Categories
ଆଜିର ଖବର ଖେଳ

ଓ୍ବେଲିଙ୍ଗଟନ୍‌ ଟି20 : ସୁପର ଓଭର ବିଜୟ ସହିତ 4-0ରେ ଅଗ୍ରଣୀ ଭାରତ

ଓ୍ବେଲିଙ୍ଗଟନ୍‌ : ଚୋକର୍‌ ଆଖ୍ୟାକୁ ସଠିକ୍‌ ପ୍ରମାଣିତ କରିଛି ନ୍ୟୁଜିଲ୍ୟାଣ୍ଡ । ସୁମଦାୟ ମ୍ୟାଚ୍‌କୁ ନିୟନ୍ତ୍ରଣରେ ରଖିଥିବା ନ୍ୟୁଜିଲ୍ୟାଣ୍ଡ ପୁନର୍ବାର ଅନ୍ତିମ ଓଭର ଚାପ ଆଗରେ ହାର ମାନିଥିଲା । ଅନ୍ତିମ ଓଭରରେ ମାତ୍ର 7 ରନ୍‌ ଆବଶ୍ୟକ ଥିବା ବେଳେ କ୍ରିଜ୍‌ରେ ମହଜୁଦ ଥିଲେ ଦୁଇ ସେଟ୍‌ ବ୍ୟାଟ୍ସମ୍ୟାନ୍‌ ରସ୍‌ ଟେଲର(23) ଏବଂ ଟିମ୍‌ ସିଫର୍ଟ(57) । ମାତ୍ର ଚମତ୍କାର ବୋଲିଂ ପ୍ରଦର୍ଶନ କରିବା ସହିତ ଶାର୍ଦ୍ଦୁଲ ଠାକୁର ମାତ୍ର 6 ରନ୍‌ ବ୍ୟୟ କରିବା ସହିତ ମ୍ୟାଚ୍‌କୁ ସୁପର ଓଭରକୁ ନେଇଥିଲେ । ସୁପର ଓଭରରେ ଯଶପ୍ରୀତ୍‌ ବୁମ୍‌ରାଙ୍କ ଓଭରରେ ନ୍ୟୁଜିଲ୍ୟାଣ୍ଡ 1 ଓ୍ବିକେଟ ହରାଇ 13 ରନ୍‌ ସଂଗ୍ରହ କରିଥିଲା । 14 ରନ୍‌ର ପିଛା କରୁଥିବା ଭାରତ ପକ୍ଷରୁ କେଏଲ୍‌ ରାହୁଲ ପ୍ରଥମ ତିନି ବଲ୍‌ରେ 10 ରନ୍‌ କରି ଆଉଟ୍‌ ହୋଇଥିଲେ । ପରେ ଅଧିନାୟକ ବିରଟ କୋହଲି 6 ରନ୍‌ କରି ଭାରତକୁ ବିଜୟୀ କରାଇଥିଲେ ।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ମନୀଷ ପାଣ୍ଡେଙ୍କ ଚମତ୍କାର 50 ରନ୍‌ ବଳରେ ନିର୍ଦ୍ଧାରିତ ଓଭରରେ 165 ରନ୍‌ ସଂଗ୍ରହ କରିଥିଲା । ଚମତ୍କାର ଫର୍ମରେ ରହିଥିବା ଓପ୍‌ନର କେଏଲ୍‌ ରାହୁଲ୍‌ 26 ବଲ୍‌ରୁ 39 ରନ୍‌ ସଂଗ୍ରହ କରିଥିବା ବେଳେ ଶେଷ ଭାଗରେ ଶାର୍ଦ୍ଦୁଲ୍‌ ଠାକୁର 15 ବଲ୍‌ରୁ 20 ରନ୍‌ର ଉପଯୋଗୀ ଇନିଂସ ଖେଳିଥିଲେ । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଇଶ୍‌ ସୋଧୀ 26 ରନ୍‌ ବିନିମୟକରେ 3ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ ହାମିସ ବେନଟ୍‌ ଦୁଇଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । 166 ରନ୍‌ର ବିଜୟ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ କଲିନ୍‌ ମୁନ୍ରୋ(64) ଏବଂ ଟିମ୍‌ ସିଫର୍ଟ (57) ଙ୍କ ଚମତ୍କାର ବ୍ୟାଟିଂ ସତ୍ତ୍ବେଦଳ ସମାନ ରନ୍‌ରେ ସୀମିତ ରହି ସୁପର ଓଭର୍‌ ଖେଳିଥିଲା । ଅନ୍ୟମାନଙ୍କ ମଧ୍ୟରେ ରସ୍‌ ଟେଲର 23 ରନ୍‌ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର 2ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ବୁମ୍‌ରା ଏବଂ ଚହଲ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲ ।