Categories
ଆଜିର ଖବର ରାଜ୍ୟ ଖବର

ସାରଙ୍ଗଧର ଦାସଙ୍କ ସ୍ମୃତିରେ ଡାକ ଟିକେଟ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

ଢେଙ୍କାନାଳ: ତ୍ୟାଗ ଓ ସେବାର ପରିଭାଷାକୁ ବୁଝିବାକୁ ହେଲେ ଢେଙ୍କାନାଳ ପ୍ରଜାମଣ୍ଡଳ ଆନ୍ଦୋଳନର ପୁରୋଧା ‘ଗଡଜାତ ଗାନ୍ଧୀ’ ପୁଣ୍ୟାତ୍ମା ସାରଙ୍ଗଧର ଦାସଙ୍କୁ ବୁଝିବାକୁ ହେବ। ତାଙ୍କର ଜନ୍ମଭୂମି ହରେକୃଷ୍ଣପୁରକୁ ଯିବା ପାଇଁ  ପଡିବ ବୋଲି ଶୁକ୍ରବାର ଢେଙ୍କାନାଳର ଜିଲ୍ଲା ଅଡିଟୋରିୟମରେ ଏହି ସଂଗ୍ରାମୀଙ୍କ ସ୍ମୃତିରେ ଡାକ ଟିକେଟ ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପ୍ରଜା ଆନ୍ଦୋଳନର ପୁରୋଧା ତଥା ମହାନ ବିପ୍ଳବୀ ସାରଙ୍ଗଧର ଦାସଙ୍କ ସ୍ମୃତିରେ ଡାକ  ଟିକେଟ ଉନ୍ମୋଚନ ସହ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାରେ ୨୩ଟି ଡାକଘର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ ଢେଙ୍କାନାଳ ଜିଲ୍ଲା ଏକ ସ୍ୱାଭିମାନୀ ଓ ସାଂସ୍କୃତିକ ସମ୍ପନ୍ନ ଅଞ୍ଚଳ । ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସ, ଶହୀଦ ବାଜି ରାଉତ, ବୀର ବୈଷ୍ଣବ ଚରଣ ପଟ୍ଟନାୟକ, ମହେଶ ଚନ୍ଦ୍ର ସୁବାହୁ ସିଂ, ପବିତ୍ର ମୋହନ ପ୍ରଧାନ ଓ ରାଜା ସୋମନାଥ ସିଂହ ଜଗଦ୍ଦେବ ଆମ ଅଞ୍ଚଳର ଗୌରବ । ଆମେ ଆମର ପୂର୍ବ ପୁରୁଷଙ୍କୁ ଯଥୋଚିତ ସମ୍ମାନ ଦେବା ଉଚିତ୍ । ଏହି ମହାପୁରୁଷଙ୍କ ଉପରେ ଆଲୋଚନା କଲେ ହିଁ ସେମାନଙ୍କ ପରିଚୟ ପୂର୍ଣ୍ଣାଙ୍ଗ ହେବ । ଦେଶ ମାତୃକା ସେବା ପାଇଁ ସାରଙ୍ଗଧର ଦାସ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ସେ ତାଙ୍କ ସର୍ବସ୍ୱ ସମ୍ପତ୍ତି ସମାଜ ପାଇଁ ଜିଲ୍ଲା ପ୍ରଶାସନକୁ ଦାନ କରି ଦେଇଥିଲେ । ଏହା ହେଉଛି ଢେଙ୍କାନାଳର ସଂସ୍କାର ଓ ଗଡଜାତ ଅଞ୍ଚଳର ଲୋକଚରିତ୍ର । ଆଜି ସେହି ତ୍ୟାଗ ଓ ସେବାର ମୂର୍ତ୍ତିବନ୍ତ ପ୍ରତୀକ ସାରଙ୍ଗଧର ଦାସଙ୍କ ଉପରେ ଉନ୍ମୋଚିତ ଡାକ ଟିକଟ ତାଙ୍କର ବିଚାର ଓ ମୂଲ୍ୟବୋଧକୁ ନୂଆପିଢି ପାଖରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଡାକ ବିଭାଗ ଭାରତୀୟ ଜନଜୀବନର ଓ ଆମ ସାହିତ୍ୟରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଛି । ଅନେକ ସାହିତ୍ୟ, କବିତା, ଆଶା ଓ ଆକାଂକ୍ଷା ଡାକ ବିଭାଗ ସହ ଯୋଡି ହୋଇଛି । ଓଡ଼ିଶାରେ ୨୦୧୪ ପର୍ଯ୍ୟନ୍ତ ୮, ୪୯୦ଟି ଡାକ ଘର ଥିଲା । ବିଗତ ୧୦ ବର୍ଷ ମଧ୍ୟରେ ମୋଦି ସରକାରରେ ନୂଆ ୫୦୦ରୁ ଅଧିକ ଡାକ ଘର ତିଆରି ହୋଇଛି । ଗତ ୨୦ ତାରିଖରେ ସନ୍ଥକବି ଭୀମ ଭୋଇ ଓ ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଯଥା ନୂଆଁଖାଇ, ଶୀତଳଷଷ୍ଠୀ, ସମ୍ବଲପୁରୀ ବାନ୍ଧ, ସମ୍ବଲପୁରୀ ନୃତ୍ୟ ଉପରେ ଗୋଟିଏ ଲେଖାଏଁ ଡାକ ଟିକଟ ଏବଂ ଧନୁଯାତ୍ରା ଉପରେ ଦୁଇଟି ଡାକ ଟିକଟ ଉନ୍ମୋଚିତ ହୋଇଛି । ୫ ଜିଲ୍ଲାର ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ୪୨ଟି ଡାକଘରର ଉଦଘାଟନ ମଧ୍ୟ ହୋଇଥିଲା । ଆଜି ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ୨୩ଟି ଡାକଘର ଲୋକାର୍ପଣ ହେବା ବଡ ଉପଲବ୍ଧି । ମୋଦି ସରକାରରେ ଲୋକଙ୍କ ଜୀବନକୁ ସହଜ କରିବା ପାଇଁ ଡାକ ଘରର ରୂପରେଖ ବଦଳିଛି । ବ୍ୟାଙ୍କ୍ ଭଳି ସମସ୍ତ ସୁବିଧା ଡାକ ଘର ପକ୍ଷରୁ ଲୋକମାନଙ୍କୁ ଯୋଗାଇ ଦିଆଯାଉଛି । ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାରେ ଉଦଘାଟିତ ନୂତ ଡାକ ଘର ନାଗରିକଙ୍କୁ ତ୍ୱରିତ ଡାକସେବା ହାତ ପାଆନ୍ତାରେ ପହଞ୍ଚାଇ ସ୍ଥାନୀୟ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ମଜଭୁତ କରିବ ବୋଲି ସେ କହିଛନ୍ତି ।

ସମ୍ଭବତଃ ଦେଶ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଓଡ଼ିଶାରେ ପ୍ରଥମେ କୋଣାର୍କର ଘୋଡାରୁ ଡାକ ଟିକେଟ ଆରମ୍ଭ ହୋଇଥିବା କୁହାଯାଏ । ଏହାର ପ୍ରାୟ ୬ ବର୍ଷ ପରେ ରାଉରକେଲା ଇସ୍ପାତ୍ କାରଖାନାକୁ ନେଇ ଡାକ ଟିକେଟ୍ ହେଲା । ୧୯୪୯ରୁ ୧୯୬୬ ମସିହା ପର୍ଯ୍ୟନ୍ତ ଓଡ଼ିଶାକୁ ନେଇ ୫ଟି ଡାକ ଟିକେଟ୍ ହୋଇଥିଲା । ଆଜି ଓଡ଼ିଶାରେ ମୋଟ ୭୪ଟି ଡାକ ଟିକେଟ୍ ରହିଛି । ୩୦ରୁ ଅଧିକ ଡାକ ଟିକେଟ କେବଳ ବିଗତ ୧୦ ଭିତରେ ମୋଦି ସରକାରରେ ହୋଇଛି । ଏହା ମୋଦିଙ୍କର ପ୍ରତିବଦ୍ଧତା । ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ଏବଂ ଓଡ଼ିଶାର ଅବଦାନ ଦେଶ ସ୍ୱାଧୀନତା ସଂଗ୍ରାମରେ ଯେତେ ଅବଦାନ ଅଛି ଓଡ଼ିଶା ସେତେ ଅଗ୍ରାଧିକାର ପାଇନାହିଁ । ଦେଢ ହଜାର ବର୍ଷ ପୂର୍ବେ ଏହି ଅଞ୍ଚଳରେ ତମ୍ବା ପାତ୍ରରେ ଲେଖା ହେଉଥିଲା ବୋଲି ଐତିହାସିକମାନେ ମତ ଦିଅନ୍ତି । ତେବେ ଏହି ଅଞ୍ଚଳରେ ସଂସ୍କୃତି ଓ ସମୃଦ୍ଧିର ସମନ୍ୱୟ କେତେ ଥିଲା, ତାହା ଜଣାଯାଏ । ମାତ୍ର ଏଠି କିଛି ଲୋକମାନେ ନଖ ଛିଣ୍ଡେଇ ଶହୀଦ ହେବାର ଅଭିନୟ କରୁଛନ୍ତି । ସେମାନେ ଜାଣିବା ଦରକାର ଆମର ୧୨ବର୍ଷର ବାଜି ରାଉତ ମା’ ମାଟିର ସୁରକ୍ଷା ପାଇଁ ଦେଶର ସ୍ୱତନ୍ତ୍ରତା ଓ ସ୍ୱାଭିମାନ ପାଇଁ ବ୍ରିଟିଶ ମାନଙ୍କ ଠାରୁ ଗୁଳି ଖାଇଥିଲା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖନୀୟ ଯେ, ଗତ ବର୍ଷ ଅଗଷ୍ଟ ୨୭ ତାରିଖରେ ଢେଙ୍କାନାଳ ହରେକୃଷ୍ଣପୁରରେ ‘ମୋ ମାଟି ମୋ ଦେଶ’ ଅଭିଯାନରେ ସାରଙ୍ଗଧର ଦାସଙ୍କ ଗ୍ରାମରେ ଥିବା କାଳରେ ତାଙ୍କ  ନାମରେ  ଡାକ ଟିକଟ ଆରମ୍ଭ ହେବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଏହି ମହାପୁରୁଷଙ୍କୁ ଉପଯୁକ୍ତ ସମ୍ମାନ ପାଇଁ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଜିର କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଡାକଘର ମାଧ୍ୟମରେ ମୋଦି ସରକାରଙ୍କ ଯୋଜନାର ଲାଭ ପାଉଥିବା ହିତାଧିକାରୀଙ୍କ ସହ ମଧ୍ୟ ସେ କଥା ହୋଇଥିଲେ ।

————————

 

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ବିଶିଷ୍ଟ କୃଷି ବୈଜ୍ଞାନିକ, ପ୍ରବୀଣ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ, ସାଂସଦ ଓ ପ୍ରଜାମଣ୍ଡଳ ସଂଗଠକ ଗଡ଼ଜାତଗାନ୍ଧୀ ସାରଙ୍ଗଧର ଦାସଙ୍କ ଉପରେ ଏକ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଉକ୍ତ ବୈଠକରେ ଅଧ୍ୟକ୍ଷତା କରିଥିଲେ।

ପାଠକପାଠିକାମାନେ କିପରି ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ଜୀବନରେ ଉନ୍ନତି କରି ସଫଳତାର ଶୀର୍ଷରେ ପହଞ୍ଚି ପାରିବେ ବୋଲି ସେ କହିଥିଲେ। ପୂର୍ବବର୍ଷ ତାଙ୍କ ଉପରେ ଏକ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚନ କରାଯାଇଥିଲା ବୋଲି ସେ ସୂଚନା ଦେଇଥିଲେ। ପୂର୍ବତନ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଲକ୍ଷ୍ମୀଧର ବେହେରା ଏହି ଅବସରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗଡଜାତ ଗାନ୍ଧୀଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ଯୁଗ୍ମ ଶାସନ ସଚିବ ତଥା ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀମତୀ ଅତସୀ ଦାସ କାର୍ଯ୍ୟକ୍ରମରେ ସଂଯୋଜନା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ ଅବସରରେ ନିଜ କର୍ମମୟ ସମୟକୁ ଗଡ଼ଜାତ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ କରି କିପରି ସମାଜରେ ପ୍ରତିଷ୍ଠିତ ହୋଇପାରିବା ସେ ବିଷୟରେ ମତବ୍ୟକ୍ତ କରିଥିଲେ।

ଶେଷରେ ଗ୍ରନ୍ଥାଗାରିକା ଶ୍ରୀମତୀ ସଂଘମିତ୍ରା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଗ୍ରନ୍ଥାଧ୍ୟକ୍ଷ ଶ୍ରୀ ରୁଦ୍ର ପ୍ରସାଦ ବେହେରା, ଗ୍ରନ୍ଥାଧ୍ୟକ୍ଷ ଶ୍ରୀ ପଦ୍ମନାଭ ଜେନା, ଗ୍ରନ୍ଥାଧ୍ୟକ୍ଷ ଶ୍ରୀ ବିଦ୍ୟାଧର ପଣ୍ଡା, ଗ୍ରନ୍ଥାଧକ୍ଷା ଶ୍ରୀମତୀ ସଳିତା ପାତ୍ର, ମଞ୍ଜୁରାଣୀ ମୁଦୁଲି, ପାଠାଗାରର ସମସ୍ତ କର୍ମଚାରୀ, ପାଠକ ଓ ପାଠିକାମାନେ ଭାଗ ନେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରକାଶିତ ହେଲା ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ନାମରେ ଡାକ ଲଫାପା

ଭୁବନେଶ୍ବର: ବିଶିଷ୍ଟ କୃଷି ବୈଜ୍ଞାନିକ, ଗଡ଼ଜାତ ପ୍ରଜାମଣ୍ଡଳ ଆନ୍ଦୋଳନର ଅଗ୍ରଣୀ ସାରଥୀ, କୃଷକ ନେତା, ପୂର୍ବତନ ବିଧାୟକ,ସାଂସଦ, ଗଡ଼ଜାତ ଗାନ୍ଧୀ ଭାବେ ପରିଚିତ ସାରଙ୍ଗଧର ଦାସଙ୍କ ଉପରେ ଉନମୋଚିତ ହୋଇଛି ସ୍ବତନ୍ତ୍ର ଡାକ ଲଫାଫା। ଏହାକୁ ଉନମୋଚିତ କରିଛନ୍ତି ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର।

ମନ୍ତ୍ରୀ କହିଛନ୍ତି ଯେ,  ସାରଙ୍ଗ ଦାସଙ୍କ ତ୍ୟାଗ, ସଙ୍ଘର୍ଷ ଓ  ସମର୍ପଣ ଭାବ ସମଗ୍ର ଭାରତବର୍ଷରେ ଅବିସ୍ମରଣୀୟ ହୋଇ ରହିଛି । ରାଜ୍ୟ ପାଇଁ ଅତୁଳନୀୟ ତ୍ୟାଗ କରିଥିବା ସ୍ୱାଧୀନତା ସଂଗ୍ରାମୀ,ବରପୁତ୍ରମାନଙ୍କ ସ୍ମୃତିରକ୍ଷା କରିବା, ସେମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ,  ସ୍ୱତନ୍ତ୍ର ଲଫାପା ପ୍ରକାଶନ ସହ ଜୀବନୀ ପୁସ୍ତକ ପ୍ରକାଶନ କରାଯିବା ପାଇଁ ପ୍ରୟାସ ଜାରି ରହିଛି।

ଆଜି ସାରଙ୍ଗଧର ଦାସଙ୍କ ୧୩୬ତମ ଜନ୍ମଦିନଉପଲକ୍ଷେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ଆନୁକୂଲ୍ୟରେ ଡାକ ବିଭାଗ  ଦ୍ୱାରା  ପ୍ରକାଶିତ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର ଏହା ପ୍ରକାଶ କରିଛନ୍ତି ।  ଲୋକସେବା ଭବନ ସ୍ଥିତ  ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର  ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ବରପୁତ୍ରମାନଙ୍କ ଜନ୍ମଦିନ ଓ ଶ୍ରାଦ୍ଧଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ସେମାନଙ୍କ ସ୍ମୃତିକୁ ସମ୍ମାନ ଦେବାପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯେଉଁ ସ୍ୱପ୍ନ ଓ ସଂକଳ୍ପ ଗ୍ରହଣ କରିଛନ୍ତି ବିଭାଗ ପକ୍ଷରୁ ତାହା କାର‌୍ୟ୍ୟକାରୀ କରାଯିବ।

ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଯୋଗଦେଇ ରାଜ୍ୟର କଳା ଓ ସଂସ୍କୃତିର ବିକାଶ ଦିଗରେ ପଦକ୍ଷେପ ଗ୍ରହଣ ସହ,  ପୂଜ୍ୟପୂଜା କାର‌୍ୟ୍ୟକ୍ରମ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପଦକ୍ଷେପ,  ଦେଶ ଓ  ଜାତି ପାଇଁ କାର‌୍ୟ୍ୟକରିଥିବା ସମସ୍ତଙ୍କ ସ୍ମୃତିକୁ ଜନମାନସରେ ପ୍ରତିଫଳିତ କରିବ ବୋଲି ପ୍ରକାଶ କରିଥିଲେ । ବିଭାଗର ନିର୍ଦେଶକ ରଂଜନ କୁମାର ଦାସ ଆଜାଦୀ କା ଅମ୍ରିତ ମହୋତ୍ସବ ତଥା ସ୍ୱାଧୀନତାର ୭୫  ବର୍ଷ ପୂର୍ତ୍ତି ପାଳନ ପରିପ୍ରେକ୍ଷୀରେ ସାରଙ୍ଗଧର ଦାସଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଡାକ ଲଫାପା ଉନ୍ମୋଚନ ,ଏହି ମହାନ ସଂଗ୍ରାମୀଙ୍କ  ଜୀବନ ଦର୍ଶନର ପ୍ରଚାର ପ୍ରସାରରରେ ସହାୟକ ହୋଇଛି ବୋଲି ପ୍ରକାଶ କରିଥିଲେ ।

ତାଙ୍କର  ସ୍ମୃତିରକ୍ଷା ପାଇଁଆଗାମୀ ଦିନରେ ସରକାର ଅଧିକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଥିବା ପ୍ରକାଶ କରିଥିଲେ । ଡାକସେବା  ନିର୍ଦେଶକ ସୁବାସ ଚନ୍ଦ୍ର ବାରିକ ଯୋଗଦେଇ କହିଲେ ଯେ,  ପୂଜ୍ୟପୂଜା ଭାରତୀୟ ସଂସ୍କୃତିର ପରିଚାୟକ ।  ଡାକ ବିଭାଗ ତରଫରୁ ଓଡ଼ିଶାର କଳା ସଂସ୍କୃତିଓ ବରପୁତ୍ରମାନଙ୍କ ଉପରେ ଏହି ଭଳି  ସ୍ୱତନ୍ତ୍ର ଡାକ ଲଫାପା ପ୍ରକାଶନ କାର‌୍ୟ୍ୟ ଜାରି ରହିଥିବା  ଶ୍ରୀ ବାରିକ ପ୍ରକାଶ କରିଥିଲେ ।

ପ୍ରାରମ୍ଭରେ  ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ଭାରପ୍ରାପ୍ତ ଅଧିକାରୀ ଲଷ୍ମୀଧର ବେହେରା ସ୍ୱାଗତ ଭାଷଣ ଦେଇକହିଲେ ଯେ, ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ନାମରେ ଆଜି ସ୍ୱତନ୍ତ୍ର ଲଫାପା ପ୍ରକାଶିତ ହୋଇଥିବା ବେଳେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ଉପରେ ସ୍ୱତନ୍ତ୍ର ଡାକଲଫାପାପାଇଁ  ପ୍ରସ୍ତୁତି ଜାରି ରହିଛି ଓ ଖୁବ୍ ଶୀଘ୍ର ଏହା ପ୍ରକାଶ ପାଇବ ।

ସେହିଭଳି ଆଗାମୀ ଦିନରେ ଧରଣୀଧର ଭୂୟାଁ, ପବିତ୍ର ମୋହନ ପ୍ରଧାନ,ରେଣ୍ଡୋ ମାଝୀ,ସମରେନ୍ଦ୍ର କୁଣ୍ଡୁ,ରବି ରାୟଙ୍କ ପରି ଦେଶପାଇଁ ଉଲ୍ଲେଖନୀୟ କାର‌୍ୟ୍ୟକରିଥିବା ବରପୁତ୍ରମାନଙ୍କର ସ୍ମୃତିରକ୍ଷା ପାଇଁ ପଦକ୍ଷେପ ନିଆଯିବାକୁ  ସେ ଅନୁରୋଧ  କରିଥିଲେ।ଏହି କାର‌୍ୟ୍ୟକ୍ରମରେ ବିଭାଗର ଅତିରିକ୍ତ ଶାସନ ସଚିବ ମନସ୍ୱିନୀ ସାହୁ, ଅର୍ଥପରାମର୍ଶଦାତା ଡଃ. ପଦ୍ମଜ୍ୟୋତି ସାହୁ, ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରଅନ୍ୟ ପଦାଧିକାରୀ ଓ କର୍ମଚାରୀ ଏବଂ ଡାକ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।