101 ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରାଯିବ : ନବୀନ

Published: Jan 29, 2020, 8:07 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ରାଜ୍ୟର 30ଟି ଜିଲ୍ଲାର 101 ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରାଯିବ । ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି 101 ସ୍କୁଲକୁ ବିକଶିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପ୍ରଥମ ଶ୍ରେଣୀରୁ ଇଂରାଜୀ ମିଡିୟମ୍‌ ଶିକ୍ଷା ବ୍ୟବସ୍ଥା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଭିତ୍ତିଭୂମିର ବିକାଶ ନିମନ୍ତେ ଏହି ବିଦ୍ୟାଳୟ ଗୁଡିକୁ 25 ଲକ୍ଷର ଅନୁଦାନ ପ୍ରଦାନ କରାଯିବ । ରାଜ୍ୟର ସମସ୍ତ ବିଦ୍ୟାଳୟରେ ସ୍ପୋକନ୍‌ ଇଂଲିଶ ଶିକ୍ଷା ଦିଆଯିବ । ସରକାରୀ ସ୍କୁଲ ଗୁଡିକର ଶିକ୍ଷାଦାନ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି । 20ରୁ କମ୍‌ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡିକୁ ନିକଟସ୍ଥ ବିଦ୍ୟାଳୟରେ ମିଶାଇବା ସହିତ ପିଲାଙ୍କୁ ଉକ୍ତ ବିଦ୍ୟାଳୟରେ ଭର୍ତ୍ତି କରାଯିବ । 1/2/3 କିମି ପରିସର ମଧ୍ୟରେ ରହିଥିବା ବିଦ୍ୟାଳୟ ଗୁଡିକୁ ମଧ୍ୟ ମିଶାଇ ଦିଆଯିବ ।

ଏହି ମିଶ୍ରଣ ଦ୍ବାରା ଶିକ୍ଷକ ଅଭାବଜନିତ ସମସ୍ୟା ଦୂର ହେବ ବୋଲି କୁହାଯାଇଛି । ସେହିପରି ସ୍କୁଲ ଦୂରସ୍ଥାନକୁ ଯାଉଥିଲେ ସରକାରଙ୍କ ପକ୍ଷରୁ ମାସିକ ସର୍ବାଧିକ 5 ହଜାର ଟଙ୍କା ଯିବା ଆସିବା ଖର୍ଚ୍ଚ ପ୍ରଦାନ କରାଯିବ । ସରକାରୀ ବିଦ୍ୟାଳୟ ନିକଟରେ ଅବସ୍ଥାପିତ ବ୍ଲକ୍‌ ଗ୍ରାଣ୍ଟ ସ୍କୁଲ ଗୁଡିକୁ ବନ୍ଦ କରି ନିକଟସ୍ଥ ବିଦ୍ୟାଳୟରେ ମିଶାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ସ୍କୁଲ ଏବଂ ଗଣଶିକ୍ଷା ବିଭାଗରେ ମୋ ସରକାର କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯିବ । ଅଭିଭାବକଙ୍କ ଫୋନ୍‌ ନମ୍ବକରକୁ ଡିଜିଟାଇଜ୍‌ଡ କରାଯିବ । 5ଟି କାର୍ଯ୍ୟକ୍ରମ ଅନୁଯାୟୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍‌ ଅନ୍‌ଲାଇନ୍‌ରେ ପ୍ରଦାନ କରାଯିବ ।

Related posts