Categories
ଆଜିର ଖବର

‘ଶକ୍ତି ମିଶନ’ ପାଇଁ ବୈଜ୍ଞାନିକଙ୍କୁ ସାବାସୀ ଦେଲେ ରାହୁଲ୍‌ କିନ୍ତୁ  ମୋଦିଙ୍କୁ ଜଣାଇଲେ ‘ବିଶ୍ବ ଥିଏଟର ଦିବସ’ର ଶୁଭେଚ୍ଛା

ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିତ କରି ଭାରତର ମହକାଶରେ ମିଶନ ଶକ୍ତିର ଅପାର ସଫଳତା ବିଷୟରେ ବାର୍ତ୍ତା ଦେବା ପରେ ଏହାକୁ ନେଇ ଏବେ ରାଜନୀତି ସୃଷ୍ଟି ହୋଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଏହାକୁ ନେଇ ଟୁଇଟ୍‌ କରିଛନ୍ତି। ଭାରତର ଏହି ସଫଳତାରେ ଡିଆରଡିଓକୁ ସାବାସୀ ପ୍ରଦାନ କରିଥିବାବେଳେ ନରେନ୍ଦ୍ର ମୋଦିଙ୍କୁ ‘ବିଶ୍ବ ଥିଏଟର ଦିବସ’ର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି  କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌। ମୋଦି ଆଜି ଦେଶବାସୀଙ୍କୁ ସନ୍ଦେଶ ଦେବାର ଟୁଇଟ୍‌ କରିବା ପରେ ଏହାକୁ ନେଇ ଅନେକ କିଛି ଅନୁମାନ କରାଯାଉଥିଲା। ଯେତେବେଳେ ପ୍ରଧାନମନ୍ତ୍ରୀ ଏପରି କିଛି ସନ୍ଦେଶ ଦେବାର ବାର୍ତ୍ତା ଦେଇଥା’ନ୍ତି, ସେତେବେଳେ କିଛି ବଡ଼ ଧରଣର ସୂଚନା ମିଳିଥାଏ। ତେବେ ନିର୍ବାଚନ ଆଉ କିଛି ଦିନ ରହିଥିବାରୁ ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ଏହି ସନ୍ଦେଶରେ କିଛି ରାଜନୈତିକ ଘୋଷଣା ଥାଇପାରେ ବୋଲି ଅନୁମାନ ଲଗାଯାଉଥିଲା। କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆପ୍‌ ପାର୍ଟିର ନେତା ସଂଜୟ ସିଂହ କହିଛନ୍ତି ଯେ, ଏପରି ସୂଚନା ବା ଘୋଷଣା ଇସ୍ରୋ, ଡିଆରଡିଓ ତରଫରୁ ହେବା କଥା, କିନ୍ତୁ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ଏହାର ଘୋଷଣା କରାଇଛନ୍ତି। ସେହିପରି ସପାର ଅଧ୍ୟକ୍ଷ ଅଖିଳେଶ ମଧ୍ୟ ଡିଆରଡିଓକୁ ବଧେଇ ଜଣାଇବା ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଛନ୍ତି।