Categories
ଆଜିର ଖବର

ସର୍ଭିସେସ୍‌କୁ ଇନିଂସ ଓ 31 ରନ୍‌ରେ ପରାସ୍ତ କରି ପଏଣ୍ଟ ଟେବୁଲ ଶୀର୍ଷରେ ଓଡିଶା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର, 20/12 : ରଣଜୀ ଟ୍ରଫିରେ ଓଡିଶା ନିଜର ଭଲ ପ୍ରଦର୍ଶନ ଜାରି ରଖିଛି । କ୍ରମାଗତ ଦ୍ବିତୀୟ ମ୍ୟାଚ୍‌ରେ ଇନିଂସ ବିଜୟ ସହିତ ଓଡିଶା ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ପହଞ୍ଚିଛି । ସର୍ଭିସେସ ବିପକ୍ଷ ଦ୍ବିତୀୟ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ସର୍ଭିସେସ 271 ରନ୍‌ ସଂଗ୍ରହ କରିଥିବା ବେଳେ ଓଡିଶା 540 ରନ ସଂଗ୍ରହ କରିଥିଲା । ପ୍ରଥମ ଇନିଂସରେ ବସନ୍ତ ମହାନ୍ତି 69 ରନ୍‌ ବିନିମୟରେ 6 ଓ୍ବିକେଟ ଅକ୍ତିଆର କରିଥିଲେ । ଜବାବରେ ଓଡିଶା ପକ୍ଷରୁ ଦେବାଶିଷ ସାମନ୍ତରାୟ (195) ଏବଂ ବିପ୍ଲବ ସାମନ୍ତରାୟ(73) ରନ୍‌ ସଂଗ୍ରହ କରିବାରୁ ଓଡିଶା 540 ରନ୍‌ ସଂଗ୍ରହ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ଦେବବ୍ରତ ପ୍ରଧାନ 57 ରନ୍‌ ସଂଗ୍ରହ କରିଥିବା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନ 28 ବଲ୍‌ରୁ 64 ରନ୍‌ ସଂଗ୍ରହ କରିଥିଲେ । ଦ୍ବିତୀୟ ଇନିଂସରେ ସର୍ଭିସେସ୍‌ର ବ୍ୟାଟିଂ ମଧ୍ୟ କ୍ଲିକ୍‌ କରିନଥିଲା । ଦଳ ମାତ୍ର 238 ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା । ବିକାଶ ହାଥିଓ୍ବାଲା 71 ରନ୍‌ ସଂଗ୍ରହ କରିଥିଲେ । ଓଡିଶା ପକ୍ଷରୁ ରାଜେଶ ମହାନ୍ତି ଏବଂ ଅଭିଷେକ ରାଉତ ପ୍ରତ୍ୟେକ ତିନୋଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ଦେବାଶିଷ ସାମନ୍ତରାୟଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।