Categories
ଆଜିର ଖବର

ଏୟାର ଇଣ୍ଡିଆ ସର୍ଭର ଡାଉନ୍‌ : ଯାତ୍ରୀ ହନ୍ତସନ୍ତ

ଏୟାର ଇଣ୍ଡିଆର ସର୍ଭର ଶନିବାର ଭୋର ସକାଳୁ ଡାଉନ ହୋଇଯାଇଛି। ଏହି କାରଣରୁ ଦେଶର ହଜାର ହଜାର ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର (ଆଇଜିଆଇଏ)ରେ ମଧ୍ୟ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି। ରିପୋର୍ଟ ଅନୁସାରେ ଆଜି ଭୋର ୩.୩୦ ଟାରୁ ଏୟାର ଇଣ୍ଡିଆର ସର୍ଭର ଡାଉନ ହୋଇଯାଇଥିଲା। ସର୍ଭର ଡାଉନ ହେବା କାରଣରୁ ଯାତ୍ରୀମାନଙ୍କ ବୋର୍ଡିଂ ପାସ୍‌ ମିଳିପାରୁ ନାହିଁ। ଏହି କାରଣରୁ ଯାତ୍ରୀମାନେ ଦିଲ୍ଲୀ ଏବଂ ମୁମ୍ବାଇ ବିମାନବନ୍ଦରରେ ହୋହଲ୍ଲା କରିଛନ୍ତି। କିଛି ସମୟ ମଧ୍ୟରେ ସ୍ଥିତିରେ ସୁଧାର ଆସିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଯାତ୍ରୀଙ୍କ ଅସୁବିଧା ପାଇଁ ଆମେ ଦୁଃଖିତ ବୋଲି ସେ କହିଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ ଉଡାଣ ଆରମ୍ଭ ହୋଇପାରି ନାହିଁ। ଏୟାର ଇଣ୍ଡିଆର ଅଧ୍ୟକ୍ଷ ଅଶ୍ଵନୀ ଲୋହାନୀ କହିଛନ୍ତି ଯେ, ଏସଆଇଟିଏ ସର୍ଭର ପୂରା ଭାରତ ସମେତ ବିଦେଶରେ ଶନିବାର ଭୋର ୩.୩୦ରୁ ଡାଉନ ରହିଛି। ଏହି କାରଣରୁ ବିମାନ ଉଡ଼ାଣ ବାଧାପ୍ରାପ୍ତ ହୋଇଛି। ଆମ ବୈଷୟିକ ଟିମ୍‌ ଏହାର ମରାମତି ପାଇଁ କାର୍ଯ୍ୟ କରୁଛନ୍ତି। ଖୁବ୍‌ଶୀଘ୍ର ସିଷ୍ଟମ ଠିକ୍‌ ହୋଇଯିବ। ଅସୁବିଧା ପାଇଁ ଦୁଃଖିତ।