Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କରୋନାରେ ଆକ୍ରାନ୍ତ ହେଲେ ପାକିସ୍ତାନର ରେଳ ମନ୍ତ୍ରୀ

ଲାହୋର୍‌ : ପାକିସ୍ତାନର ରେଳ ମନ୍ତ୍ରୀ ଶେଖ୍‌ ରସିଦ୍‌ ଅହମ୍ମଦ କରୋନାରେ ସଂକ୍ରମିତ ହୋଇଛନ୍ତି ।  ରେଳ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ବୟାନରୁ ଜଣାଯାଇଛି ଯେ, ରେଳ ମନ୍ତ୍ରୀ ଶେଖ ରସିଦ୍‌ ଅହମ୍ମଦଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି । ଲକ୍ଷଣ ନଥିବାବେଳେ ରିପୋର୍ଟ ଆସିବା ପରେ ଦୁଇ ସପ୍ତାହ ପାଇଁ ଆଇସୋଲେସନ୍‌ରେ ରହିଛନ୍ତି ରେଳ ମନ୍ତ୍ରୀ ।

ସେହିପରି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଏମଏଲ-ଏନ ନେତା ସହିଦ ଖକ୍କାନ ଆବ୍ବାସି ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ସୋମବାର ତାଙ୍କ ରିପୋର୍ଟ ପଜିଟିଭ୍ ଥିବା ଜଣାପଡ଼ିଛି। ତାଙ୍କ ପରିବାର ସୂତ୍ର ଅନୁଯାୟୀ ପୂର୍ବତନ ପ୍ରଧାନମନ୍ତ୍ରୀ ରବିବାର ସଂକ୍ରମିତ ହୋଇଥିଲେ ଏବଂ ସୋମବାର ତାଙ୍କ ରିପୋର୍ଟ ଆସିଥିଲା। ସୂଚନାନୁସାରେ, ବର୍ତ୍ତମାନ ସେ ହୋମ୍ ଆସୋଲେସନରେ ଅଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷ ପାର କରିଥିବାବେଳେ ମୃତ୍ୟୁ ସଂଖ୍ୟା 2000 ପାର୍‌ କରିଛି । ଏକ ଲକ୍ଷ ପାର କରିଥିବା ସଂକ୍ରମିତ ଦେଶଙ୍କ ମଧ୍ୟରେ ପାକିସ୍ତାନ ଏବେ 16ତମ ସ୍ଥାନରେ ରହିଛି । ପାକିସ୍ତାନରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 1 ଲକ୍ଷ 1 ହଜାର 173 ରହିଛି । ପାକିସ୍ତାନରେ କରୋନା ଯୋଗୁଁ ପ୍ରାନ୍ତୀୟ ମନ୍ତ୍ରୀ ସମେତ ଚାରି ସାଂସଦଙ୍କ ମୃତ୍ୟୁ ହୋଇଛି । (ଏଜେନ୍ସି)