Categories
ଆଜିର ଖବର

ଏନ୍‌କାଉଣ୍ଟରରେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ନିହତ

ଏନ୍‌କାଉଣ୍ଟରରେ ନିହତ ହୋଇଛି ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ମୁଦାସୀର ଅହମଦ୍ ଖାନ୍‌ ଓ ସଜ୍ଜାଦ । ଏହି ଦୁହିଁଙ୍କ ସହିତ ଜୈଶ୍‌-ଇ-ମହମ୍ମଦର ଆଉ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି। ଦକ୍ଷିଣ କାଶ୍ମୀର ତ୍ରାଲ୍ ଅଞ୍ଚଳରେ ଗତକାଲି ମଧ୍ୟରାତ୍ରରେ ହୋଇଥିବା ଏନ୍‌କାଉଣ୍ଟରରେ ମୁଦାସୀର ଓ ସଜ୍ଜାଦ ନିହତ  ହୋଇଥିବା କୁହାଯାଉଛି। ତ୍ରାଲର ପିଙ୍ଗଲିଶ୍‌ ଅଞ୍ଚଳରେ ମୁଦାସୀର ଓ ଆଉ କିଛି ଆତଙ୍କବାଦୀ ଥିବା ନେଇ ସୂଚନା ପାଇବା ପରେ ସୁରକ୍ଷାକର୍ମୀମାନେ ସେଠାରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ।  ଜୈଶ୍ ଆତଙ୍କବାଦୀ ମୁଦାସୀର ଅହମଦ୍ ଖାନ୍‌ ପୁଲୱାମା ଘଟଣାର ମାଷ୍ଟରମାଇଣ୍ଡ ଥିବାେବେଳେ ଏହି ଆତଙ୍କୀ ଆକ୍ରମଣରେ ବ୍ୟବହାର କରାଯାଇଥିବା କାର୍‌ର ମାଲିକ ଥିଲେ ସଜ୍ଜାଦ । ୨୩ ବର୍ଷୀୟ ମୁଦାସୀର ଜଣେ ଇଲେକ୍ଟ୍ରିସିଆନ୍‌। ସେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଇଲେକ୍ଟ୍ରିକାଲ୍‌ରେ ଆଇଟିଆଇ କରିଥିଲା ବୋଲି ସୂଚନା ମିଳିଛି । ପୁଲୱାମାରେ ଆକ୍ରମଣ ପାଇଁ ସେ ଗାଡ଼ି ଓ ବିସ୍ଫୋରକ ବ୍ୟବସ୍ଥା କରିଥିବା ସମସ୍ତ ପ୍ରମାଣ ତଦନ୍ତକାରୀ ସଂସ୍ଥାକୁ ମିଳିଛି।