Categories
ବିଶେଷ ଖବର

“ଉରୀ” ସିନେମାର ପ୍ରଯୋଜକ ମହାଶୟ, କୋଟିଏ ଟଙ୍କାର ବଦାନ୍ୟତା ଦେଖେଇବାକୁ ଆପଣଙ୍କୁ ସତରେ ଲାଜ ଲାଗୁନି!!

ବୋଧାୟନ 

ଏ ଯାଏଁ ଶୁଖିନି ଆଖିର ଲୁହ, ଏଯାଏଁ ବି କଣ ଘରୁ ଶୁଭୁଛି ଗୁମୁରିଗୁମୁରି କାନ୍ଦୁଥିବା ସେହି ସ୍ତ୍ରୀର ସ୍ୱର।ବାପା କାହିଁ ବାପା କାହିଁ କହି ଭାଙ୍ଗିଯାଉଛି ଝିଅର ନିଦ।କାନ୍ଧ ଉପରୁ ଉଠିଯାଇଛି ବାପାର ହାତ।ଆତଙ୍କୀଙ୍କ ଆକ୍ରମଣରେ ସହିଦ ହୋଇଥିବା ପ୍ରତିଟି ଭାରତୀୟଙ୍କ ଘରେ ଏବେ ଏହି ଦୃଶ୍ୟ।କ୍ଷତିପୂରଣ, ସମବେଦନାର ସୁଅ ଛୁଟିଛି  । ହେଲେ ଏହାରି ଭିତରେ କିଛି ଲୋକ ନିଜର କ୍ରେଡିଟ ନେବାକୁ ଚାହିଁଛନ୍ତି। ସୋସିଆଲ ମିଡ଼ିଆ ଓ ନ୍ୟୁଜରେ ସହାୟତା ରାଶି ଦେଇ ଦେଖାଇଛନ୍ତି ସେମାନେ ବି ଦେଇପାରନ୍ତି।

ମନେଥିବ କିଛିଦିନ ତଳେ ରିଲିଜ ହୋଇଥିଲା ଫିଲ୍ମ ‘ଉରୀ’। ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକକୁ ବେଶ ସୁନ୍ଦର ଭାବରେ ଚିତ୍ରଣ କରାଯାଇଥିଲା। ଆକର୍ଷଣୀୟ ଗ୍ରାଫିକ୍ସ ସାଙ୍ଗକୁ ଦମଦାର ଷ୍ଟାରକାଷ୍ଟ ଏହି ଫିଲ୍ମକୁ ଦେଇଥିଲା ପାଖାପାଖି ୨୨୨ କୋଟିରୁ ଅଧିକ ବେପାର।ଆଉ ଏଭଳି ପରିମାଣକୁ ଦେଖି ଖୋଦ ପ୍ରଯୋଜକ ବି ତଟକା ହୋଇଯାଇଥିଲେ। କାରଣ ମାତ୍ର ୪୫ କୋଟିରେ ସିନେମା ନିର୍ମାଣ କରି ୧୭୭ କୋଟି ଟଙ୍କାର ଲାଭ ପାଇଥିଲେ। ଯବାନଙ୍କ ପ୍ରାଣବଳୀକୁ ଦେଖାଇବା ସହ ଅଦମ୍ୟ ସାହସର ଚିତ୍ରକୁ ପ୍ରଦର୍ଶିତ କରାଯାଇଥିଲା। ଭାରତୀୟ ଦର୍ଶକ ବି ଏହି ଫିଲ୍ମକୁ ଦେଖି ସେନା ପ୍ରତି ଜଣାଇଥିଲେ ଭରପୁର ସମର୍ଥନ। ହାଉସଫୁଲ ରହି ଏହି ଫିଲ୍ମ ଅନ୍ୟ ସବୁ ଫିଲ୍ମକୁ ପଛରେ ପକାଇଦେଲା।

ଏବେ କୁଆଡେ ଯବାନଙ୍କ ସହିଦ ହେବା ପରେ ପ୍ରଯୋଜକ କିଛି ସହାୟତା ଘୋଷଣା କରିଛନ୍ତି। ସମୁଦାୟ ୧ କୋଟି ଟଙ୍କା ଦେବେ। ଆଉ ସିଏ ପୁଣି ପର୍ଯ୍ୟାୟ ପରେ ପର୍ଯ୍ୟାୟ। ପ୍ରଶ୍ନ ଉଠୁଛି ଯେଉଁ ଯବାନଙ୍କୁ ଦେଖାଇ ଆପଣ ଏତେ ଟଙ୍କା ଲାଭ କଲେ ସେମାନଙ୍କ ମୂଲ୍ୟ କଣ ସେତିକି ? ଯଦି କେବଳ ଅଭିନେତା/ଅଭିନେତ୍ରୀଙ୍କ ଅଭିନୟ ଲୋକଙ୍କୁ ଆକୃଷ୍ଟ କରେ ବୋଲି ଆପଣ ଭାବନ୍ତି ତାହେଲେ କାହିଁକି ଫ୍ଲପ ହୁଏ ବଲିଉଡରେ ରାଜ କରୁଥିବା ସିନେ ଆର୍ଟିଷ୍ଟଙ୍କ ଅଭିନୟ। ସତ କଥା ହେଉଛି ଦର୍ଶକ ଫିଲ୍ମରେ ଦେଖିଥିଲେ ଆମ ପାଇଁ ଯବାନଟିଏ କେମିତି ଦିନରାତି ଏକ କରେ।

ଅନ୍ୟ ଏକ ଦିଗ ହେଉଛି ଏହି ଫିଲ୍ମ କେନ୍ଦ୍ର ସରକାରଙ୍କ ପାଇଁ ମାଇଲେଜ ସାବ୍ୟସ୍ତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରାୟ କେନ୍ଦ୍ର ମନ୍ତ୍ରୀ ପ୍ରଚାର କରିଦେଇଥିଲେ ଫିଲ୍ମ ର ଟ୍ୟାଗ ଲାଇନ ‘ହାଓ ଇଜ ଦ ଜୋଶ’। ଏହା ଦ୍ୱାରା ଅଧିକରୁ ଅଧିକ ଦର୍ଶକ ଫିଲ୍ମ କୁ ଦେଖିଥିଲେ। ଯେ କେହି ବି ଫିଲ୍ମ ପ୍ରତି ଅନୁରକ୍ତ ନଥିଲେ ବି କଣ ଅଛି ଫିଲ୍ମରେ ଉସ୍ଚୁକତା ହଲ ଯାଏଁ ଟାଣି ନେଇଥିଲା। ସେହିପରି କିଛି ରାଜ୍ୟରେ ତ ଫିଲ୍ମ ଉପରୁ ସିନେମା ଶୁଳ୍କ ବି ପ୍ରତ୍ୟାହାର କରାଯାଇଥିଲା। ଯାହାଫଳରେ ବିନା କୌଣସି ଶୁଳ୍କରେ ଏଯାଏଁ ବି ହଲ ମାନଙ୍କରେ ଚାଲିଛି ଏହି ଫିଲ୍ମ।ଯଦି ସରକାର ଆଉ ଦର୍ଶକ ଏତେ କିଛି କଲେ ତାହା ହେଲେ ପ୍ରଯୋଜକ ଅଧିକ ସହାୟତା ଦେବା ଆବଶ୍ୟକ। ନ ହେଲେ ବିଶ୍ୱାସ ହେବ ୧୭୭ କୋଟିର ଲାଭ କରି ୧ କୋଟି ଟଙ୍କା ଦେବା ଫିଲ୍ମ ପ୍ରଡ୍ୟୁସରଙ୍କ ପାଇଁ କେବଳ ମାତ୍ର ଲଜ୍ଜ୍ୟା।