Categories
ଆଜିର ଖବର

ଦଳରୁ ଇସ୍ତଫା ଦେଲେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ସୁନୀଲ୍‌ ଜାଖଡା

ଲୋକସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳରୁ ଇସ୍ତଫା ଦେବା କାର୍ଯ୍ୟକ୍ରମ ଜାରି ରହିଛି। ଆଜି ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ସୁନୀଲ୍‌ ଜାଖଡ୍‌ ଓ ପ୍ରଭାରୀ ଆଶା କୁମାରୀ ଇସ୍ତଫା ଦେଇଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ପଞ୍ଜାବରେ କଂଗ୍ରେସ ଭଲ ପ୍ରଦର୍ଶନ କରିଥିଲା। କିନ୍ତୁ ସୁନୀଲ୍‌ ଜାଖଡ୍‌ ଗୁରୁଦାସପୁର ଆସନରୁ ବିଜେପି ନେତା ଅଭିନେତା ସନ୍ନି ଦେଓଲଙ୍କଠାରୁ ପରାଜୟ ଗ୍ରହଣ କରିଛନ୍ତି। ପଞ୍ଜାବର ୧୩ଟି ଲୋକସଭା ଆସନରୁ କଂଗ୍ରେସ ୮ଟି ଆସନ ଜିତିଛି। ଆଜି ସକାଳେ ଝାରଖଣ୍ଡର କଂଗ୍ରେସ ଅଧ୍ୟକ୍ଷ ଅଜୟ କୁମାର ଦଳରୁ ଇସ୍ତଫା ଦେଇଥିଲେ। ଏହା ପୂର୍ବରୁ ଉତ୍ତର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରାଜ ବବର୍‌ ଓ ଆମେଠିର ଜିଲ୍ଲାଧ୍ୟକ୍ଷ ଯୋଗେନ୍ଦ୍ର ସମେତ କେତେକ ନେତାମାନେ ଦଳର ପରାଜୟ କାରଣକୁ ନିଜ ଉପରେ ନେଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି।  ଓଡ଼ିଶାର କଂଗ୍ରେସ ସମିତି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ, ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଓ କର୍ଣ୍ଣାଟକ କଂଗ୍ରେସ ପ୍ରଚାର ଅଧ୍ୟକ୍ଷ ଏଚ କେ ପାଟିଲ୍‌ଙ୍କ ସମେତ ଅନ୍ୟ କିଛି ଛୋଟବଡ଼ ନେତାମନେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।