Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଶ୍ଵ ସ୍ତରୀୟ ହେବ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର, ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ ଡକ୍ଟର ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରକୁ ବିଶ୍ବସ୍ତରୀୟ ଲାଇବ୍ରେରୀରେ ପରିଣତ କରିବାକୁ ଆଜି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ଖଣି ନିଗମ (ଓଏମସି)ର ମିଳିତ ଆନୁକୁଲ୍ୟରେ ଗ୍ରନ୍ଥାଳୟକୁ ରୂପାନ୍ତରିକରଣ କରିବା ପାଇଁ ଓଡ଼ିଶା ସରକାର ଏହି ପ୍ରୟାସ ଆରମ୍ଭ କରିଛନ୍ତି । ଏଥିସହ ଭୁବନେଶ୍ବରର ବାପୁଜୀନଗର ଠାରେ ଅବସ୍ଥିତ ଇଣ୍ଟିଗ୍ରେଟେଡ୍ ପବ୍ଲିକ୍ ସର୍ଭିସ ସେଣ୍ଟର (ଆଇପିଏସସି)ରେ ସନ୍ଥକବି ଭୀମଭୋଇଙ୍କ ନାମରେ ଏକ ପାଠାଗାରକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ସହ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ସହିତ ରାଜ୍ୟରେ ଗ୍ରନ୍ଥାଗାର ଅଭିଯାନ ଆରମ୍ଭ ହେଲା। ରାଜ୍ୟର ସବୁ ସ୍ଥାନରେ, ଭୁବନେଶ୍ଵର ର ପ୍ରତ୍ୟେକ ଜୋନରେ ଗ୍ରନ୍ଥାଗାର ପ୍ରତିଷ୍ଠା କରାଯିବ। ସୂଚନା ଯୋଗ୍ୟ ଯେ ରାଜ୍ୟର ପ୍ରତ୍ୟେକ ସ୍ଥାନରେ ଗ୍ରନ୍ଥାଗାର ପ୍ରତିଷ୍ଠା କରିବା ପାଇଁ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମଳନୀରେ ପ୍ରସ୍ତାବ ଦିଆ ଯାଇଥିଲା।

ସାରସ୍ୱତ ସମୃଦ୍ଧି ପାଇଁ ଓଡିଶାର ପ୍ରତିବଦ୍ଧତାର ପ୍ରତୀକ ଭାବରେ ପରିଚିତ ଡକ୍ଟର ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଳୟ ୧୯୫୯ ମସିହାରେ ଭାରତ ସରକାରଙ୍କ ଦ୍ୱାରା ପ୍ରଥମ ପଞ୍ଚବାର୍ଷିକ ଯୋଜନା ସମୟରେ କର୍ଯ୍ୟକ୍ଷମ ହୋଇଥିଲା।

ବର୍ଷ ବର୍ଷ ଧରି ଏହା ଛାତ୍ରଛାତ୍ରୀ, ସର୍ବସାଧାରଣ ଏବଂ ସମାଜର ପ୍ରତ୍ୟେକ ବର୍ଗଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଜ୍ଞାନକେନ୍ଦ୍ର ଭାବେ ଏହା ବ୍ୟବହୃତ ହୋଇଆସୁଛି।

ଓଡ଼ିଶାର ସାହିତ୍ୟିକ ଏବଂ ସାଂସ୍କୃତିକ ଐତିହ୍ୟ ପାଇଁ ଜଣାଶୁଣା ଏହି ଗ୍ରନ୍ଥାଗାରର ଉପଲବ୍ଧତା ଏବଂ ଯୁବଗୋଷ୍ଠୀକୁ ପୁସ୍ତକ ପଠନ ପାଇଁ ଅଧିକ ପ୍ରେରଣା ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଏହି ବ୍ୟାପକ ନବୀକରଣ ପ୍ରକଳ୍ପକୁ ହାତକୁ ନେଇଛନ୍ତି ।

ଅତ୍ୟାଧୁନିକ ଭିତ୍ତିଭୂମି ଜରିଆରେ ଏହି ଗ୍ରନ୍ଥାଳୟର ବିକାଶ କରି ଏହାକୁ ଆନ୍ତର୍ଜାତୀୟ ମାନଦଣ୍ଡରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏଠାରେ ଏକ ଆହାର କେନ୍ଦ୍ର ଏବଂ ମିଶନ ଶକ୍ତି କାଫେର ମଧ୍ୟ ଖୋଲିବ। ଏପରିକି ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି।

ନୂତନ ଭାବରେ ପରିକଳ୍ପନା କରାଯାଇଥିବା ଏହି ଲାଇବ୍ରେରୀରେ ଥିବା ସମସ୍ତ ପୁସ୍ତକଗୁଡ଼ିକର ଡିଜିଟାଇଜେସନ୍ ପାଇଁ ମଧ୍ୟ ଯୋଜନା ରହିଛି ଯାହାଦ୍ଵାରା ଜଣେ ଯେକୌଣସି ସମୟରେ ନିଜ ମୋବାଇଲ ମାଧ୍ୟମରେ ଏଠାରେ ଥିବା ବହି ଗୁଡିକୁ ପଢିପାରିବ। ଏଥି ସହିତ ପ୍ରାୟ ୫୦୦ ଛାତ୍ରଛାତ୍ରୀ ଦୈନିକ ଉପସ୍ଥିତ ରହି ପୁସ୍ତକ ଅଧ୍ୟୟନ କରିବାର ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି।

ଏଥିସହ ଲାଇବ୍ରେରୀ ସେବାଗୁଡିକର ଉପଲବ୍ଧତା ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଓଡ଼ିଶା ଖଣି ନିଗମ ଦ୍ଵାରା ରାଜଧାନୀର ବାପୁଜୀନଗରରେ ଥିବା ସନ୍ଥକବି ଭୀମଭୋଇ ପାଠାଗାର ପ୍ରତିଷ୍ଠା କରାଯାଇଛି। ଏହାକୁ ଆଜି ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ସହ ସର୍ବସାଧାରଣ ମାନଙ୍କ ନିମନ୍ତେ ଉତ୍ସଗ କରିଛନ୍ତି। ପରିଦର୍ଶକଙ୍କ ବିଭିନ୍ନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅତ୍ୟାଧୁନିକ ସୁବିଧା ସହିତ ଏକ ଆହାର କେନ୍ଦ୍ର ନିର୍ମାଣ କରାଯାଇଛି।

ବର୍ତ୍ତମାନ ଏହି ପାଠାଗାରରେ ଦୈନିକ ପ୍ରାୟ ୨୦୦ ଟି ଆସନର ବ୍ୟବସ୍ଥା ରହିଛି, ଯେଉଁଠି ଜନସାଧାରଣ ସୁବିଧାରେ ବସି ଅଧ୍ୟୟନ କରିପାରିବେ। ସେହିଭଳି ଭୁବନେଶ୍ବର ମହାନଗର ନିଗମର ୬ଟି ଜୋନରେ ଅତ୍ୟାଧୁନିକ ପାଠାଗାର ଓ ପଠନ ଗୃହ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଏହାଦ୍ବାରା ପାଠାଗାରକୁ ନେଇ ଜନ ଆନ୍ଦୋଳନ ସୃଷ୍ଟି କରିବା ନିମନ୍ତେ ସରକାରଙ୍କ ଲକ୍ଷ୍ୟ ହାସଲ ହୋଇପାରିବ। ଅଧିକ ସଂଖ୍ୟାରେ ଜନସାଧାରଣ ବିଶେଷ କରି ଯୁବବର୍ଗ ଏବଂ ଛୋଟ ପିଲା ମାନଙ୍କୁ ଆକୃଷ୍ଟ କରିବା ପାଇଁ ଏଠାରେ ସମସ୍ତ ବ୍ୟବସ୍ଥା କରାଯିବ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଓ ଶ୍ରୀ ସୁଶାନ୍ତ ରାଉତ ବିଭାଗୀୟ ଶାସନ ସଚିବ ସୁଜାତା କାର୍ତ୍ତିକେୟ ଓ ନିର୍ଦେଶକ ଶ୍ରୀ ଦିଲୀପ ରାଉତରାୟ ପ୍ରମୂଖ ଉପସ୍ଥିତ ଥିଲେ

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ରାଜ୍ୟ ଗ୍ରନ୍ଥାଗାରକୁ ହଜାରେ ପ୍ରାଚୀନ ଓଡ଼ିଆ ପୁସ୍ତକ ଦାନ କଲେ ଗୁରୁଜୀ ଡ.ଚନ୍ଦ୍ରଭାନୁ ଶତପଥୀ

ଭୁବନେଶ୍ୱର: ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ତଥା ଜନସେବା କ୍ଷେତ୍ରରେ ସୁଖ୍ୟାତି ଅର୍ଜନ କରିଥିବା ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ପ୍ରାୟ ଏକ ହଜାର ବିରଳ ଓ ଦୁର୍ଲଭ ପ୍ରାଚୀନ ଓଡ଼ିଆ ପୁସ୍ତକ ଓ ପତ୍ରପତ୍ରିକାକୁ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରକୁ ପ୍ରଦାନ କରିଛନ୍ତି।

ଏହି ପୁସ୍ତକଗୁଡ଼ିକ ମଧ୍ୟରେ ଓଡ଼ିଆ ଭାଷାରେ ଲିଖିତ ପ୍ରଥମ ବ୍ୟାକରଣ, ପ୍ରଥମ ଉପନ୍ୟାସ ଓ ପ୍ରାଚୀନ ଓଡ଼ିଆ ପତ୍ରପତ୍ରିକା ରହିଛି। ଅନେକ ପୁସ୍ତକ ଶତାୟୁ ହୋଇଥିବାବେଳେ କିଛି ଅର୍ଦ୍ଧଶତାବ୍ଦୀରୁ ପୁରୁଣା। ଏହି ବିରଳ ଗ୍ରନ୍ଥଗୁଡ଼ିକୁ ରାଜ୍ୟ ଗ୍ରନ୍ଥାଗାରର ଏକ ସ୍ୱତନ୍ତ୍ର କୋଠରୀରେ ସଂରକ୍ଷିତ କରି ରଖାଯାଇଛି।

ଏହି ଅବସରରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଗୁରୁଜୀ ଡ. ଚନ୍ଦ୍ରଭାନୀ ଶତପଥୀ ଏହି ପୁସ୍ତକଗୁଡ଼ିକୁ ପାଠକପାଠିକାମାନଙ୍କ ଉଦ୍ଦେଶ୍ୟରେ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିଛନ୍ତି। ଏହି ପୁସ୍ତକଗୁଡିକରେ ପ୍ରାଚୀନ ଓଡ଼ିଶାର ସାହିତ୍ୟ, ଇତିହାସ, ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ସଂପର୍କରେ ଅନେକ ଉପାଦେୟ ତଥ୍ୟ ରହିଛି।

ଏଥି ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷଠାରୁ ଆରମ୍ଭ କରି ମୟୂରଭଞ୍ଜର ରାଜାମହାରାଜାଙ୍କ ରାଜ୍ୟାଭିଷେକର ଚିତ୍ର ଓ ତଥ୍ୟ ରହିଛି। ଏହି ପୁସ୍ତକଗୁଡ଼ିକ ଗବେଷଣା ନିମନ୍ତେ ଉତ୍ତରପିଢ଼ି ପାଇଁ ଉପାଦେୟ ହୋଇପାରିବ ବୋଲି ଗୁରୁଜୀ ଉଲ୍ଲେଖ କରିଥିଲେ। ନିଜସ୍ୱ ଉଦ୍ୟମରେ ନୋଏଡ଼ାଠାରେ ପ୍ରତିଷ୍ଠିତ ଲାଇବ୍ରେରୀରେ ଏହି ପୁସ୍ତକଗୁଡ଼ିକ ଦୀର୍ଘବର୍ଷ ଧରି ସାଇତି ରଖାଯାଇଥିଲା। ଏହାକୁ ନେବା ପାଇଁ ଜାତୀୟ ସ୍ତରର ଅନେକ ସଂସ୍ଥା ଇଚ୍ଛା ପ୍ରକଟ କରିଥିବାବେଳେ ସେ ଏଗୁଡ଼ିକୁ ଓଡ଼ିଶା ମାଟିକୁ ପ୍ରଦାନ କରିବାକୁ ଚାହିଁଥିଲେ ବୋଲି ଗୁରୁଜୀ କହିଥିଲେ।

ଏହି ପୁସ୍ତକଗୁଡ଼ିକ ମଧ୍ୟରୁ କିଛି ତାଙ୍କ ପିତା ସ୍ୱର୍ଗତ ଗୋକୁଳ ଚନ୍ଦ୍ର ଶତପଥୀ ସଂଗ୍ରହ କରିଥିବାବେଳେ କିଛି ସେ ସଂଗ୍ରହ କରିଛନ୍ତି। ପୁସ୍ତକ ପ୍ରତି ତାଙ୍କ ଦୁର୍ବଳତା ଓ ଓଡ଼ିଆ ସାହିତ୍ୟ ପ୍ରତି ପିଲାଦିନରୁ ତାଙ୍କ ରୁଚି ସଂପର୍କରେ ସେ ଉଲ୍ଲେଖ କରିଥିଲେ। ଦିଲ୍ଲୀରୁ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରକୁ ପୁସ୍ତକ ଆଣିବାରେ ସହଯୋଗ କରିଥିବା ବ୍ୟକ୍ତିମାନଙ୍କୁ ଗୁରୁଜୀ ସମ୍ବର୍ଦ୍ଧିତ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କହିଲେ ଯେ ଏହି ପୁସ୍ତକ ହେଉଛି ଜାତୀୟ ସଂପଦ। ଏଗୁଡ଼ିକର ସଂରକ୍ଷଣ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ୧୯୫୯ ମସିହାରେ ପ୍ରତିଷ୍ଠିତ ଓଡ଼ିଶା ରାଜ୍ୟ ଗ୍ରନ୍ଥାଗାରକୁ ୧୯୮୭ ମସିହାରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ନାମରେ ନାମିତ କରାଯାଇଛି।

ଏଠାରେ ଥିବା ପ୍ରାୟ ଅଢ଼େଇ ଲକ୍ଷ ପୁସ୍ତକର ଡିଜିଟାଇଜେସନ୍‌ ପ୍ରକ୍ରିୟା ଶେଷ ହୋଇଛି। ୫-‘ଟି’ ଉପକ୍ରମ ଅଧିନରେ ପ୍ରାୟ ୨୦ କୋଟି ବ୍ୟୟ ଅଟକଳରେ ନବୀକରଣ ପ୍ରକ୍ରିୟା ଜାରି ରହି ପାଠକପାଠିକାମାନଙ୍କୁ ଉନ୍ନତ ସେବା ପ୍ରଦାନ କରାଯାଉଛି। ଏକ ସାଙ୍ଗରେ ପ୍ରାୟ ୫ ଶହ ଜଣ ଏଠାରେ ଏକତ୍ର ବସି ପଢ଼ିବାର ସୁବିଧା ରହିଛି। ଗବେଷଣାଲବ୍ଧ ଅନେକ ପୁସ୍ତକପୁସ୍ତିକା ଏଠାରେ ଥିବା ସେ କହିବା ସହ ଗୁରୁଜୀଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ।

ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ ରାଉତରାଏ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାସ, ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ଶ୍ରୀ ବିଦ୍ୟାଧର ପଣ୍ଡା ଓ ଶ୍ରୀ ରୁଦ୍ର ପ୍ରସାଦ ବେହେରା, ନୂଆଦିଲ୍ଲୀର ନୋଏଡ଼ାସ୍ଥିତ ‘ସାଇ କରୁଣା ଧାମ୍‌’ ଆଶ୍ରମରେ ଗୁରୁଜୀଙ୍କୁ ସାକ୍ଷାତ କରିବା ଏବଂ ରାଜ୍ୟ ଗ୍ରନ୍ଥାଗାରକୁ ପୁସ୍ତକ ଆଣିବା ସମୟ ମଧ୍ୟରେ ବିଭିନ୍ନ ଅଲୌକିକ ଘଟଣାର ଅନୁଭୂତି ସଂପର୍କରେ ପ୍ରକାଶ କରିଥିଲେ।

ପ୍ରଥମେ ଗୁରୁଜୀ ରାଜ୍ୟ ଗ୍ରନ୍ଥାଗାର ପରିସରରେ ଥିବା ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ପରେ ସେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ସଂଗ୍ରହାଳୟ ବୁଲି ଦେଖି ଖୁସି ବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଅବସରପ୍ରାପ୍ତ ବିଚାରପତି, ପ୍ରଶାସକ, ସମାଜସେବୀ, ବିଭାଗୀୟ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କରୋନା ପାଇଁ ବନ୍ଦ ହେଲା ଷ୍ଟେଟ୍ ଲାଇବ୍ରେରୀ, ଜାଣନ୍ତୁ କେତେ ଦିନ

ଭୁବନେଶ୍ବର: କରୋନା ପାଇଁ ଆଜିଠାରୁ ଷ୍ଟେଟ ଲାଇବ୍ରେରୀ ବା ରାଜ୍ୟ ପାଠଗାର ବନ୍ଦ ଘୋଷଣା କରାଯାଇଛି। ସେହି ଅନୁସାରେ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ପାଠାଗାର ବନ୍ଦ ରହିବ। ଏ ନେଇ ପାଠାଗାର ତରଫରୁ ଏକ ସୂଚନା ପ୍ରଦାନ କରାଯାଇଛି। ବର୍ତ୍ତମାନ ରାଜ୍ୟରେ ବିଶେଷ କରି ଭୁବନେଶ୍ବରରେ କରୋନା ବୃଦ୍ଧି ପାଇବାରେ ଲାଗିଛି। ସେଥିପାଇଁ ପାଠାଗାରର ପାଠକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏହ ପଦକ୍ଷେପ ନିଆଗଲା ବୋଲି କୁହାଯାଇଛି।

ଡକ୍ଟର ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ରାଜ୍ୟର ବହୁ ପାଠକ ତଥା ଗବେଷକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି। ଦୈନିକ ଏହି ପାଠାଗାରକୁ ବହୁ ସଂଖ୍ୟାରେ ପାଠକ ଆସି ଅଧ୍ୟୟନ କରିଥାନ୍ତି। ହେଲେ ସେମାନଙ୍କ ମଧ୍ୟରେ କରୋନା ସଂକ୍ରାମଣ ସମ୍ଭାବନା ଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।