Categories
ବିଶେଷ ଖବର ରାଜ୍ୟ ଖବର

ପାରଂପାରିକ ନୃତ୍ୟରେ ଦୁଲୁକୁଛି ଭୁବନେଶ୍ବରର ଆଦିବାସୀ ମେଳା

ଭୁବନେଶ୍ୱର:  ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ଚାଲିଥିବା ଆଦିବାସୀ ମେଳା ଓ ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଚତୁର୍ଥ ଦିବସରେ ପହଞ୍ଚିଛି। ଏଥିରେ ଆଦିବାସୀଙ୍କ ପାରଂପାରିକ ଜିନିଷ ବିକ୍ରୀ ହେଉଥିବା ବେଳେ ସଂଧ୍ୟାରେ ନୃତ୍ୟଗୀତ ଆସର ବେଶ ଜମିଯାଉଛି।

ଚତୁର୍ଥ ସନ୍ଧ୍ୟାରେ କୁଚିଣ୍ଡା ଅଞ୍ଚଳରୁ ଆସିଥିବା କିସାନ୍‌ଙ୍କର ନୃତ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ ଥିଲା। ପଶ୍ଚିମ ଓଡ଼ିଶାର ଲୋକଧାରା ସହ ଏମାନଙ୍କ ନୃତ୍ୟର ସାମଞ୍ଜସ୍ୟ ଖୁବ୍‌ ଆମୋଦପ୍ରଦ ଥିଲା। ସେହିପରି ଫୁଲବାଣୀ ଅଞ୍ଚଳର କନ୍ଧମାନଙ୍କର ଧାଙ୍ଗିଡ଼ୀ ନାଚରେ ଦର୍ଶକ ଖୁବ୍‌ ଆମୋଦିତ ହୋଇଥିଲେ। ସୁନ୍ଦରଗଡ଼ର ଓରାମ୍‌ ଜନଜାତିମାନଙ୍କର କରମା ନାଚରେ ମାଦଳର ମାଦକତା ନୃତ୍ୟ ପରିସରକୁ ଜଙ୍ଗଲର ଭ୍ରମ ସୃଷ୍ଟି କରିଥିଲା।

ସେହିପରି ମୁଣ୍ଡା ଜନଜାତି ଝିଅମାନଙ୍କର ନୃତ୍ୟରେ ଦର୍ଶକ ଯେପରି ଝୁମି ଉଠିଥିଲେ, କନ୍ଧମାନଙ୍କର ଶିଙ୍ଗ ନୃତ୍ୟରେ ଆଦିମତାକୁ ପରଖିଥିଲେ। କିସାନମାନଙ୍କ କରମା ନାଚ ସେହିପରି ପ୍ରାଚୀନ ଓ ନୂତନତାର ଏକ ସଂଗମ ହିସାବରେ ଦର୍ଶକମାନଙ୍କୁ ଭିନ୍ନସ୍ୱାଦ ଆଣି ଦେଇଥିଲା।

ନୃତ୍ୟ ପରିକ୍ରମା ସହ ଉତ୍‌ଫୁଲ୍ଲିତ ଦର୍ଶକ ମେଳାରୁ କିଣାକିଣିର ମଜା ନେଇଥିଲେ ଏବଂ ମେଳା ବୁଲିବାର ଅବସରରେ ବିଭିିନ୍ନ ଜନଜାତିଙ୍କ ସଂସ୍କୃତି ସହିତ ପରିଚିତ ହେବାର ସୁଯୋଗ ପାଇଥିଲେ। ମେଳାରେ ଗତକାଲି ସୁଦ୍ଧା ପ୍ରାୟ ଏକ କୋଟିରୁ ଊଦ୍ଧ୍ୱର୍ ଟଙ୍କାର କାରବାର ହୋଇଥିବାର ମେଳା କର୍ତ୍ତୃପକ୍ଷଙ୍କ ସୌଜନ୍ୟରୁ ପ୍ରକାଶ।

ପ୍ରଦର୍ଶନୀ ଅଞ୍ଚଳକୁ ଗ୍ରୀନ୍‌ କାର୍ପେଟ୍‌ରେ ଆଚ୍ଛାଦିତ କରିବା ସହିତ ପରିଷ୍କାର ପରିଚ୍ଛନ୍ନ ରଖାଯାଇଛି। ପ୍ରତ୍ୟହ ସନ୍ଧ୍ୟାରେ ସୁଦୃଶ୍ୟ ରଙ୍ଗମଞ୍ଚରେ ଜନଜାତିଙ୍କର ନୃତ୍ୟ ପ୍ରଦର୍ଶନ ଦର୍ଶକମାନଙ୍କୁ ବିମୋହିତ କରୁଛି ।