Categories
ଆଜିର ଖବର

ଆସନ୍ତା ବିଧାନସଭା ନିର୍ବାଚନ ଲଢିବେ ରଜନୀକାନ୍ତ

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ରଜନୀକାନ୍ତ ଶୁକ୍ରବାର ଦିନ  ତାମିଲନାଡୁର ଆସନ୍ତା ବିଧାନସଭା ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ବିଧାନସଭା ନିର୍ବାଚନ ଲଢିବାକୁ ତାଙ୍କ ଦଳ ପ୍ରସ୍ତୁତ ରହିଛି।  ୨୦୦୪ ଲୋକସଭା ନିର୍ବାଚନରେ ରଜନୀକାନ୍ତ ଖୋଲାଖୋଲି ବିଜେପିକୁ ସମର୍ଥନ ଜଣାଇଥିଲେ। ୨୦୨୧ରେ ତାମିଲନାଡୁର ୨୩୪ ବିଧାନସଭା ଆସନ ପାଇଁ ନିର୍ବାଚନ ହେବାର ଅଛି। କିଛି ଦିନ ପୂର୍ବରୁ ରଜନୀକାନ୍ତ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ। ଏପରିକି ତାଙ୍କ ଦଳ ରଜନୀ ମକ୍କଲ ମଣ୍ଡରମ(ଆରଏମଏମ) ଅନ୍ୟ କୌଣସି ଦଳକୁ ସମର୍ଥନ କରିବ ନାହିଁ କି କାହା ସହ ମେଣ୍ଟ କରିବନି ବୋଲି ରଜନୀକାନ୍ତ କହିଥିଲେ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତା ବଜାୟ ରଖିବେ କି ନାହିଁ ପ୍ରଶ୍ନର ଉତ୍ତରରେ ରଜନୀକାନ୍ତ ମଇ ୨୩ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛନ୍ତି।

( ମୋବାଇଲରେ ଫଟାଫଟ୍ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ  SANKHIPTA  ଆପ, ପରେ ସ୍କ୍ରିନକୁ ତଳୁ ଉପରକୁ ଠେଲି ପଢି ଚାଲନ୍ତୁ ଖବର ପରେ ଖବର)

Categories
ଆଜିର ଖବର

ମାଓବାଦୀ ଭୟରେ ଚିତ୍ରକୋଣ୍ଡା ଓ ସ୍ବାଭିମାନ ଅଞ୍ଚଳରେ ପୋଲିଂ ଶୂନ

ରାଜ୍ୟରେ ଆଜି ୪ଟି ଲୋକସଭା ଓ ତତ୍ ସଲଗ୍ନ ୨୮ ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି। ସକାଳ ସାତଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ଏହା ମଧ୍ୟରେ ରାଜ୍ୟର ଅନେକ ଅଞ୍ଚଳରେ ଇଭିଏମ ଯାନ୍ତ୍ରିକ ତ୍ରୁଟି କାରଣରୁ ମତଦାନ ବାଧା ପ୍ରାପ୍ତ ହୋଇଥିବା ବେଳେ ଅନ୍ୟ କେଉଁଠି ପୋଲିଂ ବୁଥ ଶୂନ ରହିଛି। ଏପରିକି ରାସ୍ତା ନଥିବାରୁ ଲୋକେ ଭୋଟ୍ ବର୍ଜନ କରିଥିବା ଘଟଣା ସାମ୍ନାକୁ ଆସିଛି। ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ୧୫ଟି ବୁଥରେ ପୋଲିଂ ଶୂନ ରହିଛି। ମାଓବାଦୀଙ୍କ ଭୟରେ କେହି ଭୋଟ୍ ଦେବାକୁ ଆସିନଥିବା କୁହାଯାଉଛି। ଫଳରେ ଜିଲ୍ଲାର ସ୍ଵାଭିମାନ ଅଞ୍ଚଳର କୁନ୍ତୁରପଦରର ୯ଟି ବୁଥ ଏବଂ  ଚିତ୍ରକୋଣ୍ଡାର ଅନ୍ୟ ୬ଟି ବୁଥରେ ପୋଲିଂ ଶୂନ ରହିଛି।

Categories
ଆଜିର ଖବର

ମିଶନ୍‌ ଶକ୍ତି ପରୀକ୍ଷଣ : ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ପାଇଁ ବିପଦ

ଆମେରିକା ସ୍ପେଶ୍ ଏଜେନ୍ସୀ ନାସା ମଙ୍ଗଳବାର ଚିନ୍ତା ଜାହିର କରି କହିଛି ଭାରତ ଦ୍ୱାରା କରାଯାଇଥିବା ଆଣ୍ଟି ସାଟେଲାଇଟ୍ ମିସାଇଲ୍ ପରୀକ୍ଷଣ କାରଣରୁ ଅନ୍ତରୀକ୍ଷରେ ୪୦୦ ଟୁକୁଡା ପଥର ଦେଖିବାକୁ ମିଳିଛି। ଯେଉଁ କାରଣରୁ ଅନ୍ତରାଷ୍ଟ୍ରୀୟ ସ୍ପେଶ୍ ଷ୍ଟେସନ୍‌ରେ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡିଛି। ନାସା ତରଫରୁ ଏହି କଥାକୁ ନାସା ମୁଖ୍ୟ ଜିମ୍ ବ୍ରିଡେନଷ୍ଟାଇନ୍ କହିଛନ୍ତି। ସେ କହିଛନ୍ତି ଯେ ଏହି ଟୁକୁଡା ଏତେ ବଡ ନୁହଁ ଯେ ତାକୁ ଟ୍ରେକ୍ କରାଯାଇପାରିବ। ସେ କହିଛନ୍ତି ଯେ ଏହି ପଥରଖଣ୍ଡ ଉପରେ ଆମର ନଜର ରହିଛି ବଡ ପଥରକୁ ଆମେ ଟ୍ରେକ୍ କରୁଛୁ। ଏହିଭଳି ୬୦ ଟି ଟୁକୁଡା ସାମ୍ନାକୁ ଆସିଛି। ସେ କହିଥିଲେ ଯେ ଏହିଭଳି ୨୪ ଟି ଟୁକୁଡା ଇଣ୍ଟରନ୍ୟାସନାଲ୍ ସ୍ପେଶ୍ ଷ୍ଟେସନ୍ ଉପରକୁ ଚାଲିଯାଇ ସ୍ପେଶ୍‌ ଷ୍ଟେସନ୍‌ ନିମନ୍ତେ ବିପଦ ସୃଷ୍ଟି କରିଛି। ବ୍ରିଡେନଷ୍ଟାଇନ୍ କହିଛନ୍ତି ଏହା ଅତ୍ୟନ୍ତ ଭୟାନକ। ଏହି କାରଣରୁ ପଥର ଅନ୍ତରାଷ୍ଟ୍ରୀୟ ସ୍ପେଶ୍ ଷ୍ଟେସନରୁ ମଧ୍ୟ ଉପରକୁ ଚାଲିଯାଇଛି। ଏହି କାରଣରୁ ଭବିଷ୍ୟତରେ ମଣିଷକୁ ଅନ୍ତରୀକ୍ଷରେ ପଠାଇବା ମୁସ୍କିଲ୍ ହୋଇଯିବ। ସେ କହିଥିଲେ,ଆମେରିକା ସେନା ଏହିଭଳି ପଥର ଖଣ୍ଡକୁ ଅନ୍ତରୀକ୍ଷରେ ଟ୍ରେକ୍ କରିଥାଏ। ସେନା ଏବେ ୧୦ ସେ.ମି. ରୁ ବଡ ୨୩ ହଜାର ଅବଜେକ୍ଟକୁ ଟ୍ରେକ୍ କରିଥାଏ ଯେଉଁଥିରୁ ୧୦ ହଜାର ଟୁକୁଡା ସ୍ପେଶ୍ ପଥରର ଅଂଶ ରହିଛି। ଆଇଏସ୍‌ଏସ୍‌ ଉପରେ ବିପଦର ମାତ୍ରା ୪୪ ପ୍ରତିଶତ ବଢିଯାଇଛି। ଏହି ମହାକାଶ କେନ୍ଦ୍ର ବର୍ତ୍ତମାନ ସୁଦ୍ଧା ସୁରକ୍ଷିତ ରହିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଯାଞ୍ଚ ନସରିବା ପର୍ଯ୍ୟନ୍ତ ମହାକାଶଚାରୀଙ୍କୁ ପଠାଇବା ବିପଜ୍ଜନକ ରହିବ ବୋଲି ଜିମ୍ ବ୍ରିଡେନଷ୍ଟାଇନ୍ କହିଛନ୍ତି।

Categories
ଆଜିର ଖବର

ବାଗୀ -3 ପାଇଁ ଏକାଠି ହେଲେ ଟାଇଗର-ଶ୍ରଦ୍ଧା

୨୦୧୬ରେ ରିଲିଜ୍‌ ହୋଇଥିବା ଫିଲ୍ମ ବାଗୀର ତୃତୀୟ ସିରିଜ୍‌ ନିମନ୍ତେ ପୁଣି ଥରେ ଏକତ୍ର ନଜର ଆସିବାକୁ ଯାଉଛନ୍ତି ଟାଇଗର ଶ୍ରଫ୍‌ ଏବଂ ଶ୍ରଦ୍ଧା କପୁର୍‌। ଫିଲ୍ମର ପ୍ରଥମ ଭାଗରେ ଉଭୟ ରହିଥିବା ବେଳେ ଦ୍ବିତୀୟ ଭାଗରେ ଟାଇଗରଙ୍କ ବିପକ୍ଷରେ ଦିଶା ପଟାନୀ ନଜର ଆସିଥିଲେ। ଫିଲ୍ମଟିର ସୁଟିଂ ଆସନ୍ତା ମେ ୨୦୧୯ରୁ ଆରମ୍ଭ ହେବ ବୋଲି ଫିଲ୍ମର ପ୍ରଯୋଜକ ସାଜିଦ୍‌ ନାଦିଓ୍ବାଦଓ୍ବାଲା ସୂଚନା ଦେଇଛନ୍ତି।  ଫିଲ୍ମଟିକୁ ୪ଟି ବିଦେଶୀ ଲୋକେସନ୍‌ରେ ସୁଟିଂ କରାଯିବ ବୋଲି ଜଣାପଡିଛି। ମରକ୍କୋ, ଇଜିପ୍ଟ, ସର୍ବିଆ ଏବଂ ତୁର୍କୀରେ ଫିଲ୍ମଟିର ସୁଟିଂ ହେବ ବୋଲି ପ୍ରଯୋଜକ କହିଛନ୍ତି। ଏହା ସହିତ ପ୍ରଥମ ଭାଗର ନିର୍ଦ୍ଦେଶକ ଅହମଦ୍‌ ଖାନ୍‌ ମଧ୍ୟ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଫକ୍ସ ଷ୍ଟାର ସହିତ ସହ ପ୍ରଯୋଜନାରେ ଚଳଚିତ୍ରର ନିର୍ମାଣ କରୁଥିବା ସାଜିଦ୍‌ ଫିଲ୍ମଟି ମାର୍ଚ୍ଚ୬, ୨୦୨୦ରେ ରିଲିଜ୍‌ ହେବ ବୋଲି ସୂଚନା ଦେଇଛନ୍ତି।

Categories
ଆଜିର ଖବର

ମସୁଦ ପ୍ରସଙ୍ଗରେ ଚୀନର ପୁଣି ଦୋମୁହାଁ ନୀତି !

ଜୈଶ୍‌-ଏ-ମହମ୍ମଦ ମୁଖ୍ୟ ମସୁଦ୍ ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ନେଇ ଜାତିସଂଘରେ ସଦ୍ୟ ପ୍ରସ୍ତାବ ଆଣିବାପାଇଁ ଆମେରିକା, ବ୍ରିଟେନ୍ ଏବଂ ଫ୍ରାନ୍ସ ପକ୍ଷରୁ ଉଦ୍ୟମ ଜାରି ରହିଥିବାବେଳେ ଚୀନ ପୁଣି ଥରେ ଦୋମୁହାଁ ନୀତି ଆପଣାଇଛି। ଆସନ୍ତା ୧୩ ତାରିଖରେ ଜାତିସଂଘ ସୁରକ୍ଷା କମିଟି ବୈଠକ ହେବା ପୂର୍ବରୁ ଚୀନ୍ ପୁଣି ଏକ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇ କହିଛି ଯେ, ମସୁଦ୍‌କୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ନେଇ ଆଲୋଚନା ମାଧ୍ୟମରେ ସମାଧାନର ବାଟ ବାହାରି ପାରିବ। ପୂର୍ବରୁ ୩ ଥର ଚୀନ୍ ନିଜର ଭିଟୋ କ୍ଷମତା ପ୍ରୟୋଗ କରି ଏ ସଂକ୍ରାନ୍ତ ଭାରତ ଦ୍ବାରା ଆଗତ ପ୍ରୟାସକୁ ବିଫଳ କରିଦେଇଥିଲା। ତେବେ ଏଥର ମଧ୍ୟ ଚୀନ୍ ସେପରି କିଛି ସ୍ପଷ୍ଟ କରିନି। ପୁଲୱାମା ଆତ୍ମଘାତୀ ଆକ୍ରମଣକୁ ଚୀନ୍ କଡ଼ା ଭାଷାରେ ନିନ୍ଦା କରିଥିଲେ ମଧ୍ୟ ଆଝାର ବାବଦରେ ଏହା ସମ୍ପୂର୍ଣ୍ଣ ନିରବ ରହିଥିଲା। ଏବେ ବିଶ୍ବ ସମୁଦାୟ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଏକଘରିକିଆ କରି ରଖିଥିବା ବେଳେ ମସୁଦ୍ ବାବଦରେ ଚୀନର ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି।

Categories
ଆଜିର ଖବର

କନ୍ୟା ସୁମଙ୍ଗଳା ଯୋଜନାରେ ସବୁ ଝିଅଙ୍କୁ ସ୍ନାତକ ପର୍ଯ୍ୟନ୍ତ ମିଳିବି ୧୫ ହଜାର ଟଙ୍କା

ଉତ୍ତରପ୍ରଦେଶ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ‘କନ୍ୟା ସୁମଙ୍ଗଳା’ ଯୋଜନା ଲାଗୁ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ଯୋଜନା ଅନୁସାରେ ବାର୍ଷିକ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ପରିବାର ଝିଅକୁ ଜନ୍ମରୁ ସ୍ନାତକ ପର୍ଯ୍ୟନ୍ତ ପାଠ ପଢିବା ପାଇଁ ୫ଟି ପର୍ଯ୍ୟାୟରେ ୧୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ । ଏହି ଯୋଜନାରେ ହିତାଧିକାରୀଙ୍କୁ ପରିବାରର ଆୟ ସୀମା ୩ ଲକ୍ଷଟଙ୍କା ରଖାଯାଇଛି, ପୂର୍ବରୁ ଏହା ୧.୮୦ ଲକ୍ଷ ପର୍ଯ୍ୟନ୍ତ ରହିଥିଲା । ଏହି ଯୋଜନା ଅନୁସାରେ ୨୫ ହଜାର ଟଙ୍କା ଆୟ କରୁଥିବା ପରିବାରକୁ ମଧ୍ୟ ଏହି ଯୋଜନାର ଲାଭ ମିଳିପାରିବ । ହିତାଧୀକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଏହି ଯୋଜନାର ରାଶି ଜମା କରାଯିବ ।  କନ୍ୟା ଜନ୍ମ ସମୟରେ ୧୦୦୦ଟଙ୍କା, ଟୀକାକରା ପୂର୍ଣ୍ଣ ହେବା ପରେ ୨୦୦୦ଟଙ୍କା, ପ୍ରଥମ ଶ୍ରେଣୀରେ ପଢିଲାବେଳେ ୨୦୦୦ଟଙ୍କା, ଷଷ୍ଠ ଶ୍ରେଣୀରେ ୨୦୦୦ଟଙ୍କା, ନବ ଶ୍ରେଣୀରେ ୩୦୦୦ଟଙ୍କା,  ଦ୍ବାଦଶରୁ ଉତ୍ତୀର୍ଣ୍ଣ ହୋଇ ସ୍ନାତକ ପଢିବା ସମୟରେ ୫୦୦୦ଟଙ୍କା ମିଳିବ ବୋଲି ସୂଚନା ରହିଛି ।