ମୁଖ୍ୟ ସଚିବଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କର ବଦଳି ପାଇଁ ଅନୁରୋଧ କରିଥିଲେ। ହେଲେ ତାହା ଫସର ଫାଟିଯାଇଥିଲା। ସେ ସମୟରେ ଅବଶ୍ୟ ଅପରାଜିତାଙ୍କ ପଦକ୍ଷେପକୁ ବହୁ ସମର୍ଥନ ମିଳିଥିଲା। ହେଲେ ମନ୍ତ୍ରୀଙ୍କ ଅବସ୍ଥାରେ ପରିବର୍ତ୍ତନ ହୋଇ ନ ଥିଲା। ବର୍ତ୍ତମାନ ପ୍ରତାପଙ୍କ ପରି ସମୀର ମଧ୍ୟ ଜଣେ ବେଶ୍ ଟାଣୁଆ ନେତା। ହେଲେ ସେ ଘରେ ପଶୁ ପଶୁ ତାଙ୍କର ଏପରି ଅବସ୍ଥା ଯେତେବେଳେ ହେଲାଣି, ଆଗକୁ ଆହୁରି କଣ ହେବ ତାହା ଜଳଜଳ କରି ଦେଖାଯାଉଛି।

Categories
ଆଜିର ଖବର

ଦକ୍ଷିଣ ଭାରତରେ ବିରୋଧ ପରେ ଶିକ୍ଷାନୀତି-୨୦୧୯ରେ ପରିବର୍ତ୍ତନ ଆଣିଲେ କେନ୍ଦ୍ର ସରକାର

ହିନ୍ଦି ଭାଷାକୁ ଦେଶର ସବୁଆଡେ ପ୍ରଚଳିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ଧକ୍କା ପହଞ୍ଚିଛି। ସରକାରଙ୍କ ନୂତନ ନିୟମ ଅନୁଯାୟୀ ଛାତ୍ରଛାତ୍ରୀ ମାନେ ଶିକ୍ଷା କରୁଥିବା ତିନି ଭାଷା ମଧ୍ୟରେ ହିନ୍ଦି ଏବଂ ଇଂରାଜୀକୁ ବାଧ୍ୟତାମୂଳକ କରିଥିଲେ। ମାତ୍ର ସମସ୍ତ ଦକ୍ଷିଣ ଭାରତୀୟ ରାଜ୍ୟରେ ଏହାକୁ ଦୃଢ ବିରୋଧ ପ୍ରଦର୍ଶନ କରାଯିବା ପରେ ସରକାର ଏହି ନିୟମରେ ପରିବର୍ତ୍ତନ କରିଛନ୍ତି। କିଛି ରାଜନୈତିକ ନେତୃବୃନ୍ଦ ମଧ୍ୟ ଏହାକୁ ବିରୋଧ ପ୍ରଦର୍ଶନ କରିବା ପରେ ଏହି ନିୟମରେ ସାମାନ୍ୟ ସଂଶୋଧନ କରିଛନ୍ତି ସରକାର। ପ୍ରାରମ୍ଭିକ ଭାବରେ ହିନ୍ଦି ଏବଂ ଇଂରାଜୀକୁ ବାଧ୍ୟତାମୂଳକ ବୋଲି ଘୋଷଣା କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହାକୁ ଛାତ୍ରଛାତ୍ରୀଙ୍କ ଇଚ୍ଛାଧୀନ ବିଷୟ ଭାବରେ ରଖିଛନ୍ତି। ଇଚ୍ଛାଧୀନ ରହିଥିବା ତିନି ଭାଷାକୁ ଛାତ୍ରଛାତ୍ରୀ କୌଣସି ସମୟରେ ମଧ୍ୟ ବଦଳାଇ ପାରିବେ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଦକ୍ଷିଣ ଭାରତରେ କେନ୍ଦ୍ର ସରକାରଙ୍କ ନେତା ନିର୍ମଳା ସୀତାରମଣ, ଏସ୍‌ ଜୟଶଙ୍କରଙ୍କ ବ୍ୟତିତ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ବାମୀ, ପୂର୍ବତନ ଅର୍ଥ ମନ୍ତ୍ରୀ ପି ଚିଦାମ୍ବରମ୍‌ ଏବଂ ଏମ୍‌ କେ ଷ୍ଟାଲିନ୍‌ ମଧ୍ୟ ଏହି ବ୍ୟବସ୍ଥାକୁ ନାପସନ୍ଦ କରିଥିଲେ।

Categories
ଆଜିର ଖବର

ଏପ୍ରିଲ୍‌ ୧୮ରୁ ଖରାଛୁଟି, ଗ୍ରୀଷ୍ମ ପ୍ରବାହକୁ ଲକ୍ଷ୍ୟ କରି ଆଗୁଆ ଛୁଟି ଘୋଷଣା

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ଆଗୁଆ ଖରା ଛୁଟି ଘୋଷଣା କଲେ ରାଜ୍ୟ ସରକାର। ସ୍ବତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠୀ ଏ ବିଷୟରେ ସୂଚନା ଦେଇଛନ୍ତି। ପୂର୍ବରୁ ମେ ୬ ତାରିଖର ହେବ ବୋଲି ସୂଚନା ରହିଥିଲା। ତେବେ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।  ଆସନ୍ତା ୧୮ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ। କେବେ ସ୍କୁଲ ଖୋଲିବ ସେ​‌ ନେଇ​‌ କୌଣସି ସୂଚନା ଦିଆଯାଇ ନାହିଁ। ଅସହ୍ୟ ତାତିରେ ସିଝୁଛି ସାରା ଓଡ଼ିଶା। ପ୍ରଚଣ୍ଡ ଖରାରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ। ରାଜ୍ୟରେ ଉପରମୁହାଁ ହେଲାଣି ପାରା। ପ୍ରାୟ ଜିଲ୍ଲାରେ ୪୦ ଡିଗ୍ରୀ ତଥା ତା’ ଉପରେ ତାପମାତ୍ରାର ରେକର୍ଡ କରାଯାଉଛି।