ଗୁଗୁଲ୍ ଇଣ୍ଡିଆ ସିଇଓ ତଥା ଦକ୍ଷିଣ ପୂର୍ବ ଏସିଆର ଉପ ସଭାପତି ରାଜନ ଆନନ୍ଦନଙ୍କ ଇସ୍ତଫା। ଭାରତୀୟ ବଜାରରେ ପୂର୍ଣ୍ଣକାଳୀନ ନିବେଶ ଏବଂ ଷ୍ଟାର୍ଟଅପ୍ ଯୋଜନା ଉପରେ କାର୍ଯ୍ୟ କରିବା ପାଇଁ ସେ ଅବସର ଗ୍ରହଣ କରିଛନ୍ତି ବାେଲି ଜଣାପଡିଛି। ୨୦୧୧ରେ ଗୁଗୁଲ୍ରେ ଯୋଗ ଦେଇଥିଲେ ରାଜନ୍। ଷ୍ଟାନ୍ଫୋର୍ଡ ବିଶ୍ବବିଦ୍ୟାଳୟରୁ ନିଜର ଡିଗ୍ରୀ ହାସଲ କରିଥିବା ରାଜନଙ୍କ ସ୍ଥାନରେ ନିର୍ଦ୍ଦେଶକ ବିକାଶ ଅଗ୍ନିହୋତ୍ରୀ ଅନ୍ତରୀଣ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ଜଣାପଡିଛି। ଚଳିତ ଏପ୍ରିଲ୍ ମାସର ଶେଷ ଭାଗରେ ରାଜନ୍ କମ୍ପାନୀ ଛାଡିବେ ବୋଲି ଗୁଗୁଲ୍ ଏସିଆ ପାସିଫିକ୍ ସଭାପତି ସ୍କଟ୍ ବିଉମୋଣ୍ଟ ପ୍ରକାଶ କରିଛନ୍ତି।
Tag: thesamikhsya
୨୦୧୯ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ଇସ୍ତାହାର ’ଜନ ଆଓ୍ବାଜ’ ଘୋଷଣା କରାଯାଇଛି। ଦାରିଦ୍ର୍ୟ ବିରୁଦ୍ଧରେ ଯୁଦ୍ଧ, କୃଷି ପାଇଁ ସ୍ବତନ୍ତ୍ର ବଜେଟ, ମନରେଗା କାର୍ଯ୍ୟ ଦିବସ ବୃଦ୍ଧି ଆଦି ୫ଟି ବିଷୟକୁ ଏଥିରେ ଗୁରୁତ୍ବ ପ୍ରଦାନ କରାଯାଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦଳର ଇସ୍ତାହାର ଘୋଷଣା କରିଛନ୍ତି। ପୂର୍ବ ଘୋଷଣା ଅନୁଯାୟୀ ’ନ୍ୟାୟ’ ଯୋଜନାରେ ଗରିବଙ୍କୁ ପ୍ରତିବର୍ଷ ୭୨ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ଇସ୍ତାହାରରେ ଘୋଷଣା କରାଯାଇଛି। ବେକାରଙ୍କୁ ନିଯୁକ୍ତି ପ୍ରଦାନ ତଥା ଯୁବକଙ୍କୁ ରୋଜଗାର କାର୍ଯ୍ୟକ୍ରମ ଅଧୀନରେ ୨୦୨୨ ସୁଦ୍ଧା ୨୨ଲକ୍ଷ ନିଯୁକ୍ତି ଦେବାକୁ ପ୍ରତିଶୃତି ଦିଆଯାଇଛି। ସେହିପରି ମନରେଗା ଅଧିନରେ ବର୍ଷକୁ ୧୫୦ ଦିନର କର୍ମ ନିଯୁକ୍ତି ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି। ଏହା ଦ୍ୱାରା ଦେଶର ଅସଂଖ୍ୟ ଗରିବ, ଖଟିଖିଆ, ଚାଷୀ ମୁଲିଆ ଉପକୃତ ହୋଇପାରିବେ ବୋଲି କଂଗ୍ରେସ କହିଛି। ଏହି ଘୋଷଣା ଅବସରରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ପ୍ରମୁଖ ଉପସ୍ଥିତ ଥିଲେ।
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ନେତାଙ୍କ ଟିପ୍ପଣୀ ଉପରେ କଡା ନଜର ରଖିଛି ନିର୍ବାଚନ କମିଶନ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଯେମିତି ଆଚରଣ ସଂହିତା ଉଲ୍ଲଂଘନ ନ ହେବ। ରାଜସ୍ଥାନର ରାଜ୍ୟପାଳ କଲ୍ୟାଣ ସିଂଙ୍କ ବିବାଦୀୟ ବୟାନ ପ୍ରସଙ୍ଗରେ ନିର୍ବାଚନ କମିଶନ ରାଷ୍ଟ୍ରପତିଙ୍କୁ ଏକ ପତ୍ର ଲେଖିଛି। କିଛି ଦିନ ତଳେ ଶ୍ରୀ ସିଂ ଆଲିଗଡରେ କହିଥିଲେ, ମୋଦିଙ୍କୁ ଦେଶ ଆବଶ୍ୟକ କରୁଛି ଏବଂ ସେ ପୁନର୍ବାର ପ୍ରଧାନମନ୍ତ୍ରୀ ହେବା ଉଚିତ୍। ଏହି ବିବାଦ ନେଇ ପୂର୍ବରୁ ଶ୍ରୀ ସିଂଙ୍କୁ ନିର୍ବାଚନ କମିଶନ ସମାଲୋଚନା କରିଥିବା ବେଳେ ନିର୍ବାଚନ ଆଚରଣ ବିଧି ଉଲଂଘନ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏକ ପତ୍ର ଲେଖିଛି। ଜଣେ ରାଜ୍ୟପାଳ ଏପରି ଟିପ୍ପଣୀ ଦେଇଥିବାରୁ ଏହାର ବିଚାର ରାଷ୍ଟ୍ରପତି କରିବା ଠିକ୍ ହେବ ବୋଲି ଭାବି ନିର୍ବାଚନ କମିଶନ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି। ସୂଚନାଯୋଗ୍ୟ, ନିକଟରେ ଏକ ସାକ୍ଷାତ୍କାରରେ ରାଜ୍ୟପାଳ କଲ୍ୟାଣ ସିଂ କହିଥିଲେ, ଆମେ ସମସ୍ତେ ଭାଜପାର କର୍ମୀ ଓ ଭାଜପାକୁ ସମର୍ଥନ କରୁ।
୨୦୧୯ ନିର୍ବାଚନ ଆଉ ମାତ୍ର ଦିନ କେଇଟା ବାକି ରହିଥିବା ବେଳେ ଓଡ଼ିଶା ରାଜନୀତିରେ ଏପର୍ଯ୍ୟନ୍ତ ଚାଲିଛି ଦଳବଦଳ ରାଜନୀତି। ବିଜେଡ଼ି ଓ ବିଜେପି ମଧ୍ୟରେ ଚାଲିଛି ଅଦଳବଦଳ ପ୍ରତିଯୋଗିତା। ଟିକେଟ ପାଇବାକୁ ନେଇ ଅସନ୍ତୁଷ୍ଟ ପ୍ରାର୍ଥୀମାନେ ଦଳ ବଦଳ କରୁଛନ୍ତି। ବିଜେପିଠାରେ ଏହାର ଭିନ୍ନ ବ୍ୟତିକ୍ରମ ଦେଖିବାକୁ ମିଳୁଛି। କାରଣ ବିଜେପିରେ ଟିକେଟ ପାଇ ନେତାମାନେ ନାମାଙ୍କନ ଭରିବା ପୂର୍ବରୁ ହିଁ ଦଳ ଛାଡି ଦେଇ ଅନ୍ୟ ଦଳରେ ସାମିଲ ହୋଇଯାଉଛନ୍ତି। ନିକଟରେ ଆନନ୍ଦପୁରର ବିଜେପି ବିଧାୟକ ପ୍ରାର୍ଥୀ ଦଳ ଛାଡି ବିଜେଡିରେ ସାମିଲ ହେବା ପରେ ପରେ ଆଜି ବିଜେପିର ଆଉ ଜଣେ ଟାଣୁଆ ନେତା ଗେରୁଆ ଦଳ ସହ ସଂପର୍କ ଛିନ୍ନ କରି ବିଜେଡିରେ ସାମିଲ ହୋଇଛନ୍ତି। ବିଜେପିର କାକଟପୁରର ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ବେହେରା ଆଜି ବିଜେଡିରେ ମିଶିଛନ୍ତି। ନବୀନ ନିବାସ ଆସି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ‘ଶଂଖ’ ଧରିଛନ୍ତି ତୁଷାର ଏବଂ ତାଙ୍କର ସମର୍ଥକ।
ପଟିଦାର ଆନ୍ଦୋଳନରୁ କଂଗ୍ରେସ ନେତା ହୋଇଥିବା ହାର୍ଦ୍ଦିକ୍ ପଟେଲଙ୍କ ଆବେଦନ ଉପରେ ତୁରନ୍ତ ବିଚାର କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି। ଗତକାଲି ହାର୍ଦ୍ଦିକ ପଟେଲ ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ନିର୍ବାଚନ ଲଢିବା ନେଇ ଗୁଜୁରାତ ହାଇକୋର୍ଟ କଟକଣା ଜାରି କରିବା ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ହାର୍ଦ୍ଦିକ୍। ଦଙ୍ଗା ଉସକାଇବା ମାମଲାରେ ହାର୍ଦ୍ଦିକଙ୍କ ଦଣ୍ଡାଦେଶକୁ କମ୍ କରିବାକୁ ହାଇକୋର୍ଟ ମନା କରିଦେଇଥିଲେ। ମାମଲାର ତ୍ବରିତ ଶୁଣାଣି ହୋଇପାରିବ ନାହିଁ ବୋଲି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ନିଷ୍ପତ୍ତି ନେଇଛନ୍ତି। ଗତକାଲି ହାର୍ଦ୍ଦିକଙ୍କ ପକ୍ଷରୁ ଏକ ଯାଚିକା ଦାଖଲ କରାଯାଇଥିଲା। ଗୁଜରାତର ଜାମନଗର ନିମନ୍ତେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଏପ୍ରିଲ୍ ୪ ତାରିଖ ଶେଷ ତାରିଖ ରହିଥିବାରୁ ହାର୍ଦ୍ଦିକଙ୍କ ନିର୍ବାଚନ ଲଢିବା ସମ୍ଭାବନା କ୍ଷୀଣ ରହିଛି। ଶ୍ରୀ ଗୋଗୋଇ କହିଛନ୍ତି, ନିୟମ ଅନୁଯାୟୀ ହାର୍ଦ୍ଦିକଙ୍କ ମାମଲାର ବିଚାର ଆସନ୍ତା ସପ୍ତାହ ସୁଦ୍ଧା ହେବ। ଏହି ମାମଲା ଉପରେ ନିଜର ମନ୍ତବ୍ୟ ରଖି ହାର୍ଦ୍ଦିକ୍ କହିଛନ୍ତି, ୨୦୧୫ ବିଶ୍ପୁର ଦଙ୍ଗାରେ ତାଙ୍କ ନାମରେ ଯାହା ମାମଲା ରୁଜୁ ହୋଇଛି ଏହା ବିଜେପିର ଷଡଯନ୍ତ୍ରର ଅଂଶବିଶେଷ। ସାଧାରଣ ଜନତାଙ୍କ ସ୍ବରକୁ ଦବାଇବା ପାଇଁ ଗୁଜରାତରେ ସରକାର ନେଉଥିବା ନିଷ୍ପତ୍ତି ସରକାରଙ୍କ ପାଇଁ ବୁମେରାଂ ହେବ ବୋଲି ହାର୍ଦ୍ଦିକ କହିଛନ୍ତି।
ସିଆରପିଏଫ୍ ବସ୍ ଉଡାଇବାକୁ କୁହାଯାଇଥିଲା
ବନିହାଲରେ ସିଆରପିଏଫ୍ ବସ୍ ଉପରେ ଆକ୍ରମଣର ୩୬ ଘଣ୍ଟା ମଧ୍ୟରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତ ନିଜର ଦୋଷ ସ୍ବୀକାର କରିଥିବା ନେଇ ଜମ୍ମୁ ଏବଂ କାଶ୍ମୀର ଡିଜିପି ଦିଲବାଗ ସିଂ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ନିଜ ବୟାନରେ କହିଛନ୍ତି ଯେ, ମୋତେ ବିସ୍ଫୋରଣ କରିବା ନିମନ୍ତେ ଫୋନ୍ ଜରିଆରେ ଆଦେଶ ମିଳିଥିଲା। ମୋ କାମ ଥିଲା କେବଳ ଗାଡି ଚଳାଇ ଯିବା ଏବଂ ବିସ୍ଫୋରଣ ନିମନ୍ତେ ସ୍ବିଚ୍ ଦବାଇବା। ପୋଲିସ୍ ପକ୍ଷରୁ ଅପରାଧୀଙ୍କ ନାମ ଗୋପନ ରଖାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି ବୋଲି ଡିଜିପି ଶ୍ରୀ ସିଂହ ପ୍ରକାଶ କରିଛନ୍ତି। ମାର୍ଚ୍ଚ ୩୦ ତାରିଖରେ ସିଆରପିଏଫ୍ ବସ୍ ନିକଟରେ ଏକ କାର ବୋମା ବିସ୍ଫୋରଣ କରାଯାଇଥିଲା। ସୌଭାଗ୍ୟବଶତଃ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି।
ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘକୁ ନେଇ ରାଜନୀତି ଘନେଇବାରେ ଲାଗିଛି। ମଧ୍ୟପ୍ରଦେଶର କଂଗ୍ରେସ ସରକାର ଭୋପାଳ ସ୍ଥିତ ଆରଏସଏସ ମୁଖ୍ୟାଳୟରୁ ସୁରକ୍ଷା ବ୍ୟବସ୍ଥା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଗତକାଲି ବିଳମ୍ବିତ ରାତ୍ରୀରେ ଆରଏସଏସ କାର୍ଯ୍ୟାଳୟ ସମାଧି ଭବନରେ ସୁରକ୍ଷା ଦାୟିତ୍ୱରେ ଥିବା ଏସଏଫ ଯବାନଙ୍କୁ ହଟେଇ ଦିଆଯାଇଛି। ଏହି ନିଷ୍ପତ୍ତିକୁ ନେଇ ତାଙ୍କ ପାର୍ଟିର ଜଣେ ବରିଷ୍ଠ ନେତା ଦିଗବିଜୟ ସିଂହ ଅସନ୍ତୁଷ୍ଟ ହୋଇଛନ୍ତି। ସେ ଟ୍ୱିଟ କରି ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ବ୍ୟବସ୍ଥାକୁ ପୁନର୍ବାର ଫେରେଇବା ପାଇଁ ଅନୁରୋଧ କରିଛନ୍ତି। ଦିଗବିଜୟ ଟ୍ୱିଟରରେ କହିଛନ୍ତି, ଭୋପାଳ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ କାର୍ଯ୍ୟାଳୟ ଉପରୁ ସୁରକ୍ଷା ହଟେଇ ଦେବା ଉଚିତ୍ ନୁହେଁ। ତେଣୁ ସେ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ତତ୍କାଳ ସୁରକ୍ଷା ବ୍ୟବସ୍ଥା ଫେରେଇ ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି। ୨୦୦୯ରୁ ଭୋପାଳସ୍ଥିତ ଆରଏସ୍ଏସ୍ ମୁଖ୍ୟାଳୟକୁ ସୁରକ୍ଷା ପ୍ରଦାନ କରାଯାଇଥିଲା। ଏଥିରେ ଏସଏଏଫ ଯବାନଙ୍କୁ ନିୟୋଜିତ କରାଯାଇଥିଲା।
ପୁରୀ ବ୍ରହ୍ମଗିରିରେ ଗୋଷ୍ଠୀ ସଂଘର୍ଷ କାରଣରୁ ଚାରିଜଣ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଅପର ଗୋଷ୍ଠୀ ପକ୍ଷରୁ କାଜୁ ବଗିଚାରେ ନିଆଁ ଲଗାଇବା ସହ ଛୁରାମାଡ଼ ଓ ଏସିଡ ମାଡ଼ କରାଯାଇଥିବା ଜଣାପଡ଼ିଛି। ପୁରୀ ଜିଲ୍ଲା ବ୍ରହ୍ମଗିରି ଶାହାଜାନପୁରରେ କୈାଣସି କାରଣରୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଗୋଟିଏ ଗୋଷ୍ଠୀ କାଜୁ ବଗିଚା ଜଗିଥିବା ବେଳେ ଅନ୍ୟ ଗୋଷ୍ଠୀ ପକ୍ଷରୁ ବଗିଚାରେ ନିଆଁ ଲଗାଇବା ସହ ଆକ୍ରମଣ କରାଯାଇଛି। ଶାହାଜାନପୁର ଗାଁର ଏହି ଘଟଣାରେ ଏସିଡ଼ ମାଡ଼ରେ ଦୁଇ ଜଣ ଓ ଛୁରାମାଡ଼ରେ ଦୁଇଜଣ ଗୁରୁତର ହୋଇଛନ୍ତି। ଏନେଇ ବ୍ରହ୍ମଗିରି ଥାନାରେ ଏତଲା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାରେ ଚାରିଜଣ ଗୁରୁତରଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ଆମାଜନ୍ ରିଟେଲ୍ ଇଣ୍ଡିଆ (ଏଆର୍ଆଇପିଏଲ) ପକ୍ଷରୁ ଭାରତୀୟ ବଜାରରେ ୨୪୦ କୋଟି ନିବେଶ କରିବାକୁ ଯାଉଛି। ଆମାଜନ୍ କର୍ପୋରେଟ୍ ହୋଲ୍ଡିଂ, ସିଙ୍ଗାପୁର ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ଏହି ଅର୍ଥରାଶି ଖୁଚୁରା ବ୍ୟବସାୟରେ ନିବେଶ କରାଯିବ ବୋଲି ଆମାଜନ୍ ପକ୍ଷରୁ କୁହାଯାଇଛି। ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ(ଏଫ୍ଡିଆଇ) ଏବଂ ଇ କମର୍ସ ଜରିଆରେ ଏହି ନିବେଶ କରାଯିବ ବୋଲି କୁହାଯାଇଛି। ଏହା ସହିତ ଆମାଜନ୍ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ସରକାରଙ୍କ ପକ୍ଷରୁ ଇ କମର୍ସ ଏଫ୍ଡିଆଇ ପାଇଁ କୋହଳ ମନୋଭାବ ପ୍ରଦର୍ଶନ କରାଯାଇଥିବାରୁ ଭାରତରେ ନିବେଶ କରିବା ପାଇଁ କମ୍ପାନୀ ଆଗ୍ରହୀ ବୋଲି କୁହାଯାଇଛି। ଏହି ନିବେଶ ଦ୍ବାରା କମ୍ପାନୀ ଖୁଚୁରାରେ ଜିନିଷ କିଣିବା ପରେ ଅନ୍ଲାଇନ୍ରେ ବିକ୍ରୟ କରାଯିବ। ଅନ୍ଲାଇନ୍ ଗ୍ରୋସରୀ ସାମଗ୍ରୀ ବିତରଣ ପାଇଁ କମ୍ପାନୀ ସଫ୍ଟବ୍ୟାଙ୍କ, ଅଲିବାବା ଏବଂ ଫ୍ଲିପ୍କାର୍ଟ ସହିତ ଚୁକ୍ତି କରିଛି। ଏହା ସହିତ ଆମାଜନ୍ର ପ୍ରାଇମ୍ ସେବା ଦ୍ବାରା ମାତ୍ର ୨ ଘଣ୍ଟା ମଧ୍ୟରେ ସାମଗ୍ରୀ ଗ୍ରାହକଙ୍କ ନିକଟରେ ପହଞ୍ଚିଛି।
ପାକିସ୍ତାନ ପକ୍ଷରୁ ସୋମବାର ପୁଣିଥରେ ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଛି। ପାକ୍ ସେନାର ଘନଘନ ମୋର୍ଟାର ଓ ଗୁଳିମାଡ଼ରେ ବିଏସ୍ଏଫ୍ର ଜଣେ ଇନ୍ସପେକ୍ଟର ସହିଦ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାର ମୃତ୍ୟୁ ଘଟିଛି। ସେହିପରି ୫ ବିଏସ୍ଏଫ୍ ଯବାନଙ୍କ ସହ ୧୪ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଶାହାପୁର ସେକ୍ଟରର ୫ କିମି ପରିଧି ମଧ୍ୟରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଦିଆଯାଇଛି। ସୋମବାର ସକାଳ ପ୍ରାୟ ୭.୪୫ରୁ ପାକିସ୍ତାନ ସେନା ସ୍ୱୟଂଚାଳିତ ବନ୍ଧୁକ ଓ ମୋର୍ଟାର ଦ୍ୱାରା ପୁଞ୍ଚ ଜିଲ୍ଲାର ଶାହାପୁର ଓ କେରିନ୍ ସେକ୍ଟର ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା। ପାକ୍ ସେନା ଟାର୍ଗେଟରେ ସେନା ଆଉଟ୍ ପୋଷ୍ଟ ଓ ସୀମାନ୍ତ ଗାଁ ଗୁଡ଼ିକ ରହିଥିଲା। ପାକ୍ ସେନାର ଏଭଳି ଗୁଳିମାଡ଼ର ଜବାବ ମଧ୍ୟ ଭାରତ ପକ୍ଷରୁ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଗୁଳିମାଡ଼ରେ ପ୍ରଥମେ ଜଣେ ୫ ବର୍ଷ ବୟସର ବାଳିକା ପ୍ରାଣ ହରାଇଥିଲେ। ଏହାପରେ ବିଏସ୍ଏଫ୍ର ଇନ୍ସପେକ୍ଟରଙ୍କ ଦେହର ମଧ୍ୟ ଗୁଳିମାଡ଼ ହୋଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଆହତମାନେ ଏବେ ହସ୍ପିଟାଲ୍ରେ ରହିଛନ୍ତି। ପାକିସ୍ତାନ ମାଡ଼ କରିଥିବା ମୋର୍ଟାର ଶାହାପୁର, ମେନ୍ଧେର, କେରିନ, ଦାବାରଜ, ମାନକୋଟ ପଡ଼ିଥିଲା। ଏଥିପାଇଁ ଗାଁ ଲୋକଙ୍କୁ ଘରୁ ନ ବାହରିବାକୁ ନିର୍ଦ୍ଦେଶ ଦିଆଯାଇଛି।
‘ଜମ୍ମୁ-କାଶ୍ମୀର ପାଇଁ ଅଲଗା ପ୍ରଧାନମନ୍ତ୍ରୀ ଜରୁରୀ’। ଏଭଳି ମନ୍ତବ୍ୟ ଦେଇଥିବା ଜମ୍ମୁ-କାଶ୍ମୀରର ନ୍ୟାଶନାଲ କନ୍ଫରେନ୍ସ ନେତା ଓମାର ଅବଦୁଲ୍ଲାଙ୍କୁ କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ କଂଗ୍ରେସ ଏବଂ ମହାମେଣ୍ଟ ଗଠନ କରିଥିବା ଦଳଗୁଡ଼ିକ ଏହା ଉପରେ ନିଜର ମତ ସ୍ପଷ୍ଟ କରନ୍ତୁ ବୋଲି ମୋଦି କହିଛନ୍ତି। ମୋଦି ହାଇଦ୍ରାବାଦରେ ଏକ ନିର୍ବାଚନୀ ରାଲିରେ ଉଦବୋଧନ ଦେବା ଅବସରରେ କହିଥିଲେ, ମୁଁ ଗଣମାଧ୍ୟମରୁ ଜାଣିବାକୁ ପାଇଲି ଯେ, ଓମାର ଅବଦୁଲ୍ଲା କହିଛନ୍ତି କି କାଶ୍ମୀର ପାଇଁ ଅଲଗା ପ୍ରଧାନମନ୍ତ୍ରୀ ହେବା ଉଚିତ। ଏହି ମନ୍ତବ୍ୟ ଉପରେ କଂଗ୍ରେସ ଏବଂ ମହାମେଣ୍ଟର ସବୁ ସହଯୋଗୀ ଦଳଗୁଡ଼ିକୁ ଜବାବ ଦେବାକୁ ହେବ। ଓମାର ଏହା କହିବାର କାରଣ କ’ଣ ଏବଂ ସେ କିପରି ଏଭଳି ସାହସ କଲେ ବୋଲି ମୋଦି ପ୍ରଶ୍ନ କରିଛନ୍ତି। ମୋଦି କହିଛନ୍ତି, କାଶ୍ମୀର ପାଇଁ ଦୁଇଜଣ ପ୍ରଧାନମନ୍ତ୍ରୀ। ଏଥିରେ କ’ଣ ଆପଣମାନେ ସହମତ ବୋଲି ପ୍ରଶ୍ନ କରିଛନ୍ତି। ମୋଦି ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି. ଦେବେଗୌଡ଼ା, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏବଂ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଏଭଳି ପ୍ରଶ୍ନ କରିବା ସହ ସେମାନେ କ’ଣ ଓମାରଙ୍କ ମନ୍ତବ୍ୟରେ ସହମତ କି ବୋଲି ମଧ୍ୟ ପଚାରିଛନ୍ତି।
ଚଳିତ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ଏହି ସମୟରେ ୬ଟି ସଂସଦୀୟ କ୍ଷେତ୍ର ଏବଂ ୪୨ଟି ବିଧାନସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବ। ନାମାଙ୍କନ ଦାଖଲ ନିମନ୍ତେ ଏପ୍ରିଲ୍ ୯ ପର୍ଯ୍ୟନ୍ତ ଶେଷ ତାରିଖ ରହିଥିବା ବେଳେ ୧୦ ତାରିଖରେ ପ୍ରାର୍ଥୀପତ୍ର ପରୀକ୍ଷା କରାଯିବ। ଏପ୍ରିଲ୍ ୧୨ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଏପ୍ରିଲ୍ ୨୯ ତାରିଖରେ ଭୋଟ ଗ୍ରହଣ ହେବାର ଥିବା ବେଳେ ମେ ୨୩ ତାରିଖରେ ଭୋଟ ଗଣତି ହେବାର କାର୍ଯ୍ୟକ୍ରମ ରହିଛି। ୬ଟି ଲୋକସଭା କେନ୍ଦ୍ର ମଧ୍ୟରେ ରହିଛି ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଏବଂ ଜଗତସିଂହପୁର।
ବିଜେଡି ର ନୂଆ ପ୍ରାର୍ଥୀ ତାଲିକାରେ ଦଳର ଦୁଇଜଣ ବଡ ନେତା ଙ୍କୁ ଟିକଟରୁ ବଞ୍ଚିତ କରାଯାଇଛି। ନବୀନ ସରକାର ରେ ଅର୍ଥ ମନ୍ତ୍ରୀ ଥିବା ଶଶୀଭୂଷଣ ବେହେରାଙ୍କୁ ଜୟଦେବ ଆସନରୁ ଟିକଟ ଦିଆ ଯାଇ ନାହିଁ। ତାଙ୍କ ସ୍ଥାନରେ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲିଙ୍କୁ ଟିକଟ ଦିଆଯାଇଛି। ସେହିପରି ବରୀ ଆସନରୁ ଦେବାଶିଷ ନାୟକଙ୍କ ବଦଳରେ ସୁନନ୍ଦା ଦାସ ଙ୍କୁ ସୁଯୋଗ ଦିଆଯାଇଛି। କଟକ ଲୋକସଭା ଆସନ ଲାଗି ଦଳ ପୁରୁଖା ନେତା ଭର୍ତ୍ତୃହରି ମହତାବଙ୍କ ଉପରେ ପୁଣିଥରେ ଆସ୍ଥା ପ୍ରକଟ କରିଛି।
ଲୋକସଭା
୧-କଟକ- ଭର୍ତ୍ତୃହରି ମହତାବ
ବିଧାନସଭା
୧-ଚିଲିକା – ପ୍ରଶାନ୍ତ ଜଗଦ୍ଦେବ
୨-ଜୟଦେବ- ଅରବିନ୍ଦ ଢାଲି
୩-ବେଗୁନିଆ- ରାଜେନ୍ଦ୍ର ସାହୁ
୪-ଖୋର୍ଦ୍ଧା- ଜ୍ୟୋତିରିନ୍ଦ୍ର ନାଥ ମିତ୍ର
୫-ବସ୍ତା- ନିତ୍ୟାନନ୍ଦ ସାହୁ
୬-ମୋରଡ଼ା- ରାଜକିଶୋର ଦାସ
୭-ବରୀ- ସୁନନ୍ଦା ଦାସ
୮-ରାଇରଙ୍ଗପୁର- ବାସନ୍ତୀ ମାରାଣ୍ଡି
୯-ଦେବଗଡ଼- ରୋମାଞ୍ଚ ରଂଜନ ବିଶ୍ୱାଳ
୧୦୦ ଔଷଧ ଉପରେ ରୋକ୍ ଲଗାଇବେ ସରକାର
ଔଷଧ କମ୍ପାନୀଙ୍କ ମନମୁଖି ଗତିବିଧି ଉପରେ ଅଙ୍କୁଶ ଲଗାଇବାକୁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଏହି କ୍ରମରେ ୧୦୦ରୁ ଊର୍ଦ୍ଧ୍ବ ନାମୀଦାମୀ ବା ବ୍ରାଣ୍ଡେଡ ଔଷଧ ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ଜଣାପଡିଛି। ୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଡ୍ରଗ୍ସ ଟେକ୍ନିକାଲ ଆଡଭାଇଜର ବୋର୍ଡ (ଡିଟିଏବି) ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣେ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ଗତବର୍ଷ ମଧ୍ୟ ଭାରତ ସରକାର ୩୪୪ ଔଷଧ ଉପରେ ରୋକ୍ ଲଗାଇଥିଲେ। ପ୍ରକାଶଯୋଗ୍ୟ ଯେ ଭାରତରେ ବହୁ ବଡ଼ ବ୍ରାଣ୍ଡେଡ଼ କମ୍ପାନୀ ଆବଶ୍ୟକ ସ୍ୱୀକୃତି ବିନା ଫିକ୍ସ ଡୋଜ କମ୍ବିନେଶନ (ଏଫଡିସି) ଔଷଧ ପ୍ରସ୍ତୁତ ଓ ବିକ୍ରି କରୁଛନ୍ତି। ଏହାର ସିଧା ସଳଖ ପ୍ରଭାବ ରୋଗୀଙ୍କ ଉପରେ ପଡୁଛି। ଏଫଡିସି ଯୋଗୁଁ ରୋଗୀଙ୍କୁ ଅନାବଶ୍ୟକ ଔଷଧ ବି ଖାଇବାକୁ ପଡୁଛି। କେତେକ ଔଷଧର ଗୁଣାବତ୍ତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଅଭିଯୋଗ ଆସିଛି। ଅଭିଯୋଗ ଆଧାରରେ ସରକାର ଔଷଧ କମ୍ପାନୀଗୁଡ଼ିକର କାର୍ଯ୍ୟଶୈଳୀରେ ସୁଧାର ଆଣିବା ପାଇଁ କେତେକ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରିଛନ୍ତି। ଏହି ଅନୁସାରେ ୧୦୦ଟି ନାମୀଦାମୀ ଔଷଧ ପାଇଁ ଔଷଧ କମ୍ପାନୀଗୁଡ଼ିକୁ ଅଧିକ ଗବେଷଣା କରିବାକୁ କୁହାଯାଇପାରେ। ଏହାଦ୍ୱାରା ଔଷଧର ଗୁଣାବତ୍ତା ସୁନିଶ୍ଚିତ କରିହେବ ଓ ସରକାର ଏନେଇ ଆବଶ୍ୟକ ନିଷ୍ପତ୍ତି ଗ୍ରହଣ କରିପାରିବେ ବୋଲି କୁହାଯାଇଛି। ଏହାବ୍ୟତୀତ ଚୀନ ଓ ଅନ୍ୟ କେତେକ ଦେଶରୁ ଔଷଧ ତିଆରି ପାଇଁ ଆମଦାନୀ ହେଉଥିବା କଞ୍ଚାମାଲରେ ଗୋଳମାଳ ଓ ନିମ୍ନଗୁଣବତ୍ତା ନେଇ ଅଭିଯୋଗ ଆସିଛି। ତେଣୁ ଏହା ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି।
ସାମାଜିକ ଗଣମାଧ୍ୟମର ଅଗ୍ରଣୀ କମ୍ପାନୀ ଫେସ୍ବୁକ୍ ଭାରତରେ ସାଧାରଣ ନିର୍ବାଚନ ପୂର୍ବରୁ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଫେସ୍ବୁକ୍ ଦାବି କରିଛି ଯେ ପାକିସ୍ତାନ ସୈନ୍ୟ କର୍ମଚାରୀଙ୍କ ସମ୍ପର୍କିତ ପେଜ୍ ଏବଂ କଂଗ୍ରେସ ଦଳ ସମ୍ପର୍କିତ ପେଜ୍ଗୁଡ଼ିକୁ ଫେସ୍ବୁକ୍ରୁ ଅପସାରଣ କରିନିଆଯାଇଛି। ଅନ୍ତର୍ଜାତୀୟ ନ୍ୟୁଜ୍ ଏଜେନ୍ସି ରୟଟର୍ସ ଦ୍ୱାରା ଫେଜ୍ ଅପସାରଣ ନେଇ ସୂଚନା ଦିଆଯାଇଛି। ଫେସ୍ବୁକ୍ ପକ୍ଷରୁ କୁହାଯାଇଛି ଯେ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସମ୍ପର୍କିତ ୬୮୭ଟି ପେଜ୍ ଏବଂ ଆକାଉଣ୍ଟ ଅପସାରଣ କରିନିଆଯାଇଛି। ଏହାସହ ଫେସ୍ବୁକ୍ ପାକିସ୍ତାନ ସୈନ୍ୟ କର୍ମଚାରୀଙ୍କ ୧୦୩ ଆକାଉଣ୍ଟ ହଟାଇ ଦେଇଛି। ପ୍ରଥମ ଥର ଫେସ୍ବୁକ୍ ଏକ ବଡ଼ ରାଜନୈତିକ ଦଳ ସମ୍ପର୍କିତ ପେଜ୍ ଓ ଆକାଉଣ୍ଟକୁ ହଟାଇଛି। ଏହି ପେଜ ଏବଂ ଆକାଉଣ୍ଟଗୁଡ଼ିକରୁ ପ୍ରକାଶିତ ପୋଷ୍ଟ ଏବଂ ଫଟୋରେ ଭୁଲ ତଥ୍ୟ ଦିଆଯାଉଥିବା ଜଣାପଡ଼ିବା ପରେ ସେଗୁଡ଼ିକୁ ହଟାଇ ଦିଆଯାଇଛି ବୋଲି ଫେସ୍ବୁକ୍ ସୂଚନା ଦେଇଛି। ଫେସ୍ବୁକ୍ ନିଜ ତଦନ୍ତରେ ଜାଣିବାକୁ ପାଇଥିଲା ଯେ ଲୋକଙ୍କ ନକଲି ଆକାଉଣ୍ଟ ତିଆରି କରାଯାଇ ବିଭିନ୍ନ ପେଜ ସହ ଲିଙ୍କ୍ କରାଯାଇଥିଲା। ଏହି ଆକାଉଣ୍ଟ ଓ ପେଜ ଦ୍ୱାରା ଭୁଲ ଏବଂ ଭ୍ରମିତ ତଥ୍ୟର ପ୍ରସାରଣ କରାଯାଉଥିଲା। ଏହି ପେଜ ଓ ଆକାଉଣ୍ଟଗୁଡ଼ିକରେ ଶାସକ ଦଳ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରାଯାଉଥିଲା। ସୂଚନାଯୋଗ୍ୟ ଯେ ଚଳିତ ଥର ଅପ୍ରେଲ ୧୧ରୁ ମଇ ୧୯ ମଧ୍ୟରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ମଇ ୨୩ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।
ପଟିଦାର ନେତା ହାର୍ଦ୍ଦିକ ପଟେଲ ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ନିର୍ବାଚନ ଲଢିବା ନେଇ ଗୁଜୁରାତ ହାଇକୋର୍ଟ କଟକଣା ଜାରି କରିବା ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଇଛନ୍ତି ହାର୍ଦ୍ଦିକ୍। ଦଙ୍ଗା ଉସକାଇବା ମାମଲାରେ ହାର୍ଦ୍ଦିକଙ୍କ ଦଣ୍ଡାଦେଶକୁ କମ୍ କରିବାକୁ ହାଇକୋର୍ଟ ମନା କରିଦେଇଥିଲେ। ନିର୍ବାଚନ ଲଢ଼ିବା ପାଇଁ ହାର୍ଦ୍ଦିକ ନିଜର ଦଣ୍ଡାଦେଶକୁ କମ୍ କରିବା ଆବେଦନ କରିଥିଲେ। ତେବେ ଏହି ମାମଲାର ଶୁଣାଣି କରି କୋର୍ଟ ହାର୍ଦ୍ଦିକଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ସୂଚନା ଅନୁଯାୟୀ ଦଙ୍ଗା ଉସୁକାଇବା ମାମଲାରେ ହାର୍ଦ୍ଦିକଙ୍କୁ ୨ ବର୍ଷର ଜେଲ ଦଣ୍ଡାଦେଶ ହୋଇଥିଲା। ତାଙ୍କ ବିରୋଧରେ ରହିଥିବା ଦଣ୍ଡାଦେଶକୁ ହଟାଇବା ନିମନ୍ତେ ସୁପ୍ରିମ୍କୋର୍ଟରେ ଆବେଦନ କରିଛନ୍ତି ହାର୍ଦ୍ଦିକ୍। ହାର୍ଦ୍ଦିକ ନିଜ ପିଟିସନ୍ରେ ଉଲ୍ଲେଖ କରିଛନ୍ତି କି ଦଣ୍ଡାଦେଶର ଏକ ମାସ ପରେ ଏହା ଉପରେ ରୋକ୍ ଲଗାଯାଇଥିଲା।
କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କେରଳର ଓ୍ବାୟାନାଡ୍ରୁ ଲଢିବା ନେଇ ଘୋଷଣା କରିବାର ଗୋଟିଏ ଦିନ ପରେ ବିଜେପି ରାହୁଲଙ୍କ ବିପକ୍ଷରେ ନିଜର ପ୍ରାର୍ଥୀ ଘୋଷଣା କରିଛି। ଭାରତ ଧର୍ମ ଜନସେନା ଦଳର ମୁଖ୍ୟ ଥୁସାର ଭେଲ୍ଲାପଲ୍ଲୀ ରାହୁଲଙ୍କ ବିପକ୍ଷରେ ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡିଛି। ବିଜେପି ସଭାପତି ଅମିତ ଶାହ ଏହି ଘୋଷଣା କରିବା ସହିତ ଶ୍ରୀ ଭେଲ୍ଲାପଲ୍ଲୀଙ୍କ ଓ୍ବାୟାନାଡ୍ରେ ଏନ୍ଡିଏର ପ୍ରାର୍ଥୀ ଭାବେ ଛିଡା କରାଇଛନ୍ତି। ସୋସିଆଲ୍ ମିଡିଆ ସାଇଟ୍ ଟ୍ବିଟ୍ଟର ଜରିଆରେ ଶାହା ଏହି ଘୋଷଣା କରିଛନ୍ତି। ଶାହା କହିଛନ୍ତି ଥୁସାର ଜଣେ ଯୁବନେତା, ଯିଏକି ସାମାଜିକ ନ୍ୟାୟ ବ୍ୟବସ୍ଥା ଏବଂ ଉନ୍ନତି ନିମେନ୍ତ ପ୍ରତିବଦ୍ଧ। ଶ୍ରୀ ଭେଲ୍ଲାପଲ୍ଲୀଙ୍କ ସହିତ କେରଳରେ ଏନ୍ଡିଏ ମେଣ୍ଟ ସରକାର ଗଠନ ନିମନ୍ତେ ଏକ ବଢିଆ ବିକଳ୍ପ ବୋଲି ଶାହା କହିଛନ୍ତି। ସୂଚନାଯେଗ୍ୟ ଯେ, ଉତ୍ତର ପ୍ରଦେଶର ଆମେଥିରୁ ପ୍ରତିଦ୍ବନ୍ଦିତା କରୁଥିବା ରାହୁଲ ନିଜର ଦ୍ବିତୀୟ ନିର୍ବାଚନ ମଣ୍ଡଳୀ ଭାବରେ ଓ୍ବାୟାନାଡ୍କୁ ଚୟନ କରିଛନ୍ତି।
ବିଜେଡିରୁ ଇସ୍ତଫା ପ୍ରଦାନ କରିଛନ୍ତି ମୋରଡା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ। ଶ୍ରୀ ଭଞ୍ଜଦେଓ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିବା ସହିତ ଜିଲ୍ଲା ସଭାପତି ପଦବୀରୁ ମଧ୍ୟ ଇସ୍ତଫା ପ୍ରଦାନ କରିଛନ୍ତି। ନିଜର ଇସ୍ତଫାପତ୍ର ଶ୍ରୀ ଭଞ୍ଜଦେଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି। ଅନ୍ୟ ଦଳରୁ ଆସୁଥିବା ପ୍ରାର୍ଥୀଙ୍କୁ ଟିକଟ ଦିଆଯିବାକୁ ବିରାେଧ କରି ନିଜର ଇସ୍ତଫା ପ୍ରଦାନ କରିଥିବା କହିଛନ୍ତି। ଦଳରେ ବିଶୃଙ୍ଖଳା ଅନେକ ଦିନରୁ ରହିଛି ଏବଂ ପୁରାତନ ନେତାଙ୍କୁ ଅଣଦେଖା କରାଯିବା ନେଇ ପୂର୍ବରୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଜବାବ ମିଳିନଥିଲା। ଅନ୍ୟ ଦଳରୁ ଆସୁଥିବା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ତିନିତିନି ଥର ନିର୍ବାଚନ ହାରିଥିବା ନେତାଙ୍କୁ ଟିକଟ ଦିଆଯିବା ନେଇ ନିଜର ଅସନ୍ତୋଷ ଜାହିର କରିବା ସହିତ ଇସ୍ତଫା ପ୍ରଦାନ କରିଛନ୍ତି।
ଫେଡେରରଙ୍କୁ କ୍ୟାରିୟରର ୧୦୧ ତମ ଟାଇଟଲ୍
ସ୍ବିସ୍ ଟେନିସ୍ ଷ୍ଟାର ରୋଜର ଫେଡେରର ନିଜ କ୍ୟାରିୟରର ୧୦୧ ତମ ଟାଇଟଲ ହାସଲ କରିଛନ୍ତି। ମିଆମି ମାଷ୍ଟର୍ସ ଓପନ୍ରେ ଫେଡେରର ଡିଫେଣ୍ଡିଂ ଚାମ୍ପିୟନ୍ ଜନ୍ ଇସ୍ନରଙ୍କୁ ପରାସ୍ତ କରି ଏହି ମାଇଲଖୁଣ୍ଟ ହାସଲରେ ସଫଳ ହୋଇଛନ୍ତି। ୩୭ ବର୍ଷୀୟ ଫେଡେରର ୬-୧, ୬-୪ର ସିଧାସଳଖ ସେଟ୍ରେ ଇସ୍ନରଙ୍କୁ ପରାସ୍ତ କରିଛନ୍ତି। ବିଶ୍ବ ମାନ୍ୟତାରେ ୫ ନମ୍ବର ସ୍ଥାନରେ ରହିଥିବା ଫେଡେରର ପ୍ରଥମ ସେଟ୍କୁ ମାତ୍ର ୨୪ ମିନିଟ୍ରେ ଜିତି ନେଇଥିଲେ। ଏହା ଫେଡେରରଙ୍କ କ୍ୟାରିୟରର ୫୦ ତମ ମାଷ୍ଟର୍ସ ଫାଇନାଲ୍ ତଥା ୨୮ ତମ ମାଷ୍ଟର୍ସ ବିଜୟ। ଅନ୍ୟୁନ ୨୦ଟି ଗ୍ରାଣ୍ଡସ୍ଲାମ୍ ଜିତିଥିବା ଖେଳାଳିଙ୍କ ମଧ୍ୟରେ ଫେଡେରର ପ୍ରଥମ ଖେଳାଳି ଭାବରେ ୧୦୧ ତମ ଟାଇଟଲ ଜିତିଛନ୍ତି। ଏହି ସପ୍ତାହ ମୋ ପାଇଁ ଅତ୍ୟନ୍ତ ଚମତ୍କାର ରହିଥିଲା ବୋଲି ବିଜୟ ପରେ କହିଛନ୍ତି ଫେଡେରର। ଫେଡେରର କହିଛନ୍ତି, ୧୯୯୯ମସିହାରେ ମିଆମି ମାଷ୍ଟର୍ସରୁ କ୍ୟାରିୟର ଆରମ୍ଭ କରିଥିଲି, ୨୦୧୯ ରେ ସମାନ ସ୍ଥାନରେ ଖେଳି ଟାଇଟଲ ଜିତିବା ମୋ କ୍ୟାରିୟରର ଏକ ଅନନ୍ୟ ଅନୁଭୂତି। ଏହା ସହିତ ସଠିକ୍ ସମୟ ଆସିଲେ ଅବସର ଗ୍ରହଣ କରିବି ବୋଲି କହିଛନ୍ତି ୩୭ ବର୍ଷୀୟ ଫେଡେରର।
ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ପ୍ରଚାର ଅଭିଯାନକୁ ଜୋର କରିଛନ୍ତି। ଗତ ୨ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୟପୁରରେ ଭାରତୀୟ ଜନତା ପାର୍ଟି ପାଇଁ ପ୍ରଚାରକୁ ଓହ୍ଲାଇଥିବା ବେଳେ ଆଜି ଅମିତ ଶାହା ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ପ୍ରଚାର କାର୍ଯ୍ୟକ୍ରମକୁ ହାତକୁ ନେଇଛନ୍ତି। ସ୍ଥାନୀୟ କାଶୀନଗରରେ ସେ ଦଳୀୟ କର୍ମୀଙ୍କୁ ବିଜୟର ମନ୍ତ୍ର ଦେବା ସହ ବିଜେପିକୁ ଭୋଟ ଦେବା ପାଇଁ ଆହ୍ୱାନ କରିଛନ୍ତି। ଭାଷଣ ଆରମ୍ଭରୁ ଶାହା ଉତ୍କଳ ଦିବସ ଉପଲକ୍ଷେ ଓଡିଶା ମାଟିର ବୀର ସନ୍ତାନ ମଧୁସୁଦନ ଦାଶ, ଗଙ୍ଗାଧର ମେହେର ଆଦିଙ୍କୁ ମନେ ପକାଇଥିଲେ। ଏହାପରେ ସେ କହିଥିଲେ ଯେ, ଏହା ମୋ ପାଇଁ ସୌଭାଗ୍ୟର ଦିନ ଉତ୍କଳ ଦିବସରେ ମୁଁ ଓଡିଶା ଆସିଛି। ଆଜିର ଦିନରେ ଭାଷାଭିତ୍ତିରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ନିର୍ମାଣ ହୋଇଥିଲା। କିନ୍ତୁ ୧୯ ବର୍ଷ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଓଡିଆ କହି ନପାରିବା ଓଡିଶା ପାଇଁ ଦୁର୍ଭାଗ୍ୟର ବିଷୟ। ୧୯ ବର୍ଷ ଶାସନ କଲେ ନବୀନ କିନ୍ତୁ ରାଜ୍ୟର ବିକାଶ ପାଇଁ କିଛି କରିନାହାନ୍ତି। ଏହି ନିର୍ବାଚନ ଦେଶ ଏବଂ ଓଡିଶାର ଭାଗ୍ୟ ନିର୍ଧାରଣ କରିବ। ଦେଶରେ କାହାର ଏବଂ ଭୁବନେଶ୍ୱରରେ କାହାର ସରକାର ହେବ ତାହା ସ୍ଥିର କରିବ। ଓଡିଶାରେ ରୋଜଗାର ନପାଇ ଯୁବକମାନେ ବାହାରକୁ ଯାଉଛନ୍ତି। ବିଜେପି ସରକାର ଆସିଲେ ଓଡିଆ ଯୁବକ ବାହାରକୁ ଯିବେ ନାହିଁ। ମୋଦୀଙ୍କ ପ୍ରଧାନମନ୍ତ୍ରୀତ୍ବରେ ରାଜ୍ୟରେ ବହୁତ କାର୍ଯ୍ୟକ୍ରମ ହୋଇଛି। କିନ୍ତୁ ନବୀନ ଦକ୍ଷିଣ ଓଡିଶାର ରାଜ୍ୟଗୁଡିକ ପ୍ରତି ସଉତୁଣୀ ଭଳି ବ୍ୟବହାର କରୁଛନ୍ତି। ଏଠାରେ କଲେକ୍ଟର, ଏସପି, ନେତା ଜନତାଙ୍କଠାରୁ କମିଶନ ନେଉଛନ୍ତି। ରତ୍ନଭଣ୍ଡାର ମଧ୍ୟ ସୁରକ୍ଷିତ ନୁହେଁ। ନବୀନଙ୍କୁ ଲାଗୁଛି ଏହା ଛୋଟ କଥା। କିନ୍ତୁ ଏହା ଓଡିଶାର ସମ୍ପତି ଏବଂ ସମୃଦ୍ଧି। ବିଜେଡି ଏଠାରେ ଶାସନ କରୁଛି। ଆଦିବାସୀ ଲୋକଙ୍କ ପଟ୍ଟା ଦେଇପାରୁ ନାହିଁ, ମହେନ୍ଦ୍ରତନୟା ଏବଂ ବଂଶଧରା ଯୋଜନା ଫେଲ ମାରିଛି, ରାୟଗଡାରୁ ପାରଳାଖେମୁଣ୍ଡି ଯାଏଁ ଜଳସେଚନ ଫେଲ ହୋଇଛି। ଗଜପତିରେ ଜନଜାତିଙ୍କୁ ମଧ୍ୟ ଉପେକ୍ଷା କରିଛି। ଶୁଦ୍ଧ ପାଣି ଯୋଗାଇବାରେ ମଧ୍ୟ ସରକାର ବିଫଳ। ଶାହା ଆହୁରି କହିଛନ୍ତି ଯେ, ହସ୍ପିଟାଲରେ ଡାକ୍ତର ନାହାନ୍ତି, ୨୪ ଘଂଟା ବିଜୁଳି ନାହିଁ, ଗ୍ରାମରେ ରାସ୍ତା ନାହିଁ। ନବୀନ ଦୁର୍ନୀତି ଛଡା ଆଉ କିଛି କରିନାହାନ୍ତି। ରାହୁଲ ଗାନ୍ଧି ଓଡିଶାକୁ ଆସୁଛନ୍ତି। ୧୦ ବର୍ଷ ସରକାରରେ ଥିଲେ କିନ୍ତୁ କଂଗ୍ରେସ ସରକାର ଓଡିଶାକୁ ୮୦ହଜାର କୋଟି ଦେଇଥିଲା।ବିଜେପି ଅଧ୍ୟକ୍ଷ ଆହୁରି କହିଛନ୍ତି ଯେ, ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ବଳିଦାନକୁ କେହି ଭୁଲି ପାରିବେ ନାହିଁ। କଂଗ୍ରେସ ଦଳ ସମଝୋତା ଏକ୍ସପ୍ରେସକୁ ନେଇ ଯେଉଁ ରାଜନୀତି କରୁଥିଲା ତାହା ବିଫଳ ହୋଇଛି। ରାହୁଲ ଗାନ୍ଧି ହିନ୍ଦୁଙ୍କୁ ନେଇ ଆତଙ୍କବାଦୀ କହୁଛନ୍ତି। କଂଗ୍ରେସ ଭୋଟବ୍ୟାଙ୍କ ପାଇଁ ହିନ୍ଦୁ ସମୁଦାୟକୁ ନିନ୍ଦା କରୁଛି। ଏହାସହ ଦେଶର ସୁରକ୍ଷା ସହ କଂଗ୍ରେସ ସାଲିସ କରିଛି। ପୁଲୱାମାକୁ ନେଇ ଭାରତ ପାକ୍ ଘରେ ପଶି ଆକ୍ରମଣ କଲା କିନ୍ତୁ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ପାକିସ୍ତାନ ସହ କଥା ମିଳାଇ ପ୍ରମାଣ ମାଗୁଛନ୍ତି। ଆତଙ୍କବାଦୀ ଗୁଳି ଚଳାଇଲେ ଆମେ ବୋମା ମାଡ କରି ଏହାର ଜବାବ ଦେବୁ। ହେଲେ ମୋଦୀ ସରକାର ୫ବର୍ଷରେ ୫ଲକ୍ଷ ୫୬ହଜାର ୫୬୫କୋଟି ଟଙ୍କା ଦେଇଛନ୍ତି। ରେଳବାଇ ପାଇଁ ୪୩ହଜାର କୋଟି, ଜଳମାର୍ଗ ପାଇଁ ୨୦୦୦କୋଟି, ଅମୃତ ଯୋଜନା ପାଇଁ ୧୫୯୦ ଏବଂ ସାଗରମାଳା ପାଇଁ ୨୫ହଜାର କୋଟି ଟଙ୍କା ପ୍ରଦାନ ହୋଇଛି। ଉଜ୍ଜଳା ଯୋଜନାରେ ଗରିବ ମହିଳାଙ୍କୁ ମାଗଣା ଗ୍ୟାସ ମିଳିଛି। ୪୮ଲକ୍ଷ ମହିଳାଙ୍କୁ ଓଡିଶାରେ ମାଗଣା ଗ୍ୟାସ ମିଳିଛି। ଦେଶରେ ୭କୋଟି ଗ୍ୟାସ ମିଳିଛି। ୮କୋଟି ପରିବାରରେ ଶୌଚାଳୟ କରାଯାଇଛି। ଓଡିଶାକୁ ଏକ ଯୁବ ମୁଖ୍ୟମନ୍ତ୍ରୀ ଦରକାରା। ବିକାଶର ରାସ୍ତାକୁ ନେବା ଭଳି ମୁଖ୍ୟମନ୍ତ୍ରୀ ଦରକାର। କେନ୍ଦ୍ରରୁ ଟଙ୍କା ଆସୁଛି କିନ୍ତୁ ତଳସ୍ତରରେ ପହଁଚୁନାହିଁ କାରଣ ନବୀନଙ୍କ ଅଫିସର ଏହାକୁ ବାଟମାରଣା କରୁଛନ୍ତି। ଏହି ବ୍ୟବସ୍ଥା ବଦଳିବା ଦରକାର। ଦେଶ ଏବଂ ରାଜ୍ୟରେ ଡବଲ ଇଂଜିନର ବ୍ୟବସ୍ଥା କରିବା ଦରକାରା। ବିଜେପିକୁ ଗୋଟିଏ ସୁଯୋଗ ଦିଆଗଲେ ୫ ବର୍ଷରେ ଦେଶରେ ଏକ ନମ୍ବର ରାଜ୍ୟ ହେବ ଓଡିଶା। ଏହାସହ ଉପସ୍ଥିତ ଭୋଟର ଏବଂ କର୍ମୀଙ୍କୁ ରାଜ୍ୟ ଏବଂ ଦିଲ୍ଲୀରେ ବିଜେପି ସରକାର ଗଢିବା ପାଇଁ ନିବେଦନ କରିଥିଲେ ଶାହା।
ରେକର୍ଡ ଛୁଇଁଲା ସେନ୍ସେକ୍ସ ଏବଂ ନିଫ୍ଟୀ
ଚଳିତ ଆର୍ଥିକ ବର୍ଷର ପ୍ରଥମ ଦିନରେ ଅର୍ଥାତ ଏପ୍ରିଲ ପହିଲାରେ ସେନ୍ସେକ୍ସ ରେକର୍ଡ ସ୍ତରରେ ପହଞ୍ଚିଛି। ଗତ ଶୁକ୍ରବାର ସେନସେକ୍ସ ୩୮୬୭୨.୯୧ ପଏଣ୍ଟରେ ବନ୍ଦ ହୋଇଥିଲା। ସୋମବାର କାରବାର ଆରମ୍ଭ ହେବା ପରେ ଏହା ୩୩୦ ପଏଣ୍ଟ ବୃଦ୍ଧି ପାଇ ୩୯୦୦୦ ପଏଣ୍ଟ ଅତିକ୍ରମ କରିବା ସହ ୩୯୦୨୮.୬୭ ପଏଣ୍ଟରେ ପହଞ୍ଚିଛି। ଏହା ସହିତ ନିଫ୍ଟୀ ମଧ୍ୟ ୫୦ ପଏଣ୍ଟ ବୃଦ୍ଧି ପାଇ ୧୧୭୧୫ରେ ପହଞ୍ଚିଛି । ନିଫ୍ଟୀର ସର୍ବକାଳୀନ ରେକର୍ଡ ୧୧୭୬୦ ରହିଥିବା ବେଳେ ଏହା ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଅର୍ଥନୀତିଜ୍ଞ ମାନେ ପୂର୍ବାନୂମାନ ଲଗାଇଛନ୍ତି। ବିଶେଷକରି ମେଟାଲ, ଯାନବାହନ ଏବଂ ଅର୍ଥନୈତିକ ଷ୍ଟକ୍ କାରବାରରେ ବୃଦ୍ଧି ଯୋଗୁ ସେନସେକ୍ସରେ ବୃଦ୍ଧି ଘଟିଛି। ଗତବର୍ଷ ଅଗଷ୍ଟରେ ସେନସେକ୍ସ ୩୮୯୮୯ ପଏଣ୍ଟ ଛୁଇଁ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ସୋମବାର ସେନସେକ୍ସ ଚାର୍ଟରେ ବେଦାନ୍ତ, ଟାଟା ଷ୍ଟିଲ, ଟାଟା ମୋଟର୍ସ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏବଂ ଆଇସିଆଇସିଆଇ ବ୍ୟାଙ୍କ ସବୁଠାରୁ ଆଗରେ ରହିଛନ୍ତି।