Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରାଜ୍ୟ ଗ୍ରନ୍ଥାଗାରରେ ଏକାଦଶତମ ପ୍ରେରଣାଦାୟକ ବକ୍ତୃତାମାଳା ଆୟୋଜିତ

ଭୁବନେଶ୍ୱର: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଏକାଦଶତମ ପ୍ରେରଣାଦାୟକ ବକ୍ତୃତାମାଳା ଆୟୋଜିତ ହୋଇଯାଇଛି। ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବକ୍ତୃତାମାଳାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଯୁଗ୍ମ ଶାସନ ସଚିବ ଶ୍ରୀ ମନୋଜ କୁମାର ସ୍ୱାଇଁ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।

ଶ୍ରୀ ରାଉତରାଏ ପାଠକ ପାଠିକା ନିମନ୍ତେ ବିଭିନ୍ନ ଉଦାହରଣ ଦେଇ ଜୀବନ ରେ କିପରି ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ତାର ମୂଳମନ୍ତ୍ର ପ୍ରଦାନ କରିଥିଲେ। ମୁଖ୍ୟବକ୍ତାଭାବେ ଶ୍ରୀ ସ୍ୱାଇଁ ଛାତ୍ରଛାତ୍ରୀ ମାନେ କିପରି ଆଗାମୀ ପ୍ରତିଯୋଗିତା ମୂଳକ ପରୀକ୍ଷା ଗୁଡ଼ିକରେ କିପରି ପ୍ରସ୍ତୁତ ହୋଇ କୃତକାର୍ଯ୍ୟ ହେବେ, ୫-ଟିକୁ ନିଜ ଜୀବନରେ ପ୍ରୟୋଗ କରିବେ ଓ ବୈଷୟିକ କୌଶଳକୁ ନିଜ ପ୍ରସ୍ତୁତିରେ ଉପଯୋଗ କରିବେ ଏ ସମ୍ପର୍କରେ ପରାମର୍ଶ ଦେଇଥିଲେ।

ପାଠକ ପାଠିକା ମାନଙ୍କ ସହ ବାର୍ତ୍ତଳାପ ମାଧ୍ୟମରେ ସେମାନଙ୍କ ପ୍ରସ୍ତୁତିରେ ଥିବା ସମସ୍ୟା ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ଯୁଗ୍ମ ଶାସନ ସଚିବ ତଥା ଗ୍ରନ୍ଥାଗାରର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀମତୀ ଅତସୀ ଦାସ ସଂଚାଳନ କରିଥିଲେ। ଶେଷରେ
ଗ୍ରନ୍ଥାଗାରର ଗ୍ରନ୍ଥାଧ୍ୟକ୍ଷା ଶ୍ରୀମତୀ ସଙ୍ଘମିତ୍ରା ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଗ୍ରନ୍ଥାଧ୍ୟକ୍ଷ ଶ୍ରୀ ରୁଦ୍ର ପ୍ରସାଦ ବେହେରା, ଶ୍ରୀମତୀ ମଞ୍ଜୁରାଣୀ ମୁଦୁଲି ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ବିଶିଷ୍ଟ କୃଷି ବୈଜ୍ଞାନିକ, ପ୍ରବୀଣ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ, ସାଂସଦ ଓ ପ୍ରଜାମଣ୍ଡଳ ସଂଗଠକ ଗଡ଼ଜାତଗାନ୍ଧୀ ସାରଙ୍ଗଧର ଦାସଙ୍କ ଉପରେ ଏକ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଉକ୍ତ ବୈଠକରେ ଅଧ୍ୟକ୍ଷତା କରିଥିଲେ।

ପାଠକପାଠିକାମାନେ କିପରି ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ଜୀବନରେ ଉନ୍ନତି କରି ସଫଳତାର ଶୀର୍ଷରେ ପହଞ୍ଚି ପାରିବେ ବୋଲି ସେ କହିଥିଲେ। ପୂର୍ବବର୍ଷ ତାଙ୍କ ଉପରେ ଏକ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚନ କରାଯାଇଥିଲା ବୋଲି ସେ ସୂଚନା ଦେଇଥିଲେ। ପୂର୍ବତନ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଲକ୍ଷ୍ମୀଧର ବେହେରା ଏହି ଅବସରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗଡଜାତ ଗାନ୍ଧୀଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ଯୁଗ୍ମ ଶାସନ ସଚିବ ତଥା ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀମତୀ ଅତସୀ ଦାସ କାର୍ଯ୍ୟକ୍ରମରେ ସଂଯୋଜନା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ ଅବସରରେ ନିଜ କର୍ମମୟ ସମୟକୁ ଗଡ଼ଜାତ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ କରି କିପରି ସମାଜରେ ପ୍ରତିଷ୍ଠିତ ହୋଇପାରିବା ସେ ବିଷୟରେ ମତବ୍ୟକ୍ତ କରିଥିଲେ।

ଶେଷରେ ଗ୍ରନ୍ଥାଗାରିକା ଶ୍ରୀମତୀ ସଂଘମିତ୍ରା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଗ୍ରନ୍ଥାଧ୍ୟକ୍ଷ ଶ୍ରୀ ରୁଦ୍ର ପ୍ରସାଦ ବେହେରା, ଗ୍ରନ୍ଥାଧ୍ୟକ୍ଷ ଶ୍ରୀ ପଦ୍ମନାଭ ଜେନା, ଗ୍ରନ୍ଥାଧ୍ୟକ୍ଷ ଶ୍ରୀ ବିଦ୍ୟାଧର ପଣ୍ଡା, ଗ୍ରନ୍ଥାଧକ୍ଷା ଶ୍ରୀମତୀ ସଳିତା ପାତ୍ର, ମଞ୍ଜୁରାଣୀ ମୁଦୁଲି, ପାଠାଗାରର ସମସ୍ତ କର୍ମଚାରୀ, ପାଠକ ଓ ପାଠିକାମାନେ ଭାଗ ନେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ରାଜ୍ୟ ଗ୍ରନ୍ଥାଗାରକୁ ହଜାରେ ପ୍ରାଚୀନ ଓଡ଼ିଆ ପୁସ୍ତକ ଦାନ କଲେ ଗୁରୁଜୀ ଡ.ଚନ୍ଦ୍ରଭାନୁ ଶତପଥୀ

ଭୁବନେଶ୍ୱର: ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ତଥା ଜନସେବା କ୍ଷେତ୍ରରେ ସୁଖ୍ୟାତି ଅର୍ଜନ କରିଥିବା ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ପ୍ରାୟ ଏକ ହଜାର ବିରଳ ଓ ଦୁର୍ଲଭ ପ୍ରାଚୀନ ଓଡ଼ିଆ ପୁସ୍ତକ ଓ ପତ୍ରପତ୍ରିକାକୁ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରକୁ ପ୍ରଦାନ କରିଛନ୍ତି।

ଏହି ପୁସ୍ତକଗୁଡ଼ିକ ମଧ୍ୟରେ ଓଡ଼ିଆ ଭାଷାରେ ଲିଖିତ ପ୍ରଥମ ବ୍ୟାକରଣ, ପ୍ରଥମ ଉପନ୍ୟାସ ଓ ପ୍ରାଚୀନ ଓଡ଼ିଆ ପତ୍ରପତ୍ରିକା ରହିଛି। ଅନେକ ପୁସ୍ତକ ଶତାୟୁ ହୋଇଥିବାବେଳେ କିଛି ଅର୍ଦ୍ଧଶତାବ୍ଦୀରୁ ପୁରୁଣା। ଏହି ବିରଳ ଗ୍ରନ୍ଥଗୁଡ଼ିକୁ ରାଜ୍ୟ ଗ୍ରନ୍ଥାଗାରର ଏକ ସ୍ୱତନ୍ତ୍ର କୋଠରୀରେ ସଂରକ୍ଷିତ କରି ରଖାଯାଇଛି।

ଏହି ଅବସରରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଗୁରୁଜୀ ଡ. ଚନ୍ଦ୍ରଭାନୀ ଶତପଥୀ ଏହି ପୁସ୍ତକଗୁଡ଼ିକୁ ପାଠକପାଠିକାମାନଙ୍କ ଉଦ୍ଦେଶ୍ୟରେ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିଛନ୍ତି। ଏହି ପୁସ୍ତକଗୁଡିକରେ ପ୍ରାଚୀନ ଓଡ଼ିଶାର ସାହିତ୍ୟ, ଇତିହାସ, ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ସଂପର୍କରେ ଅନେକ ଉପାଦେୟ ତଥ୍ୟ ରହିଛି।

ଏଥି ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷଠାରୁ ଆରମ୍ଭ କରି ମୟୂରଭଞ୍ଜର ରାଜାମହାରାଜାଙ୍କ ରାଜ୍ୟାଭିଷେକର ଚିତ୍ର ଓ ତଥ୍ୟ ରହିଛି। ଏହି ପୁସ୍ତକଗୁଡ଼ିକ ଗବେଷଣା ନିମନ୍ତେ ଉତ୍ତରପିଢ଼ି ପାଇଁ ଉପାଦେୟ ହୋଇପାରିବ ବୋଲି ଗୁରୁଜୀ ଉଲ୍ଲେଖ କରିଥିଲେ। ନିଜସ୍ୱ ଉଦ୍ୟମରେ ନୋଏଡ଼ାଠାରେ ପ୍ରତିଷ୍ଠିତ ଲାଇବ୍ରେରୀରେ ଏହି ପୁସ୍ତକଗୁଡ଼ିକ ଦୀର୍ଘବର୍ଷ ଧରି ସାଇତି ରଖାଯାଇଥିଲା। ଏହାକୁ ନେବା ପାଇଁ ଜାତୀୟ ସ୍ତରର ଅନେକ ସଂସ୍ଥା ଇଚ୍ଛା ପ୍ରକଟ କରିଥିବାବେଳେ ସେ ଏଗୁଡ଼ିକୁ ଓଡ଼ିଶା ମାଟିକୁ ପ୍ରଦାନ କରିବାକୁ ଚାହିଁଥିଲେ ବୋଲି ଗୁରୁଜୀ କହିଥିଲେ।

ଏହି ପୁସ୍ତକଗୁଡ଼ିକ ମଧ୍ୟରୁ କିଛି ତାଙ୍କ ପିତା ସ୍ୱର୍ଗତ ଗୋକୁଳ ଚନ୍ଦ୍ର ଶତପଥୀ ସଂଗ୍ରହ କରିଥିବାବେଳେ କିଛି ସେ ସଂଗ୍ରହ କରିଛନ୍ତି। ପୁସ୍ତକ ପ୍ରତି ତାଙ୍କ ଦୁର୍ବଳତା ଓ ଓଡ଼ିଆ ସାହିତ୍ୟ ପ୍ରତି ପିଲାଦିନରୁ ତାଙ୍କ ରୁଚି ସଂପର୍କରେ ସେ ଉଲ୍ଲେଖ କରିଥିଲେ। ଦିଲ୍ଲୀରୁ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରକୁ ପୁସ୍ତକ ଆଣିବାରେ ସହଯୋଗ କରିଥିବା ବ୍ୟକ୍ତିମାନଙ୍କୁ ଗୁରୁଜୀ ସମ୍ବର୍ଦ୍ଧିତ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କହିଲେ ଯେ ଏହି ପୁସ୍ତକ ହେଉଛି ଜାତୀୟ ସଂପଦ। ଏଗୁଡ଼ିକର ସଂରକ୍ଷଣ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ୧୯୫୯ ମସିହାରେ ପ୍ରତିଷ୍ଠିତ ଓଡ଼ିଶା ରାଜ୍ୟ ଗ୍ରନ୍ଥାଗାରକୁ ୧୯୮୭ ମସିହାରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ନାମରେ ନାମିତ କରାଯାଇଛି।

ଏଠାରେ ଥିବା ପ୍ରାୟ ଅଢ଼େଇ ଲକ୍ଷ ପୁସ୍ତକର ଡିଜିଟାଇଜେସନ୍‌ ପ୍ରକ୍ରିୟା ଶେଷ ହୋଇଛି। ୫-‘ଟି’ ଉପକ୍ରମ ଅଧିନରେ ପ୍ରାୟ ୨୦ କୋଟି ବ୍ୟୟ ଅଟକଳରେ ନବୀକରଣ ପ୍ରକ୍ରିୟା ଜାରି ରହି ପାଠକପାଠିକାମାନଙ୍କୁ ଉନ୍ନତ ସେବା ପ୍ରଦାନ କରାଯାଉଛି। ଏକ ସାଙ୍ଗରେ ପ୍ରାୟ ୫ ଶହ ଜଣ ଏଠାରେ ଏକତ୍ର ବସି ପଢ଼ିବାର ସୁବିଧା ରହିଛି। ଗବେଷଣାଲବ୍ଧ ଅନେକ ପୁସ୍ତକପୁସ୍ତିକା ଏଠାରେ ଥିବା ସେ କହିବା ସହ ଗୁରୁଜୀଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ।

ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ ରାଉତରାଏ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାସ, ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ଶ୍ରୀ ବିଦ୍ୟାଧର ପଣ୍ଡା ଓ ଶ୍ରୀ ରୁଦ୍ର ପ୍ରସାଦ ବେହେରା, ନୂଆଦିଲ୍ଲୀର ନୋଏଡ଼ାସ୍ଥିତ ‘ସାଇ କରୁଣା ଧାମ୍‌’ ଆଶ୍ରମରେ ଗୁରୁଜୀଙ୍କୁ ସାକ୍ଷାତ କରିବା ଏବଂ ରାଜ୍ୟ ଗ୍ରନ୍ଥାଗାରକୁ ପୁସ୍ତକ ଆଣିବା ସମୟ ମଧ୍ୟରେ ବିଭିନ୍ନ ଅଲୌକିକ ଘଟଣାର ଅନୁଭୂତି ସଂପର୍କରେ ପ୍ରକାଶ କରିଥିଲେ।

ପ୍ରଥମେ ଗୁରୁଜୀ ରାଜ୍ୟ ଗ୍ରନ୍ଥାଗାର ପରିସରରେ ଥିବା ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ପରେ ସେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ସଂଗ୍ରହାଳୟ ବୁଲି ଦେଖି ଖୁସି ବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଅବସରପ୍ରାପ୍ତ ବିଚାରପତି, ପ୍ରଶାସକ, ସମାଜସେବୀ, ବିଭାଗୀୟ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଛାତ୍ରଛାତ୍ରୀମାନଙ୍କ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର କ୍ଷେତ୍ର ପରିଦର୍ଶନ

ଭୁବନେଶ୍ବର: ଅଡଶପୁରସ୍ଥିତ ଉଦୟନାଥ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ ବିଭାଗର କୋଡ଼ିଏ ଜଣ ଛାତ୍ରଛାତ୍ରୀ କ୍ଷେତ୍ର ପରିଦର୍ଶନରେ ଆସି ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ବୁଲି ଦେଖିଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ପୁସ୍ତକ ପଞ୍ଜିକରଣ, ଗ୍ରନ୍ଥାଗାର ପରିଚାଳନା, ଇ-ଗ୍ରନ୍ଥାଗାର, ଡାଟା ଏଣ୍ଟ୍ରି, ଅଟୋମେସନ, ଆକ୍ସେସିଙ୍ଗ୍,କାଟାଲଗିଙ୍ଗ୍, ଡିଜିଟାଇଜେସନ ଆଦି ପ୍ରକ୍ରିୟା ଉପରେ ସବିଶେଷ ସୂଚନା ପ୍ରଦାନ କରାଯାଇଥିଲା।

ଏହି କ୍ଷେତ୍ର ପରିଦର୍ଶନ ସେମାନଙ୍କ ପାଠ୍ୟକ୍ରମର ଏକ ଅଂଶବିଶେଷ ଏବଂ ଏହାଦ୍ବାରା ସେମାନଙ୍କ ଦକ୍ଷତା ବୃଦ୍ଧି ପାଇବ ବୋଲି ଛାତ୍ରଛାତ୍ରୀ ମାନେ ମତବ୍ୟକ୍ତ କରିଥିଲେ। ପାଠାଗାର ପରିଦର୍ଶନ କରି ସେମାନେ ଖୁସି ବ୍ୟକ୍ତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପିକା ପ୍ରିୟଙ୍କା ମଞ୍ଜରୀ ବେହେରା ଏବଂ ନିରୂପମା ମିଶ୍ର ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ସହ ସାମିଲ ଥିଲେ।

ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରର ନିର୍ଦ୍ଦେଶକ ଦିଲୀପ ରାଉତରାଏ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ତଥା ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରର ସ୍ଵତନ୍ତ୍ର କର୍ତ୍ତ୍ୟବ୍ୟରତ ଅଧିକାରୀ ଅତସୀ ଦାସ ସମସ୍ତଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ଗ୍ରନ୍ଥାଗାରରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ, ଭାରତୀୟ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକର, ଆଦି ଗୀତିନାଟ୍ୟକାର ଲୋକକବି ଜଗନ୍ନାଥ ପାଣିଙ୍କ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ଆଜି ଅପରାହ୍ନରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ଏଥିରେ ଭାରପ୍ରାପ୍ତ ଅଧିକାରୀ ଲଷ୍ମୀଧର ବେହେରାଙ୍କ ଅଧ୍ୟକ୍ଷତା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଗ୍ରନ୍ଥାଗାରିକ ସସ୍ମିତା ମିଶ୍ର, ରୁଦ୍ରପ୍ରସାଦ ବେହେରା, କୁକୁମିନା ଦାସ, ବିଦ୍ୟାଧର ପଣ୍ଡା, ସଳିତା ପାତ୍ର, ମଂଜୁରାଣୀ ମୁଦୁଲି ଓ ଗ୍ରନ୍ଥାଗାର ଶିକ୍ଷାନବିଶମାନେ ଯୋଗଦେଇ ନିଜ ବକ୍ତବ୍ୟରେ ରାଜଧାନୀ ଭୁବନେଶ୍ୱର ଆଜି ନିଜର ୭୫ବର୍ଷ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଶିକ୍ଷା, ସ୍ୱାସ୍ଥ୍ୟ, ସୂଚନାପ୍ରଯୁକ୍ତି ପ୍ରତି କ୍ଷେତ୍ରରେ ଉନ୍ନତିର ଚରମ ସୋପାନରେ ପହଞ୍ଚି ପରିବ୍ୟାପ୍ତ ହୋଇଛି ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକର ଓ ଲୋକକବି ଜଗନ୍ନାଥ ପାଣିଙ୍କ ସ୍ମୃତି ଚାରଣ କରାଯାଇଥିଲା।

ଆସନ୍ତାକାଲିଠାରୁ ରାଜ୍ୟରେ ନୂତନ ପାଞ୍ଜି ପ୍ରଚଳନ ହେବା ସହ ପ୍ରତି ଓଡ଼ିଆ ମହାବିଷୁବ ସଂକ୍ରାନ୍ତି ପାଳନ କରିବେ।