Categories
ଆଜିର ଖବର

ଆମେରିକା-ମେକ୍ସିକୋ ସୀମା ବନ୍ଦ କରିବାକୁ ଟ୍ରମ୍ପଙ୍କ ଧମକ

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା-ମେକ୍ସିକୋ ସୀମା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଦିନ ଟ୍ରମ୍ପ କହିଛନ୍ତି ଯଦି ମେକ୍ସିକୋ ତରଫରୁ ଅନୁପ୍ରବେଶକାରୀଙ୍କୁ ରୋକିବା ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ ନକରେ ତେବେ ଆମେରିକା ଏହି ପ୍ରବେଶ ପଥ ବନ୍ଦ କରିବ। ଆମେରିକାର ଦକ୍ଷିଣରେ ଅବସ୍ଥାପିତ ଏହି ସୀମାକୁ ବନ୍ଦ କରିବା ପାଇଁ ନିକଟରେ ପେଣ୍ଟାଗନ ଆମେରିକୀୟ କଂଗ୍ରେସକୁ ୧ ବିଲିୟନ୍‌ ଡଲାରର ଅର୍ଥରାଶି ପ୍ରଦାନ କରିଥିଲା। ଟ୍ରମ୍ପ କହିଛନ୍ତି ଯଦି ମେକ୍ସିକୋ କୌଣସି ପଦକ୍ଷେପ ଗ୍ରହଣ ନକରେ ତେବେ ଏହି ସୀମାକୁ ଆମେରିକା ବନ୍ଦ କରିଦେବ ଏବଂ ଆବଶ୍ୟକ ପଡିଲେ ଦୀର୍ଘ ଦିନ ପାଇଁ ଏହି ସୀମାକୁ ବନ୍ଦ କରି ଦିଆଯିବ ଏବଂ ମେକ୍ସିକୋ ଆମେରିକା ସହିତ ଖେଳିବା ବନ୍ଦ କରୁ। ସୋସିଆଲ ମିଡିଆ ସାଇଟ ଟ୍ବିଟ୍ଟର ଜରିଆରେ ଟ୍ରମ୍ପ ନିଜର ମନୋଭାବ ପ୍ରକାଶ କରିଛନ୍ତି। ଟ୍ରମ୍ପଙ୍କ ଏହି ଧମକ ପରେ ମେକ୍ସିକୋ ପକ୍ଷରୁ ମଧ୍ୟ ସମାନ ଧମକ ମିଳିଛି। ମେକ୍ସିକୋ ବୈଦେଶିକ ବ୍ୟାପାର ସଚିବ ମାର୍ସେଲୋ ଏବ୍ରାଡ୍‌ କହିଛନ୍ତି, କୌଣସି ରାଷ୍ଟ୍ରର ଚାପରେ ମେକ୍ସିକୋ କାର୍ଯ୍ୟ କରିନଥାଏ ବୋଲି ଟ୍ରମ୍ପ ମନେ ରଖିବା ଉଚିତ୍‌। ଏହା ସହିତ ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଟ୍ରମ୍ପ ନିଜର ରାଜନୈତିକ ଫାଇଦା ନିମନ୍ତେ ପରିସ୍ଥିତିକୁ ବଢାଇ ଚଢାଇ ବଖାଣୁଛନ୍ତି।