ଚିଟଫଣ୍ଡ ଠକେଇ ମାମଲାରେ ଲିପ୍ତ ଥିବା କମ୍ପାନୀ ମାନଙ୍କୁ ଜଷ୍ଟିସ ଏମଏମ ଦାଶ କମିଶନ ପବ୍ଲିକ ନୋଟିସ ପଠାଇଛନ୍ତି । ଖବରକାଗଜ ମାଧ୍ୟମରେ ୫୭୬ଟି କଂପାନୀଙ୍କୁ ଏହି ନୋଟିସ ଜାରି କରାଯାଇଛି। ୨ଟି କାଟେଗୋରୀର କମ୍ପାନୀଙ୍କୁ ଏହି ନୋଟିସ ପଠାଯାଇଛି । ଠିକଣା ଥାଇ ମଧ୍ୟ ହାଜର ହେଉନଥିବା ୧୯୯ କଂପାନୀ ଏବଂ ଠିକଣା ନଥାଇ ହାଜର ହେଉନଥିବା ୩୭୭ କମ୍ପାନୀଙ୍କୁ ନୋଟିସ ଜାରି କରାଯାଇଛି । ଏହାସହ ସେମାନଙ୍କୁ ଏପ୍ରିଲ ୧୫ରୁ ସେପ୍ଟେମ୍ବର ୨୪ ସୁଦ୍ଧା ହାଜର ହେବା ପାଇଁ କୁହାଯାଇଛି । ଯହି ଏହି ସମୟସୀମା ମଧ୍ୟରେ କମ୍ପାନୀମାନେ ହାଜର ନ ହୁଅନ୍ତି ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନ କହିଛନ୍ତି ।
Tag: thesamikhsya
ମହାନଦୀ ଜଳ ବିବାଦ ମାମଲାରେ ଆଜି ଟ୍ରିବ୍ୟୁନାଲ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ରାୟ ଶୁଣାଇବା ଲାଗି ସ୍ଥିର କରିଥିବା ବେଳେ ଏହାକୁ ସ୍ଥଗିତ ରଖିଛନ୍ତି। ଏହି ରାୟ ଆସନ୍ତା ମାର୍ଚ୍ଚ ୩୦ ତାରିଖ ଦିନ ପ୍ରକାଶ ପାଇବ ବୋଲି ଟ୍ରିବ୍ୟୁନାଲ୍ କହିଛନ୍ତି। ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଶୁଣାଣି କରି ସୁପ୍ରିମ୍କୋର୍ଟର ବିଚାରପତି ଜଷ୍ଟିସ୍ ଏ.ଏମ୍.ଖାନ୍ଓ୍ଵିଲକର, ଜଷ୍ଟିସ୍ ରବିରଞ୍ଜନ ଏବଂ ଜଷ୍ଟିସ୍ ଇନ୍ଦରମିତ୍ କୌରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ବିବାଦର ସମାଧାନ ଆପୋଷ ଆଲୋଚନା ଜରିଆରେ କରିବାକୁ ଆଉଥରେ ସୁଯୋଗ ଦିଆଯାଇଛି ବୋଲି କହିଛନ୍ତି । ମହାନଦୀ ଟ୍ରିବ୍ୟୁନାଲରେ ଓଡ଼ିଶା ଓ ଛତିଶଗଡ଼ ଜଳବିବାଦ ମାମଲାରେ ମଧ୍ୟବର୍ତ୍ତୀକାଳୀନ ଆବେଦନର ଚୂଡ଼ାନ୍ତ ରାୟ ମାର୍ଚ୍ଚ ୩୦ ଯାଏଁ ସ୍ଥଗିତ କରାଯାଇଛି । ଉଭୟଙ୍କ ମଧ୍ୟରେ ପୁଣି ଆଲୋଚନା କରିବା ପାଇଁ ଦୁଇ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୩୦ ପୂର୍ବରୁ ବୈଠକ ପାଇଁ ଉଭୟ ରାଜ୍ୟ ପକ୍ଷରୁ ଟ୍ରିବ୍ୟୁନାଲକୁ ପ୍ରସ୍ତାବ ଦିଆଯାଇଛି । ଦୁଇ ରାଜ୍ୟ ମଧ୍ୟରେ ଆପୋସ ଆଲୋଚନା ପାଇଁ ଏହା ଶେଷ ସୁଯୋଗ ରହିଛି । ଏଥିରେ ଯାହା ନିଷ୍କର୍ଷ ବାହାରିବ ତାକୁ ଟ୍ରିବ୍ୟୁନାଲକୁ ଜଣାଇବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।
ଜୟପୁରରେ ଡବଲ୍ ମର୍ଡର
କୋରାପୁଟ ଜିଲ୍ଲା ଜୟପୁରର ଜୟନଗର ଛକରେ ଥିବା ଏକ ବନ୍ଦ ଘରୁ ଏକ ଦମ୍ପତିଙ୍କ ମୃତଦେହକୁ ପୁଲିସ୍ ଉଦ୍ଧାର କରିଛି। ମୃତକମାନେ ହେଲେ ଅବସରପ୍ରାପ୍ତ ପୁଲିସ୍ ଅଧିକାରୀ ସେଖ୍ ରହେମାନ୍ ଓ ତାଙ୍କ ପତ୍ନୀ। ସେମାନଙ୍କ ଶରୀରରେ କ୍ଷତ ଚିହ୍ନ ଥିବା ସୂଚନା ମିଳିଛି। ଚୋରି କରିବା ଉଦ୍ଦେଶ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିବା ରହେମାନ୍ଙ୍କ ପୁଅ ଅଭିଯୋଗ କରିଥିଲେ।ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ୍ ସ୍ପଷ୍ଟ କରିଛି। ଏହି ଘଟଣାରେ ସମ୍ପୃକ୍ତି ସନ୍ଦେହରେ ରହେମାନ୍ଙ୍କ ପୁଅଙ୍କୁ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି। ଘଟଣାସ୍ଥଳରୁ ଏକ ରକ୍ତଲଗା ଟାଙ୍ଗିଆ ଜବତ କରାଯାଇଛି। ଏହି ଟାଙ୍ଗିଆରେ ହିଁ ଉଭୟଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।
ନିର୍ବାଚନୀ ଟିକଟେକୁ ନେଇ କଂଗ୍ରେସ ପୁଣି ଥରେ ଟୁଇଷ୍ଟ୍ କରିଛି । ଏଥରର ପରିବାରବାଦକୁ ଅଗ୍ରାଧିକାର ଦିଆଯିବ ନାହିଁ ବୋଲି ରାଜ୍ୟ କଂଗ୍ରେସ ତରଫରୁ କୁହାଯାଇଥିଲା । ଗତକାଲି ପର୍ଯ୍ୟନ୍ତ ଗୋଟିଏ ପରିବାରର ଜଣକୁ ଟିକେଟ୍ ଦେବାକୁ କହୁଥିବା ରାଜ୍ୟ କଂଗ୍ରେସ ଆଜି କଥାରେ ୟୁ ଟର୍ଣ୍ଣ ନେଇଛି । ଆଜି କଂଗ୍ରେସ ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ ପରିବାରର ଏକାଧିକ ଲୋକ ରାଜନୀତିରେ ସକ୍ରିୟ ଥିଲେ, ଟିକଟ ମିଳିବ ବୋଲି କହିଛନ୍ତି । ତେବେ ହଠାତ୍ ଆସି ଦଳରେ ମିଶିଲେ ଟିକେଟ ମିଳିବନି ସେ ସୂଚନା ଦେଇଛନ୍ତି । ପରିବାରବାଦକୁ ଗୁରୁତ୍ବ ଦେଉଥିବା କଂଗ୍ରେସ ପୁଣି ଥରେ ପରିବାରକୁ ଫେରିଯାଇଛି । କଂଗ୍ରେସର ଗୋଷ୍ଠୀ କନ୍ଦଳକୁ ପ୍ରତିହତ କରିବା ତଥା ସମସ୍ତଙ୍କୁ ସନ୍ତୁଷ୍ଟ କରିବା ପାଇଁ ନିର୍ବାଚନୀ ପୂର୍ବରୁ ନିଜ କଥାକୁ ଫେରାଇଛି ଓଡ଼ିଶା ରାଜ୍ୟ କଂଗ୍ରେସ । ତେବେ କଂଗ୍ରେସ ମୁଖ୍ୟଙ୍କ ପରିବାରରେ ମା’ ଓ ପୁଅ ଦୁହେଁ ରାଜନୀତିରେ ଛିଡ଼ା ହେବା ପରେ ବୋଧେ ଏହି ସମୀକରଣ ବଦଳିଛି ବୋଲି ଅନୁମାନ କରାଯାଉଛି ।
ସମୀକ୍ଷା ବ୍ୟୁରୋ
ବୈଜୟନ୍ତ ପଣ୍ଡା ବିଜେପିର ଜାତୀୟ ଉପସଭାପତି ଓ ମୁଖପାତ୍ର ଭାବେ ନିୟୁକ୍ତି ପାଇବା ପରେ ଓଡିଶାରେ ବିଜେପିର ସମୀକରଣ ବଦଳିବାକୁ ଯାଉଛି । କେନ୍ଦ୍ରୀୟ ନେତୃତ୍ବ ବୈଜୟନ୍ତଙ୍କୁ ଯେ ଅଧିକ ଗୁରୁତ୍ବ ଦେଉଛି, ତାହା ଆଉ ଅଛପା ହୋଇ ରହିନାହିଁ । ଆବଶ୍ୟକତା ଠାରୁ ବୈଜୟନ୍ତଙ୍କୁ ଅଧିକ ଗୁରୁତ୍ଭ ହିଁ ତାଙ୍କୁ ଚର୍ଚ୍ଚାର ପରିସର ଭିତରକୁ ଟାଣିନେଇଛି। ବୈଜୟନ୍ତ ଏବେ ରାଜ୍ୟରେ ବିଜେପିର ନୂଆ ମୁହଁ ବୋଲି ଦଳ ଭିତରେ ଚର୍ଚ୍ଚା ହେଉଛି । ଅର୍ଥାତ ବୈଜୟନ୍ତ ବିଜେପିର ମୁଖ୍ୟମନ୍ତ୍ରୀ ପଦ ରେସରେ ସାମିଲ ହୋଇଛନ୍ତି ।
୬ ମାସ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଦଳ ଭିତରେ ଓ ବାହାରେ ଏକ ଧାରଣା ସୃଷ୍ଟି ହୋଇଥିଲା। ତେବେ ଆଇଏଏସ ଚାକିରି ଛାଡି ଅପରାଜିତା ଷଡଙ୍ଗୀ ବିଜେପିରେ ଯୋଗଦେବାପରେ ସେ ମୁଖ୍ୟମନ୍ତ୍ରୀ ହେବା ଆଶାରେ ଦଳରେ ଯୋଗ ଦେଇଛନ୍ତି ବୋଲି ଆଲୋଚନା ହେଲା। ଏହା ପରେ ବିଜେପି ନେତାମାନେ ଅପରାଜିତାଙ୍କ ନିକଟତର ହେବାକୁ ଚେଷ୍ଟା କଲେ। ଅପରାଜିତା ବି ଦଳର କର୍ମୀମାନଙ୍କୁ ଅମୁକ ଭାଇ ସମୁକ ଭାଇ ଛାଡି ଦଳ ପାଇଁ କାମ କରିବାକୁ ତାଗିଦ କଲେ। ଧାରଣା ସୃଷ୍ଟି ହେଲା ଯେ, ଅପରାଜିତା ହିଁ ଦଳରେ କ୍ଷମତା କେନ୍ଦ୍ର ହେବାକୁ ଯାଉଛନ୍ତି। ଧର୍ମେନ୍ଦ୍ରଙ୍କ ପତିଆରା କମୁଥିବା ନେଇ କର୍ମୀମାନେ ଖୋଲାଖୋଲି ଆଲୋଚନା କଲେ।
ଏପରିକି ନିର୍ବାଚନ ମଣ୍ଡଳୀ ସ୍ତରର ନେତାମାନେ ପୋଷ୍ଟର ବ୍ୟାନରରେ ଅନ୍ୟ ନେତାଙ୍କ ସହ ଅପରାଜିତାଙ୍କ ଫଟୋ ମଧ୍ୟ ଲଗାଇବାକୁ ପଛାଇଲେ ନାହିଁ । ଅପରାଜିତା ଦଲର ଫେସ ବୋଲି ବାର୍ତ୍ତା ଦିଆଗଲା। ବିଜେପି କର୍ମୀମାନଙ୍କ ଯୁକ୍ତି ଥିଲା ,ଏଥର ନିର୍ବାଚନରେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏହା ଭଲ କାମ କରିବ । ଏବେ ଏଭଳି ଯୁକ୍ତି ଆଉ ଶୁଣିବାକୁ ମିଳୁନାହିଁ । ଅପରାଜିତା ତାଙ୍କର ରାଜନୈତିକ କାର୍ଯ୍ୟକଳାପ ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀ ଭିତରେ ସୀମିତ ରଖିଛନ୍ତି। ଯଦି ସେ ଲୋକସଭା ପ୍ରାର୍ଥୀ ହୁଅନ୍ତି, ତେବେ ମୁଖ୍ୟମନ୍ତ୍ରୀ ଦୌଡରେ ରହିବେ ନାହିଁ। ସେ ବିଧାନସଭା ପାଇଁ ପ୍ରାର୍ଥୀ ହେଲେ, ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ହେବେ। ଅପରାଜିତା ଆସିବା ପରେ ଧର୍ମେନ୍ଦ୍ରଙ୍କ ଗୁରୁତ୍ବ ଦଳରେ କିଛିଟା କମିଛି।
ଏଭଳି ସ୍ଥିତିରେ ବୈଜୟନ୍ତ ପଣ୍ଡା ଦଳରେ ପ୍ରବେଶ କରି ଜାତୀୟ ଉପସଭାପତି ଓ ମୁଖପାତ୍ର ଭଳି ଗୁରୁତ୍ବପୂର୍ଣ୍ଣ ପଦବୀ ହାସଲ କରିଛନ୍ତି । ଓଡିଶାର କୌଣସି ବିଜେପି ନେତାଙ୍କୁ ଦଳରେ ଯୋଗଦେବା ମାତ୍ରେ ଜାତୀୟ ସ୍ତରରେ ବଡ ପଦବୀ ମିଳିନଥିଲା। ତେବେ ମୁଖପାତ୍ର ପଦବୀ ଦେଇ ଦଳ ଅନେକ ପ୍ରଶ୍ନ ମଧ୍ୟ ଛିଡା କରାଇଛି । ନିର୍ବାଚନ ସମୟରେ ମୁଖପାତ୍ର ହିସାବରେ ବିଭିନ୍ନ ବିିତର୍କରେ ବୈଜୟନ୍ତଙ୍କୁ ଅଧିକ ସମୟ ଦେବାକୁ ପଡିବ । ତେଣୁ ସେ ନିର୍ବାଚନ ଲଢିବେ କି ନାହିଁ , ତାହା ଜଣା ପଡିନାହିଁ। ତେବେ ସେ ଯେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ସେ ନେଇ ଚର୍ଚ୍ଚା ଚାଲିଛି । ବିଜେପିର ରଣନୀତି ଓ ଆଭିମୁଖ୍ୟ କଣ ହେବ, ତାହା ମଧ୍ୟ ସ୍ପଷ୍ଟ ହୋଇନାହି। ସେ ଯାହା ହେଉନା କାହିଁକି , ଦଳ ଭିତରେ ବୈଜୟନ୍ତ ଏବେ ନିଜର ପତିଆରା ଜାହିର କରିବେ। ବୈଜୟନ୍ତଙ୍କ ଯୋଗଦାନ ବିଜେପି କର୍ମୀଙ୍କୁ ଉତ୍ସାହିତ କରିଛି ।ଆଗକୁ ଦଳ କାହା ଇଶାରାରେ ଚାଲିବ, ଧର୍ମେନ୍ଦ୍ର, ବୈଜୟନ୍ତ ନା ଅପରାଜିତା । ଏମିତି ଏକ ସ୍ଥିତିରେ କର୍ମୀମାନେ ଦ୍ବନ୍ଦ୍ବରେ ପଡିବା ସ୍ବାଭାବିକ। ପୂର୍ବରୁ ଦଳ କହି ଆସିଛି ମୁଖ୍ୟମନ୍ତ୍ରୀ ପଦ ପାଇଁ ଦଳରେ ଅନେକ ଯୋଗ୍ୟ ପ୍ରାର୍ଥୀ ଅଛନ୍ତି । ଏବେ ଏହି ରେସରେ ପୁଣି ଦୁଇଜଣ ଯୋଡି ହୋଇଛନ୍ତି । ଏହା ଆଗକୁ ଦଳକୁ ଶକ୍ତିଶାଳୀ କରିବାରେ ସହାୟକ ହେବ ନା ବିଭିନ୍ନ ଗୋଷ୍ଠୀରେ ଭାଗ ଭାଗ କରିଦେବ, ତାହା ସମୟ କହିବ। ତା ଉପରେ ନିର୍ଭର କରିବ ଦଳର ଭବିଷ୍ୟତ ।
ପଞ୍ଜାବ ନ୍ୟାସନଲ ବ୍ୟାଙ୍କର ୧୪ ହଜାର କୋଟି ଟଙ୍କା ନେଇ ଦେଶ ଛାଡି ପଳାଇଥିବା ପଳାତକ ନିରବ ମୋଦି ଲଣ୍ଡନରେ ରହୁଛନ୍ତି । ତେବେ ନିରବ ମୋଦିଙ୍କୁ ଲଣ୍ଡନରେ ଠାବ କରାଯିବା ପରେ ଏହାକୁ ନେଇ କଂଗ୍ରେସ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । କଂଗ୍ରେସର ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜେଓ୍ବାଲା ଟ୍ବିଟ୍ କରି କହିଛନ୍ତି ଯେ – ଦେଶର ୨୩,୦୦୦ କରୋଡ଼ ନେଇ ଆରାମରେ ଦେଶରୁ ଭାଗି ଯାଇ ବିଦେଶରେ ପ୍ରଧାନମନ୍ତ୍ରୀଙ୍କ ସହ ଫଟୋ ଉଠାଅ ଓ ଲଣ୍ଡନରେ ଆରାମରେ ଜୀବନ ବିତାଅ, ମୁଁ ଛୋଟ ମୋଦି, ଆରେ କିଏ ? ସେ ସରକାରଙ୍କ ଉପରେ ଆରୋପ ଲଗାଇ କହିଛନ୍ତି କି ଡର କଣ ପାଇଁ ଯେତେବେଳେ ଦେଶର ଚୌକିଦାର ମୋଦି ଭାଇ, ମୋଦି ଅଛନ୍ତି ତ ସମ୍ଭବ ଅଛି । ସେହିପରି ନିରବ ମୋଦିଙ୍କର ଏକ ଭିଡ଼ିଓକୁ ସେୟାର୍ କରି ସେଥିରେ ମଧ୍ୟ ବିରୋଧୀଙ୍କୁ କଡା ଟିପ୍ପଣୀ ଦେଇଛନ୍ତି ସୁରେଜଓ୍ବାଲା । ସେ ଏହି ଭିଡ଼ିଓରେ ଲେଖିଛନ୍ତି ଯେ, ଏହାର ଡାଇରେକ୍ଟର ଓ ପ୍ରଡ୍ୟୁସର ନରେନ୍ଦ୍ର ମୋଦି । ଏବଂ ଏହାର ଏଡିଟର୍ ଅରୁଣ ଜେଟ୍ଲୀ , ଏହାର ସ୍କ୍ରିପ୍ଟ ଡାଇରେକ୍ଟର ସିବିଆଇ । ଏହି ଫିଲ୍ମ ନିର୍ମାଣରେ ୨୩ ହଜାର କୋଟି ଲାଗିଥିବାବେଳେ ଏହାର ଫାଇନାନ୍ସ କରିଛନ୍ତି ଭାରତୀୟ ବ୍ୟାଙ୍କ । ମୋଦି ଅଛନ୍ତି ତ ସବୁ ସମ୍ଭବ ଅଛି ।’ ସେ ଲଣ୍ଡନର ୱେଷ୍ଟ ଏଣ୍ଡରେ ଏକ ବିଳାଶମୟ ଆପାର୍ଟମେଣ୍ଟରେ ରହୁଛି । ପଳାତକ ନିରବ ମୋଦି ସେଠାରେ ନୂଆ ହୀରା ବ୍ୟବସାୟ ମଧ୍ୟ ଆରମ୍ଭ କରିଛନ୍ତି । ଅବଶ୍ୟ ସେ ତାଙ୍କ ଚେହେରାକୁ କିଛିକାଂଶରେ ବଦଳାଇ ଦେଇଛନ୍ତି । ତାଙ୍କୁ ସଡ଼କରେ ଦେଖି ସେଠାକାର ସାମ୍ବାଦିକ ତାଙ୍କୁ ପ୍ରଶ୍ନ ପଚାରିବା ସମୟରେ ସେ କୌଣସି ଉତ୍ତର ନ ଦେଇ ନୋ କମେଣ୍ଟ ବୋଲି କହିଥିଲେ ।
ନିର୍ବାଚନ ପୂର୍ବରୁ ଦଳ ବଦଳ ରାଜନୀତି ଏକ ସ୍ବାଭାବିକ ପ୍ରକ୍ରିୟା । ନିକଟରେ କଂଗ୍ରେସ ଟିକଟ ବଣ୍ଟନରେ ପରିବାରବାଦକୁ ଆପଣାଇବ ନାହିଁ ବୋଲି ସ୍ପଷ୍ଟ କରିଛି । ଏପରିକି ଗୋଟିଏ ପରିବାରର ଜଣକୁ ଟିକଟ ଦିଆଯିବା ପରେ କଂଗ୍ରେସ ଭିତରେ ଅନ୍ତଃକନ୍ଦଳ ଚାଲିଥିବା ଅନୁଭୂତ ହେଉଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନିତା ବିଶ୍ବାଳ ଆଜି କଂଗ୍ରେସ ଛାଡ଼ି ବିଜେଡିରେ ମିଶିଛନ୍ତି । ନବୀନ ନିବାସରେ ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଛନ୍ତି ସୁନୀତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନୀତାଙ୍କୁ ସ୍ୱାଗତ କରିଛନ୍ତି । ପୂର୍ବରୁ ଝାରସୁଗୁଡ଼ା ବିଧାୟକ ନବ ଦାସ ଓ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବାବେଳେ ଏବେ ସୁନ୍ଦରଗଡ଼ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଥିବା ସୁନିତା ବିଜେଡ଼ିରେ ପ୍ରବେଶ କରିଛନ୍ତି । କଂଗ୍ରେସ ନେତାଙ୍କ ବିଜେଡିରେ ମିଶିବାକୁ ନେଇ ସୁନ୍ଦରଗଡ଼ ଜିଲ୍ଲାରେ ତଥା ରାଜ୍ୟରେ କଂଗ୍ରେସର ଚିନ୍ତା ବଢିଯାଇଛି । ପ୍ରଦେଶ କଂଗ୍ରେସ କମିଟି ଉଭୟ ଲୋକସଭା ଓ ବିଧାନସଭାର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା କେନ୍ଦ୍ରୀୟ କମିଟିର ଅନୁମୋଦନ ପାଇଁ ପଠାଇଛି । ଏଥିରେ ସୁନିତାଙ୍କ ନାମ ସୁନ୍ଦରଗଡ଼ ବିଧାନସଭା ଆସନ ପାଇଁ ପ୍ରସ୍ତାବ ଦିଆଯାଇଥିବାବେଳେ ଅଚାନକ ସୁନିତା ଦଳ ଛାଡ଼ିଛନ୍ତି । ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ହେମାନନ୍ଦଙ୍କ ଦୁଇ ଭାଇ କ୍ଷୀରସାଗର ବିଶ୍ବାଳ ଓ ବିହାରୀ ବିଶ୍ବାଳ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ନିର୍ବାଚନ ପୂର୍ବରୁ କଂଗ୍ରେସ ଶିବିର ଛାଡ଼ି ନେତାମାନେ ବିଜେଡ଼ି ମୁହାଁ ହେବା ଦଳର ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି । କଂଗ୍ରେସ ନେତୃତ୍ବଙ୍କ ପାଇଁ ଏହା ଚ୍ୟାଲେଞ୍ଜ ସୃଷ୍ଟି କରିଛି ।
ମ୍ୟାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ ଓ ଓଏମ୍ଆର୍ ସିଟ୍ ଗାଏବ ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ଚଳିତ ବର୍ଷର ମ୍ୟାଟ୍ରିକ୍ ପରୀକ୍ଷା ଗତକାଲି ସରିଛି। ଏବେ ଖାତା ମୂଲ୍ୟାୟନ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ସବୁ ପ୍ରକାରର ବନ୍ଦୋବସ୍ତ ଆରମ୍ଭ କରିଛି। ଆସନ୍ତା ୨୫ ତାରିଖରୁ ଖାତା ମୂଲ୍ୟାୟନ ଆରମ୍ଭ ହେବ। ଏପ୍ରିଲ୍ ୫ ତାରିଖରେ ଖାତା ଦେଖା ସାରିବାକୁ ବୋର୍ଡ ଲକ୍ଷ୍ୟ ରଖିଛି। ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ମୋଟ୍ ୬୦ଟି କେନ୍ଦ୍ର ଖୋଲାଯାଇଛି। ଏଥିରୁ ୫୦ଟିରେ ମ୍ୟାଟ୍ରିକ୍ ପରୀକ୍ଷା ଓ ୧୦ଟିରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତା ମୂଲ୍ୟାୟନ କରାଯିବ। ତେବେ ବାତିଲ୍ ହୋଇଥିବା ତିନୋଟି ପରୀକ୍ଷା କେନ୍ଦ୍ରର ଇଂରାଜୀ ପରୀକ୍ଷା ପୁନର୍ବାର ହେବ କି ନାହିଁ ତାହା ଆସନ୍ତା ୧୨ ତାରିଖରେ ଜଣାପଡ଼ିବ । ଅନେକ ଆଶା ଓ ଆଶଙ୍କା ଭିତରେ ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଶେଷ ହୋଇଥିବାବେଳେ ଖାତା ମୂଲ୍ୟାୟନରେ ଯେପରି କୌଣସି ତ୍ରୁଟି ନ ରହିବ ଓ ସମୟ ପୂର୍ବରୁ ଖାତା ଦେଖା କାର୍ଯ୍ୟ ଶେଷ ହେବ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଆଶା ପ୍ରକଟ କରିଛନ୍ତି ।
ସହିଦନଗର ଥାନାରେ ପୋଲିସକୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀକୁ ପୋଲିସ ଗିରଫ କରିଛି । ଏହି ମାମଲାରେ ପୂର୍ବରୁ ୬ଜଣଙ୍କୁ ଗିରଫ କରାଯାଇଥିଲା ବେଳେ ଆଜି ଆଉ ଜଣଙ୍କୁ ଗିରଫ କରାଯାଇଛି । ଥାନାରେ ଅଟକ ଥିବା ଜଣେ ଅଭିଯୁକ୍ତକୁ ସଂଘବଦ୍ଧ ଭାବେ ଏମାନେ ଆକ୍ରମଣ କରିଥିଲେ । ପ୍ରତିରୋଧ କରିବାରୁ ପୋଲିସ ମଧ୍ୟ ଆକ୍ରମଣର ଶିକାର ହୋଇଥିଲା । ସହିଦନଗର ଥାନା କର୍ମଚାରୀମାନେ ଏହି ଘଟଣାରେ ଆହତ ହୋଇଥିଲେ । ଆକ୍ରମଣ କରିଥିବା ଯୁବକମାନେ ଶାସକ ଦଳର ସମର୍ଥକ ହୋଇଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା । ତେବେ ଆକ୍ରମଣ କରିଥିବା ଯୁବକମାନଙ୍କ ବିରୋଧରେ ଦୃଢ ପଦକ୍ଷେପ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା ।
ନୂଆପଡା ଜିଲା ଖଡିଆଳ ଥାନା ସୁନାରୀସିକୁଆଁ ଗ୍ରାମରେ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ଗ୍ରାମର ମୋତିଲାଲ ଛତ୍ରିଆ ପତ୍ନୀ ବାସନ୍ତୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ମୋତିଲାଲ ୪ ବର୍ଷ ତଳେ ଛତ୍ରିଆ ବହଲପଦର ଗ୍ରାମର ବାସନ୍ତୀଙ୍କୁ ବିବାହ କରିଥିଲେ। ଉଭୟଙ୍କର ଏକ ଦେଢ ବର୍ଷର ଶିଶୁପୁତ୍ର ବି ରହିଛି। ହେଲେ କିଛି ଦିନ ତଳେ କୌଣସି ଏକ ଘଟଣାକୁ ନେଈ ମୋତିଲାଲଲ୍ ବାସନ୍ତିଙ୍କ ଚରିତ୍ରକୁ ସନ୍ଦେହ କରୁଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ଗତକାଲି ମଧ୍ୟ ଉଭୟଙ୍କ ମଧ୍ୟରେ ବଚସା ଉଗ୍ରରୂପ ନେଇଥିଲା। ଶେଷରେ ରାଗିଯାଇ ଏକ ଟାଙ୍ଗୀଆରେ ମୋତିଲାଲ ପତ୍ନୀ ବାସନ୍ତୀଙ୍କୂ ହାଣି ଫେରାର ହୋଇ ଯାଇଥିଲେ। ଘଟଣାସ୍ଥଳରେ ବାସନ୍ତିଙ୍କ ମୃତ୍ୟୁ ହୋଇଥିଲା। ଏ ସମ୍ପର୍କରେ ଥାନାରେ ଅଭିଯୋଗ ପରେ ପୁଲିସ୍ ତନାଘନା ଆରମ୍ଭ କରିଥିଲା । ଶେଷରେ ଲେସୁନପାଲିଠାରୁ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ୍।
ବଲିଉଡର ଅପକମିଂ ଫିଲ୍ମ ‘ମର୍ଦ କୋ ଦର୍ଦ ନେହିଁ ହୋତା’ର ଟ୍ରେଲର ରିଲିଜ୍ ହୋଇଛି। ‘ମେନେପ୍ୟାର କିୟା’ ଫେମ୍ ବଲିଉଡ ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁ ଦାସାନୀ ଏହି ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଟ୍ରେଲର ୨ ମିନିଟ ୪୦ ସେକେଣ୍ଡର ରହିଛି। ଏଥିରେ ଅଭିମନ୍ୟୁଙ୍କ ଦମ୍ଦାର ଅଭିନୟ ଦେଖିବାକୁ ମିଳିଥିବା ବେଳେ ଟ୍ରେଲରର ଆରମ୍ଭରୁ ଶେଷ ଯାଏଁ ପୁରା ମନରୋଞ୍ଜନ ଭରି ରହିଛି। ଅଭିମନ୍ୟୁଙ୍କ ବିପକ୍ଷରେ ନଜର ଆସିବେ ରାଧୀକା ମଦନ। ରୋନି ସ୍କ୍ରିଓଓ୍ବାଲାଙ୍କ ପ୍ରଯୋଜିତ ଏହି ଫିଲ୍ମକୁ ଭାସନ୍ ବଲ୍ ନିର୍ଦ୍ଦେଶନା ଦେଉଛନ୍ତି । ଫିଲ୍ମଟି ମାର୍ଚ୍ଚ ୨୧ରେ ପରଦାକୁ ଆସିବ। ଏହି ଫିଲ୍ମରେ ମହେଶ ମଞ୍ଜେରକର୍, ଗୁଲସନ୍ ଦେଭୈୟ ପ୍ରମୁଖ ଅଭିନୟ କରୁଛନ୍ତି ।
ଗୁଜରାଟର କଂଗ୍ରେସ ବିଧାୟକ ଜୱାହର ଚଭଡ଼ା ଆଜି ବିଜେପିରେ ଯୋଗଦେଇଛନ୍ତି । ଗତକାଲି ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। । ବିଜେପି ସରକାରରେ ମନ୍ତ୍ରୀ ପଦ ପାଇବା ଲୋଭରେ ଜୱାହର କଂଗ୍ରେସର ଛାଡିଥିବା ଚର୍ଚ୍ଚା ହେଉଛି । ଜୱାହର ବାଚସ୍ପତି ରାଜେନ୍ଦ୍ର ତ୍ରିଭେଦୀଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଥିଲେ । ଗୁଜରାଟ କଂଗ୍ରେସର ବରିଷ୍ଠ ନେତା ପିଠାଲଜି ଚଭଡାଙ୍କ ପୁଅ ଜଓ୍ବାହର ଲଗାତର ୪ ଥର ଏହି ନିର୍ବାଚନ ମଣ୍ଡଳୀରୁ ଜିତି ଆସୁଥିଲେ। ସେଥିପାଇଁ ଏହି ନିର୍ବାଚନ ମଣ୍ଡଳୀକୁ କଂଗ୍ରେସର ଏକ ଦୁର୍ଗ ବୋଲି କୁହାଯାଇଥାଏ । ବିଜେପି ୨୦୧୪ ନିର୍ବାଚନର ଫଳାଫଳ ଦୋହରାଇପାରିବ ନାହିଁ । ତେଣୁ କଂଗ୍ରେସକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଥିବା କଂଗ୍ରେସ କହିଛି । ସୂଚନାଯୋଗ୍ୟ, ବିଜେପି ୨୦୧୪ ସାଧାରଣ ନିର୍ବାଚନରେ ୨୬ରୁ୨୬ଟି ଲୋକସଭା ଆସନ ଜିତିଥିଲା । ଫୁଲଓ୍ବାମା ଆତଙ୍କୀ ଆକ୍ରମଣପରେ ପାକିସ୍ତାନ ଉପରେ ହୋଇଥିବା ଏୟାର୍ ଷ୍ଟ୍ରାଇକ୍କୁ ସମର୍ଥନ କରି ସେ ବିଜେପିରେ ଯୋଗଦାନ କରିଛନ୍ତି ବୋଲି କହିଛନ୍ତି ଚଭଡ଼ା ।
ମହିଳା ଦିବସ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଓଡ଼ିଆ ସିନେମା ‘ଚାମ୍ପିୟନ’। ଡଙ୍ଗ୍ୟୁ ଏଣ୍ଟରଟେନ୍ମେଣ୍ଟ ବ୍ୟାନରରେ ଏହି ଚଳଚ୍ଚିତ୍ରରେ ଜଣେ ବକ୍ସର ଭୂମିକାରେ ଅଭିନୟ କରୁଛନ୍ତି ଅର୍ଚ୍ଚିତା ସାହୁ। ଏହି ଫିଲ୍ମରେ ସେ ବେଶ୍ କେତୋଟି ଷ୍ଟଣ୍ଟ ଶଟ୍ ମଧ୍ୟ ଦେଇଛନ୍ତି। ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ବ ଏନ୍. ଗଙ୍ଗାଧର ଏବଂ ଦୀପ୍ତି ସମ୍ଭାଳିଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି କେ. ମୁରଲୀ କ୍ରିଷ୍ଣା। ରଜନୀ ରଞ୍ଜନ ଏହି ଫିଲ୍ମରେ ସଂଳାପ ଲେଖିଥିବାବେଳେ ଏଥିରେ ସଂଯୋଜିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ବୈଦ୍ୟନାଥ ଦାଶ। ଏହି ଫିଲ୍ମରେ ଜଣେ ନିପଟ ମଫସଲ ଝିଅକୁ ନେଇ ଚିତ୍ରାୟନ ହୋଇଥିବା ଫିଲ୍ମରେ ସେଇ ଝିଅଟିର ସଂର୍ଘଷ ଓ ସଫଳତାର କାହାଣୀକୁ ବର୍ଣ୍ଣନା କରାଯାଇଛି । ଏହି ଫିଲ୍ମରେ ‘ଲାଲ୍ପାନ୍ବିବି’ ନାମରେ ଏକ ଆଇଟମ୍ ସଙ୍ଗ ରହିଛି । ଏଥିରେ ଅସୀମା ପଣ୍ଡା କଣ୍ଠଦାନ କରିଥିବାବେଳେ ଏଥିରେ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ଆଇଟମ୍ ଡ୍ୟାନ୍ସ ମଧ୍ୟ ରହିଛି । ଏହି ଫିଲ୍ମରେ ଅର୍ଚ୍ଚିତା ବ୍ୟତୀତ ମନୋଜ ମିଶ୍ର, କ୍ରିଷ୍ଣା ବେଉରା ପ୍ରମୁଖ ଅଭିନୟ କରୁଛନ୍ତି ।
ଭୋଟର ପରିଚୟ ପତ୍ର ସହ ଆଧାର କାର୍ଡକୁ ସଂଯୋଗ (ଲିଙ୍କ୍) କରିବା ପାଇଁ ଆଗତ ହୋଇଥିବା ଏକ ମାମଲାକୁ ଆଜି ଖାରଜ କରି ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମ୍ କୋର୍ଟ। ଭୋଟର ପରିଚୟ ପତ୍ର ସହ ଆଧାର କାର୍ଡକୁ ସଂଯୋଗ (ଲିଙ୍କ୍) କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମ୍ କୋର୍ଟର ଆଇନ୍ଜୀବୀ ଅଶ୍ୱିନୀ ଉପାଧ୍ୟାୟ ସୁପ୍ରମ୍ କୋର୍ଟରେ ଆଗତ କରିଥିବା ଏହି ମାମଲାର ଶୁଣାଣି କରି ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗେଇ ଏହାକୁ ଖାରଜ କରି ଦେଇଛନ୍ତି। ମାତ୍ର ଯଦି ନିର୍ବାଚନ କମିଶନ ଭୋଟର ପରିଚୟ ପତ୍ର ସହ ଆଧାର କାର୍ଡକୁ ସଂଯୋଗ (ଲିଙ୍କ୍) କରିବା ପାଇଁ ଚାହିଁବେ, ତେବେ ସେ କ୍ଷେତ୍ରରେ ସୁପ୍ରିମ୍ କୋର୍ଟ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିବେ ବୋଲି ସ୍ପଷ୍ଟ କରି ଦେଇଛନ୍ତି ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗେଇ।
ରାଜନୈତିକ ଦଳର ପ୍ରଚାର ପାଇଁ ସାର୍ବଜନିକ ସ୍ଥଳକୁ ବିକୃତ କରିବାର ଅନୁମତି ଦିଆଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପ୍ରଧାନ ନ୍ୟାୟାଧିଶ ରଂଜନ ଗାଗୋଇ, ନ୍ୟାୟମୂର୍ତ୍ତି ଏସ୍ ଅବଦୁଲ୍ ନଜୀର ଏବଂ ନ୍ୟାୟମୂର୍ତ୍ତି ସଂଜୀବ ଖାନ୍ନାଙ୍କ ତିନିଜଣିଆ ଖଣ୍ଡପୀଠ ତାମିଲନାଡୁ ସରକାରଙ୍କୁ ରାଜନୈତିକ ଦଳର ନାରା ଏବଂ ବିଜ୍ଞାପନ ସହ ସାର୍ବଜନିକ ସ୍ଥଳ ଏବଂ ସମ୍ପତ୍ତିର ବିରୂପଣର ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି । ଉଚ୍ଚତମ ନ୍ୟାୟାଳୟ ତରଫରୁ ତାମିଲନାଡୁ ସଡକରେ ଡିଜିଟାଲ୍ ବ୍ୟାନର ଲଗାଇବାରୁ ରାଜନୈତିକ ଦଳକୁ ରୋକିବା ପାଇଁ ପରମାର୍ଥ ସଂଗଠନ ତରଫରୁ ‘ ଇନ୍ ଡିଫେନ୍ସ ଅଫ୍ ଏନଭାୟରମେଣ୍ଟ୍ ଆଣ୍ଡ ଏନିମଲ୍ସ’ ର ଯାଚିକାରେ ୧୧ ଜାନୁଆରୀରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ନୋଟିସ୍ ଜାରି କରାଯାଇଥିଲା ।
କଂଗ୍ରେସ ଆଜି ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆମେଥି ଏବଂ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାୟବରେଲି ଆସନରୁ ଲଢ଼ିବେ। ମୋଟ ୧୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା ହାଇଛି। ତେବେ ଏହି ତାଲିକାରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମ ନଥିବାରୁ ଏହା ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରିୟଙ୍କା କଂଗ୍ରେସରେ ଯୋଗଦେବା ପରେ ତାଙ୍କୁ ପୂର୍ବ ଉତ୍ତର ପ୍ରଦେଶର ଦାୟିତ୍ବ ଦିଆଯାଇଛି। ପୂର୍ବରୁ ପ୍ରିୟଙ୍କା ରାୟବରେଲିରୁ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା ।
ରାଜସ୍ଥାନର ବିକାନେରଠାରେ ଏକ ମିଗ୍-୨୧ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଶୁକ୍ରବାର ମଧ୍ୟାହ୍ନରେ ଏହି ଘଟଣା ଘଟିଥିବା ବେଳେ ବିମାନ ଚଳାଉ ଥିବା ଜଣେ ପାଇଲଟ୍ ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିଥିବା ଜଣାପଡ଼ିଛି । ସୂଚନା ମୁତାବକ, ବିମାନଟି ନିୟମିତ ଅଭ୍ୟାସ ପାଇଁ ନ୍ୟାସ୍ନାଲ ଏରୋସ୍ପେସ୍ ଲାବୋରେଟୋରିରୁ ଉଡ଼ାଣ ଭରିଥିଲା । କିନ୍ତୁ ୧୪ କିଲୋମିଟର ଯିବା ପରେ ବିକାନେର୍ରେ ଥିବା ଶୋଭାସର ଗାଁରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଳି ଯାଇଥିଲା । ତେବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିବାବେଳେ ପାଇଲଟ୍ ଜଣକ ସୁରକ୍ଷିତ ରହିଛନ୍ତି । ପୂର୍ବରୁ ପାକିସ୍ତାନ ଉପରେ ଆକ୍ରମଣ ସମୟରେ ଫେବୃୟାରୀ ୨୭ରେ ଏକ ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ଥିଲେ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ। ଏଥିରେ ସେ ପାକିସ୍ତାନର ଏଫ୍-୧୬ ବିମାନଙ୍କୁ ଧ୍ୱଂସ କରିବା ସହ ପାକିସ୍ତାନ ସୀମାରେ ପହଞ୍ଚି ଯାଇଥିଲେ।
ସାଗରିକା
ବଲିଉଡ୍ରେ ମହିଳାଙ୍କୁ ନେଇ ପ୍ରଥମ ଫିଲ୍ମ ଭାବେ ‘ମଦର ଇଣ୍ଡିଆ’ (୧୯୫୭)ରେ ରିଲିଜ୍ ହୋଇଥିଲା । ଏହି ଫିଲ୍ମରେ ନର୍ଗିସ୍ ଦତ୍ତ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଜଣେ ନାରୀର ସଂର୍ଘଷକୁ ନେଇ ଏହି ଫିଲ୍ମଟି ସୁପରହିଟ୍ ରହିଥିଲା । ୧୯୭୭ ମସିହାରେ ଆସିଥିବା ଫିଲ୍ମ ‘ଭୂମିକା’ରେ ମରାଠୀ ଅଭିନେତ୍ରୀ ହସ୍ନା ଓ୍ବାଦେକରଙ୍କ ଜୀବନୀକୁ ଦେଖାଯାଇଥିଲା । ଏହି ଫିଲ୍ମରେ ଅଭିନେତ୍ରୀ ସ୍ମିତା ପାଟିଲ୍ ଅଭିନୟ କରିଥିଲେ । ୧୯୮୨ ମସିହାରେ ଆସିଥିଲା ମହେଶ ଭଟ୍ଟଙ୍କ ‘ଆର୍ଥ’ । ଏଥିରେ ଅଭିନେତ୍ରୀ ଶାବ୍ନା ଆଜ୍ମୀ ସାମ୍ପ୍ରତିକ ସ୍ଥିତିରେ ନାରୀର ଭୂମିକାକୁ ଉତ୍ଥାପନ କରିଥିଲେ । ୧୯୮୭ ମସିହାରେ ଆସିଥିଲା କେତନ ମେହେଟ୍ଟାଙ୍କ ଫିଲ୍ମ ‘ମିର୍ଚ୍ଚ ମସଲା’ । ଏଥିରେ ନାରୀର ଶକ୍ତିଙ୍କୁ ଦେଖାଯାଇଥିଲା । ନାରୀର ଯେ ଅବଳା ନୁହେଁ ସେ ଶକ୍ତିମୟୀ । ଏଥିରେ ସ୍ମିତା ପାଟିଲ୍ ବେଶ୍ ଦମଦାର୍ ଅଭିନୟ କରିଥିଲେ । ୧୯୯୭ରେ ଆସିଥିଲା ରେଖାଙ୍କ ‘ଆସ୍ଥା’ । ୨୦୦୦ ମସିହାରେ ଆସିଥିଲା ‘ଅସ୍ତିତ୍ବ’ । ଏଥିରେ ତବୁ ମୁଖ୍ୟ ଭୂମିକାରେ ଥିବାବେଳେ ଏହି ଫିଲ୍ମରେ ଜଣେ ନାରୀ ତା’ର ଆବଶ୍ୟକତା ମେଣ୍ଟାଇବା ପାଇଁ କିପରି ନିଜର ସୀମାକୁ କିଛି ସମୟ ପାଇଁ ଟପି ଯାଉଛି ତାହା ଦର୍ଶାଯାଇଥିଲା । ୨୦୦୧ରେ ରାଜକୁମାର ସନ୍ତୋଷୀଙ୍କ ସୁପରହିଟ୍ ଫିଲ୍ମ ‘ଲଜ୍ଜା’ । ଏହି ଫିଲ୍ମରେ ନାରୀ ଜୀବନର ପ୍ରତ୍ୟେକ ସ୍ତରରେ ଘଟୁଥିବା ସଂଘର୍ଷକୁ ବର୍ଣ୍ଣନା କରାଯାଇଥିଲା । ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ମନୀଷା କୋଇରାଲା ରହିଥିବାବେଳେ ଏଥିରେ ରେଖା, ମାଧୁରୀ ଦୀକ୍ଷିତ୍, ମହିମା ଚୌଧୁରୀ ପ୍ରମୁଖ ନଜର ଆସିଥିଲେ । ସେହିପରି ୨୦୦୬ରେ ଆସିଥିଲା ‘ଡୋର’ । ୨୦୧୨ରେ ଆସିଥିବା ‘କାହାନୀ’ରେ ବିଦ୍ୟା ବଲାନ୍ଙ୍କ ଅଭିନୟ ବେଶ୍ ଜୀବନ୍ତ ରହିଥିଲା ।
‘ଅନୁଭବ’, ‘ଅଙ୍କୁର୍’, ‘ଆନ୍ଧି’, ‘ଦାମିନୀ’, ‘ବାଣ୍ଡିଟ୍ କୁଇନ୍’, ‘ମୃତ୍ୟୁଦଣ୍ଡ’, ‘ପିଂଜର’, ‘ଚକ୍ ଦେ ଇଣ୍ଡିଆ, ଫ୍ୟାଶନ୍’, ‘ନୋ ଓ୍ବାନ୍ କିଲ୍ଡ ଜେସିକା’, ‘ଲିପିଷ୍ଟିକ୍ ଅଣ୍ଡର୍ ମାଇ ବୁର୍ଖା’, ‘ହିରୋଇନ୍’ ‘ମର୍ଦ୍ଦାନୀ’, ‘ପିଙ୍କ୍’, ‘ପିକୁ’, ‘ପର୍ଚେଡ୍’, ‘ତୁମ୍ହାରୀ ସୁଲ୍ଲୁ’, ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ‘କୁଇନ୍’ ମଧ୍ୟ ନାରୀ କୈନ୍ଦ୍ରିକ ଫିଲ୍ମ ରୂପେ ବେଶ୍ ସଫଳ ରହିଥିଲା । ଫିଲ୍ମଟି ବକ୍ସ ଅଫିସରେ ବେଶ୍ ସଫଳ ବ୍ୟବସାୟ କରିଥିଲା । ସେହିପରି ଶ୍ରୀଦେବୀଙ୍କ ‘ଇଂଲିଶ୍ ଭିଂଲିଶ’ ଓ ‘ମମ୍’ ଆଦି ନାରୀ କୈନ୍ଦ୍ରିକ ଫିଲ୍ମ ରୂପେ ବେଶ୍ ସଫଳ ରହିଥିଲା ।
ଚଳିତ କିଛି ବର୍ଷ ହେଲା ମହିଳା କୈନ୍ଦ୍ରିକ ଫିଲ୍ମଗୁଡ଼ିକ ବେଶ୍ ନାଁ କମାଇଛନ୍ତି । ୨୦୧୮ରେ ଆସିଥିବା ଅଭିନେତ୍ରୀ ଦୀପିକା ପାଦୁକୋନ୍ଙ୍କ ‘ପଦ୍ମାବତ୍’ ସୁପରହିଟ୍ ରହିଥିବାବେଳେ ଏଥିରେ ସମସ୍ତ ଶ୍ରେୟ ଦୀପିକାଙ୍କୁ ହିଁ ଯାଇଥିଲା । ସେହିପରି ଗତ ବର୍ଷ ଆଲିଆ ଭଟ୍ଟଙ୍କ ’ରାଜି’ ମଧ୍ୟ ବହୁଳ ଲୋକପ୍ରିୟ ହୋଇଥିଲା । ଏହି ଫିଲ୍ମରେ ଆଲିଆଙ୍କ ଅଭିନୟ ବେଶ୍ ଉଚ୍ଚକୋଟୀର ରହିଥିଲା । ଚଳିତ ବର୍ଷ ମଧ୍ୟ କଙ୍ଗନା ରଣାଓ୍ବତ୍ଙ୍କ ‘ମଣି କର୍ଣ୍ଣିକା’ ବେଶ୍ ସଫଳ ରହିଛି । ଏହି କ୍ରମରେ ବଲିଉଡ୍ରେ ଏବେ ନାରୀଙ୍କ ଜୀବନୀକୁ ନେଇ ତଥା ନାରୀ କୈନ୍ଦ୍ରିକ ଫିଲ୍ମ ନିର୍ମାଣ ହେବାରେ ଲାଗିଛି । ପୂର୍ବରୁ ବହୁତଗୁଡ଼ିଏ ଜୀବନୀ ଫିଲ୍ମ ନିର୍ମାଣ ହୋଇ ବେଶ୍ ସଫଳ ରହିଥିବାବେଳେ ଚଳିତ ବର୍ଷ ସମ୍ମାନନୀୟ ତଥା ଭିନ୍ନ ଭିନ୍ନ ପ୍ରସଙ୍ଗରେ ଉଲ୍ଲେଖନୀୟ ପ୍ରତିପାଦନ କରିଥିବା ଫିଲ୍ମଗୁଡ଼ିକ ରିଲିଜ୍ ହେବାକୁ ରହିଛି । ପୂର୍ବରୁ ମହିଳା ବକ୍ସର ମେରି କମ୍’ଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ ହୋଇ ବେଶ୍ ସଫଳ ରହିଥିଲା । ଏହି ଫିଲ୍ମରେ ମେରିକମ୍ଙ୍କ ଭୂମିକାରେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଅଭିନୟ କରିଥିଲେ । ଫିଲ୍ମଟି ମଧ୍ୟ ବକ୍ସ ଅଫିସରେ ସଫଳ ବ୍ୟବସାୟ କରିବା ସହିତ ଅନେକଗୁଡ଼ିଏ ପୁରସ୍କାର ହାତେଇଥିଲା ।
ଏହି କ୍ରମରେ ଚଳିତ ବର୍ଷ ତିନୋଟି ମହିଳା ଜୀବନୀ ଫିଲ୍ମ ପରଦା ଉପରକୁ ଆସିବାର ରହିଛି । ପ୍ରଥମରେ ରହିଛି ସାଇନା ନେହଓ୍ବାଲଙ୍କ ଜୀବନୀକୁ ନେଇ ଫିଲ୍ମ । ଏହି ଫିଲ୍ମରେ ସାଇନାଙ୍କ ଚରିତ୍ରକୁ ନିର୍ବାହ କରୁଛନ୍ତି ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର୍ । ଏହି ଫିଲ୍ମ ପାଇଁ ଶୁଟିଂ ଚାଲିଥିବାବେଳେ ଏହାର ଫାଷ୍ଟ ଲୁକ୍ ଆସି ବେଶ୍ ଚର୍ଚ୍ଚାରେ ରହିଛି । ଅମୋଲ୍ ଗୁପ୍ତେ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳିଛନ୍ତି । ସେହିପରି ରାଜି ଆକ୍ଟ୍ରେସ୍ ଆଲିଆ ଭଟ୍ଟ ଏଭରେଷ୍ଟ୍ ଚଢାଳୀ ଅରୁଣିମା ସିହ୍ନାଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ଫିଲ୍ମରେ ଅଭିନୟ କରିବେ ବୋଲି ଜଣାପଡିଛି । ପ୍ରତ୍ୟେକ ଚରିତ୍ରକୁ ବେଶ୍ ନିଖୁଣ ଭାବରେ ଫୁଟାଇପାରୁଥିବା ଏହି ଅଭିନେତ୍ରୀ ଜଣକ ଏଭରେଷ୍ଟ ଚଢାଳୀ ଅରୁଣିମା ସିହ୍ନାଙ୍କ ଜୀବନୀକୁ ବେଶ୍ ନିଖୁଣ ଭାବରେ ପରଦାରେ ଫୁଟାଇପାରିବେ । ବାସ୍କେଟବଲ୍ ଖେଳାଳୀ ଅରୁଣିମାଙ୍କ ସଂଘର୍ଷପୂର୍ଣ୍ଣ ଜୀବନ ଓ ସଫଳତାର କାହାଣୀକୁ ଏହି ଫିଲ୍ମ ମାଧ୍ୟମରେ ପ୍ରଦର୍ଶନ କରାଯିବ । ସେହିପରି ଧଡକ୍ ଗାର୍ଲ ‘ଜାହ୍ନବୀ’ କପୁର୍ କାରଗିଲ୍ ଗାର୍ଲ ଗୁଞ୍ଜନ୍ ସକ୍ସେନାଙ୍କ ଜୀବନୀ ଉପରେ ଫିଲ୍ମରେ ଅଭିନୟ କରୁଛନ୍ତି । ନିକଟରେ ଏହି ଫିଲ୍ମର ଫାଷ୍ଟ ଲୁକ୍ ମଧ୍ୟ ଜାରି କରାଯାଇଛି । ଗୁଂଜନ ୧୯୯୯ ମସିହାରେ କାର୍ଗିଲ୍ ଯୁଦ୍ଧ ସମୟରେ ବେଶ୍ ନିର୍ଣ୍ଣାୟକ ଭୂମିକା ନିଭାଇଥିଲେ । ଏଥିପାଇଁ ସେ ଶୌର୍ଯ୍ୟ ଚକ୍ର ଉପାଧିରେ ଭୂଷିତ ହୋଇଥିଲେ । ନିଜ ନିଜ କ୍ଷେତ୍ରରେ ଅନନ୍ୟ ପ୍ରତିଭା ପାଇଁ ବେଶ୍ ସଫଳ ରହିଥିବା ଆମ ଭାରତୀୟ ନାରୀଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ଫିଲ୍ମରେ ଆମର ବଲିଉଡ୍ ଅଭିନେତ୍ରୀମାନେ ବେଶ୍ ପାରଙ୍ଗମତା ଦେଖାଉଛନ୍ତି । ଆସିବାକୁ ଥିବା ଏହି ତିନୋଟି ଜୀବନୀ ଫିଲ୍ମକୁ ନେଇ ଦର୍ଶକେ ତଥା ସମୀକ୍ଷକ ବେଶ୍ ଆଶାବାଦୀ ରହିଛନ୍ତି ।
ଭାରତ ଆଗରେ ୩୧୪ ରନ୍ର ଟାର୍ଗେଟ୍
ଆଜି ଖେଳାଯାଉଥିବା ଅଷ୍ଟ୍ରେଲିଆ ବନାମ ଇଣ୍ଡିଆର ଦିନିକିଆ ସିରିଜର ତୃତୀୟ ମ୍ୟାଚରେ ଭାରତର ଅଧିନାୟକ ବିରାଟ କୋହଲି ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୫ ଓ୍ଵିକେଟ୍ ହରାଇ ୩୧୩ ରନ କରିଛି। ସିରିଜ୍ ଜିତିବା ପାଇଁ ଭାରତ ସମ୍ମୁଖରେ ରହିଛି ୩୧୪ ରନର ବିଜୟ ଲକ୍ଷ୍ୟ। ଅଷ୍ଟ୍ରେଲିଆ ପକ୍ଷରୁ ଉସମାନ ଖାଓ୍ଵଜା ପ୍ରଥମ ଦିନିକିଆ ଶତକ( ୧୦୪) ଓ ଅଧିନାୟକ ଆରୋନ ଫିଞ୍ଚ ୯୩ ରନ କରିଛନ୍ତି । ଭାରତ ପକ୍ଷରୁ କୁଲଦୀପ ଯାଦବ ତିନୋଟି ଏବଂ ମହମ୍ମଦ ସାମି ଗୋଟିଏ ଓ୍ଵିକେଟ୍ ନେଇଥିଲେ।
ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଦଳ ପକ୍ଷରୁ ସାଂଗଠନିକ ଦାୟିତ୍ୱ ଦିଆଯାଇଛି। ବୈଜୟନ୍ତଙ୍କୁ ଦଳର ରାଷ୍ଟ୍ରୀୟ ଉପସଭାପତି ଓ ରାଷ୍ଟ୍ରୀୟ ମୁଖପାତ୍ର ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ଗତ ୪ ତାରିଖରେ ନୂଆଦିଲ୍ଲୀରେ ବିଜେପିରେ ଯୋଗଦେଇଥିଲେ ଶ୍ରୀ ପଣ୍ଡା। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗଦେଇଥିଲେ। ଏହି ଅବସରରେ ଶ୍ରୀ ପଣ୍ଡା ଧନ୍ୟବାଦ ଜଣାଇବା ସହିତ ଦଳର ସଫଳତା ପାଇଁ ପ୍ରତିଶ୍ରୁତିବଦ୍ଧ ଭାବେ କାର୍ଯ୍ୟ କରିବ ବୋଲି କହିଛନ୍ତି । ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ନ୍ୟୁ ଇଣ୍ଡିଆ ପାଇଁ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି ।
ମହିଳା ଦିବସରେ ମହିଳା କାର୍ଡ ଖେଳାଇଲେ ରାହୁଲ୍
ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କୋରାପୁଟ ଜିଲ୍ଲା ଜୟପୁରରେ ଆୟୋଜିତ ମହିଳା ସମାବେଶରେ ଯୋଗ ଦେଇ ମହିଳା ଦିବସରେ ମହିଳା କାର୍ଡ ଖେଳିଛନ୍ତି । ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ଗରିବ ଛାତ୍ରୀଙ୍କୁ ମାଗଣା ଶିକ୍ଷା ସହ ଝିଅଙ୍କୁ ବିବାହ କିଟ୍ ମିଳିବ ବୋଲି ରାହୁଲ୍ କହିଛନ୍ତି । ଏହା ସହ ବିଧବା ଭତ୍ତା ୨୦୦୦ଟଙ୍କାକୁ ବୃଦ୍ଧି କରାଯିବ ଓ ପ୍ରତି ପଞ୍ଚାୟତରେ ମହିଳାଙ୍କ ପାଇଁ ସ୍ପେଶାଲ୍ ଅଫିସର ରହିବେ । ମହିଳା ଉଦ୍ୟୋଗୀଙ୍କ ପାଇଁ ଫାଇନାନ୍ସିଆଲ୍ କର୍ପୋରେସନ୍ ହେବ । ନବୀନ ସରକାରଙ୍କୁ କଡ଼ା ସମାଲୋଚନା କରି ରାହୁଲ୍ କହିଛନ୍ତି ଯେ, ଓଡ଼ିଶାରେ ଅଫିସିର୍ଙ୍କ ରାଜ ଚାଲିଛି । ଏଠାରେ ସବୁ ଲାଭ ନବୀନଙ୍କ ବନଧୁମାନଙ୍କୁ ମିଳୁଛି । ଆମେ ସାଧାରଣ ଜନତାଙ୍କ ସରକାର ବନାଇବାକୁ ଚାହୁଁଛୁ । ସେହିପରି କେନ୍ଦ୍ର ସରକାରଙ୍କୁ ମଧ୍ୟ ବର୍ଷିଛନ୍ତି ରାହୁଲ୍ । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ରାହୁଲ୍ କହିଛନ୍ତି ଯେ ଦୀର୍ଘ ବର୍ଷ ହେଲାଣି ହାଲ୍ ଫାଇଟର ପ୍ଲେନ୍ ତିଆରି କରୁଛି । କେନ୍ଦ୍ର ସରକାର ଦେଶ ଭକ୍ତିର କଥା କହୁଛନ୍ତି, ହେଲ, ବାୟୁସେନାର ଟଙ୍କା ଅମ୍ବାନୀକୁ ଦେଉଛନ୍ତି । ମୋଦି ନିଜେ ଅମ୍ବାନୀଙ୍କୁ ୩୦ ହଜାର କୋଟି ଦେଇଛନ୍ତି । ଏହା ସହ ରାହୁଲ୍ ଗାନ୍ଧି ଆଦିବାସୀ, କୃଷକଙ୍କ ଜମି ସୁରକ୍ଷା ପାଇଁ କଂଗ୍ରେସ କରିଛି । ଓଡ଼ିଶାରେ କଂଗ୍ରେସ ଆସିଲେ ଧାନ କ୍ବିଣ୍ଟାଲ ପ୍ରତି ୨୫୦୦ରୁ କମ୍ ମିଳିବ ନାହିଁ । ଓଡ଼ିଶାରେ କଂଗ୍ରେସ ସରକାର ଆସିବାର ମାତ୍ର ୧୦ ଦିନ ମଧ୍ୟରେ ଋଣ ଛାଡ଼ କରାଯିବ ବୋଲି ରାହୁଲ୍ ପ୍ରତିଶ୍ରୁତି ଦେଇଛନ୍ତି ।