୨୦୦୨ରେ ହୋଇଥିବା ଗୁଜରାଟ ଦଙ୍ଗାରେ ସମ୍ପୃକ୍ତ ଥିବା ବାବୁ ବଜରଙ୍ଗୀଙ୍କୁ ଜାମିନ ମିଳିଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ଏହି ଜାମିନ ମଞ୍ଜୁର କରାଯାଇଛି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇବାରୁ ତାଙ୍କୁ ଏହି ଜାମିନ ମିଳିଛି। ନରୋଦା ପଟିୟା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସୂଚନାଯୋଗ୍ୟ, ବାବୁ ବଜରଙ୍ଗୀଙ୍କ ପ୍ରକୃତ ନାଁ ହେଲା ବାବୁଭାଇ ପଟେଲ । ଗୁଜରାଟରେ ୨୦୦୨ରେ ସାବରମତି ଏକ୍ସପ୍ରେସ୍ କାଣ୍ଡ ପରେ ହୋଇଥିବା ଦଙ୍ଗାକୁ ନେଇ ସବୁବେଳେ ବାବୁ ବଜରଙ୍ଗୀ ଚର୍ଚ୍ଚାରେ ରହି ଆସୁଥିଲେ। ୨୦୦୭ରେ ହୋଇଥିବା ଏକ ଷ୍ଟିଙ୍ଗ ଅପରେଶନରେ ସେ ନରୋଦା ପଟିୟା ନରସଂହାରରେ ସମ୍ପୃକ୍ତ ଥିଲେ ବୋଲି ଜଣାପଡ଼ିଥିଲା ।
Tag: thesamikhsya
ବୁଧବାର ଦିନ ରୁଷୀୟ ପାର୍ଲାମେଣ୍ଟ୍ ଗୋଟାଏ ବିବାଦୀୟ ଆଇନ୍ ପାସ୍ କରିଛି। ଦେଶ, ସମାଜ, ସରକାର ବା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସମେତ କୌଣସି ସରକାରୀ କର୍ମଚାରୀଙ୍କୁ ଅସମ୍ମାନ ହେବା ପରି ଅନ୍ଲାଇନ୍ ପୋଷ୍ଟ୍ କରୁଥିବା ଲୋକଙ୍କୁ ଏହି ଆଇନ୍ ବଳରେ ଜରିମାନା ଓ ଜେଲ୍ ଦଣ୍ଡ ଦିଆଯାଇ ପାରିବ। ଅନ୍ଲାଇନ୍ ବ୍ୟବହାରକାରୀମାନଙ୍କ ପାଇଁ ଭାରତୀୟ ମୁଦ୍ରାରେ ପ୍ରାୟ ୧, ୦୬ଲକ୍ଷ ଟଙ୍କା ଜରିମାନା ରଖାଯାଇଥିବା ବେଳେ ଥରକୁ ଥର ଏ ଭଳି ପୋଷ୍ଟ୍ କରୁଥିବା ବ୍ୟକ୍ତିବିଶେଷଙ୍କ ଲାଗି ଏହାର ଦୁଇଗୁଣା ଜରିମାନା ପଡ଼ିବ। ଏବଂ ୧୫ ଦିନ ପାଇଁ ଜେଲ୍ ଦଣ୍ଡର ମଧ୍ୟ ବ୍ୟବସ୍ଥା କରାଯାଇଛି । ସେହିପରି କୌଣସି ମିଥ୍ୟା ଖବର ପ୍ରସାରଣ କରୁଥିବା ଗଣମାଧ୍ୟମ ଓ୍ବେବସାଇଟ୍କୁ ମଧ୍ୟ ଏହି ଆଇନ୍ ବଳରେ ଋଷୀୟ ସରକାରୀ ଅଧିକାରୀମାନେ ବ୍ଲକ୍ କରିବାର ବ୍ୟବସ୍ଥା ରହିଛି ।
କଂଗ୍ରେସରୁ ଲଢିବେ ହାର୍ଦ୍ଦିକ ପଟେଲ୍ !
ଗୁଜୁରାଟର ପାଟିଦାର୍ ନେତା ହାର୍ଦ୍ଦିକ ପଟେଲ୍ ଆଗାମୀ ମାର୍ଚ୍ଚ ୧୨ ତାରିଖରେ ବିଧିବଦ୍ଧଭାବେ କଂଗ୍ରେସରେ ଯୋଗ ଦେବେ ବୋଲି ଜଣାଯାଇଛି। ଖାଲି ସେତିକି ନୁହେଁ ହାର୍ଦ୍ଦିକ ପଟେଲ୍ ଗୁଜୁରାଟର ଜାମନଗର ଲୋକସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବେ ବୋଲି ମଧ୍ୟ ଜଣାଯାଇଛି। ବର୍ତ୍ତମାନ ଜାମନଗରରୁ ଲୋକସଭା ସଦସ୍ୟ ଅଛନ୍ତି ପୁନମବେନ୍ ମାଦମ୍। ସେ ଭାରତୀୟ ଜନତା ପାର୍ଟର ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି। ହାର୍ଦ୍ଦିକ ପଟେଲ୍ ଅହମ୍ମଦବାଦଠାରେ କଂଗ୍ରେସ କାର୍ଯ୍ୟକାରୀ ସମିତିର ବୈଠକ ଅବସରରେ ଦଳରେ ବିଧିବଦ୍ଧ ଭାବେ ଯୋଗ ଦେବେ ବୋଲି କୁହାଯାଉଛି।
ଲୋକପାଳ ସଦସ୍ୟ ନିଯୁକ୍ତି ନିମନ୍ତେ ଚୟନ କମିଟିର ବୈଠକ ତାରିଖ ଜଣାଇବାକୁ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ୧୦ ଦିନ ସମୟ ଦେଇଛନ୍ତି। ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ସୁପ୍ରିମ୍କୋର୍ଟର ଖଣ୍ଡପୀO ଏହି ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଚୂଡ଼ାନ୍ତ ହୋଇଥିବା ଏହି ତିନି ପାନେଲ୍କୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଥିବା ଚୟନ କମିଟିକୁ ପଠାଇ ଦିଆଯାଇଛି ବୋଲି ଆଟର୍ଣ୍ଣି ଜେନେରାଲ୍ କହିଛନ୍ତି । ସେଥି ମଧ୍ୟରୁ ଗୋଟିଏ ଲୋକପାଳ ଏବଂ ବାକି ଦୁଇଟି ବିଚାର ବିଭାଗୀୟ ଓ ଅଣବିଚାର ବିଭାଗୀୟ ଲୋକପାଳ ସଦସ୍ୟଙ୍କ ନିମନ୍ତେ ଉଦ୍ଦିଷ୍ଟ ବୋଲି ଆଟର୍ଣ୍ଣି ଜେନେରାଲ୍ ବେଣୁଗୋପାଳ କହିଛନ୍ତି। ଲୋକପାଳର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କର ନାମ ସର୍ବସାଧାରଣରେ ପ୍ରକାଶ କରାଯାଉ ବୋଲି ପ୍ରଶାନ୍ତ ଭୂଷଣ କରିଥିବା ଆବେଦନକୁ ସୁପ୍ରିମ୍ କୋର୍ଟ ଖାରଜ କରିଛନ୍ତି।
ଜମ୍ମୁରେ ଥିବା ଏକ ବସ୍ ଷ୍ଟାଣ୍ଡରେ ଭୟାନକ ବୋମା ବିସ୍ଫୋରଣ ହୋଇଛି । ସୂତ୍ରାନୁସାରେ ଏହା ଏକ ଗ୍ରେନେଡ୍ ଆକ୍ରମଣ ବୋଲି କୁହାଯାଉଛି । ଏହି ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୫ଜଣଙ୍କର ସ୍ବାସ୍ଥ୍ୟବସ୍ଥା ବେଶ୍ ଗମ୍ଭୀର ରହିଛି । ପାଖାପାଖି ୩୦ ଜଣ ସାଧାରଣ ନାଗରିକ ଆହତ ହୋଇଥିବା ସୂଚନା ମିଳିଛି । ଏପରିକି ଆଖପାଖରେ ଥିବା ପ୍ରାୟ ୧୦ଟି ବସ୍ କ୍ଷତିଗ୍ରସ୍ତ ହୋଇଛି । ବର୍ତମାନ ପୋଲିସ ସେଠାରେ ପହଁଚି ଯାଂଚ ଆରମ୍ଭ କରିଦେଇଛି । ଏହାସହ ଫରେନ୍ସିକ ଟିମ୍ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛି । ପୋଲିସ୍ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି ସୂଚନା ରହିଛି ।
ରାଫେଲ୍ ଡିଲ୍ର ଦସ୍ତାବିଜ୍ ଚୋରି ହେବାର ଅଭିଯୋଗ ପରେ ଏହାକୁ ନେଇ ବିରୋଧୀ ମୋଦି ସରକାରଙ୍କ ଉପରେ ବର୍ଷୁଛନ୍ତି । ପୂର୍ବରୁ କଂଗ୍ରେସ ଏହି ଅଭିଯୋଗ ପରେ ଯାଞ୍ଚ କରିବାକୁ ଦାବି କରିଥିବାବେଳେ ଏହି କ୍ରମରେ ଏବେ ଯୋଗ ଦେଇଛନ୍ତି ବିହାରର ପୂର୍ବତନ ଡେପୁଟି ସିଏମ୍ ତଥା ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ବୀ ଯାଦବ । ସେ ରାଫେଲ୍ ବିବାଦକୁ ନେଇ ସିଧା ନିଶାନା ମୋଦିଙ୍କୁ କରିଛନ୍ତି । ତେଜସ୍ବୀ ଏକ ଟ୍ବିଟ୍ରେ କହିଛନ୍ତି -–‘ସୁରକ୍ଷାର ଅନ୍ତିମ ଗ୍ୟାରେଣ୍ଟି ଚୌକିଦାର ନୁହେଁ ଥାନେଦାର ନିଅନ୍ତି । ଓ ଥାନେଦାର ହେଉଛନ୍ତି ଜନତା । ଚୌକିଦାରର ଚୋରି ଧରାପଡ଼ିଯାଇଛି ଏବେ ଥାନେଦାର ସଜ୍ଜା ଦେବେ । ରାଫେଲ୍କୁ ତ ଉଡାଇ ପାରିଲେନି ସେଥିପାଇଁ ଷ୍ଟଣ୍ଟ ମ୍ୟାନ୍ ରାଫେଲ୍ର ଫାଇଲ୍କୁ ଉଡାଇଦେଲେ । ସୁପ୍ରିମ୍କୋର୍ଟ ରାଫେଲ୍ ବିବାଦର ପୁର୍ନବିଚାର କରିବା ପରେ ରାଫେଲ୍ ସମ୍ପର୍କିତ ଦସ୍ତାବିଜ୍ ଚୋରି ହୋଇଛି ବୋଲି ସରକାର ସୁପ୍ରିମ୍କୋର୍ଟଙ୍କ ପାଖରେ ଉତ୍ତର ରଖିବା ପରେ କଂଗ୍ରେସ ସମେତ ଅନ୍ୟ ବିପକ୍ଷ ଦଳ ସରକାରଙ୍କ ଉପରେ ଭ୍ରଷ୍ଟାଚାରର ଆରୋପ ଲାଗିଛନ୍ତି ।
ଚର୍ଚ୍ଚାରେ ସଲମନ୍ ଓ କ୍ୟାଟ୍ରିନାଙ୍କ ଫଟୋ
ଫିଲ୍ମ ‘ଭାରତ’ର ଶୁଟିଂ ସମାପ୍ତ ପରେ ବଲିଉଡ୍ ଭାଇଜାନ୍ ସଲମନ୍ ଖାନ୍ କ୍ୟାଟ୍ରିନାଙ୍କ ସହ ତାଙ୍କର ଏକ ଫଟୋକୁ ସେୟାର କରି ‘ଭାରତ ଫିଲ୍ମର ଶୁଟିଂ ସରିଲା’ ବୋଲି ଘୋଷଣା କରିଛନ୍ତି । ଏହି ଫଟୋକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଖୁସି ହେବା ସହିତ ଭାଇଜାନ୍ଙ୍କୁ କ୍ୟାଟ୍ରିନାଙ୍କୁ ବିବାହ କରିବା ପାଇଁ କହିଛନ୍ତି । ଏହି ଫଟୋରେ ଜଣେ ଫ୍ୟାନ୍ ଲେଖିଛନ୍ତି ଯେ, ଭାଇ ଭାରତ ହୀ ନହୀଁ ଜିନ୍ଦଗୀ କେ ଲିୟେ ପରଫେକ୍ଟ ଯୋଡ଼ି ହେ । ଆଉ ଜଣେ ଫ୍ୟାନ୍ ସଲ୍ମନ୍ ଭାଇ ୟେ ଦୁନିଆ କି ସବ୍ସେ ବେଷ୍ଟ କପ୍ଲ ହୈ ବୋଲି ଲେଖିବା ସହିତ ଆଉ ଜଣେ ପ୍ରଶଂସକ ଭାଇ ଜଲ୍ଦି ବାହା ହୋଇଯାଅ କ୍ୟାଟ୍ରିନାକୁ ଆଉ କେହି ନେଇଯିବ ନହେଲେ । ସଲମନ୍ ଖାନ୍ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’ର ଶୁଟିଂ ପୂରା ୧୦୦ ଦିନ ଭିତରେ ସମ୍ପୂର୍ଣ୍ଣ ହୋଇଛି । ଏହି ଫିଲ୍ମରେ ସଲମନ୍ ଖାନ୍ ବିଭିନ୍ନ ରୂପରେ ନଜର ଆସିବେ । ଫିଲ୍ମର ଟିଜର୍ ୨୫ ଜାନୁଆରୀରେ ରିଲିଜ୍ ହୋଇଥିଲା । ଫିଲ୍ମଟି ଇଦ୍ ଅବସରରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ ସଲମନ୍ – କ୍ୟାଟ୍ରିନାଙ୍କ ବ୍ୟତୀତ ଦିଶା ପଟ୍ଟାନୀ, ତବୁ, ସୁନୀଲ୍ ଗ୍ରୋଭର୍ ପ୍ରମୁଖ ଅଭିନୟ କରୁଛନ୍ତି । ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଅଲ୍ଲୀ ଆବବାସ ଜାଫର୍ । ପୂର୍ବରୁ ସଲମାନ୍ ଓ ଅଲ୍ଲୀ ଦୁହେଁ ‘ସୁଲତାନ୍’ ଓ ‘ଟାଇଗର୍ ଜିନ୍ଦା ହୈ’ ପରି ଦୁଇଟି ସୁପର୍ହିଟ୍ ଫିଲ୍ମରେ କାମ କରିସାରିଛନ୍ତି । ଫିଲ୍ମର ଶୁଟିଂ ଦିଲ୍ଲୀ, ପଞ୍ଜାବ, ଆବୁଧାବି ଓ ସ୍ପେନଠାରେ ହୋଇଥିବାବେଳେ ଏହି ଫିଲ୍ମକୁ ସଲମାନ୍ ଖାନ୍ ଓ ଅତୁଲ୍ ଅଗ୍ନିହୋତ୍ରୀ ପ୍ରଯୋଜନା କରୁଛନ୍ତି ।
ଭାବା ଆଣବିକ ଗବେଷଣା କେନ୍ଦ୍ର (ବାର୍କ)ରେ ନୂଆ ନିର୍ଦ୍ଦେଶକ ହେଲେ ଓଡ଼ିଆ ବୈଜ୍ଞାନିକ ଡକ୍ଟର ଅଜିତ୍ କୁମାର ମହାନ୍ତି। ଏହି ପଦବୀ ଗତ ଛଅ ମାସ ହେଲା ଖାଲି ପଡିଥିଲା । ନିଯୁକ୍ତି ସଂକ୍ରାନ୍ତୀୟ କ୍ୟାବିନେଟ୍ କମିଟିର ନିଷ୍ପତ୍ତି କ୍ରମେ ଡକ୍ଟର ମହାନ୍ତିଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ମୁମ୍ବାଇ ସ୍ଥିତ ଦେଶର ଏହି ପ୍ରମୁଖ ଆଣବିକ ଗବେଷଣା କେନ୍ଦ୍ରରେ ସେ ତିନି ବର୍ଷ ପାଇଁ ନିର୍ଦ୍ଦେଶକ ଦାୟିତ୍ୱରେ ରହିବେ। ବେସିକ୍ ଫିଜିକ୍ସରେ ବିଶେଷ ପାରଦର୍ଶିତା ହାସଲ କରିଥିବା ଏହି ୫୯ ବର୍ଷୀୟ ଓଡ଼ିଆ ବୈଜ୍ଞାନିକ ‘ଡାର୍କ ମ୍ୟାଟର୍’ର ରହସ୍ୟ ଉନ୍ମୋଚନ କ୍ଷେତ୍ରରେ ବି କାର୍ଯ୍ୟ କରୁଛନ୍ତି। ଅଜିତ ମହାନ୍ତି ଏବେ ଭାବା ଆଣବିକ ଗବେଷଣା କେନ୍ଦ୍ରର ଫିଜିକ୍ସ ବିଭାଗ ନିର୍ଦ୍ଦେଶକ ଅଛନ୍ତି। ସେ କୋଲକାତା ସ୍ଥିତ ସାହା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିଅର ଫିଜିକ୍ସର ନିର୍ଦ୍ଦେଶକ ମଧ୍ୟ ଥିଲେ। ଯଦୁଗୋଡ଼ାରେ ୟୁରାନିୟମ୍ ଖଣିରେ ଭାରତର ଗଭୀରତମ ଅଣ୍ଡରଗ୍ରାଉଣ୍ଡ ଲାବୋରଟୋରୀ ପ୍ରତିଷ୍ଠା କରିବାରେ ସେ ଥିଲେ ପ୍ରମୁଖ ସୂତ୍ରଧର।
ଅଭିଶେକ ବର୍ମନ୍ଙ୍କ ବହୁ ପ୍ରତୀକ୍ଷିତ ପିରିୟଡ୍ ଡ୍ରାମା ‘କଲଙ୍କ୍’ ପରଦା ଉପରକୁ ଆସିବାର ରହିଛି । ଏହି ଫିଲ୍ମରେ ବରୁଣ ଧାଓ୍ବନ୍, ଆଲିଆ ଭଟ୍ଟ, ସଂଜୟ ଦତ୍ତ, ମାଧୁରୀ ଦୀକ୍ଷିତ, ସୋନାକ୍ଷୀ ସିହ୍ନା, ଆଦିତ୍ୟ ରୟ କପୁର୍ ପ୍ରମୁଖ ଅଭିନୟ କରୁଛନ୍ତି । ଏହାର ପ୍ରଯୋଜନା ଭାର ଗ୍ରହଣ କରିଛନ୍ତି କରନ୍ ଜୋହର । କରନ୍ ଜୋହର୍ ଏହି ଫିଲ୍ମର ଫାଷ୍ଟ ଲୁକ୍କୁ ସେୟାର କରି ଏକ ଇମୋସନାଲ୍ ବାର୍ତ୍ତା ଲେଖିଛନ୍ତି । ‘୧୫ ବର୍ଷ ପୂର୍ବେ ଏହି ଫିଲ୍ମର ପରିକଳ୍ପନା ପ୍ରଥମେ ମୋ’ ହୃଦୟ ଓ ମସ୍ତିଷ୍କକୁ ଆସିଥିଲା । …. ଏଇଟା ଏମିତି ଏକ ଫିଲ୍ମ ଯାହାକୁ ମୁଁ ପୂରା ଜୋଶ୍ ସହ ବିଶ୍ବାସ କରେ…. ଏହି ଫିଲ୍ମ ପାଇଁ ମୋ’ ପିତା ଯିବା ପୂର୍ବରୁ ପ୍ରଥମେ କାମ କରିଥିଲେ…… ଏହି ଫିଲ୍ମକୁ ଦେଖିବା ମୋ’ ବାପାଙ୍କର ସ୍ବପ୍ନ ଥିଲା…. ମୁଁ ତାଙ୍କ ସ୍ବପ୍ନକୁ ପୂରା କରିପାରିଲି ନାହିଁ….ମୋ’ ଆତ୍ମାକୁ ଆଘାତ ଲାଗିଥିଲା…. କିନ୍ତୁ ଆଜି ସେହି ଇଚ୍ଛା ଏହି ସମ୍ପର୍କ ମଧ୍ୟରେ ଯେପରି କର୍ପୂର ବାସ ପରି ରହିଛି । ଅଶାନ୍ତ ସମ୍ପର୍କ ଓ ଅନନ୍ତ କାହାଣୀ । ପ୍ରେମକୁ ଏକ ଆଓ୍ବାଜ୍ ମିଳିଛି.… ଫିଲ୍ମ ଅଭିଷେକ ବର୍ମନ୍ଙ୍କ ଦ୍ବାରା ପ୍ରସ୍ତୁତ, ପରିକଳ୍ପିତ ତଥା ପ୍ରସ୍ଫୁଟିତ ହୋଇଛି….. ଫିଲ୍ମ କଲଙ୍କ୍ । ୪୦ ଦଶର ସେଟ୍ରେ ଅଛି, କିନ୍ତୁ ଏଇଟା ହୃଦୟରେ ରହିଛି.… ଯାତ୍ରା ଆରମ୍ଭ ହୋଇଛି… ଉତ୍ସାହିତ ରହିଛି…. ଏଇ ବିଷୟରେ ଚିନ୍ତା କରି ତଥା ଭାବି….. ମୋତେ ଆଶା ଅଛି ଆପଣମାନେ ଆମର ପ୍ରେମକୁ ଯୋଡ଼ିବା ପାଇଁ ଆମ ମାର୍ଗରେ ସାମିଲ୍ ହେବେ ।’ ବରୁଣ୍ ଓ ଆଲିୟାଙ୍ ଯୋଡ଼ିଙ୍କ ଏହା ହେଉଛି ଚତୁର୍ଥ ଫିଲ୍ମ । ଦୁଇ ଶତାବ୍ଦୀର ପରେ ପୁଣି ଥରେ ହିଟ୍ ଯୋଡ଼ି ମାଧୁରୀ-ସଞ୍ଜୟଙ୍କୁ ପରଦା ଉପରେ କରନ୍ ଏହି ଫିଲ୍ମ ଜରିଆରେ ପ୍ରବେଶ କରାଇଛନ୍ତି । ୧୫ ବର୍ଷ ପୂର୍ବେ ଏହି ଫିଲ୍ମ ପାଇଁ ଚିନ୍ତା କରିଥିବା କରନ୍ ଏହି ଫିଲ୍ମର ରୂପରେଖକୁ ନେଇ ବେଶ୍ ଉତ୍ସାହିତ ରହିଛନ୍ତି । ଫିଲ୍ମଟି ଏପ୍ରିଲ୍ ୧୯ରେ ପରଦା ଉପରକୁ ଆସିବ ।
ଆରମ୍ଭ ହେଲା ଯୁକ୍ତ ଦୁଇ ପରୀକ୍ଷା
ଆଜିଠାରୁ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ଦିନ ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଛନ୍ତି । ବିଜ୍ଞାନ ଛାତ୍ରଛାତ୍ରୀମାନେ ମାତୃଭାଷା ଓଡ଼ିଆ ଏବଂ ସଂସ୍କୃତରେ ପରୀକ୍ଷା ଦେଉଥିବାବେଳେ ବାଣିଜ୍ୟ ଛାତ୍ରଛାତ୍ରୀମାନେ ଓଡ଼ିଆ ପରୀକ୍ଷା ଦେଉଛନ୍ତି । ଶୁକ୍ରବାରଠାରୁ କଳା ବିଭାଗର ପରୀକ୍ଷା ଆରମ୍ଭ ହେବ । ରାଜ୍ୟରେ ମୋଟ ୧୫୫୬ଟି ଜୁନିୟର କଲେଜର ୩ ଲକ୍ଷ ୬୯ ହଜାର ୫୩୭ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏଥିପାଇଁ ୧୦୯୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍, ସ୍ମାର୍ଟ ଫୋନ୍, ସ୍ମାର୍ଟ ଓ୍ବାଚ୍, କାଲକୁଲେଟର ଆଣିବା ଉପରେ ନିଷେଧ ଲଗାଯାଇଛି । ମାଟ୍ରିକ୍ ପ୍ରଶ୍ନପତ୍ର ପରି ଯେଭଳି ଏହି ପରୀକ୍ଷାରେ କୌଣସି ପ୍ରକାରର ବିଭ୍ରାଟ ନ ହୁଏ, ସେଥିନିମେନ୍ତ ତ୍ରିସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା କରାଯିବା ସହ ନିରୀକ୍ଷକ ନିଯୁକ୍ତ ହୋଇଛନ୍ତି । ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ବ୍ୟାପକ ଅନିୟନିମତା ଦେଖାଦେଇଥିବା ନେଇ ଶିକ୍ଷାବ୍ୟବସ୍ଥା ପ୍ରତି ସାରା ରାଜ୍ୟରେ ଏକପ୍ରକାର ଅସନ୍ତୋଷ ସୃଷ୍ଟି ହୋଇଛି । ତେବେ ଯୁକ୍ତ ଦୁଇ ପରୀକ୍ଷ ପାଇଁ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ରାଫେଲ୍ ଡିଲ୍କୁ ନେଇ ପୁଣି ଥରେ ବିପଦରେ ମୋଦି ସରକାର । ନିର୍ବାଚନ ପୂର୍ବରୁ ପୁଣି ଥରେ ତେଜିଛି ରାଫେଲ ଡିଲ୍ ବିବାଦ । ଏହି ବିବାଦକୁ ନେଇ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିଛି କଂଗ୍ରେସ । ଗତକାଲି କଂଗ୍ରେସର ରଣଦୀପ୍ ସୁରେଜଓ୍ବାଲ୍ ମୋଦିଙ୍କୁ ଘେରିଥିବାବେଳେ ଆଜି ପ୍ରେସମିଟ୍ କରି ମୋଦିଙ୍କ ଉପରେ ଜୋରଦାର ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାଫେଲ ଡିଲ ନେଇ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରି ହେବାର ଅର୍ଥ ରାଫେଲ୍ ଦୁର୍ନୀତି ଅଭିଯୋଗରେ ସତ୍ୟତା ରହିଛି । ଫାଇଲ୍ ହଜିଗଲା ଅର୍ଥ ରାଫେଲ୍ର ପ୍ରକୃତ ଦାମ ହଜିଗଲା । ଯଦି ଏଥିରେ କୌଣସି ଘୋଟାଲା ହୋଇନାହିଁ ତେବେ ପ୍ରଧାନମନ୍ତ୍ରୀ କାହିଁକି ଯାଂଚ ନିର୍ଦ୍ଦେଶ ଦେଉନାହାନ୍ତି । ରାଫେଲ ଡିଲ୍ ସମ୍ପର୍କୀତ ଫାଇଲରେ ପ୍ରଧାନମନ୍ତ୍ରୀଙ୍କ ନାଁ ରହିଛି । ତେଣୁ ପ୍ରଧାନମନ୍ତ୍ରୀ ଯଦି ନିର୍ଦ୍ଦୋଷ ତେବେ ଯାଂଚ କରନ୍ତୁ । ସେ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରନ୍ତୁ । ରାଫେଲ ରାୟର ପୁନର୍ବିଚାର କରିବା ପାଇଁ ଆଗତ ପିଟିସନ ଉପରେ ଶୁଣାଣିବେଳେ ପ୍ରତିରକ୍ଷା ମନ୍ତ୍ରାଳୟରୁ ଡିଲ୍ ସଂପର୍କିତ ଗୁରୁତ୍ୱପୂର୍ଣ କାଗଜପତ୍ର ଚୋରି ହୋଇଯାଇଥିବା ନେଇ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ଗତକାଲି ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ । ଏହି ଚୋରି ଦସ୍ତାବିଜକୁ ଆଧାର କରି ଦ ହିନ୍ଦୁ ଖବରକାଗଜ ରିପୋର୍ଟ ଛାପିଥିବା କହିଥିଲେ ବେଣୁଗୋପାଳ । କୋର୍ଟରେ ଏହି ମାମଲା ବିଚାରାଧିନ ଥିବାବେଳେ ଏହାକୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ଏହି ଖବରକାଗଜ ରିପୋର୍ଟ ଛାପି ଅଦାଲତ ଅବମାନନା କରିଛି ବୋଲି ସେ ଅଭିଯୋଗ ଆଣିଥିଲେ । ତେବେ ଏନେଇ ଏଫଆଇଆର ହୋଇନଥିବାରୁ ଉଦବେଗ ପ୍ରକାଶ କରିଥିଲେ କୋର୍ଟ । ଏହି ମାମଲାର ପରବର୍ତ୍ତି ଶୁଣାରି ଆସନ୍ତା ୧୪ତାରିଖରେ ହେବ ।
ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଚିକିତ୍ସାଳୟରୁ ନବଜାତ ଶିଶୁପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ପାଟଣାଗଡ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ, ପାଟଣାଗଡ ବ୍ଲକ ଅନ୍ତର୍ଗତ ଘସିଏନ ଗ୍ରାମର ରୁଦ୍ର ତାଣ୍ଡି (୩୫) ଏବଂ ସ୍ତ୍ରୀ ଜୟନ୍ତୀ ତାଣ୍ଡି(୩୦) । ଗତ ୩ ତାରିଖ ସନ୍ଧ୍ୟାରେ ପାଟଣାଗଡ଼ ସରକାରୀ ଡାକ୍ତରଖାନାରେ ଜୟନ୍ତୀଙ୍କ ଅସ୍ତ୍ରୋପଚାର ହୋଇ ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ସେ ଡାକ୍ତରଖାନା ଶିଶୁ ବିଭାଗର ୬୭ ନଂ ବେଡ୍ରେ ଶିଶୁ ପୁତ୍ରଙ୍କ ସହିତ ଶୋଇଥିଲେ। କୌଣସି କାମରେ ତାଙ୍କ ସ୍ବାମୀ ଓ ଶାଶୁ ଡାକ୍ତରଖାନା ବାହାରକୁ ଯାଇଥିବାବେଳେ ଜଣେ ଅଚିହ୍ନା ମହିଳା ତାଙ୍କ ନିକଟରେ ବସିବା ସହ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ପରେ ଶିଶୁପୁତ୍ରଟିକୁ ଧରିବାକୁ ଇଚ୍ଛାକରି ଖେଳାଇବା ବାହାନାରେ ବାହାରକୁ ଚାଲି ଯାଇଥିବା ଜୟନ୍ତୀ ପ୍ରକାଶ କରିଛନ୍ତି। ମହିଳାଜଣଙ୍କ ଏକ ମୋଟରସାଇକେଲରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶିଶୁପୁତ୍ରକୁ ନେଇ ଚମ୍ପଟ ମାରିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ପାଟଣାଗଡ଼ ଡାକ୍ତରଖାନାରେ ବାରମ୍ବାର ବାଇକ୍ ଚୋରି, ମୋବାଇଲ ଚୋରି ତଥା ରୋଗୀ ମାନଙ୍କ ବିଭିନ୍ନ ସାମଗ୍ରୀ ଚୋରି ଆଦି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ଡାକ୍ତରଖାନାରେ ଲାଗିଥିବା ସିସି ଟିଭିଗୁଡ଼ିକୁ ସଜାଡ଼ିବାକୁ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଦାବି ହୋଇ ଆସୁଛି। ମାତ୍ର ସେମାନଙ୍କର ଖାମଖିଆଲ ମନୋଭାବ ଯୋଗୁ ପୁଣି ଏଭଳି ପରିସ୍ଥିତର ସାମ୍ନା କରିବାକୁ ପଡିଛି ବୋଲି ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ବଲାଙ୍ଗୀର ଜିଲ୍ଲା ପଥରଚେପାଠାରେ ଆୟୋଜିତ ମିଶନ ଶକ୍ତି ସମାବେଶରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉପସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ। ମିଶନ ଶକ୍ତିରେ ସଶକ୍ତ ହୋଇଥିବା ମହିଳାମାନଙ୍କୁ ସେମାନଙ୍କୁ ସଫଳତା ସକାଶେ ଅଭିନନ୍ଦନ ଜଣାଇବା ସହ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିବା ଅଗଣିତ ମହିଳାଙ୍କୁ ଧନ୍ୟବାଦ ଜଣାଇଥିଲେ ସେ। ୨୦୦୧ ମସିହାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଏବେ ୧୮ ବର୍ଷ ମଧ୍ୟରେ ଅନେକ ମହିଳାଙ୍କୁ ନିଜ ଗୋଡ଼ରେ ଛାଡ଼ି ହେବା ଶିଖାଇଛି। ୭ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ଆଜି ୭୦ ଲକ୍ଷ ମହିଳା ସଶକ୍ତ। ସେମାନଙ୍କୁ ରାଜ୍ୟ ସରକାର ବିନା ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ଡିଜିଟାଲ୍ ସଶକ୍ତିକରଣ ସହାୟତା, ବ୍ଲକସ୍ତରୀୟ ମହାସଂଘ ପାଇଁ ସହାୟତା ପ୍ରଦାନ କରୁଛନ୍ତି। ପ୍ରତି ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ଆଦି ହୋଇପାରିଛି।
ଗରିବ ଲୋକର ଖୁସି ମୋର ସବୁଠାରୁ ବଡ଼ ସନ୍ତୋଷ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଭୁବନେଶ୍ବରର ଜନତା ମଇଦାନଠାରେ ଆୟୋଜିତ ଏକ ବିଶାଳ ଜନସମାବେଶରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗରିବ ଲୋକଙ୍କ କଲ୍ୟାଣକୁ ତାଙ୍କ ସରକାର ପ୍ରାଥମିକତା ଦେଇ ଆସିଛି । ସେ ସବୁବେଳେ ଗରିବଙ୍କ ସାଥୀରେ ରହିଛନ୍ତି ଓ ସେମାନଙ୍କ ସ୍ବାର୍ଥର ସୁରକ୍ଷା ପାଇଁ କାମ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମିଶନ୍ ଶକ୍ତିର ମା’ମାନଙ୍କୁ ସମ୍ବୋଧିତ କରି ତାଙ୍କୁ ବିକାଶର ସାରଥୀ ବୋଲି ବର୍ଣ୍ଣନା କରିଛନ୍ତି । ତାଙ୍କ ସରକାର ମିଶନ ଶକ୍ତିର ମା’ମାନଙ୍କୁ ଜିରୋ ପ୍ରତିଶତ ସୁଧରେ ଋଣ ଦେଉଛି । ସେହିପରି ସହରରେ ରହୁଥିବା ବସ୍ତିବାସିନ୍ଦାମାନଙ୍କୁ ତାଙ୍କ ସରକାର ଜାଗା ମିଶନରେ ଅନ୍ତର୍ଭୁକ୍ତ କରାଇଛି । ମହାନଗର ନିଗମ ଅଂଚଳରେ ୧୦,୦୦ ବସ୍ତି ବାସିନ୍ଦାଙ୍କୁ ଆବାସ୍ ମିଶନ୍ ଯୋଜନାରେ ବାସଗୃହ ଆବଣ୍ଟନର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକାମ୍ର, ଭୁବନେଶ୍ବର କେନ୍ଦ୍ର ଏବଂ ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ପାଇଁ ରାସ୍ତାଘାଟ, ବିଜୁଳି ଓ ଡ୍ରେନେଜ୍ ଆଦି ଭିତ୍ତିଭୂମିର ବିକାଶ କାର୍ଯ୍ୟକ୍ରମର ଶିଳାନ୍ୟାସ କରିଥିଲେ ।
ବିଦ୍ୟୁତ୍ ଜାମଓ୍ବାଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜଙ୍ଗ୍ଲୀର’ ଟ୍ରେଲର୍’ ଆଜି ରିଲିଜ୍ ହୋଇଛି । ପୂର୍ବରୁ ଚଳଚ୍ଚିତ୍ରର ପୋଷ୍ଟର ରିଲିଜ୍ ହୋଇଥିଲା । ହଲିଉଡ୍ର ପ୍ରସିଦ୍ଧ ନିର୍ଦ୍ଦେଶକ ଚକ୍ ରସେଲ୍ ଏହାର ନିର୍ଦ୍ଦେଶନା ଭାର ବହନ କରୁଥିବାବେଳେ ଭିନୀତ୍ ଜୈନ୍ ଏହାର ପ୍ରଯୋଜନା ଦାୟିତ୍ବ ସମ୍ଭାଳିଛନ୍ତି । ଏଥିରେ ବିଦ୍ୟୁତ୍ଙ୍କ ବ୍ୟତୀତ ପୂଜା ସାଓ୍ବନ୍ତ ଓ ଆଶା ଭଟ୍ଟ, ଅତୁଲ୍ କୁଲ୍କର୍ଣ୍ଣୀ ମଧ୍ୟ ଅଭିନୟ କରୁଛନ୍ତି । ଏହି ଫିଲ୍ମଟି ଏପ୍ରିଲ୍ ୫ରେ ମୁକ୍ତିଲାଭ କରିବ । ଫିଲ୍ମରେ ହାତୀ ଓ ମଣିଷର ବନ୍ଧୁତା ସହ ଜଙ୍ଗଲୀ ଜନ୍ତୁଙ୍କ ସହ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କକୁ ମଧ୍ୟ ଦେଖାଯାଇଛି । ଏହି ଟ୍ରେଲର୍ରେ ବିଦ୍ୟୁତ୍ଙ୍କ ଏକ ଡାଇଲଗ୍ ‘ହମାରୀ ଦୋସ୍ତି ମେ କୋଇ ରୁଲ୍ ନହିଁ, ଔର ଏସି ଦୋସ୍ତି ଶିଖାନେ ବାଲେ କୋଇ ସ୍କୁଲ୍ ନହିଁ’ ବହୁତ ପ୍ରଭାବଶାଳୀ ରହିଛି । ଫିଲ୍ମର ଟ୍ରେଲର୍ରେ ପ୍ରାକୃତିକ ଦୃଶ୍ୟରାଜିର ଅନନ୍ୟ ସୌନ୍ଦର୍ଯ୍ୟ ଦେଖିବାକୁ ମିଳିଛି । ଫିଲ୍ମରେ ଟ୍ରେଲର୍ରେ ଆକ୍ସନ ସହ ଇମୋସନାଲ୍ ମଧ୍ୟ ଦେଖିବାକୁ ମିଳିଛି ।
୨୨ ବର୍ଷରେ ପାଦଦେଲେ ‘ଧଡକ୍’ ଗାର୍ଲ ଜାହ୍ନବୀ
ଶ୍ରୀଦେବୀ ଓ ବୋନିକପୁର୍ଙ୍କ ଝିଅ ଜାହ୍ନବୀ କପୁର୍ ଆଜି ୨୨ ବର୍ଷ ବୟସରେ ପାଦ ଦେଇଛନ୍ତି । ‘ଧଡକ୍’ ଜରିଆରେ ବଲିଉଡ୍ ଏଣ୍ଟ୍ରି କରିଥିବା ଜାହ୍ନବୀ ପ୍ରଥମ ଫିଲ୍ମରେ ବେଶ୍ ସଫଳତା ପାଇଛନ୍ତି । ନିକଟରେ ସେ ଗୁଞ୍ଜନ ସକ୍ସେନାଙ୍କ ବାୟୋପିକ୍ରେ ଅଭିନୟ କରୁଛନ୍ତି । ୧୯୯୭ ମାର୍ଚ୍ଚ ମାସରେ ଜନ୍ମଗ୍ରହଣ କରିଥିଲେ ଏହି ଅଭିନେତ୍ରୀ ଜଣକ । ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ୍ ସ୍କୁଲରୁ ପାଠ ପଢା ସାରିବା ପରେ କାଲିଫୋର୍ଣ୍ଣିଆଠାରେ ଫିଲ୍ମ ଓ ଟେଲିଭିଜନ୍ରେ ଆକ୍ଟିଂ କୋର୍ସ କରିଛନ୍ତି । ୨୦୧୫ରେ ତାଙ୍କୁ ମହେଶ ବାବୁଙ୍କ ବିପକ୍ଷରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା, କିନ୍ତୁ ସେ ଏହାକୁ ଗ୍ରହଣ କରିନଥିଲେ । ଆଜି ଜନ୍ମଦିବସ ଅବସରରେ ଜାହ୍ନବୀ କପୁର୍ ପିତା ବୋନି କପୁର୍ ଓ ଭଉଣୀ ଖୁସି କପୁର୍ଙ୍କ ସହ ବନାରସ ଯାଇ ଗଙ୍ଗା ଆଳତୀ କରିଛନ୍ତି । ତାଙ୍କ ଜନ୍ମଦିବସ ଅବସରରେ ଭଉଣୀ ସୋନମ୍ କପୁର୍ ତାଙ୍କ ସାନବେଳର ଏକ ଫଟୋକୁ ସେୟାର କରିଥିବାବେଳେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତେବେ ୨୨ ବର୍ଷୀୟା ଅଭିନେତ୍ରୀ ତାଙ୍କ ମା’ଙ୍କ ପରି ଫିଲ୍ମ ଦୁନିଆରେ ନିଜର ଏକ ସୁନ୍ଦର ପରିଚୟ ତିଆରି କରନ୍ତୁ ।
ଗୁଗୁଲ୍ର ନୂଆ ‘ବୋଲୋ’ ଆପ୍
ଗୁଗୁଲ୍ ନୂଆ ଆପ୍ ’ବୋଲୋ’ ଲଞ୍ଚ କରିଛି । ପ୍ରାଥମିକ ସମୟରେ ଏହା ଶିଶୁଙ୍କୁ ହିନ୍ଦୀ ଓ ଇଂରାଜୀ ଶିଖିବାରେ ସାହାଯ୍ୟ କରିବ । ଏହି ଆପ୍ ଭଏସ୍ ଓ ଟେକ୍ସଟ ଟୁ ସ୍ପିଚ୍ ଉପରେ ଆଧାରିତ । ଏହାକୁ ସର୍ବପ୍ରଥମେ ଭାରତରେ ଲଞ୍ଚ କରାଯାଇଛି । ଏହି ଆପ୍ ଦ୍ବାରା ଶିଶୁମାନେ ଅତି ସହଜରେ ଇଂରାଜୀ ଶିଖିପାରିବେ । ଯେଉଁ ଶିଶୁମାନଙ୍କୁ ଉଚ୍ଚାରଣ କରିବାରେ ଟିକେ କଷ୍ଟ ହେଉଛି, ତାଙ୍କୁ ଏହା ସାହାଯ୍ୟ କରିବ । ଏହା ଅଫ୍ଲାଇନ୍ରେ ମଧ୍ୟ କାମ କରିବ । ଏଥିପାଇଁ କିନ୍ତୁ ୫୦ ଏମ୍ବିର ଏହି ଆପ୍କୁ ଡାଉନ୍ଲୋଡ୍ କରିବାକୁ ପଡ଼ିବ । ଏହା ପ୍ଲେଷ୍ଟୋର୍ରେ ନିଶୁଳ୍କ୍ ଉପଲବ୍ଧ । ଏହା ଏଣ୍ଡ୍ରୋୟେଡ୍ (୪.୪) କିଟ୍କେଟ୍ ତଥା ଏହା ପରବର୍ତ୍ତୀ ସଂସ୍କରଣରେ ମଧ୍ୟ ସହଜରେ ଉପଲବ୍ଧ ହୋଇପାରିବ । ଏଥିରେ ବଙ୍ଗାଳୀ ପରି ଅନ୍ୟାନ୍ୟ ପ୍ରାଦେଶିକ ଭାଷାକୁ ମଧ୍ୟ ସାମିଲ୍ କରାଯିବାକୁ ଯୋଜନା ରହିଛି ।
ଦେଢବର୍ଷର ରେକର୍ଡ ଭାଙ୍ଗିଲା ବେକାରୀ ସମସ୍ୟା
ଭାରତରେ ବେରୋଜଗାରୀ ସଂଖ୍ୟା ଫେବୃଆରୀ ମାସରେ ଶିଖର ସ୍ଥାନରେ ପହଞ୍ଚିଛି । ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନମି (ସିଏମ୍ଆଇଇ)ତରଫରୁ ଜାରି କରାଯାଇଥିବା ପରିସଂଖ୍ୟାନ ମୁତାବକ ଫେବୃଆରୀ ୨୦୧୯ରେ ବେରୋଜଗାରୀଙ୍କ ସଂଖ୍ୟା ୭.୨. ପ୍ରତିଶତରେ ପହଞ୍ଚିଛି । ୨୦୧୬ ଡିସେମ୍ବରରେ ୫.୯ ପ୍ରତିଶତ ଥିବାବେଳେ ଚଳିତ ବର୍ଷ ଫେବୃଆରୀରେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ୨୦୧୬ ସେପ୍ଟେମ୍ବର ପରେ ଏହା ଦେଶର ସର୍ବୋଚ୍ଚ ବେକାରୀ ହାର । ଗତବର୍ଷ ଫେବ୍ରୁଆରିରେ ଏହି ହାର ୫.୯% ସ୍ତରରେ ଥିଲା । ସିଏମଆଇଇ ରିପୋର୍ଟରୁ ଜଣାପଡ଼ିଛି ଯେ, ବର୍ଷକ ଭିତରେ ନିଯୁକ୍ତି ଆଶାୟୀଙ୍କ ସଂଖ୍ୟା କମିଥିବା ବେଳେ ବେରୋଜଗାରଙ୍କ ସଂଖ୍ୟା ବଢ଼ିଛି । ଚଳିତ ବର୍ଷ ଫେବ୍ରୁଆରି ସୁଦ୍ଧା ଭାରତରେ ନିଯୁକ୍ତିରେ ଥିବା ଲୋକଙ୍କ ସଂଖ୍ୟା ୪୦ କୋଟି ଥିଲା । ବର୍ଷକ ପୂର୍ବରୁ ସେମାନଙ୍କ ସଂଖ୍ୟା କିନ୍ତୁ ୪୦.୬ କୋଟି ଥିଲା । ଚଳିତ ବର୍ଷ ଲୋକସଭା ନିର୍ବାଚନ ରହିଛି । ଏବଂ ଏହି ସମୟରେ ବେରୋଜଗାରୀ ରେକର୍ଡ ଭାଙ୍ଗିଛି । ମୋଦି ସରକାରଙ୍କ ପାଇଁ ଏହା ସବୁଠୁ ବଡ଼ ଚେତାବନୀ ପାଲଟିବ ଏଥିରେ ସନ୍ଦେହ ନାହିଁ । ସତ୍ତାକୁ ଆସିବା ପୂର୍ବରୁ ମୋଦି ସରକାର ଯୁବକ ତଥା ବେକାରୀମାନଙ୍କ ପାଇଁ କର୍ମନିଯୁକ୍ତି ଦେବା ଉପରେ ବିଶେଷ ଗୁରୁତ୍ବ ଦେବା ଉପରେ ନିଜର ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଥିଲେ । ତେବେ ଶାସନର ୫ ବର୍ଷ ଅତିକ୍ରାନ୍ତେ ନିଯୁକ୍ତି ଉପରେ ସରକାରଙ୍କ ଅବହେଳା ତାଙ୍କୁ ବେଶ୍ ସଂକଟରେ ପକାଇବ ବୋଲି ଅନୁମାନ କରାଯାଉଛି ।
ବଂଶଧାରାକୁ ନେଇ କେନ୍ଦ୍ର ଓ ଆନ୍ଧ୍ରକୁ ତଲବ
ବଂଶଧାରା ଟ୍ରିବ୍ୟୁନାଲରେ ଅନ୍ଧ୍ରପ୍ରଦେଶ ଓ ଓଡ଼ିଶା ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ମୁକୁନ୍ଦମ ଶର୍ମାଙ୍କ ଦ୍ୱାରା ଶୁଣାଣୀ ଆଜି ହୋଇଛି । ଓଡ଼ିଶା ନେରେଡ଼ି ଓ କାଟ୍ରାଗଡ଼ା ପ୍ରକଳ୍ପର ଯୁଗ୍ମ ସର୍ଭେ ଦାବି କରିଛି । ଏହି ମାମଲାର ଶୁଣାଣୀ ଏପ୍ରିଲ ୨ରୁ ଏପ୍ରିଲ ୪ ଯାଏଁ ଚାଲିବ । ସିଡବ୍ଲୁସିର ବିନା ଅନୁମତିରେ ପ୍ରକଳ୍ପ ହୋଇଥିବା ଓଡ଼ିଶା ଅଭିଯୋଗ କରିଥିଲା । ଦୁଇଟି ପ୍ରକଳ୍ପ ଉପରେ ଟ୍ରିବ୍ୟୁନାଲରେ ଓଡ଼ିଶା ୭ଟି ଅଭିଯୋଗ କରିଛି । ଏହି ମାମଲାର ଶୁଣାଣୀ ଏପ୍ରିଲ ୨ରୁ ଏପ୍ରିଲ ୪ ଯାଏଁ ଚାଲିବ । ଆଗାମୀ ଶୁଣାଣୀରେ ଜବାବ ଦେବେ ଉଭୟ ଆନ୍ଧ୍ର ଓ କେନ୍ଦ୍ର ସରକାର । ଏପ୍ରିଲ ୨ରେ କେନ୍ଦ୍ର ସରକାର ୩ ଓ ୪ରେ ଆନ୍ଧ୍ର ସରକାର ଜବାବ ଦେବେ ।
ବାଲାକୋଟ ଏୟାର ଷ୍ଟ୍ରାଇକରେ ଆତଙ୍କୀଙ୍କ ମୃତ ସଂଖ୍ୟାକୁ ନେଇ ଉଭୟ ବିରୋଧୀ ଓ ଶାସକ ଭିତରେ ଟଣାଓଟରା ଚାଲିଛି । ବିରୋଧୀ ଏହି ଏୟାର୍ ଷ୍ଟ୍ରାଇକ୍ରେ କେତେଜଣ ଆତଙ୍କବାଦୀ ମୃତ୍ୟୁ ଘଟିଛି ବୋଲି ପଚାରୁଥିବାବେଳେ ଶାସକଙ୍କ ତରଫରୁ ଭିନ୍ନ ଭିନ୍ନ ଉତ୍ତର ଆସୁଛି । ଅମିତ୍ ଶାହା ୨୫୦ ଜଣ କହୁଥିବାବେଳେ ଯୋଗୀ ୪୦୦ ଜଣ ଓ ସିହ୍ନା ୩୦୦ ଜଣ ବୋଲି କହୁଛନ୍ତି । ତେବେ ଏହି ଘଟଣାକୁ ନେଇ ଗୃହମନ୍ତ୍ରୀ ରାଜନାଥ ସିଂହ ଜବାବ୍ ଦେଇ କହିଛନ୍ତି ଯେ, ଯଦି କଂଗ୍ରେସ ନେତା କେତେ ଆତଙ୍କୀ ମରିଛନ୍ତି ଜାଣିବାକୁ ଚାହୁଁଛନ୍ତି, ତେବେ ସେମାନେ ପାକିସ୍ତାନ ଯାଇ ଏକଥା ପଚାରନ୍ତୁ ନ ହେଲେ ମୃତ ଦେହ ଗଣନ୍ତୁ । ତେବେ ଏହା ଉପରେ ଏୟାର୍ ଚିଫ୍ ଏକ ସାମ୍ବାଦିକ ସମ୍ମିଳନୀ କରି ସଫେଇ ଦେଇଥିଲେ ଯେ ସେମାନଙ୍କ କାମ ହେଉଛି ଲକ୍ଷ୍ୟ ଭେଦ କରିବା, ମୃତ ସଂଖ୍ୟ ଗଣିବା ନୁହେଁ । ଏହା ଆତଙ୍କବାଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଥିଲା ବୋଲି ଯୁକ୍ତି କରିଛନ୍ତି ଏୟାର୍ ଚିଫ୍ । ସେହିପରି ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତରମଣ ଏହି ବିବାଦରେ ରାଜନୀତିନ କରାଯାଉ ବୋଲି କହିବା ସହିତ ଏହି ଆକ୍ରମଣରେ ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା, ଏହା କେବଳ ଏୟାର୍ ଷ୍ଟ୍ରାଇକ୍ ଥିଲା ବୋଲି ଯୁକ୍ତି ବାଢିଛନ୍ତି । ତେବେ ବାଲାକୋଟ୍ ଏୟାର୍ ଷ୍ଟ୍ରାଇକ୍କୁ ନେଇ ଉଭୟ ବିରୋଧୀ ଓ ଶାସକ ଉଭୟ ଉଭୟଙ୍କୁ ଘେରୁଛନ୍ତି ।
ଚଳିତ ବର୍ଷ ସାହିତ୍ୟ ପାଇଁ ଦୁଇଟି ନୋବେଲ୍ ପୁରସ୍କାର ପ୍ରଦାନ କରାଯିବ । ସ୍ବିଡିସ୍ ଏକାଡେମୀ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଗତବର୍ଷ ଯୌନ କେଳେଙ୍କାରୀକୁ ନେଇ ସାହିତ୍ୟ ପାଇଁ ନୋବେଲ୍ ପୁରସ୍କାରକୁ ବାତିଲ୍ କରାଯିବା ପରେ ଚଳିତ ବର୍ଷ ସାହିତ୍ୟ ପାଇଁ ଦୁଇଟି ପୁରସ୍କାର ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏକାଡେମୀ ପକ୍ଷରୁ ଷ୍ଟକହୋମଠାରେ ପ୍ରକାଶିକ ଏକ ବିବୃତ୍ତିରେ ଏହା ପ୍ରକାଶ କରାଯାଇଛି । ୨୦୧୮-୨୦୧୯ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ । ୧୯୪୯ ମସିହାରୁ ସାହିତ୍ୟ ପାଇଁ ନୋବେଲ୍ ପୁରସ୍କାର ଦିଆଯାଉଥିଲା । ପ୍ରଥମଥର ପାଇଁ ଗତବର୍ଷ ଏହି ପୁରସ୍କାରକୁ ବନ୍ଦ ରଖାଯାଇଥିଲା ।