Categories
ଆଜିର ଖବର ଖେଳ

21 ବର୍ଷର ରେକର୍ଡ ଭାଙ୍ଗିଲେ ଉନାଦକତ୍‌ : ରଣଜୀ ଫାଇନାଲ୍‌ରେ ସୌରାଷ୍ଟ୍ର

ରାଜକୋଟ : ଗୁଜରାଟକୁ 92 ରନ୍‌ରେ ପରାସ୍ତ କରି ରଣଜୀ ଟ୍ରଫି ଫାଇନାଲ୍‌ରେ ପ୍ରବେଶ କରିଛି ସୌରାଷ୍ଟ୍ର । ଏହି ମ୍ୟାଚ୍‌ରେ ସୌରାଷ୍ଟ୍ର ଅଧିନାୟକ ଜୟଦେବ ଉନାଦକତ୍‌ 7 ଓ୍ବିକେଟ୍‌ ଅକ୍ତିଆର କରିବା ସହିତ 21 ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି । ଚଳିତ ସିଜିନ୍‌ରେ ଉନାଦକତ୍‌ 65 ଓ୍ବିକେଟ ଅକ୍ତିଆର କରି 1998-99 ମସିହାରେ ଡୋଡା ଗଣେଷଙ୍କ 62 ଓ୍ବିକେଟ ରେକର୍ଡକୁ ଭାଙ୍ଗିଛନ୍ତି । ଏହି ମ୍ୟାଚ୍‌ରେ ସୌରାଷ୍ଟ୍ର ପ୍ରଥମେ ବ୍ୟାଟିଂ କରି 304 ରନ୍‌ କରିଥିବା ବେଳେ ଗୁଜରାଟ 252 ରନ୍‌ରେ ଅଲ୍‌ଆଉଟ ହୋଇଥିଲା । ଜବାବରେ ସୌରାଷ୍ଟ୍ର 66 ରନ୍‌ରେ 5 ଓ୍ବିକେଟ୍‌ ହରାଇଥିବା ବେଳେ ଅର୍ପିତ ବାସବଦାଙ୍କ 139 ରନ୍‌ ବଳରେ ସୌରାଷ୍ଟ୍ର 274 ରନ୍‌ ସଂଗ୍ରହ କରିଥିଲା । ଜବାବରେ ଗୁଜରାଟ ମଧ୍ୟ 63 ରନ୍‌ରେ 5 ଓ୍ବିକେଟ୍‌ ହରାଇଥିଲେ । ଅଧିନାୟକ ପାର୍ଥିବ ପଟେଲ(93) ଏବଂ ଚିରାଗ ଗାନ୍ଧୀ(96)ଙ୍କ ମଧ୍ୟରେ 137 ରନ୍‌ର ଭାଗିଦାରୀ ହୋଇଥିଲା । ମାତ୍ର ଉନାଦ୍‌କତ୍‌ ଦୁଇ ଓଭର ମଧ୍ୟରେ ଦୁଇ ଜଣଙ୍କୁ ଆଉଟ୍‌ କରି ସୌରାଷ୍ଟ୍ରକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲେ । ଅର୍ପିତ ବାସବଦାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା 9 ତାରିଖରେ ବେଙ୍ଗଲ ଏବଂ ସୌରାଷ୍ଟ୍ର ମଧ୍ୟରେ ଫାଇନାଲ୍‌ ଖେଳାଯିବ । (ଏଜେନ୍ସି)